‘‘ଦୁଇରେ ଦୁଇ ମିଶିଲେ - କେତେ? ପ୍ରତୀକ, ମିଶାଣ କେମିତି କରୁଥିଲ ତୁମର ମନେ ଅଛି ଟି?’’
ପ୍ରତୀକ ରାଉତର ଶିକ୍ଷକ, ମୋହନ ତାଲେକର, ସିଲଟରେ ଲେଖା ହୋଇଥିବା ସଂଖ୍ୟାକୁ ଦେଖାଇ ଏହି ୧୪ ବର୍ଷ ବୟସ୍କ ବାଳକକୁ ଉତ୍ତର ପଚାରୁଛନ୍ତି। ପ୍ରତୀକ କିନ୍ତୁ ସିଲଟକୁ ଚାହିଁ ରହୁଛି, ଉତ୍ତର ଦେବା ଭଳି କୌଣସି ସଙ୍କେତ ତା’ ମୁହଁରେ ଦେଖାଯାଉନାହିଁ।
ଏହା ୧୫ ଜୁନ ୨୦୨୨ର କଥା ଏବଂ ଆମେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା କରମଲା ତାଲୁକାରେ ଥିବା ପ୍ରତୀକର ସ୍କୁଲ ଜ୍ଞାନ ପ୍ରବୋଧନ ମାଟିମନ୍ଦ ନିବାସୀ ବିଦ୍ୟାଳୟରେ ଅଛୁ। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ସେ ସ୍କୁଲକୁ ଫେରିଛି। ଦୁଇ ବର୍ଷର ବ୍ୟବଧାନ ତା’ ଭଳି ଛାତ୍ର ପାଇଁ ଏକ ଲମ୍ବା ଅବଧି।
‘‘ପ୍ରତୀକ ସଂଖ୍ୟା ମନେ ପକାଇ ପାରୁନାହିଁ। ମହାମାରୀ ପୂର୍ବରୁ, ସେ ମିଶାଣ କରିପାରୁଥିଲା ଏବଂ ସମ୍ପୂର୍ଣ୍ଣ ମରାଠୀ ଓ ଇଂରାଜୀ ବର୍ଣ୍ଣମାଳା ଲେଖିପାରୁଥିଲା,’’ ତା’ର ଶିକ୍ଷକ କୁହନ୍ତି। ‘‘ଏବେ ପୁଣିଥରେ ସବୁକିଛି ମୂଳରୁ ଆରମ୍ଭ କରିବାକୁ ପଡ଼ିବ।’’
ଅକ୍ଟୋବର ୨୦୨୦ରେ, ଏହି ରିପୋର୍ଟର ଜଣଙ୍କ ଯେତେବେଳେ ଅହମ୍ମଦନଗର ଜିଲ୍ଲା ରାଶିନ ଗ୍ରାମରେ ଥିବା ପ୍ରତୀକର ଘରକୁ ଯାଇଥିଲେ, ସେତେବେଳେ ଏହି ୧୩ ବର୍ଷ ବୟସ୍କ ପିଲା ଜଣଙ୍କ ବର୍ଣ୍ଣମାଳାର କିଛି ଅକ୍ଷର ଲେଖିବାକୁ ସକ୍ଷମ ହେଉଥିଲା। ତେବେ, ଡିସେମ୍ବର ୨୦୨୦ ବେଳକୁ, ସେ ଲେଖା ବନ୍ଦ କରିଦେଲା।
୨୦୧୮ରେ ପ୍ରତୀକ ସ୍କୁଲରେ ନାମ ଲେଖାଇଥିଲା। ପରବର୍ତ୍ତୀ ଦୁଇ ବର୍ଷ ଧରି, ସେ ନିୟମିତ ପାଠପଢ଼ା ଅଭ୍ୟାସ ଜାରି ରଖିଥିଲା। ସେ ସଂଖ୍ୟା ଓ ଅକ୍ଷର ପଢ଼ିବା ଓ ଲେଖିବା ଶିଖି ଯାଇଥିଲା। ମାର୍ଚ୍ଚ ୨୦୨୦ରେ ଯେତେବେଳେ ସେ ଅଧିକ ପାଠ ପଢ଼ିବା ଓ ଲେଖିବା ଆରମ୍ଭ କରିଥାନ୍ତା କୋଭିଡ-୧୯ ଆସିଥିଲା। ବୌଦ୍ଧିକ ଅକ୍ଷମତା ଥିବା ୨୫ ଜଣ ଛାତ୍ରଙ୍କ ମଧ୍ୟରୁ ଥିଲା ପ୍ରତୀକ ଅନ୍ୟତମ - ସବୁ ପୁଅଙ୍କ ବୟସ ୬ରୁ ୧୮ ବର୍ଷ ମଧ୍ୟରେ ହେବ। ଦୁଇ ବର୍ଷ ଧରି ସେମାନଙ୍କର ଆବାସିକ ବିଦ୍ୟାଳୟ ବନ୍ଦ ରହିବା କାରଣରୁ ପିଲାମାନଙ୍କୁ ନିଜ ଘରକୁ ପଠାଇ ଦିଆଯାଇଥିଲା।


