ବର୍ଷର ଏକକ ଚାଉଳ ଫସଲ ଜମିରେ ପ୍ରସ୍ତୁତ ହୋଇସାରିଛି । ଅକ୍ଟୋବର ସରିବାକୁ ଆସୁଛି ଆଉ ଲୋକମାନେ ଉତ୍ପାଦଗୁଡ଼ିକୁ ଜମିରୁ ସେମାନଙ୍କ ଘରକୁ ବୋହି ଆଣିବା କାମ ଆରମ୍ଭ କରିଦେଲେଣି । ଦୀର୍ଘ ସମୟ ପରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଅତି ଗରିବ ସାନ୍ତାଳ ଜନଜାତିର ଲୋକମାନଙ୍କ ଘରେ ଆବଶ୍ୟକତାଠାରୁ ଅଧିକ ଶସ୍ୟ ଗଚ୍ଛିତ ହୋଇ ରହିଛି।
ଜମିରେ ଏକ ସଂକ୍ଷିପ୍ତ କିନ୍ତୁ କ୍ଲାନ୍ତିକର ଋତୁ ବିତେଇବା ପରେ, ପାର୍କିଡିହର ପାଖାପାଖି ୪୦୦ ଯୁବକ ଯୁବତୀ, ଅଭିଭାବକ ଓ ଜେଜେବାପା ଓ ଜେଜେମା, ସମସ୍ତଙ୍କ ପାଖରେ ବର୍ତ୍ତମାନ ଆରାମ କରିବା ପାଇଁ କିଛି ଅତିରିକ୍ତ ସମୟ ରହିଛି । ଶୀତ ପ୍ରାୟ ଆରମ୍ଭ ହୋଇଗଲାଣି । ଛୋଟ ନାଗପୁର ମାଳଭୂମିର ଗଜବୁରୁ ପାହାଡ ପାଖ ଜଙ୍ଗଲରେ ଗଛଗୁଡ଼ିକର ରଙ୍ଗ ବଦଳୁଛି । ଧୀରେ ଧୀରେ ଅସହନୀୟ ଗରମର ସ୍ଥାନ ଉତ୍ତର ଆଡୁ ବହୁଥିବା ହେମାଳ ପବନ ଅଧିକାର କରିବାରେ ଲାଗିଛି ।

ଜମିରେ ଏକ କ୍ଲାନ୍ତିକର ଋତୁ ବିତାଇବା ପରେ ପୁରୁଲିଆର ସାନ୍ତାଳମାନେ ଆରାମ କରିବେ ଓ ପର୍ବ ପାଇଁ ପ୍ରସ୍ତୁତ ହେବେ
ହେଲେ, ଆରାମ କରିବାକୁ ବେଶୀ ସମୟ ମିଳିବନି ; ଏହା ହେଉଛି ପର୍ବର ସମୟ, ଯେଉଁ ସମୟରେ ସାନ୍ତାଳମାନେ ସେମାନଙ୍କ ପଶୁମାନଙ୍କୁ କୃତଜ୍ଞତା ଜଣାଇଥାନ୍ତି । ବିଶ୍ୱର ଏହି ଭାଗରେ, ଏବେ ମଧ୍ୟ ଗାଈମାନେ କୃଷିକାମର ମେରୁଦଣ୍ଡ ହୋଇ ରହିଛନ୍ତି । ଟ୍ରାକ୍ଟର ଏଯାବତ୍ ନିରୀହ ‘ଗୋ’ ବା ଗାଈର ସ୍ଥାନ ନେଇ ପାରିନାହିଁ ।

