ଯେତେବେଳେ ୨୩ ବର୍ଷ ବୟସ୍କା ରାନୋ ସିଂହଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ତାଙ୍କ ସ୍ୱାମୀ ଏବଂ ଶାଶୂ ପାହାଡ଼ କଡ଼ରେ ଥିବା ସେମାନଙ୍କର ଛୋଟ ଘରୁ ତରବର ହୋଇ ବାହାରକୁ ଚାଲି ଯାଇଥିଲେ । ଏହା ଭୋର ସମୟ ଥିଲା, ସକାଳ ପ୍ରାୟ ୫ଟା । ସେମାନଙ୍କ ଆଗରେ ଥିଲା ୧.୫ କିଲୋମିଟର ପାହାଡ଼ ଉପରକୁ ଚଢ଼ିବା ରାସ୍ତା, ଯାହା ସେମାନଙ୍କୁ ମୁଖ୍ୟ ରାସ୍ତାକୁ ନେଇଥାଆନ୍ତା ଯେଉଁଠାରେ ଏକ ଭଡ଼ା ଗାଡ଼ି ତାଙ୍କୁ ରାଣୀ କ୍ଷେତରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନେଇଥାଆନ୍ତା । ଏହି ଡାକ୍ତରଖାନା ସେମାନଙ୍କ ଗ୍ରାମ ସିୱାଲିଠାରୁ ପ୍ରାୟ ୧୨ କିଲୋମିଟର ଦୂର ।
ସେମାନେ ଗୋଟିଏ ଡୋଲି ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ – ସେମାନଙ୍କ ଠାକୁ ସମୂହରେ ଗର୍ଭବତୀ ମହିଳାମାନେ ପାଲିଙ୍କିରେ ପାହାଡ଼ ଉପରକୁ ନିଆଯାଆନ୍ତି । ଚାରି ଜଣ ପୁରୁଷ ଲୋକ ଚାରୋଟି କଣକୁ କାନ୍ଧେଇ ଥାଆନ୍ତି । ଏହି ଡୋଲି ତାଙ୍କୁ ରାସ୍ତାକୁ ନେଇଯାଏ, ସାଧାରଣତଃ ଅପେକ୍ଷା କରିଥିବା ଏକ ଗାଡ଼ିକୁ ଯାହା ତାଙ୍କୁ ଡାକ୍ତରଖାନାକୁ ନେଇଯିବ କିନ୍ତୁ ସେହି ସକାଳେ କୌଣସି ଡୋଲି ନଥିଲା ଏବଂ ସେମାନେ ଚାଲିବା ଆରମ୍ଭ କଲେ ।
ରାନୋ ମାତ୍ର ଅଧା ରାସ୍ତା ଚଢ଼ିପାରିଲେ । ‘‘ଆମେ ମାତ୍ର ଅଧା ଦୂରତା ଅତିକ୍ରମ କରିଥିଲୁ ଯେତେବେଳେ ମୁଁ ବୁଝିପାରିଲି ଯେ ମୁଁ ଆଉ ଯାଇପାରିବି ନାହିଁ [ଯନ୍ତ୍ରଣା କାରଣରୁ] । ସେହି ମୁହୂର୍ତ୍ତରେ ମୁଁ ଚାଲିବା ବନ୍ଦ କଲି ଏବଂ ରାସ୍ତା ଉପରେ ବସିପଡ଼ିଲି । ମୋ ସ୍ୱାମୀ ବୁଝିପାରିଲେ ଏବଂ ପାଖରେ ଥିବା ଏକ ପରିବାର ପାଖକୁ ଦୌଡ଼ିଲେ । ସେମାନେ ଆମର ଜଣାଶୁଣା ଥିଲେ ଏବଂ ଚାଚି କିଛି ପାଣି ଓ ଗୋଟିଏ ବେଡ୍ସିଟ୍ ନେଇ ୧୦ ମିନିଟ୍ ଭିତରେ ଆସିଲେ ଏବଂ ମୋ ଶାଶୂ ଏବଂ ଚାଚିଙ୍କ ସାହାଯ୍ୟରେ ସନ୍ତାନ ପ୍ରସବ କଲି ।’’ (ରାନୋଙ୍କ ସ୍ୱାମୀଙ୍କ ବୟସ ୩୪ ଏବଂ ସେ ଏକ ରାସନ ଦୋକାନରେ ସହାୟକ ଭାବରେ କାର୍ଯ୍ୟ କରନ୍ତି, ମାସକୁ ଟ. ୮,୦୦୦ ଆୟ କରନ୍ତି । ଏହା ତିନି ଜଣ ପ୍ରାପ୍ତ ବୟସ୍କ ଏବଂ ଗୋଟିଏ ଶିଶୁ ଥିବା ତାଙ୍କ ପରିବାରର ଏକମାତ୍ର ଆୟ; ସେ ତାଙ୍କ ସ୍ୱାମୀଙ୍କ ନାମ କହିବାକୁ ଚାହୁଁନଥିଲେ ।)