ଅକ୍ଟୋବର ୨୦୨୦ରେ ରାଶିନ ଗ୍ରାମରେ ଥିବା ନିଜ ଘର ବାରଣ୍ଡାରେ ବସି ପ୍ରତୀକ ରାଉତ ଏକ ଖାତାରେ ଲେଖୁଛନ୍ତି। ଏବେ ସେ ନିଜ ସ୍କୁଲରେ ପୁଣି ଥରେ ଅକ୍ଷର ଓ ସଂଖ୍ୟା ଶିଖିବା ଆରମ୍ଭ କରିଛନ୍ତି
ବିଦ୍ୟାଳୟର ପ୍ରକଳ୍ପ ସଂଯୋଜକ ରୋହିତ ବାଗଡେ କୁହନ୍ତି, ‘‘ଏହି ପିଲାମାନଙ୍କର ପ୍ରଗତି ଅତିକମ୍ରେ ଦୁଇଟି ପର୍ଯ୍ୟାୟରେ ଧିମେଇ ଯାଇଛି। ଏବେ, ପ୍ରତ୍ୟେକ ପିଲା ପାଇଁ ଏକ ଭିନ୍ନ ସମସ୍ୟା ଦେଖା ଦେଇଛି।’’ ଠାଣେର ଏକ ଏନଜିଓ ଶ୍ରମିକ ମହିଳା ମଣ୍ଡଳ ଏହି ସ୍କୁଲ ପରିଚାଳନା କରିଥାଏ ଏବଂ ପିଲାମାନଙ୍କୁ ମାଗଣା ପାଠପଢ଼ିବା ଓ ରହିବାର ସୁବିଧା ଦେଇଥାଏ।
ପ୍ରତୀକର ସ୍କୁଲ ଭଳି ରାଜ୍ୟର ଆଉ କେତେକ ସ୍କୁଲ ମଧ୍ୟ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିଲା। ପିଲାମାନଙ୍କର ପାଠପଢ଼ା ଯେମିତି ବାଧାପ୍ରାପ୍ତ ନ ହେବ ସେ ନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ୧୦ ଜୁନ ୨୦୨୦ରେ ଭିନ୍ନକ୍ଷମ ଆୟୋଗ ପକ୍ଷରୁ ସାମାଜିକ ନ୍ୟାୟ ଏବଂ ବିଶେଷ ସହାୟତା ବିଭାଗକୁ ଦିଆଯାଇଥିବା ଏକ ପତ୍ରରେ କୁହାଯାଇଥିଲା ଯେ: “ଠାଣେ ଜିଲ୍ଲା, ନଭିମୁମ୍ବାଇ ଖାରଘରଠାରେ ଥିବା ବୌଦ୍ଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ସଂସ୍ଥାନର ୱେବସାଇଟରେ ଉପଲବ୍ଧ ଶିକ୍ଷା ସାମଗ୍ରୀକୁ ଉପଯୋଗ କରି ଅଭିଭାବକମାନଙ୍କ ଜରିଆରେ ପିଲାମାନଙ୍କୁ ବିଶେଷ ଶିକ୍ଷାଦାନ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହା ସହ ଆବଶ୍ୟକତା ଅନୁଯାୟୀ ମାତାପିତାଙ୍କୁ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବା ଉଚିତ୍।’’
