ତାମିଲନାଡୁ କୋଟଗିରି ପଞ୍ଚାୟତର ବେଲାରିକୋମ୍ବାଇ ଗାଁର ଆର.କ୍ରିଷ୍ଣା ଏକ ପ୍ରକାର ଜଣେ ସେଲିବ୍ରିଟି। ପାରମ୍ପରିକ କୁରୁମ୍ବ ପେଣ୍ଟିଂ କୌଶଳରେ ଦକ୍ଷତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ ଖ୍ୟାତି। ଏହା ଜ୍ୟାମିତିକ, ସାଦାସିଧା ଶୈଳୀ। ଫସଲ ଅମଳର ବିଭିନ୍ନ ଉତ୍ସବ, ଧାର୍ମିକ ପରମ୍ପରା, ମହୁ ସଂଗ୍ରହ ଅଭିଯାନ ଏବଂ ନୀଳଗିରି ଆଦିବାସୀମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ ତାଙ୍କ ପେଣ୍ଟିଂର ବିଷୟବସ୍ତୁ।
ଆମେ ତାଙ୍କୁ ଘଞ୍ଚ ଜଙ୍ଗଲ ଭିତରେ ଭେଟିଥିଲୁ। ସବୁଜ ଚା କ୍ଷେତ ଓ ଫଳ ଭର୍ତ୍ତି ପଣସ ବଗିଚା ଡେଇଁ ପାହାଡ଼ ଉପରକୁ ଦୁଇ ଘଣ୍ଟାର ଯାତ୍ରା ପରେ ତାଙ୍କ ପାଖରେ ପହଞ୍ଚିଥିଲୁ। ଅଗମ୍ୟ ପାହାଡ଼ର ଅଙ୍କାବଙ୍କା ଅଣଓସାରିଆ ରାସ୍ତାରେ ଚାଲୁଚାଲୁ ମୁଁ ଓ ମୋର ଦୁଇ ସହଯୋଗୀ ହଠାତ ସୂର୍ଯ୍ୟାଲୋକ ପଡ଼ିଥିବା ଏକ ସମତଳ ଜାଗାରେ ପହଞ୍ଚିଥିଲୁ। ସେଇଠୁ କ୍ରିଷ୍ଣାଙ୍କ ଘରକୁ ବାଟ ଫିଟିଥିଲା।
ଆମେ ଅନୌପରିକ ଭାବେ ପହଞ୍ଚିବାରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ଜାଣି ବେଶ ଖୁସି ହୋଇ ବସି ପଡ଼ିଲେ ଆଉ ତାଙ୍କ କୃତିର ପେଡ଼ି ଖୋଲିଲେ। ହଳଦୀ ରଙ୍ଗର ଅଖା ବ୍ୟାଗ୍ ଭିତରେ ଏକ କମଳା ରଙ୍ଗର ପ୍ଲାଷ୍ଟିକ ଆକର୍ଡିଅନ୍ ଫୋଲଡର। ଏଥିରେ ରହିଛି ଅନେକ ଖବରକାଗଜ କ୍ଲିପିଂ, ଫଟୋଗ୍ରାଫ୍, ଏବଂ ତାଙ୍କ କାମର କିଛି ନମୂନା। ସେ ଯୁଆଡେ ଯାଆନ୍ତି ଏହାକୁ ସାଙ୍ଗରେ ନେଇ ଯାଆନ୍ତି। ସମ୍ଭବତଃ କାଳେ ଏଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ ଭାବି।

ବାମ: କ୍ରିଷ୍ଣା ପେଣ୍ଟିଂ କରୁଥିବା ଏକ ଫଟୋଗ୍ରାଫ୍। ଡାହଣ: ସଂପୂର୍ଣ୍ଣ ହୋଇଥିବା ଏକ କୃତି