ସେ ବୃକ୍ଷ ପରିବେଷ୍ଟିତ ଏକ ଅଣଓସାରିଆ ପାହାଡ଼ି ରାସ୍ତାରେ ପ୍ରଥମ ସନ୍ତାନ ପ୍ରସବର ଯନ୍ତ୍ରଣାଦାୟକ ଅଭିଜ୍ଞତାକୁ ମନେପକାଇ ସେ କହିବା ଜାରି ରଖନ୍ତି, ‘‘ମୋ ପୁଅ [ଜଗତ] ଏହି ଜଙ୍ଗଲରେ ଜନ୍ମ ନେଇଥିଲା ଯେତେବେଳେ ଆମେ ମୁଖ୍ୟ ରାସ୍ତାରେ ପହଞ୍ଚିବା ପାଇଁ ଚାଲୁଥିଲୁ । ମୁଁ କେବେବି ଏପରି ଏକ ପ୍ରସବ ବିଷୟରେ କଳ୍ପନା କରିନଥିଲି । ଏବେବି ଏ ସମ୍ପର୍କରେ ଚିନ୍ତା କଲେ ପେଟ ହାକୁ ହାକୁ ହୋଇଯାଏ । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ, ମୋ ସନ୍ତାନ ସୁରକ୍ଷିତ ଥିଲା । ତାହାହିଁ ସବୁଠାରୁ ମୂଲ୍ୟବାନ୍ ଜିନିଷ ।’’
୨୦୨୦ ଫେବୃଆରୀର ସେହି ସକାଳରେ, ଜଗତ ଜନ୍ମ ହେବାର ତୁରନ୍ତ ପରେ, ରାନୋ ତାଙ୍କ ଶାଶୂ, ୫୮ ବର୍ଷ ବୟସ୍କା ପ୍ରତୀମା ସିଂହଙ୍କ ସହିତ ଶିଶୁକୁ ଧରି ଘରକୁ ଫେରିଥିଲେ ।


ଫେବୃଆରୀ ୨୦୨୦ରେ ଆଲମୋରା ଜିଲ୍ଲାର ରାନୋ ସିଂହ ଡାକ୍ତରଖାନାକୁ ଯିବା ରାସ୍ତାରେ ପାହାଡ଼ ଉପରେ ଥିବା ତାଙ୍କ ଗାଁ ସିୱାଲିଠାରୁ ୧୩ କିଲୋମିଟର ଦୂରରେ ସନ୍ତାନ ପ୍ରସବ କରିଥିଲେ ( ଡାହାଣ )
ରାନୋ ତାଙ୍କ ଗର୍ଭାବସ୍ଥାରେ କେବଳ ଗୋଟିଏ ଥର ରାନିକ୍ଷେତରେ ଗୋଟିଏ ଘରୋଇ କ୍ଲିନିକ୍ରେ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ, ଦ୍ୱିତୀୟ ମାସରେ ଅଣ୍ଟାର ତଳ ଭାଗରେ ଯନ୍ତ୍ରଣାର କାରଣ ଯାଞ୍ଚ କରିବା ପାଇଁ ଗୋଟିଏ ଅଲ୍ଟ୍ରାସାଉଣ୍ଡ୍ ନିମନ୍ତେ ଗତ ବର୍ଷ ଫେବୃଆରୀରେ ପାହାଡ଼ କଡ଼ରେ ତାଙ୍କ ସନ୍ତାନ ପ୍ରସବର ତିନି ଦିନ ପରେ ସ୍ଥାନୀୟ ଆଶା କର୍ମୀ (ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) ତାଙ୍କ ଘରକୁ ଆସିଥିଲେ । ରାନୋ କୁହନ୍ତି, ‘‘ଆଶା ଦିଦି ମୋ ଶିଶୁର ଓଜନ ମାପିବା ପାଇଁ ଏବଂ ଆବଶ୍ୟକ ଯାଞ୍ଚ କରିବା ପାଇଁ ଓ ଶିଶୁଟି ସୁସ୍ଥ ଅଛି ତାହା ଆମକୁ କହିବା ପାଇଁ ଆସିଥିଲେ । ମୋର ରକ୍ତଚାପ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଅସ୍ଥିର ରହୁଥିଲା କିନ୍ତୁ ମୁଁ ବର୍ତ୍ତମାନ ସୁସ୍ଥ ଅଛି । ଆମ୍ଭେମାନେ ପାହାଡ଼ [ପର୍ବତ]ରେ ଏଭଳି ସମସ୍ୟା ସହିତ ଅଭ୍ୟସ୍ତ ।’’