ସାନ୍ତାଳମାନଙ୍କ ପାଇଁ ଏହା ହେଉଛି ସେମାନଙ୍କ ଗାଈମାନଙ୍କୁ କୃତଜ୍ଞତା ଜଣାଇବାର ସମୟ, ଯେଉଁମାନେ ହେଉଛନ୍ତି ସେମାନଙ୍କ କୃଷିର ମେରୁଦଣ୍ଡ
ଏହା ହେଉଛି ଅମଳ ପରବର୍ତ୍ତୀ ଉତ୍ସବ, ଯାହାକୁ ଗୋ-ବନ୍ଦାଣ ବା ଗାଈମାନଙ୍କ ଉତ୍ସବ ବୋଲି କୁହାଯାଏ, ଯାହା ଦୀପାବଳି ଦିନ ପାଳନ କରାଯାଇଥାଏ । (ବଙ୍ଗାଳୀରେ ‘ଗୋ’ର ଅର୍ଥ ହେଉଛି ଗାଈ ଓ ‘ବନ୍ଦାଣ’ର ଅର୍ଥ ହେଉଛି ପୂଜା କରିବା) ଏହି ଅବସରରେ ନୃତ୍ୟ, ସଂଗୀତ, ଖେଳ ଆୟୋଜନ କରାଯିବା ସହିତ ଚିତ୍ର ଅଙ୍କନ କରାଯାଏ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଏ।
କିଛି ଗ୍ରାମବାସୀ ନିକଟବର୍ତ୍ତୀ ଗଜବୁରୁ ଓ ଧୋଳବୁରୁ ପାହାଡକୁ ଯାଇ, ପ୍ରାଚୀର ଚିତ୍ରରେ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ରଙ୍ଗଗୁଡିକ ପାଇଁ ପଥର ଓ ମୃତ୍ତିକା ସଂଗ୍ରହ କରନ୍ତି । ଏପରିକି, କିଛି ଲୋକ ଆଉଟିକିଏ ଭିତରକୁ ଘୋଙ୍ଗ ଲତା ସଂଗ୍ରହ କରିବାକୁ ଯାଇଥାନ୍ତି । ସେମାନେ ସେମାନଙ୍କ ଅଗଣା ରଙ୍ଗେଇବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ ଏହା ହେଉଛି ଏକ ପ୍ରମୁଖ ସାମଗ୍ରୀ ।

କିଛି ଗ୍ରାମବାସୀ ନିକଟବର୍ତ୍ତୀ ଗଜବୁରୁ ଓ ଧୋଳବୁରୁ ପାହାଡକୁ ଯାଇ ସେମାନେ ପ୍ରାଚୀର ଚିତ୍ରରେ ବ୍ୟବହାର କରିବାକୁ ଥିବା ବିଭିନ୍ନ ରଙ୍ଗ ପାଇଁ ପଥର ଓ ମୃତ୍ତିକା ସଂଗ୍ରହ କରନ୍ତି
ପାର୍କିଡିହର କୁମ୍ଭାର ବା କୁମ୍ଭକାର ପରିବାରର ସଦସ୍ୟମାନେ ‘ ପୋଲିମାତ୍ରିନୋକ୍ଷ’ ( ନଦୀ ପଟୁରେ ପ୍ରସ୍ତୁତ ଏକ ଡିଜାଇନ) କୁହାଯାଉଥିବା ଏକ ଚିତ୍ର ଶୈଳୀରେ ନିପୁଣ ଅଟନ୍ତି । ସେମାନେ ଗ୍ରାମରେ ଅନ୍ୟମାନଙ୍କୁ ମଧ୍ୟ ବିଶେଷଭାବେ ପ୍ରସ୍ତୁତ ପଟୁ ଯୋଗାଈଥାନ୍ତି । କୁମ୍ଭକାରମାନେ ଏହି ପର୍ବର ଏକ ଏକ ଅବିଚ୍ଛିନ୍ନ ଅଂଶ ପାଲଟିଛନ୍ତି ।

ପାର୍କିଡିହ ମହିଳାମାନେ ସେମାନଙ୍କ ଘର ଓ ଅଗଣାକୁ ପର୍ବ ପାଇଁ ପ୍ରସ୍ତୁତ କରନ୍ତି
ଗାଈଚରାଳିମାନେ ବଣରେ ଅଛନ୍ତି, ପର୍ବ ପାଇଁ ଗାଈମାନଙ୍କୁ ପ୍ରସ୍ତୁତ କରିବାକୁ ଗାଁର ସମସ୍ତ ଗାଈଙ୍କୁ ହ୍ରଦରେ ଧୋଉଛନ୍ତି । ପଶୁମାନେ ଏହି ସ୍ୱତନ୍ତ୍ର ସ୍ନାନକୁ ଉପଭୋଗ କରନ୍ତି । ଏହା ସହିତ, କିଛି ଗ୍ରାମବାସୀ ପାଖ ପୋଖରୀରେ ସେମାନଙ୍କର ହଳ ଓ ଅନ୍ୟାନ୍ୟ କୃଷି ଉପକରଣ ଧୋଇବାରେ ବ୍ୟସ୍ତ ଅଛନ୍ତି ।

ଗାଁର ସମସ୍ତ ଗାଈ ମାନଙ୍କୁ ହ୍ରଦରେ ଧୁଆ ହେଉଛି, ଯେତେବେଳେକି କିଛି ଗ୍ରାମବାସୀ ସେମାନଙ୍କର ହଳ ଧୋଉଛନ୍ତି
ଭାଗୁମୁଦି, ପ୍ରାୟ ୬୫, ହେଉଛନ୍ତି ଗ୍ରାମର ଜଣେ ଅନୁଭୂତି ସମ୍ପନ୍ନ ସଙ୍ଗୀତଜ୍ଞ ଓ ଚମଡା କାମରେ ମଧ୍ୟ ଦକ୍ଷ ଅଟନ୍ତି । ବଙ୍ଗଳାରେ ଯେଉଁ ଲୋକମାନେ ଏହି କାମ କରନ୍ତି, ସେମାନେ ସାଧାରଣତଃ ଡମ୍ବ ସମ୍ପ୍ରଦାୟର ଅଟନ୍ତି । ମୁଦି ତାଙ୍କ ଢୋଲ୍ ( ଡ୍ରମ୍) ଓ ମାଦଳ (ତାଳ ସହିତ ହାତରେ ବଜାଯାଉଥିବା ଏକ ଡ୍ରମ୍) ଓ ଅନ୍ୟ ବାଜାର ଚମଡା ଥିବା ଅଂଶର ମରାମତି କରନ୍ତି। ସେ ପାର୍କିଡିହିର ଯୁବଗୋଷ୍ଠୀକୁ ପର୍ବ ପାଇଁ ଡ୍ରମ୍ ବଜାଇବାକୁ ପ୍ରଶିକ୍ଷିତ କରନ୍ତି । ଗୋ-ବନ୍ଦାଣର ପ୍ରଥମ ରାତିରେ, ତାଙ୍କର କାମ ହେଉଛି ତାଙ୍କ ଦଳ ସହିତ ଗ୍ରାମର ପ୍ରତ୍ୟେକ ଗୁହାଳରେ ପହଞ୍ଚିବା ଓ ଗୋ-ଜଗନିଆ ଗୀତ ଗାନ କରିବା, ଯାହା ଗାଈଲେ ଗାଈମାନେ ରାତି ସାରା ଅନିଦ୍ରା ରହିପାରନ୍ତି । ଗ୍ରାମବାସୀମାନେ ବିଶ୍ୱାସ କରନ୍ତି ଯେ ଏହି ଗୀତଗୁଡ଼ିକ ସେମାନଙ୍କୁ ଦୁଷ୍ଟ ଶକ୍ତିଠାରୁ ରକ୍ଷା କରିଥାଏ ।

ଭାଗୁମୁଦି ହେଉଛନ୍ତି ଗ୍ରାମର ଜଣେ ଅନୁଭୂତି ସମ୍ପନ୍ନ ସଙ୍ଗୀତଜ୍ଞ; ସେ ପାର୍କିଡିହ ର ଯୁବଗୋଷ୍ଠୀକୁ ପର୍ବରେ ଡ୍ରମ୍ ବଜାଇବା ପାଇଁ ପ୍ରଶିକ୍ଷିତ କରିଥାନ୍ତି
ଏହି ପର୍ବରେ ଅଂଶଗ୍ରହଣ କରିବାକୁ ଭାରତର ବିଭିନ୍ନ ଭାଗରେ କାମ କରୁଥିବା ସମ୍ପର୍କୀୟ ଓ ଶ୍ରମିକମାନେ ପାର୍କିଡିହ, ସେମାନଙ୍କ ଗ୍ରାମକୁ ଫେରିଆସନ୍ତି । ମହୁଲ ଗଛର ଫୁଲରୁ ସ୍ଥାନୀୟ ମଦ ପ୍ରସ୍ତୁତ କରୁଥିବା ଏକମାତ୍ର ପରିବାରର ସଦସ୍ୟମାନେ ଦିନ ରାତି କାମ କରୁଛନ୍ତି ।

ଉଭୟ ବୟସ୍କ ଓ ପିଲାମାନେ ସମଭାବେ ପର୍ବ ଆରମ୍ଭ ହେବା ପାଇଁ ଅପେକ୍ଷା କରନ୍ତି
ମୁଁ ୨୦୧୪ରେ ଯେତେବେଳେ ଏହି ଗ୍ରାମକୁ ଗସ୍ତ କରିଥିଲି, ସେତେବେଳେ ଏହି ଅଞ୍ଚଳରେ ମାଓବାଦୀମାନଙ୍କର ଉପସ୍ଥିତି ପ୍ରାୟତଃ କମିଯାଇଥିଲା ଓ ସେଠାରେ କୌଣସି ପାରାମିଲିଟାରୀ ଫୋର୍ସ ନଥିଲେ । ଅଧିକନ୍ତୁ, ଅତ୍ୟଧିକ ପରିମାଣର ବର୍ଷା ହେଉଥିଲା । ଏହି ଛୋଟିଆ ସମୃଦ୍ଧି ଯୋଗୁ ପର୍ବର ଦ୍ୱିତୀୟ ରାତିରେ ବିଦ୍ୟାଳୟ ହତାରେ ଛଉ ନୃତ୍ୟ ପ୍ରଦର୍ଶନ ପାଇଁ ଗ୍ରାମବାସୀ ଛଉ ନର୍ତ୍ତକମାନଙ୍କ ଦଳ ବୁକ୍ କରିବାକୁ ସମର୍ଥ ହୋଇପାରିଥିଲେ ।