ବଡଗା ଭାଷାରେ ୪୧ ବର୍ଷୀୟ କ୍ରିଷ୍ଣା କହିଲେ, ‘‘ଥରେ ଜିଲ୍ଲାପାଳ ମୋର କିଛି ପେଣ୍ଟିଂ ଦେଖି ଆଗ୍ରହରେ କିଣି ନେଇଥିଲେ [ସେଗୁଡିକୁ]।’’ ଏହା ତାଙ୍କ କ୍ୟାରିଅରର ଏକ ଗୌରବପୂର୍ଣ୍ଣ ମୁହୂର୍ତ୍ତ ଥଲା ବୋଲି ସେ କହନ୍ତି।
ଆଦିବାସୀ କଳାକାରଙ୍କ ଲମ୍ବା ଧାଡ଼ିର ପଛରେ ଥିବା ଅଳ୍ପ କେତେକଙ୍କ ମଧ୍ୟରେ କ୍ରିଷ୍ଣା ଜଣେ। ଅନେକ କୁରୁମ୍ବ ବିଶ୍ୱାସ କରନ୍ତି ଯେ, ଏଲୁଥୁପୁରାଇରେ ସେମାନଙ୍କ ପୂର୍ବଜମାନେ ଚିତ୍ରାଙ୍କନ କରିଛନ୍ତି। ବେଲାରିକୋମ୍ବାଇଠାରୁ ୩ କିଲୋମିଟର ଦୂରରେ ଥିବା ଏଲୁଥୁପରାଇ ଏକ ପ୍ରତ୍ନତାତ୍ତ୍ଵିକ ଅଞ୍ଚଳ। ଏଠାରେ ପ୍ରାୟ ୩,୦୦୦ ବର୍ଷ ତଳର କଳାକୃତି ଆବିଷ୍କୃତ ହୋଇଛି। କ୍ରିଷ୍ଣା କହନ୍ତି, ‘‘ପୁର୍ବରୁ, ଏଲୁଥୁପରାଇ ନିକଟରେ ଥିବା ଆଭ୍ୟନ୍ତରୀଣ ଜଙ୍ଗଲ ଭିତରେ ଆମେ ରହୁଥିଲୁ।’’ ‘‘ଆପଣ କେବଳ ଏହି କୁରୁମ୍ବ ପେଣ୍ଟିଂଗୁଡିକ [ଏହା ଭିତରେ] ପାଇପାରିବେ।’’
କ୍ରିଷ୍ଣାଙ୍କ ଜେଜେବାପା ମଧ୍ୟ ଜଣେ ପେଣ୍ଟର ଥିଲେ। ସେ ସ୍ଥାନୀୟ ମନ୍ଦିରଗୁଡ଼ିକୁ ସଜେଇବାରେ ସାହାଯ୍ୟ କରନ୍ତି। କ୍ରିଷ୍ଣା ୫ ବର୍ଷର ହୋଇଥିବାବେଳେ ତାଙ୍କଠାରୁ ଶିଖିବା ଆରମ୍ଭ କରିଥିଲେ। ଜେଜେବାପାଙ୍କ ସୂତ୍ରରୁ ପାଇଥିବା ଏହି ପୈତୃକ ସଂପତ୍ତିକୁ ଅଳ୍ପ କିଛି ବିକଶିତ କରିଛନ୍ତି କ୍ରିଷ୍ଣା: ତାଙ୍କ ପୂର୍ବଜମାନେ କାଠି ଖଣ୍ଡେ ସାହାଯ୍ୟରେ ପଥର କାନ୍ଥରେ ପେଣ୍ଟିଂ କରୁଥିଲେ। କ୍ରିଷ୍ଣା ଏବେ ତୁଳି, କାନଭାସ ଆଉ ହାତ ତିଆରି କାଗଜ ବ୍ୟବହାର କରୁଛନ୍ତି। ଆମ ଅନୁବାଦକ କହନ୍ତି, ଜୈବିକ, ହାତତିଆରି ରଙ୍ଗ ରାସାୟନିକ ରଙ୍ଗଠାରୁ ଢେର ଅଧିକ ଭଲ ଆଉ ବହୁତ ଦିନ ପର୍ଯ୍ୟନ୍ତ ରହିପାରେ।