ଯଦିଓ ରାନୋଙ୍କ ଗାଁ ସିୱାଲିର ଲୋକମାନେ କୁହନ୍ତି ରାସ୍ତାରେ ଏହି ପ୍ରକାରର ପ୍ରସବ ସେମାନଙ୍କର ୬୮ଟି ପରିବାର ଏବଂ ୩୧୮ ଜନସଂଖ୍ୟା ବିଶିଷ୍ଟ ତାଙ୍କ ପଡ଼ାରେ ଆଗରୁ କେବେ ହୋଇନଥିଲା । ଏହି ପଡ଼ା ରହିଛି ଉତ୍ତରାଖଣ୍ଡର ଆଲ୍ମୋଡ଼ା ଜିଲ୍ଲାର ତାରିକ୍ଷେତ ବ୍ଲକ୍ରେ । ଏହି ଉଚ୍ଚ ପାର୍ବତ୍ୟ କ୍ଷେତ୍ରରେ ଅଧିକାଂଶ – ଏବଂ ସମୁଦାୟ ଉତ୍ତରାଖଣ୍ଡ ରାଜ୍ୟରେ ଅତି କମ୍ରେ ୩୧ ପ୍ରତିଶତ ସନ୍ତାନ ପ୍ରସବ ହୋଇଥାଏ ବୋଲି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( NFHS-4 , ୨୦୧୫-୧୬) ସୂଚିତ କରିଛି । ତେବେ, ସ୍ୱାସ୍ଥ୍ୟ ବ୍ୟବସ୍ଥା (ମୁଖ୍ୟତଃ ସରକାର ପରିଚାଳିତ ଅନୁଷ୍ଠାନଗୁଡ଼ିକରେ) ସନ୍ତାନ ପ୍ରସବର ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇଛି - NFHS-୩ (୨୦୦୫-୦୬)ରେ ୩୩ ପ୍ରତିଶତରୁ ବର୍ତ୍ତମାନ ୬୯ ପ୍ରତିଶତ (କିମ୍ବା ଉତ୍ତରାଖଣ୍ଡରେ ସମସ୍ତ ଶିଶୁ ଜନ୍ମର ଦୁଇ-ତୃତୀୟାଂଶରୁ ଅଧିକ) ।
ତଥାପି, କୁମାୟୁଁ ପାର୍ବତ୍ୟ କ୍ଷେତ୍ରରେ ମହିଳା ଏବଂ ତାଙ୍କ ପରିବାରଗୁଡ଼ିକ ପାଇଁ ଡାକ୍ତରଖାନାକୁ ଯିବା ଏକ ସମସ୍ୟା ହୋଇରହିଛି ବୋଲି ରାନିକ୍ଷେତରେ ଚିକିତ୍ସା କରୁଥିବା ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ କହିଛନ୍ତି । ଯାନବାହାନ ଚଳାଚଳ କରୁଥିବା ନିକଟତମ ରାସ୍ତା ସାଧାରଣତଃ ଦୂରରେ ରହିଛି, ପରିବହନ ନଗଣ୍ୟ ଏବଂ ଗାଡ଼ି ଭଡ଼ାରେ ନେବା ଖର୍ଚ୍ଚ ବହୁଳ ।
ଏବଂ ଗତବର୍ଷ, ମହାମାରୀ କାରଣରୁ ହୋଇଥିବା ଲକ୍ଡାଉନ୍ ତାରିକ୍ଷେତ ବ୍ଲକ୍ର ଗର୍ଭବତୀ ମହିଳାମାନଙ୍କ ପାଇଁ ଆହୁରି ଅଧିକ ସମସ୍ୟା ସୃଷ୍ଟି କରିଥିଲା । ରାନୋଙ୍କ ଗାଁଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ପଲିନାଦୋଲି ଗ୍ରାମରେ ଅଗଷ୍ଟ ୨୦୨୦ରେ ମନିଷା ସିଂହ ରାୱତ ଘରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ । ଏହି ପ୍ରସବରେ ତାଙ୍କ ପରିବାରର ପରିଚିତ ଧାଈ ବା ପାରମ୍ପରିକ ପ୍ରସବ ସହାୟିକା ସାହାଯ୍ୟ କରିଥିଲେ । ସେ ତାଙ୍କ ଘରର ଏକ ନିକଟସ୍ଥ କୋଠରୀକୁ ଦେଖାଇ କୁହନ୍ତି, ‘‘ମୁଁ ଡାକ୍ତରଖାନାକୁ ଯାଇନଥିଲି । ମୋ ଝିଅ ଏଠାରେ ଅଗଷ୍ଟ ୧୪ (୨୦୨୦)ରେ ଜନ୍ମଗ୍ରହଣ କରିଥିଲା ।’’ ସେହି କୋଠରୀରେ ଥିବା ଖଟର ଗୋଟିଏ ଗୋଡ଼ ଇଟା ଗଦା ଉପରେ ରହିଥିଲା । ମନିଷା ଏବଂ ତାଙ୍କ ସ୍ୱାମୀ, ୩୧ ବର୍ଷ ବୟସ୍କ ଧୀରଜ ସିଂହ ରାୱତଙ୍କ ଏକ ଫଟୋ ଗୋଟିଏ କାନ୍ଥରେ ଝୁଲୁଥିଲା ।