ଅନଲାଇନ ସ୍କୁଲ ଶିକ୍ଷା ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମସ୍ୟା ହୋଇଥିବା ବେଳେ ବୌଦ୍ଧିକ ଅକ୍ଷମତା ଥିବା ପିଲାମାନଙ୍କ ଲାଗି ଏହା ଅଧିକ ବାଧା ଉତ୍ପନ୍ନ କରିଥାଏ। ଗ୍ରାମୀଣ ଭାରତରେ ୫-୧୯ ଆୟୁ ବର୍ଗର ପ୍ରାୟ ୪୦୦,୦୦୦ ବୌଦ୍ଧିକ ଅକ୍ଷମ ଶିଶୁମାନଙ୍କ ମଧ୍ୟରୁ (ଭାରତର ୫୦୦,୦୦୦ ବୌଦ୍ଧିକ ଅକ୍ଷମ ପିଲାଙ୍କ ମଧ୍ୟରୁ) କେବଳ ୧୮୫,୦୮୬ ଜଣ ପିଲା କୌଣସି ଏକ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି (୨୦୧୧ ଜନଗଣନା)।
ନିର୍ଦ୍ଦେଶ ମୁତାବକ, ପ୍ରତୀକର ସ୍କୁଲ ଜ୍ଞାନ ପ୍ରବୋଧନ ବିଦ୍ୟାଳୟ ପକ୍ଷରୁ ତା’ର ବାପାମା’ଙ୍କ ପାଖକୁ ଶିକ୍ଷା ସାମଗ୍ରୀ ପଠାଗଲା। ଏସବୁ ସାମଗ୍ରୀରେ ବର୍ଣ୍ଣମାଳା, ସଂଖ୍ୟା ଓ ଚିତ୍ର ଥିବା ସାରଣୀ; କବିତା ଓ ଗୀତକୁ ନେଇ ଅଭ୍ୟାସ ଏବଂ ଅନ୍ୟାନ୍ୟ ଶିକ୍ଷା ସହାୟକ ସାମଗ୍ରୀ ଥିଲା। ଏସବୁ ପାଠପଢ଼ା ସାମଗ୍ରୀକୁ କିଭଳି ବ୍ୟବହାର କରାଯିବ ସେ ସମ୍ପର୍କରେ ଜଣାଇ ଦେବା ଲାଗି ଶିକ୍ଷକମାନେ ପ୍ରତୀକର ମାତାପିତାଙ୍କ ସହ ଫୋନରେ କଥା ହେଉଥିଲେ।


ବାମ: ପ୍ରତୀକ ତା’ର ମା’ ଶାରଦାଙ୍କ ସହିତ ସେମାନଙ୍କ ରୋଷେଇ ଘରେ ଅଛନ୍ତି। ଡାହାଣ: ପ୍ରତୀକ ଏବଂ ଜ୍ଞାନପ୍ରବୋଧନ ମାଟିମନ୍ଦ ନିବାସୀ ବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ରୋହିତ ବାଗାଡ଼େ
‘‘ବାପା ମା’ ପିଲାମାନଙ୍କ ସହିତ ବସିବା (ସେମାନଙ୍କୁ ପାଠପଢ଼ାରେ ସାହାଯ୍ୟ କରିବା) ଉଚିତ୍, କିନ୍ତୁ ଘରେ ପିଲାଙ୍କ ସହ ରହିଲେ ସେମାନଙ୍କର ଦିନ ମଜୁରି କାମ ପ୍ରଭାବିତ ହୋଇଥାଏ, ବାଗାଡ଼େ କୁହନ୍ତି। ପ୍ରତୀକ ସମେତ ସମସ୍ତ ୨୫ ଜଣ ପିଲାଙ୍କ ବାପା ମା’ ଇଟା ଭାଟି ଶ୍ରମିକ, କୃଷି ଶ୍ରମିକ କିମ୍ବା ନାମମାତ୍ର ଚାଷୀ ଭାବେ କାମ କରିଥାନ୍ତି।