ଆଦିବାସୀ କଳାକାରଙ୍କ ଲମ୍ବା ଧାଡ଼ିର ପଛରେ ଥିବା ଅଳ୍ପ କେତେକଙ୍କ ମଧ୍ୟରେ କ୍ରିଷ୍ଣା ଜଣେ
କୋଟଗିରିର ଉପହାର ଦୋକାନ ଲାଷ୍ଟ ଫରେଷ୍ଟ ଏଣ୍ଟରପ୍ରାଇଜେସ୍ରେ ୮x୧୦ ସାଇଜ୍ର କ୍ରିଷ୍ଣାଙ୍କର ଏକ ମୌଳିକ ପେଣ୍ଟିଙ୍ଗ ରଖାଯାଇଛି। ଏହର ଦାମ ୩୦୦ ଟଙ୍କା। ଏକ ସଂଗଠନ ଦ୍ୱାରା ପରିଚାଳିତ ଏହି ଦୋକାନରେ ମହୁ ଓ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଅନ୍ୟାନ୍ୟ ଜିନିଷ ବିକ୍ରି ହେଉଛି। ଦୁଇଟି ପେଣ୍ଟିଂ ତିଆରି କରିବାକୁ ତାଙ୍କୁ ଗୋଟିଏ ଦିନ ଲାଗେ। ଗୋଟିଏ ସପ୍ତାହରେ ସେ ୫-୧୦ଟି ବିକ୍ରି କରନ୍ତି। ସେ ବୁକ୍ମାର୍କ ଓ ଗ୍ରେଟିଂ କାର୍ଡ ମଧ୍ୟ ତିଆରି କରନ୍ତି। ଘରର କାନ୍ଥ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ କୁରୁମ୍ବ ଢାଞ୍ଚାରେ ସଜେଇବାକୁ ତାଙ୍କୁ ଡକରାଯାଏ। ବେଳେବେଳେ ସେ କୁରୁମ୍ବ ପିଲାଙ୍କୁ ଚିତ୍ରାଙ୍କନ ଶିକ୍ଷା ଦିଅନ୍ତି। ଏସବୁଥିରୁ ସେ ମାସିକ ୧୦,୦୦୦-୧୫,୦୦୦ ଟଙ୍କା ରୋଜଗାର କରନ୍ତି।
ଏହା ବାଦ ସିଜିନ୍ ବେଳେ ମହୁ ସଂଗ୍ରହ ଅଭିଯାନରେ ମାସକୁ ୧,୫୦୦-୨,୦୦୦ ଟଙ୍କା ରୋଜଗାର କରନ୍ତି। ଭୂମିରୁ ଶହଶହ ଫୁଟ ଉପରେ ପଥର ଚଟାଣର ଦାଢରେ ଝୁଲୁଥିବା ମହୁଫେଣାରୁ ମହୁମାଛିଙ୍କୁ ଧୂଆଁ ଦେଇ ତଡ଼ିବା ପରେ ତରଳ ସୁନା ସଂଗ୍ରହ କରନ୍ତି। ଯଦିଓ ବେଳେବେଳେ ଏହି ଅଭିଯାନରେ ମୃତ୍ୟୁର କାରଣ ହୁଏ। ଆମେ ଯେଉଁଠି କ୍ୟାମ୍ପ କରିଥିଲୁ, ସେଠାରୁ ସଳଖ ଦେଖାଯାଉଥିବା ଏକ ପଥର ଚଟାଣ ଉପରୁ ମହୁ ସଂଗ୍ରହ ବେଳେ ଖସିପଡି ଜଣଙ୍କର ମୃତ୍ୟୁ ଘଟିଥିଲା। ଅନେକ ବର୍ଷ ତଳର ଏହି ଭୟଙ୍କର ଘଟଣା ପରେ ତାଙ୍କ ମୃତ ସହଯୋଗୀଙ୍କୁ ସମ୍ମାନ ଦେଇ ମହୁ ସଂଗ୍ରହକାରୀମାନେ ସେହି ସ୍ଥାନକୁ ଆଉ ଯାଉ ନାହାନ୍ତି। ମହୁ ସଂଗ୍ରହବେଳେ କ୍ରିଷ୍ଣାଙ୍କ ନାକକୁ ଏକ ମହୁମାଛି ବିନ୍ଧିଥିଲା। ଗୁରୁତର ଆହତ ହୋଇଥିଲେ ବି ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ।