ଏହା ସେପ୍ଟେମ୍ବର ମାସର ସକାଳ ୮:୩୦ର ସାମାନ୍ୟ ପରର ସମୟ ଥିଲା । କିଛି ସମୟ ପରେ, ମନିଷା ଡାହାଣ ହାତରେ ଗୋଟିଏ ବିଡ଼ା ଏବଂ ମୁଣ୍ଡରେ ଆଉ ଏକ ବିଡ଼ା ନଡ଼ା ଧରି ଘରକୁ ଫେରିଲେ। ବିଡ଼ାଗୁଡ଼ିକୁ କଡ଼ରେ ରଖି ସେ ତାଙ୍କ ମୁଣ୍ଡ ଉପରକୁ ଥିବା ନୀଳ ରଙ୍ଗରେ ରଙ୍ଗାଯାଇଥିବା ପାରମ୍ପରିକ କୁମାୟୁନୀ ଝରକା ଦେଇ ତାଙ୍କର ମାସକର ଝିଅ ରାନୀକୁ ଡାକିଥିଲେ: ଚେଲି! ଦେଖୋ କୌନ୍ ଆୟା! [ମୋ ଛୋଟ ଝିଅ! ଦେଖ୍ କିଏ ଫେରିଆସିଛି] ।’’


ମନିଷା ସିଂହ ରାୱତ ତାଙ୍କ ଝିଅ ( ଦୋଳିରେ ଥିବା ) କୁ ଘରେ ଜଣେ ଧାଈ ବା ପାରମ୍ପରିକ ପ୍ରସବ ସହାୟିକାଙ୍କ ସହଯୋଗରେ ଜନ୍ମ ଦେଇଥିଲେ
ରାନୀକୁ ଜନ୍ମ ଦେବାର ଅତି ବେଶୀରେ ଦୁଇ ସପ୍ତାହ ପରେ ମନିଷା ତାଙ୍କର ନିୟମିତ ପାହାଡ଼ ଚଢ଼ା ଆରମ୍ଭ କରିଥିଲେ – ତାରିକ୍ଷେତ ବ୍ଲକ୍ରେ ୮୭୩ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପାଲି ନାଦୋଲିରେ ସେ ଅତି କମ୍ରେ ୧.୫ କିଲୋମିଟର ଦୂରରେ ଥିବା ଏକ ବୁଦା ଗଛ ଥିବା ଅଞ୍ଚଳରେ ପହଞ୍ଚିବା ପାଇଁ ପ୍ରାୟ ୩୦ ମିନିଟ୍ ଚାଲୁଥିଲେ । ସେଠାରୁ ସେ ତାଙ୍କ ପରିବାରର ତିନୋଟି ଛେଳି ପାଇଁ ଚାରା ସଂଗ୍ରହ କରନ୍ତି । ଏହି ଅଞ୍ଚଳରେ, ମହିଳାମାନେ ସାଧାରଣତଃ ପ୍ରତିଦିନ ଅନେକ କିଲୋମିଟର ଚାଲନ୍ତି – ଅଧିକାଂଶ ସମୟରେ ପାହାଡ଼ ଉପରକୁ – ପାଣି, ଜାଳେଣି ଏବଂ ପଶୁ ଖାଦ୍ୟ ସନ୍ଧାନରେ । ଯଦିଓ ମନିଷା ତାଙ୍କ ଦୁଇ ବଖରା ମାଟି ଏବଂ ସିମେଣ୍ଟ ଘର ବାହାରେ ଗୋଟିଏ ହ୍ୟାଣ୍ଡ୍ ପମ୍ପ ଥିବା କାରଣରୁ ସମୟ ଏବଂ ଶ୍ରମ ବଞ୍ଚାଇ ପାରୁଥିଲେ ।
ତାଙ୍କ ଛୋଟ ଝିଅଟି ଏକ ଦୋଳିରେ ଶୋଇଛି ଯାହାର ଷ୍ଟିଲ୍ ହ୍ୟାଣ୍ଡେଲ୍ ନୀଳ କାଠ ଝରକା ଦେଇ ଛାଣି ହୋଇ ଆସୁଥିବା ସକାଳର ସୂର୍ଯ୍ୟାଲୋକରେ ସୁନେଲି ଦେଖାଯାଉଛି । ମନିଷା ମୋତେ କୁହନ୍ତି, ‘‘ଆଶା କର୍ମୀ କହିଥିଲେ ଆମେ ତା’କୁ ଭିଟାମିନ୍ ପାଇଁ ସକାଳର ସୂର୍ଯ୍ୟାଲୋକ ଦେବା ଆବଶ୍ୟକ । କେଉଁ ଭିଟାମିନ୍ ମୁଁ ଜାଣେ ନାହିଁ । ତିନି ଦିନ ତଳେ ଆଶା କର୍ମୀ ଆସିବା ସମୟରେ ତା’ର ଓଜନ କମ୍ ଥିଲା । ସେ ସପ୍ତାହେ ପରେ କିମ୍ବା ଅଳ୍ପ କିଛି ଦିନ ମଧ୍ୟରେ ଆଉ ଥରେ ଆସିବେ ।’’ ୪୧ ବର୍ଷ ବୟସ୍କ ଆଶା କର୍ମୀ ମମତା ରାୱତ କୁହନ୍ତି, ‘‘ଶିଶୁର ଓଜନ ଗୋଟିଏ ମାସରେ ୪.୨ କେଜି ଥିବା ବଦଳରେ ୩ କେଜି ଅଛି।