ପ୍ରତୀକର ମା’ ବାପା, ଶାରଦା ଓ ଦତ୍ତାତ୍ରେୟ ରାଉତ ଖରିଫ ଋତୁରେ (ଜୁନରୁ ନଭେମ୍ବର ମଧ୍ୟରେ) ସେମାନଙ୍କ ପରିବାର ଖାଇବା ପାଇଁ ଯଅ ଓ ବାଜରା ଚାଷ କରନ୍ତି। ‘‘ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଆମେ ମାସକୁ ୨୦-୨୫ ଦିନ ଅନ୍ୟମାନଙ୍କ କ୍ଷେତରେ କାମ କରୁ,’’ ଶାରଦା କୁହନ୍ତି । ସେମାନଙ୍କର ମୋଟ୍ ମାସିକ ଆୟ ୬,୦୦୦ ଟଙ୍କାରୁ ଅଧିକ ହୁଏ ନାହିଁ। ମା’ କିମ୍ବା ବାପା କେହି ହେଲେ ଘରେ ବସି ପୁଅକୁ ସାହାଯ୍ୟ କରିପାରିବେ ନାହିଁ। ଏମିତି ହେଲେ ସେ ଦିନ ମଜୁରି ହରାଇବେ। ସେମାନଙ୍କର ଆର୍ଥିକ ସଂକଟ ବହୁଗୁଣିତ ହୋଇପଡ଼ିବ।
‘‘ତେଣୁ ଘରେ ସ୍ଥାଣୁ ହୋଇ ବସିବା ଛଡ଼ା ପ୍ରତୀକ ଓ ଅନ୍ୟମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ,’’ ବାଗାଡ଼େ କୁହନ୍ତି। ‘‘ଦୈନନନ୍ଦିନ ଅଭ୍ୟାସ ଓ ଖେଳ (ସ୍କୁଲରେ) ସେମାନଙ୍କୁ ଆତ୍ମନିର୍ଭରଶୀଳ କରିଥାଏ ଓ ସେମାନେ ନିଜର ବିରକ୍ତି ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରିପାରିଥାନ୍ତି। କିନ୍ତୁ ଏସବୁ ଅଭ୍ୟାସ ଅନଲାଇନରେ କରିବା ସମ୍ଭବ ନୁହେଁ କାରଣ ଏପରି ପିଲାମାନଙ୍କୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।’’
ବିଦ୍ୟାଳୟରେ, ଚାରି ଜଣ ଶିକ୍ଷକ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟା ଠାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ (ଶନିବାର ମଧ୍ୟ କିଛି ଘଣ୍ଟା ପାଇଁ) ସେମାନଙ୍କ ଧ୍ୟାନ ରଖିଥାନ୍ତି। ସେମାନଙ୍କୁ ବାକ୍ ଚିକିତ୍ସା, ଶାରୀରିକ ବ୍ୟାୟାମ, ବ୍ୟକ୍ତିଗତ ଯତ୍ନ, କାଗଜପତ୍ର ପ୍ରସ୍ତୁତି, ଭାଷା କୌଶଳ ଶିକ୍ଷା, ବର୍ଣ୍ଣମାଳା, ସଂଖ୍ୟା, କଳା ଏବଂ ଅନ୍ୟାନ୍ୟ ଅଭ୍ୟାସର ଶିକ୍ଷା ଦିଆଯାଏ। ସ୍କୁଲ ବନ୍ଦ ହେବା ସେମାନଙ୍କ ଜୀବନରୁ ଏସବୁ ସମ୍ପୂର୍ଣ୍ଣ ଭାବେ ଛଡ଼ାଇ ନେଇଥିଲା।


ବାମ: ବୈଭବ ପେଟକର ଓ ତା’ର ମା’ ସୁଲକ୍ଷଣା ସେମାନଙ୍କର ବଖୁରିକିଆ ବାସଗୃହର ରୋଷେଇ ଘରେ ରାନ୍ଧୁଛନ୍ତି। ଡାହାଣ: ୧୮ ବର୍ଷ ବୟସ୍କ ବୈଭବଙ୍କ ପାଇଁ ସ୍କୁଲରେ ଏଥର ଶେଷ ବର୍ଷ