ଆମେ ତାଙ୍କଠାରୁ ଅଲଗା ହେବା ପୂର୍ବରୁ ତାଙ୍କ ଗାଁ ବେଲାରିକୋମ୍ବାଇରେ ପହିଞ୍ଚିବାକୁ ସେ ବାଟ କହିଦେଲେ ଆଉ ତାଙ୍କ ଘରକୁ ନିମନ୍ତ୍ରଣ କଲେ। କିଛି ଘଣ୍ଟାର ଦୁଃସାହସିକ ଯାତ୍ରା ପରେ ଆମେ ସେଠି ପହଞ୍ଚିଲୁ ଆଉ ତାଙ୍କ ପତ୍ନୀ ସୁଶୀଳାଙ୍କଠାରୁ ବେଶ ଉଷ୍ମ ସ୍ୱାଗତ ପାଇଲୁ। ତାଙ୍କ ଦୁଇ ବର୍ଷର ଝିଅ ଗୀତା ମଧ୍ୟ କମ୍ ଉତ୍ସାହିତ ଦେଖାଯାଉ ନଥିଲା।


ଆର.କ୍ରିଷ୍ଣାଙ୍କ ଗାଁ ବେଲାରିକୋମ୍ବାଇ ଯିବା ବାଟରେ ସବୁଜ ଚା କ୍ଷେତର ଉପତ୍ୟାକା ସେହି ଚଟାଣ ଯେଉଁଠି କୁରୁମ୍ବ ମହୁ ସଂଗ୍ରହକାରୀ ଖସି ପଡ଼ି ପ୍ରାଣ ହରାଇଥିଲେ
ସୁଶୀଳା ଆମକୁ ଜୈବିକ ରଙ୍ଗଗୁଡ଼ିକ ଖୁବ୍ ଆଗ୍ରହର ସହ ଦେଖାଇଲେ। ଜଙ୍ଗଲୀ ଜିନିଷରୁ ପୁରୁଣା ପଦ୍ଧତି ଅନୁସାରେ ଏସବୁ କ୍ରିଷ୍ଣା ପ୍ରସ୍ତୁତ କରିଛନ୍ତି। ତାଙ୍କ କଳାକୃତିର ମୁଖ୍ୟ ଆକର୍ଷଣ ହେଉଛି ଏହି ସୁନ୍ଦର ପ୍ରାକୃତିକ ରଂଗ, ଯାହା ବୃକ୍ଷଲତାରୁ ସଂଗୃହୀତ ହୋଇଛି। କାଟେଗଡ଼ା ପତ୍ରରୁ ସବୁଜ ରଂଗ ପ୍ରସ୍ତୁତ ହୋଇଛି; ବିଭିନ୍ନ ଧୂସର ରଂଗ ବେଗାନି ମରାମ ଗଛର ବିଭିନ୍ନ ଅଂଶରୁ ପ୍ରସ୍ତୁତ ହୋଇଛି। କଳା ରଂଗ କରିମାରମ୍ ଛେଲିରୁ ପ୍ରସ୍ତୁତ ହୋଇଛି। କାଲିମନ୍ ବାଲିରୁ ହଳଦିଆ ରଙ୍ଗ, ଏବଂ ବୁରିମନ୍ ବାଲିରୁ ଆସିଛି ଉଜ୍ୱଳ ଧଳା ରଙ୍ଗ। କୁରୁମ୍ବ ପେଣ୍ଟିଂରେ ଲାଲ୍ ଓ ନୀଳ ରଙ୍ଗ କ୍ୱଚିତ୍ ବ୍ୟବହାର ହୁଏ।