ମନିଷା କାହିଁକି ଏକ ଆନୁଷ୍ଠାନିକ ସନ୍ତାନ ପ୍ରସବ ପାଇଁ ଇଛା କରିନଥିଲେ? ସେ ଉତ୍ତର ଦିଅନ୍ତି, ‘‘ମୁଁ ଗୋଟିଏ ଡାକ୍ତରଖାନାରେ ପ୍ରସବ ଚାହିଁ ନଥିଲି । ସେଠାରେ ହୁଏତ କିଛି ସୁବିଧା ଥାଇପାରେ । କିନ୍ତୁ ମୋ ପରିବାର ଯାହା ନିଷ୍ପତ୍ତି ନେଲେ ତାହା ହେଉଛି ଠିକ୍।’’
ମନିଷାଙ୍କ ଶ୍ୱଶୂର ପାନ ସିଂହ ରାୱତ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କୁ ଡାକ୍ତରଖାନାକୁ ନେବା ବଦଳରେ ସେ ଘରକୁ ଧାଈ ଡାକିବେ । ସେ କୁହନ୍ତି, ‘‘ସେ କହିଲେ ଯେ ମୋର ପ୍ରଥମ ପ୍ରସବ ସମୟରେ, ଯେତେବେଳେ ମୋ ପୁଅ ଜନ୍ମ ହୋଇଥିଲା ଅନେକ ଅର୍ଥ [ଟ. ୧୫,୦୦୦] ଖର୍ଚ୍ଚ ହୋଇଯାଇଛି ।’’ ତାଙ୍କ ପୁଅ ଦୁଇ ବର୍ଷ ବୟସ୍କ ରୋହନ ପାଲିନାଦୋଲୀ ଗ୍ରାମଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ରାନୀକ୍ଷେତରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଜନ୍ମ ନେଇଥିଲା (ଏବଂ ସେଥିପାଇଁ ତାଙ୍କୁ ଗାଡ଼ି ମୋଟର ଚଳାଚଳ କରୁଥିବା ରାସ୍ତା ପର୍ଯ୍ୟନ୍ତ ଏକ ଦୋଳିରେ ଅଣାଯାଇଥିଲା)। ମନିଷା କୁହନ୍ତି, ‘‘ଏବଂ କରୋନାର ଭୟ ମଧ୍ୟ ଗୋଟିଏ ଡାକ୍ତରଖାନାକୁ ଯିବା ପାଇଁ ଏ ସମସ୍ତ ତିମ୍-ଝାମ୍ [ଝାମେଲା] ଏଡ଼ାଇବାର ମୁଖ୍ୟ କାରଣ ଥିଲା [ଯେତେବେଳେ ଶିଶୁ କନ୍ୟାଟି ଅଗଷ୍ଟ ୨୦୨୦ରେ ଜନ୍ମ ନେଇଥିଲା ଏହି ମହାମାରୀ ସବୁଠାରୁ ଅଧିକ ଥିଲା] ।’’
!['We did not want to risk going all the way to Almora [for the delivery] in the pandemic,' says Pan Singh Rawat (left), Manisha’s father-in-law; they live in a joint family of nine](/media/images/04a-IMG_0565-JM.max-1400x1120.jpg)
!['We did not want to risk going all the way to Almora [for the delivery] in the pandemic,' says Pan Singh Rawat (left), Manisha’s father-in-law; they live in a joint family of nine](/media/images/04b-IMG_0576-JM.max-1400x1120.jpg)
ମନିଷାଙ୍କ ଶ୍ୱଶୂର ପାନ ସିଂହ ରାୱତ କୁହନ୍ତି ‘ ଆମେ ଏହି ମହାମାରୀରେ ଆଲମୋଡ଼ା [ ପ୍ରସବ ନିମନ୍ତେ ] ଆଲମୋଡ଼ା ଯିବାର ବିପଦ ବରଣ କରିବାକୁ ଚାହୁଁନଥିଲୁ ( ବାମ ); ସେମାନେ ନଅ ଜଣିଆ ଏକ ଯୁଗ୍ମ ପରିବାରରେ ବାସ କରନ୍ତି