ଏବେ ଦୁଇ ବର୍ଷର ବ୍ୟବଧାନ ପରେ ସ୍କୁଲକୁ ଫେରିଥିବାରୁ, ପିଲାମାନେ ପୁରୁଣା ପାଠପଢ଼ା ସହ ଖାପଖୁଆଇବାରେ ସମସ୍ୟା ଭୋଗୁଛନ୍ତି। ‘‘ସେମାନଙ୍କ ଦୈନନ୍ଦିନ ଅଭ୍ୟାସ, କଥାବାର୍ତ୍ତା ଏବଂ ଏକାଗ୍ରତା ହ୍ରାସ ପାଇଥିବା ଆମେ ଦେଖିବାକୁ ପାଉଛୁ,’’ ବାଗାଡ଼େ କୁହନ୍ତି। ‘‘କିଛି ପିଲା କ୍ରୋଧି, ଧୈର୍ଯ୍ୟହୀନ ଓ ହିଂସ୍ର ହୋଇପଡ଼ିଛନ୍ତି କାରଣ ସେମାନଙ୍କର ଦିନଚର୍ଯ୍ୟା ଏବେ ହଠାତ୍ ବଦଳିଯାଇଛି। ସେମାନେ ପରିବର୍ତ୍ତନକୁ ବୁଝିବା ପାଇଁ ସକ୍ଷମ ହେଉନାହାନ୍ତି।’’
ପାଠପଢ଼ାରେ ହୋଇଥିବା କ୍ଷତି ଭରଣା କରିବା ଲାଗି ପ୍ରତୀକ ପାଖରେ ଆହୁରି କିଛି ବର୍ଷ ବାକି ରହିଛି, କିନ୍ତୁ ୧୮ ବର୍ଷ ବୟସ୍କ ବୈଭବ ପାଟେକର ପାଇଁ ଏଥର ସ୍କୁଲରେ ଶେଷ ବର୍ଷ। ଭିନ୍ନକ୍ଷମ (ସମାନ ସୁଯୋଗ, ଅଧିକାର ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ଅଂଶଗ୍ରହଣ) ଆଇନ ୧୯୯୫ରେ କୁହାଯାଇଛି ଯେ, ‘‘ଅକ୍ଷମତା ଥିବା ପ୍ରତ୍ୟେକ ଶିଶୁ ୧୮ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ଉପଯୁକ୍ତ ପରିବେଶରେ ମାଗଣାରେ ଶିକ୍ଷା ପାଇବା ଉଚିତ୍।’’
‘‘ଏହାପରେ ସେମାନେ ସାଧାରଣତଃ ଘରେ ବସନ୍ତି କାରଣ ସେମାନଙ୍କ ପରିବାର ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନାମ ଲେଖାଇବାର ଖର୍ଚ୍ଚ ବହନ କରିପାରିବ ନାହିଁ,’’ ବାଗାଡ଼େ କୁହନ୍ତି।
ବୈଭବ ମାତ୍ର ନଅ ବର୍ଷ ବୟସରେ ‘ଗମ୍ଭୀର ମାନସିକ ବିକାର’ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେ କଥା କହିପାରନ୍ତି ନାହିଁ ଏବଂ ବାରମ୍ବାର ଅପସ୍ମାରରେ ପୀଡ଼ିତ ହୋଇଥାନ୍ତି। ଏଥିପାଇଁ ନିୟମିତ ଚିକିତ୍ସା ଦରକାର ହୋଇଥାଏ। ଉତ୍ତର -କେନ୍ଦ୍ରୀୟ ମୁମ୍ବାଇର ସିଅନ ସ୍ଥିତ ଲୋକମାନ୍ୟ ତିଲକ ମ୍ୟୁନିସପାଲ ଜେନେରାଲ ହସ୍ପିଟାଲରେ ଶିଶୁ ସ୍ନାୟୁ ରୋଗ ଚିକିତ୍ସକ, ମାନସିକ ବିକାଶଜନିତ ବିକାର ବିଶେଷଜ୍ଞ ତଥା ପ୍ରାଧ୍ୟାପକ ଡାକ୍ତର ମୋନା ଗଜରେ କୁହନ୍ତି, ‘‘ଆଗୁଆ ଚିକିତ୍ସା ଏବଂ ୭-୮ ବର୍ଷ ବୟସରେ ସ୍ୱତନ୍ତ୍ର ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଶିଶୁର ବିକାଶକୁ ସୁଦୃଢ଼ କରିବା, ତା’ ଭିତରେ ନୂଆ କୌଶଳ ଶିଖିବା ଓ ଦୈନନ୍ଦିନ ଜୀବନର କାର୍ଯ୍ୟ କରିବାର କ୍ଷମତା ବିକଶିତ କରିବା ଏବଂ ତା’ର ବ୍ୟବହାରକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ।”


ବାମ : ବୈଭବ ନିଜ ସ୍କୁଲ ଶିକ୍ଷକ ମୋହନ ତାଲେକରଙ୍କ ସହିତ। ଡାହାଣ : ନିଜ ପରିବାର ସହ (ବାମରୁ) ଭଉଣୀ ପ୍ରତୀକ୍ଷା, ଭାଇ ପ୍ରତୀକ, ବୈଭବ, ବାପା ଶିବାଜୀ ଏବଂ ମା’ ସୁଲକ୍ଷଣା
୨୦୧୭ରେ ୧୩ ବର୍ଷ ବୟସର ବୈଭବ ସ୍କୁଲ ପାଠପଢ଼ା ଆରମ୍ଭ କରିଥିଲା। ପ୍ରାୟ ତିନି ବର୍ଷ ଧରି ଅଭ୍ୟାସ ଓ ପ୍ରଶିକ୍ଷଣ ପରେ, ନିଜର ଯତ୍ନ ନେବା ଅଭ୍ୟାସ, ଉନ୍ନତ ବ୍ୟବହାର ନିୟନ୍ତ୍ରଣ ଏବଂ ରଙ୍ଗ କରିବା ଭଳି କେତେକ କୌଶଳ ସେ ଶିଖିପାରିଥିଲା। ‘‘ବୃତ୍ତିଗତ ଉପଚାର ସହିତ, ତା’ ଭିତରେ ଅନେକ ଉନ୍ନତି ଦେଖିବାକୁ ମିଳିଥିଲା,’’ ବାଗାଡ଼େ କୁହନ୍ତି। ‘‘ସେ ଚିତ୍ର କରୁଥିଲା। ତା’ର କଥାବାର୍ତ୍ତାରେ ବେଶ ସୁଧାର ଆଣିଥିଲା। ଅନ୍ୟ ପିଲାମାନଙ୍କ ପୂର୍ବରୁ ସେ ପ୍ରସ୍ତୁତ ହୋଇଯାଉଥିଲା,’’ ପୂର୍ବ କଥା ମନେ ପକାଇ ବାଗାଡ଼େ କହିଥାନ୍ତି। ମାର୍ଚ୍ଚ ୨୦୨୦ରେ ଘରକୁ ପଠାଇବା ସମୟରେ, ବୈଭବଠାରେ କୌଣସି ପ୍ରକାରର କ୍ରୋଧିତ ହେବାର ସ୍ୱଭାବ ନ ଥିଲା।
ବୈଭବର ମା’ବାପା ସେମାନଙ୍କ ପୈତୃକ ମାଲିକାନାରେ ଥିବା ଦୁଇ ଏକର ଜମିରେ ବର୍ଷ ସାରା କାମ କରନ୍ତି। ଖରିଫ ଋତୁରେ ସେମାନେ ମକା, ଯଅ ଏବଂ ବେଳେବେଳେ ପିଆଜ ଚାଷ କରନ୍ତି। ରବି ଋତୁ, ଡିସେମ୍ବରରୁ ମେ ମାସ ପର୍ଯ୍ୟନ୍ତ ସେମାନେ ଅନ୍ୟମାନଙ୍କ ଜମିରେ କୃଷି ଶ୍ରମିକ ଭାବେ କାମ କରନ୍ତି। ବୈଭବଙ୍କ ପ୍ରତି ଧ୍ୟାନ ଦେବା ଲାଗି ସମୟ ନଥାଏ। ତେଣୁ ଅହମ୍ମଦନଗର ଜିଲ୍ଲା କର୍ଜାତ ତାଲୁକାରେ ଥିବା ଏକ ଗ୍ରାମ କୋରେଗାଓଁର ନିଜ ବଖୁରିକିଆ ଘରେ ସେ ଏକାକୀ ବସି ରହିଥାନ୍ତି।