ଏକ ଛୋଟିଆ ଋତୁ ଭିତ୍ତିକ ସମୃଦ୍ଧି ଯୋଗୁ ଗ୍ରାମବାସୀ ପର୍ବର ଦ୍ୱିତୀୟ ରାତି ପାଇଁ ଛଉ ନର୍ତ୍ତକମାନଙ୍କର ଗୋଟିଏ ଦଳ ବୁକ୍ କରିବାକୁ ସମର୍ଥ ହୋଇପାରିଥିଲେ
ମହିଳାମାନେ ଢିଙ୍କି ସହାୟତାରେ କୁଟିବାରେ ବ୍ୟସ୍ତ ଥିଲେ । ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଏହି ସରଞ୍ଜାମକୁ ଚାଉଳ ଦାନାକୁ ଗୁଣ୍ଡ କରିବା ପାଇଁ ବ୍ୟବହାର କରାଯାଏ । ଏଥିରୁ ପ୍ରସ୍ତୁତ ହେଉଥିବା ଚାଉଳ ଗୁଣ୍ଡକୁ ରଙ୍ଗ ଭାବେ ତଥା ପର୍ବ ପାଇଁ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ଖାଦ୍ୟରେ ଏକ ମୁଖ୍ୟ ସାମଗ୍ରୀ ଭାବେ ବ୍ୟବହାର କରାଯାଏ । ପ୍ରତ୍ୟେକ ପରିବାର ହ୍ରଦରେ ଗାଧୋଇସାରି ଫେରିବା ପରେ ଗାଈମାନଙ୍କୁ ସ୍ୱାଗତ କରିବା ପାଇଁ ସେମାନଙ୍କ ଅଗଣାକୁ ସଜାଇବା ପାଇଁ ଅତିକମ୍ରେ ଚାରି କିଲୋଗ୍ରାମ ଚାଉଳ ଗୁଣ୍ଡ ବ୍ୟବହାର କର କରିଥାନ୍ତି । ପୁରୁଲିଆ ହେଉଛି ଭାରତର ଦରିଦ୍ରତମ ଜିଲ୍ଲାଗୁଡିକ ମଧ୍ୟରୁ ଗୋଟିଏ, ହେଲେ, ଏହି ପର୍ବ ହେଉଛି ପୂରା ବର୍ଷର ଦୁଃଖ ଓ ଦୁର୍ଦ୍ଦଶାକୁ ଭୁଲି ଉତ୍ସବ ପାଳନର ସମୟ – ସାଜସଜ୍ଜା ପାଇଁ କିଛି ଅଧିକ ପରିମାଣର ଶସ୍ୟ ବ୍ୟବହାର କରିବା ହେଉଛି ଏହି ପର୍ବ ପାଳନର ଗୋଟିଏ ଅଂଶ ।

ଢିଙ୍କି ସହାୟତାରେ ଚାଉଳକୁ କୁଟି ଏହାର ଗୁଣ୍ଡ ପ୍ରସ୍ତୁତ କରାଯାଏ, ଯାହା ଏହି ପର୍ବରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟର ଏକ ପ୍ରମୁଖ ସାମଗ୍ରୀ ଅଟେ

ଘର ଓ ଅଗଣାକୁ ସଜାଇବା ପାଇଁ ଚାଉଳ ଗୁଣ୍ଡ ବ୍ୟବହାର କରାଯାଏ
ଗୋ-ବନ୍ଦାଣର ତୃତୀୟ ଓ ଶେଷ ଦିନରେ, ବହୁତ ଖେଳ କୌତୁକ ହୁଏ । ସମସ୍ତ ବିଧିବିଧାନ ସମ୍ପ୍ରଦାୟର ପଶୁମାନଙ୍କ ଉପରେ କେନ୍ଦ୍ରିତ, ବିଶେଷକରି ଗାଈମାନଙ୍କ ଉପରେ । ଗ୍ରାମବାସୀମାନେ ସେମାନଙ୍କ ଗାଈମାନଙ୍କୁ ବିଭିନ୍ନ ରଙ୍ଗରେ ରଙ୍ଗାନ୍ତି, ସେମାନଙ୍କୁ ପୂଜା କରନ୍ତି ଓ ଧାନରେ ସେମାନଙ୍କ ମୁଣ୍ଡ ପାଇଁ ପଗଡ଼ି ତିଆରି କରନ୍ତି । ଗୁହାଳରେ ମଧ୍ୟ ନୂଆ ରଙ୍ଗ ଲଗାଯାଏ।