ମନିଷା ଗୋଟିଏ ନଅ ଜଣିଆ ଯୁଗ୍ମ ପରିବାରରେ ବାସ କରନ୍ତି, ଏହି ପରିବାରରେ ତାଙ୍କର ଦୁଇ ସନ୍ତାନ, ତାଙ୍କ ସ୍ୱାମୀ, ତାଙ୍କର ପିତାମାତା, ଏବଂ ତାଙ୍କ ଦିଅର ଓ ତାଙ୍କ ପତ୍ନୀ ଓ ସେମାନଙ୍କର ସନ୍ତାନ ଅଛି । ସେ ୯ମ ଶ୍ରେଣୀରେ ପାଠ ପଢ଼ିବା ପରେ ୧୮ ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଧୀରଜ ସିଂହ ରାୱତ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ଏବଂ ଏକ ସ୍ଥାନୀୟ ଟ୍ରାଭେଲ୍ ଏଜେନ୍ସିରେ ଡ୍ରାଇଭର ଭାବରେ କାମ କରନ୍ତି । ସେ କୁହନ୍ତି, ‘‘ସେ ଆଲମୋଡ଼ାରୁ ନୈନିତାଲ, ଭିମତାଲ, ରାନୀକ୍ଷେତ ଏବଂ ଅନ୍ୟ ନିକଟସ୍ଥ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପର୍ଯ୍ୟଟକମାନଙ୍କୁ ନିଅନ୍ତି । ସେ ସାଧାରଣତଃ ଗୋଟିଏ ମାସରେ ପ୍ରାୟ ୨୦,୦୦୦ ଟଙ୍କା ରୋଜଗାର କରନ୍ତି । ଲକ୍ଡାଉନ୍ ସମୟରେ କୌଣସି କାର୍ଯ୍ୟ ନଥିବାରୁ ଏହି ପରିବାର ମନିଷାଙ୍କ ଶ୍ୱଶୂର ପାନ ସିଂହଙ୍କ ସଞ୍ଚୟରେ ଚଳୁଥିଲେ ।
୬୭ ବର୍ଷ ବୟସ୍କ ପାନ ସିଂହ ବୁଝାଇ କୁହନ୍ତି, ‘‘ଆମେ ଆମ ଗାଁରୁ ଏହି ମହାମାରୀ ସମୟରେ ଏତେ ଦୂର ଆଲମୋଡ଼ା [ଜିଲ୍ଲା ମୁଖ୍ୟାଳୟ, ପ୍ରାୟ ୮୦ କିଲୋମିଟର ଦୂର]କୁ ଯାଇ ଆମ ଜୀବନକୁ ବିପଦରେ ପକାଇବାକୁ ଚାହୁଁନଥିଲୁ। ତେଣୁ ଆମେ ଆମ ଘରେ ପ୍ରସବ କରାଇଥିଲୁ’’ । ପାନ ସିଂହ କିଛି ବର୍ଷ ତଳେ ରାନୀକ୍ଷେତରେ ଜଣେ ସରକାରୀ ଶ୍ରମିକ ଭାବରେ କାର୍ଯ୍ୟରୁ ଅବସର ନେଇଥିଲେ । ‘‘ଏହା ବ୍ୟତୀତ ଡାକ୍ତରଖାନାକୁ ଯିବା ପାଇଁ ଆମକୁ ନିକଟସ୍ଥ ବଜାରରୁ ଏକ ଗାଡ଼ି ଭଡ଼ା କରିବାକୁ ହୋଇଥାନ୍ତା, ଏଠାରୁ ୨ କିଲୋମିଟର ଯିବା ପରେ ତାହା ପାଇଥା’ନ୍ତୁ ଏବଂ ଏହାପରେ ଆହୁରି ୮୦ କିଲୋମିଟର ଯାତ୍ରା କରିବାକୁ ହୋଇଥା’ନ୍ତ।’’
ସେମାନେ ଘରୋଇ ପ୍ରସବରେ ମାଆ ଏବଂ ଶିଶୁର ସୁରକ୍ଷା ନେଇ ବ୍ୟସ୍ତ ଥିଲେ କି? ସେ ଉତ୍ତର ଦିଅନ୍ତି, ‘‘ସେମାନଙ୍କର ମାଆ [ତାଙ୍କ ପତ୍ନୀ] ଏବଂ ମୁଁ ଏବେ ବୟସ୍କ ହୋଇଗଲୁଣି । ଏବଂ ସେହି ସମୟରେ କରୋନା ବହୁତ ବଢ଼ିଥିଲା ଏବଂ ଡାକ୍ତରଖାନାକୁ ଯିବା ଦ୍ୱାରା ଆମେ ବିପଦରେ ପଡ଼ିଥାନ୍ତୁ ଏବଂ ଏହି ଧାଈ ଯିଏ ଆମ ଘରକୁ ଆସିଥିଲେ ଆମର ଜଣାଶୁଣା । ତେଣୁ କମ୍ ବିପଦ ଥିଲା [କୋଭିଡ୍ ସଂକ୍ରମଣର] ।’’ ସେ ଏହା ମଧ୍ୟ କହିଥିଲେ ‘‘ସେ ଆମ ଗାଁରେ ଏବଂ ଅନ୍ୟଗୁଡ଼ିକରେ ମଧ୍ୟ ଅନେକ ପ୍ରସବ କରାଇଛନ୍ତି ।’’