ବାଗାଡ଼େ କୁହନ୍ତି, ‘‘ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିବା କାରଣରୁ ବୈଭବ ଅଧିକ କ୍ରୋଧୀ, ଜିଦଖୋର ଏବଂ ଅସ୍ଥିର ହୋଇଯାଇଛି। ନିଜ ଆଖପାଖରେ ଲୋକମାନଙ୍କୁ ଦେଖିଲେ ତା’ର ମାନସିକ ଅସ୍ଥିରତା ଏବେ ପୁଣିଥରେ ବଢ଼ିଯାଇଛି। ସେ ଏବେ ଆଉ ରଙ୍ଗ ଚିହ୍ନି ପାରୁନାହିଁ ।’’ ଦୁଇ ବର୍ଷ ଧରି ଘରେ ବସିବା ଏକ ନକଲି ସ୍ମାର୍ଟଫୋନରେ ଖେଳିବା, ଏବେ ବୈଭବ ପାଇଁ ଏକ ଗଭୀର ଝଟ୍କାରେ ପରିଣତ ହୋଇଛି।
ଜ୍ଞାନପ୍ରବୋଧନ ମାଟିମନ୍ଦ ନିବାସୀ ବିଦ୍ୟାଳୟର ଶିକ୍ଷକମାନେ ଏବେ ଏହା ଧରି ନେଇଛନ୍ତି ଯେ ସେମାନଙ୍କୁ ପୁଣିଥରେ ଏବେ ସବୁକିଛି ଆରମ୍ଭରୁ ପଢ଼ାଇବାକୁ ହେବ। ‘‘ପିଲାମାନଙ୍କୁ ସ୍କୁଲର ପରିବେଶ ଓ ପାଠ୍ୟଖସଡ଼ା ସହ ଖାପ ଖୁଆଇବା ଏବେ ଆମର ପ୍ରାଥମିକତା ହେବ,’’ ବାଗାଡ଼େ କୁହନ୍ତି।
ମହାମାରୀ ପୂର୍ବରୁ ପ୍ରତୀକ ଓ ବୈଭବ ଯେଉଁ କୌଶଳ ଓ ଜ୍ଞାନ ହାସଲ କରିଥିଲେ ସେମାନଙ୍କୁ ଏବେ ତାହା ପୁଣିଥରେ ଶିଖିବାକୁ ହେବ। ମହାମାରୀ ଆରମ୍ଭ ହେବା ପରେ ସେମାନଙ୍କୁ ତୁରନ୍ତ ଘରକୁ ପଠାଇ ଦିଆଯାଇଥିଲା। ଏହି କାରଣରୁ, କୋଭିଡ-୧୯ ସହ ବଞ୍ଚିବା ଏବେ ସେମାନଙ୍କ ଅଧ୍ୟୟନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେବ।


ବାମ: ରୋହିତ ବାଗାଡ଼େ କୁହନ୍ତି, ଦୁଇ ବର୍ଷର ବ୍ୟବଧାନ ପରେ ପୁରୁଣା ପାଠପଢ଼ା ସହିତ ଖାପ ଖୁଆଇବା ଲାଗି ପିଲାମାନଙ୍କ ପାଇଁ ସମସ୍ୟା ଦେଖା ଦେଉଛି। ଡାହାଣ : ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା କରମଲା ତାଲୁକା ସ୍ଥିତ ଜ୍ଞାନ ପ୍ରବୋଧନ ମାଟିମନ୍ଦ ନିବାସୀ ବିଦ୍ୟାଳୟ, ଯେଉଁଠି ବାଗାଡେ କାର୍ଯ୍ୟକ୍ରମ ସଂଯୋଜକ ଅଛନ୍ତି
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୧୫ ଜୁନ୍ ୨୦୨୨ରେ ମହାରାଷ୍ଟ୍ରରେ ୪,୦୨୪ କରୋନା ଭୂତାଣୁ ମାମଲା ଚିହ୍ନଟ ହୋଇଥିଲା, ପୂର୍ବ ଦିନ ଚିହ୍ନଟ ସଂକ୍ରମିତଙ୍କ ତୁଳନାରେ ଏହା ୩୬ ପ୍ରତିଶତ ଅଧିକ ଥିଲା। ମହାରାଷ୍ଟ୍ରରେ କରୋନା ଭୂତାଣୁ ମାମଲା ବଢ଼ୁଥିବା କାରଣରୁ, ପିଲାମାନଙ୍କୁ ଏହି ଭୂତାଣୁଠାରୁ ସୁରକ୍ଷିତ ରଖିବା ଜରୁରି ହୋଇପଡ଼ିଥିଲା।