ଗୋ-ବନ୍ଦନାର ତୃତୀୟ ଓ ଶେଷ ଦିନରେ ପାର୍କିଡିହ ର ଲୋକମାନେ ସେମାନଙ୍କ ଗାଈ ଗୋରୁଙ୍କୁ ପେଣ୍ଟ କରନ୍ତି, ସେମାନଙ୍କୁ ପୂଜା କରନ୍ତି ଓ ଧାନରେ ସେମାନଙ୍କ ପାଇଁ ପଗଡି ତିଆରି କରନ୍ତି
ହେଲେ, ମୁଖ୍ୟ କାର୍ଯ୍ୟକ୍ରମ – ଗୋରୁଖୁଣ୍ଟ ଖେଳ, ସନ୍ଧ୍ୟାବେଳେ ଅନୁଷ୍ଠିତ ହୋଇଥାଏ । ଗାଁର ୩୫ -୪୦ ଗାଈଙ୍କୁ ଦଉଡି ସହାୟତାରେ ବାଉଁଶ ବାଡ଼ିରେ ବନ୍ଧାଯାଏ । ବ୍ୟାଣ୍ଡ ଲିଡର ବାଘୁମୁଦି ଡ୍ରମ ବଜାଇ ଓ ଗୀତ ଗାଈ ପ୍ରତ୍ୟେକ ପଶୁ ସାମନାକୁ ଯାଆନ୍ତି । କିଛି ଗାଈ ପ୍ରତିକ୍ରିୟାରେ ଉପରକୁ ଡିଅଁନ୍ତି, ଆଉ ସେତେବେଳେ ଉତ୍ସାହ ବହୁତ ବଢ଼ିଯାଏ । ଲୋକମାନେ ତାଳି ମାରନ୍ତି । ପର୍ବ ଔପଚାରିକ ଭାବେ ଶେଷ ହୁଏ ।

ବ୍ୟାଣ୍ଡ୍ର ଲିଡର ଡ୍ରମ ବଜାଇ ଓ ଗୀତ ଗାଈ ପ୍ରତ୍ୟେକ ପଶୁ ସାମନାକୁ ଯାଆନ୍ତି : ଉତ୍ସାହ ବଢିଯାଏ..
ସାନ୍ତାଳମାନେ ସେମାନଙ୍କ ଗାଈକୁ ଚାଷକାମ କରିବା ପାଇଁ ବ୍ୟବହାର କରନ୍ତି । ଅମଳରେ ଗାଈମାନେ ଯେଉଁ ଭୂମିକା ନିର୍ବାହ କରନ୍ତି ସେଥିପାଇଁ ସେମାନେ ନିଷ୍ଠାର ଓ ବିଶ୍ୱାସ ସହିତ ସେମାନଙ୍କୁ ସୁରକ୍ଷିତ ରଖନ୍ତି ତଥା ସେମାନଙ୍କୁ ପୂଜା କରନ୍ତି । ହେଲେ, ଭାରତର ଅନ୍ୟ ଭାଗରେ ଯେଉଁଠାରେ ଗାଈମାନଙ୍କୁ ପବିତ୍ର ବୋଲି ବିବେଚନା କରାଯାଏ ଓ ଯେପରି ଏହା ରାଜନୀତିର ଉପାଦାନ ହୋଇଯାଇଛି, ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଏଠାରେ ପଶୁଗୁଡ଼ିକ ବୁଢ଼ା ହୋଇଯିବା ପରେ ସେମାନଙ୍କୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ମଧ୍ୟ ନିଷେଧ କରାଯାଇନାହିଁ ।
ଦେଖନ୍ତୁ : ପାର୍କିଡିହରେ ଗାଈମାନେ ଯେତେବେଳେ ଘରକୁ ବାହୁଡ଼ନ୍ତି
ଫଟୋ: ଅରୁଣଭା ପାତ୍ର ଓ ଉଜ୍ଜଲ ପାଳ
ଅନୁବାଦ: ଓଡ଼ିଶାଲାଇଭ୍