NFHS-4 (୨୦୧୫-୧୬) ଅନୁଯାୟୀ ଏହି ସର୍ବେକ୍ଷଣ ପରେ ପାଞ୍ଚ ବର୍ଷ ପୂର୍ବରୁ ଉତ୍ତରାଖଣ୍ଡର ସମସ୍ତ ପ୍ରସବ ମଧ୍ୟରୁ ୭୧ ପ୍ରତିଶତ ଜଣେ କୁଶଳୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହାୟତାରେ ହୋଇଥିଲା - ଯାହା ମଧ୍ୟରେ ଡାକ୍ତର, ନର୍ସ, ଅତିରିକ୍ତ ଧାଈ ଏବଂ ମହିଳା ସ୍ୱାସ୍ଥ୍ୟ ପରିବେକ୍ଷକଙ୍କ ଅନ୍ତର୍ଭୁକ୍ତ। ଏବଂ ୪.୬ ପ୍ରତିଶତ ଘରୋଇ ପ୍ରସବ କୁଶଳୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହାୟତାରେ କରାଯାଇଥିଲା । ଘରୋଇ ପ୍ରସବର ଅଧିକାଂଶ – ୨୩ ପ୍ରତିଶତ – ଜଣେ ପାରମ୍ପରିକ ପ୍ରସବ ସହାୟିକା (ଧାଈ)ଙ୍କ ସାହାଯ୍ୟରେ କରାଯାଇଥିଲା ।


ବାମ : ମନିଷା ଗର୍ବର ସହିତ ତାଙ୍କ ସ୍ୱାମୀ ଧୀରଜଙ୍କ ସହିତ କ୍ରିକେଟ୍ ଉପଲବ୍ଧି ସମ୍ପର୍କରେ ଆଲୋଚନା କରନ୍ତି , ଡାହାଣ : ତାଙ୍କର ଦୁଇ ବର୍ଷର ପୁଅ ରୋହନ ଏକ ଘରୋଇ ଡାକ୍ତରଖାନାରେ ଜନ୍ମଗ୍ରହଣ କରିଥିଲା
ତାରିକ୍ଷେତ ବ୍ଲକ୍ର ପାଲି ନାଦୋଲୀ, ଦୋବା ଏବଂ ସିଙ୍ଗୋଲି (ତିନୋଟି ଗ୍ରାମରେ ସମୁଦାୟ ଜନସଂଖ୍ୟା ୧୨୭୩ ସହିତ)ରେ କାର୍ଯ୍ୟ କରୁଥିବା ଏକ ମାତ୍ର ଆଶା କର୍ମୀ ମମତା ରାୱତ ପ୍ରସବ ପୂର୍ବ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ ସମ୍ପର୍କରେ ମାର୍ଗଦର୍ଶନ ଏବଂ ପରାମର୍ଶ ଦେବା ପାଇଁ ଫୋନ୍ରେ ମନିଷାଙ୍କ ପରିବାର ସହ ସଂସ୍ପର୍ଶରେ ରହିଥିଲେ । ମମତା ପାଲି ନାଦୋଲୀର ସବୁଠାରୁ ନିକଟରେ ଥିବା ତାରିକ୍ଷେତ ପିଏଚ୍ସିକୁ ସୂଚିତ କରି ମୋତେ କହିଥିଲେ, ‘‘ମୁଁ ତାଙ୍କ ଗର୍ଭାବସ୍ଥାର ପ୍ରଥମ ତ୍ରୈମାସିକରେ ମନିଷାଙ୍କୁ ଡାକ୍ତରଖାନାକୁ ନେଇଥିଲି ।’’ ସେଠାକୁ ଦୁଇ ଜଣ ଯାକ ମମତାଙ୍କ ସ୍କୁଟିରେ ଯାଇଥିଲେ ।
ମମତା କୁହନ୍ତି, ‘‘ମୁଁ ମଧ୍ୟ ତାଙ୍କ ସହ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ, ତାଙ୍କ ପ୍ରସବ ତାରିଖର ମାତ୍ର ୧୦ ଦିନ ପୂର୍ବରୁ କଥା ହୋଇଥିଲି ଏବଂ ଉପଯୁକ୍ତ ଯତ୍ନ ଏବଂ ସାବଧାନତା ସହିତ ଡାକ୍ତରଖାନାକୁ ଆସିବାକୁ କହିଥିଲି [ଏହି ପିଏଚ୍ସିର ଏକ ମାଟେର୍ନିଟି ୱାର୍ଡ ରହିଛି] । ଯେତେବେଳେ ତାରିଖ ଅତିକ୍ରମ କରିଗଲା ଏବଂ ମୁଁ ତାଙ୍କଠାରୁ କିମ୍ବା ତାଙ୍କ ପରିବାରଠାରୁ କୌଣସି ଖବର ପାଇଲି ନାହିଁ, ମୁଁ ଜାଣିବା ପାଇଁ ଫୋନ୍ କଲି । ମୁଁ ଆଶ୍ଚର୍ଯ୍ୟ ହେଲି ମନିଷା ଘରେ ସନ୍ତାନ ପ୍ରସବ କଲେ ଏବଂ ଏକ ଆନୁଷ୍ଠାନିକ ପ୍ରସବ ନିମନ୍ତେ ମୋର ପରାମର୍ଶ ଅଦରକାରୀ ହୋଇଯାଇଥିଲା ।’’ ସେ ଦର୍ଶାଇଥିଲେ ଯେ ତାଙ୍କ ଉପଦେଶର ସମ୍ମାନ ରଖାଯାଇନଥିଲା ।