ପୁରୁଷ ପୁରୁଷ ଧରି ଚାଲିଆସିଥିବା କୁରୁମ୍ବ କଳାକୁ ନେଇ କ୍ରିଷ୍ଣା ଗର୍ବିତ। ତାଙ୍କ ପାଇଁ, ପେଣ୍ଟିଂ କେବଳ ଏକ ନିଶା ନୁହେଁ, ବରଂ କୁରୁମ୍ବ ସଂସ୍କୃତିକୁ ବଞ୍ଚେଇ ରଖିବାର ଏକ ମାଧ୍ୟମ, ଯାହାର ଦ୍ରୁତ ଅବକ୍ଷୟ ହେଉଛି। ଯୁବ କଳାକାରଙ୍କ ପାଇଁ ତାଙ୍କର କ’ଣ ଉପଦେଶ ରହିବ ପଚାରିବାରୁ ସେ କହିଲେ, ‘‘ଆପଣଙ୍କର ଯଦି ଇଛା ଅଛି ବିଶ୍ୱବିଦ୍ୟାଳୟକୁ ଯାଆନ୍ତୁ, କିନ୍ତୁ ଆମ ସଂସ୍କୃତିର ଉର୍ଦ୍ଧ୍ୱକୁ ଯାଆନ୍ତୁ ନାହିଁ। ଫାଷ୍ଟ ଫୁଡ୍ ଭଲ ଜନିଷ ନୁହେଁ - ପୁରୁଣା ଲୋକେ ଯାହା ଖାଉଥିଲେ ଖାଆନ୍ତୁ। ଏହି ସବୁ ପେଣ୍ଟିଂ ତିଆରି ଚାଲୁ, ମହୁ ସଂଗ୍ରହ ଅଭିଯାନ ଜାରି ରହୁ .... ଏହି ଜଙ୍ଗଲ ଭିତରେ ସବୁ ଔଷଧ ଅଛି।’’


କ୍ରିଷ୍ଣାଙ୍କ ଝିଅ ଗୀତା କବାଟ ଫାଙ୍କରୁ ଲୁଚି ଲୁଚି ଦେଖୁଛନ୍ତି (ଫଟୋ: ଓୗଦ୍ର ବାସ୍) ଡାହଣ: ଗୀତା ସହ ତାଙ୍କ ପତ୍ନୀ ସୁଶୀଳା
ପୁରାତନ ଓ ଆଧୁନିକତା ଭିତରେ ଯେଉଁ ଅନିଶ୍ଚିତତା, ବାସ୍ତବରେ କ୍ରିଷ୍ଣା ସେ ଦିଗରେ ସଚେତନ ଅଛନ୍ତି। ଆମେ କଥାବାର୍ତ୍ତା ହେବା ବେଳେ ତାଙ୍କ ମୋବାଇଲ ଫୋନ୍ ବାଜିଲା।, ସେହି ମୂର୍ଚ୍ଛନା ଯାହା ମୁମ୍ବାଇର କୌଣସି ନାଇଟ୍କ୍ଳବରେ ଆପଣ ଶୁଣିଥିବେ। ଆମେ ସମସ୍ତେ ହସିଲୁ ଆଉ ତା ପରେ ପୁଣି ସାକ୍ଷାତକାର ଆଗକୁ ନେଲୁ, କିନ୍ତୁ କିଛି ସମୟ ପାଇଁ ଏହି ଦୂର ପାହାଡର ନିସ୍ତବ୍ଧତା ହଜି ଯାଇଥିଲା।
ଲାଷ୍ଟ ଫରେଷ୍ଟ ଏଣ୍ଟରପ୍ରାଇଜେସ୍ର ମାର୍କେଟିଂ ଏକ୍ଜିକୁଟିଭ ସର୍ବାନନ ରାଜନ ଏବଂ ମୋ ଅନୁବାଦକ ଓ ନୀଳଗିରିର ଗାଇଡଙ୍କୁ ଆନ୍ତରିକ ଧନ୍ୟବାଦ। କ୍ଷେତ୍ର ପରିଦର୍ଶନରେ ମୋତେ ସହଯୋଗ କରିଥିବା ଏବଂ କୋଟଗିରିରେ ରହିବା ପାଇଁ ବନ୍ଦୋବସ୍ତ କରିଥିବା ଲାଷ୍ଟ ଫରେଷ୍ଟ ଏଣ୍ଟରପ୍ରାଇଜେସ୍ ସହ ଅନୁବନ୍ଧିତ ଏଆଇଏଫ୍ କ୍ଲିଣ୍ଟନ ଫେଲୋ ଔଦ୍ର ବାସ୍କୁ ଅନେକ ଅନେକ ଧନ୍ୟବାଦ।
ଅନୁବାଦ: ଓଡ଼ିଶାଲାଇଭ୍