ବାଗାଡ଼େ କୁହନ୍ତି, ‘‘ଆମର ସବୁ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ପିଲାମାନଙ୍କର ପୂର୍ବରୁ ଅସୁସ୍ଥତା ରହିଥିବା କାରଣରୁ ଆମର ସବୁ ସହାୟକ ଓ ଶିକ୍ଷକଙ୍କ ପାଇଁ ମାସ୍କ ଓ ପିପିଇ କିଟ୍ସ ରହିଛି। “ଯଦିଓ ମାସ୍କ ପିନ୍ଧିବା କାରଣରୁ ପିଲାମାନଙ୍କ ସହିତ କଥାବାର୍ତ୍ତା କରିବାରେ ସମସ୍ୟା ଦେଖା ଦେଇଥାଏ କାରଣ ସେମାନେ ଆମ ମୁଖମଣ୍ଡଳର ଅଭିବ୍ୟକ୍ତିକୁ ଦେଖି ଭଲ ଭାବେ ବୁଝିପାରିଥାନ୍ତି।’’ ସେ ଆହୁରି କୁହନ୍ତି ଯେ, କାହିଁକି ମାସ୍କ ପିନ୍ଧିବା ଉଚିତ, ଏହାକୁ ପିନ୍ଧିବାର ସଠିକ ଉପାୟ କ’ଣ ଏବଂ ସେମାନେ ଏହାକୁ କାହିଁକି ଛୁଇଁବା ଉଚିତ୍ ନୁହେଁ ତାହା ପିଲାମାନଙ୍କୁ ବୁଝାଇବା ଏକ କଠିନ କାର୍ଯ୍ୟ।
ଡାକ୍ତର ଗଜରେ କୁହନ୍ତି, ‘‘ବୌଦ୍ଧିକ ଭାବେ ଅକ୍ଷମ ପିଲାମାନଙ୍କୁ କିଛି ନୂଆ ଶିଖାଇବା କଥା ଉଠିଲେ, ଆମେ ପ୍ରଥମେ ପ୍ରତ୍ୟେକ କଥାକୁ ପର୍ଯ୍ୟାୟକ୍ରମେ, ଅତି ଧୈର୍ଯ୍ୟର ସହ ଏବଂ ବାରମ୍ବାର ବୁଝାଇ ଦେଇଥାଉ, ଯାହାଫଳରେ ସେମାନେ ସହଜରେ ମନେ ରଖିପାରିବେ।’’
ଜ୍ଞାନ ପ୍ରବୋଧନ ମାଟିମନ୍ଦ ନିବାସୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିଖିଥିବା ପ୍ରଥମ କଥାଟି ହେଉଛି ସ୍କୁଲ ଫେରିବା ପରେ ନିଜର ହାତ ସଫା କରିବା।
‘‘ ଖାୟଲା... ଖାୟଲା... ଜୀବନ ... (ଖାଇବି... ଖାଇବି... ଖାଦ୍ୟ),’’ ବୈଭବ ବାରମ୍ବାର ଖାଇବାକୁ ମାଗୁଛି । ‘‘ଆମର ଅଧିକାଂଶ ପିଲାମାନଙ୍କ ପାଇଁ, ହାତ ସଫା କରିବାର ଅର୍ଥ ହେଉଛି ଖାଇବା ସମୟ ହୋଇଗଲା,’’ ବାଗାଡ଼େ କୁହନ୍ତି। ‘‘ତେଣୁ, ବାରମ୍ବାର ହାତ ସଫା କରିବା (କୋଭିଡ ସମୟରେ)ର ଅର୍ଥ ଆମେ ସେମାନଙ୍କୁ ଭଲ ଭାବେ ବୁଝାଇ ଦେବା ଉଚିତ।’’
ଅନୁବାଦ: ଓଡ଼ିଶାଲାଇଭ୍