ଏ ମଧ୍ୟରେ, ମନିଷାଙ୍କ ଘରେ ସେହି ସେପ୍ଟେମ୍ବର ସକାଳରେ ସୂର୍ଯ୍ୟ କିରଣ ଅଧିକ ପ୍ରଖର ହେଉଥିଲା । ସେ ଏ ପର୍ଯ୍ୟନ୍ତ ଶୋଇଥିବା ତାଙ୍କ ପୁଅକୁ ଖଟ ବାହାରକୁ ଟେକିଆଣିଲେ ଏବଂ ତା’କୁ କହିଲେ, ‘‘ଉଠିପଡ଼! ଦେଖ୍ ତୋ ଭଉଣୀ ଉଠିପଡ଼ିଲାଣି ।’’
ଏବଂ ଏହା ପରେ ଆମେ ସନ୍ତାନ ପ୍ରସବ ପ୍ରସଙ୍ଗରୁ ଦୂରେଇ ଗଲୁ ଏବଂ ସେ ଗୌରବର ସହ ତାଙ୍କ ସ୍ୱାମୀ ଧୀରଜଙ୍କର କ୍ରିକେଟ୍ ପ୍ରେମ ବିଷୟରେ ଆଲୋଚନା କରିଥିଲେ । ସେ ଆନନ୍ଦିତ ହୋଇ ଏବଂ ନୀଳ କାନ୍ଥରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରସ୍କାରରେ ଭର୍ତ୍ତି ହୋଇଥିବା ଏକ ଥାକକୁ ଦେଖାଇ କୁହନ୍ତି, ‘‘ଆମ ବିବାହର ଆଦ୍ୟ ଦିନଗୁଡ଼ିକରେ ସେ ପ୍ରତିଦିନ ଅଭ୍ୟାସ କରୁଥିଲେ, କିନ୍ତୁ ଧୀରେ ଧୀରେ ଆମର ଦାୟିତ୍ୱ ବଢ଼ିଲା । ଆପଣ କାନ୍ଥରେ ସେହିସବୁ ପୁରସ୍କାର ଏବଂ ସିଲ୍ଡଗୁଡ଼ିକ ଦେଖୁଛନ୍ତି । ସେ ସବୁଗୁଡ଼ିକ ତାଙ୍କର ।’’
ଭାରତର ଗ୍ରାମାଞ୍ଚଳର କିଶୋର ବାଳିକା ଏବଂ କମ୍ ବୟସ୍କା ମହିଳାମାନଙ୍କ ଉପରେ ପରି ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟ ପ୍ରକଳ୍ପ ହେଉଛି ସାଧାରଣ ଜନତାଙ୍କ ସ୍ୱର ଏବଂ ପ୍ରତ୍ୟକ୍ଷ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସମର୍ଥିତ ପଦକ୍ଷେପର ଏକ ଅଂଶ ।
ଏହି ପ୍ରବନ୍ଧ ପୁନଃ ପ୍ରକାଶିତ କରିବାକୁ ଚାହାଁନ୍ତି, ଦୟାକରି namita@ruralindiaonline.org କୁ ଏକ ସିସି ସହିତ zahra@ruralindiaonline.org କୁ ଲେଖନ୍ତୁ
ଜିଜ୍ଞାସା ମିଶ୍ର ଠାକୁର ଫ୍ୟାମିଲ୍ ଫାଉଣ୍ଡେସନ୍ ତରଫରୁ ଏକ ସ୍ୱାଧୀନ ସାମ୍ବାଦିକତା ଅନୁଦାନ ଜରିଆରେ ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ନାଗରିକ ସୁବିଧା ଉପରେ ସମ୍ବାଦ ସଂଗ୍ରହ କରନ୍ତି । ଏହି ଠାକୁର ଫ୍ୟାମିଲି ଫାଉଣ୍ଡେସନ୍ ଏହି ସମ୍ବାଦର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ପ୍ରଦର୍ଶନ କରିନାହାନ୍ତି ।
ଅନୁବାଦ - ଓଡ଼ିଶାଲାଇଭ୍