କୋହ୍ଲାପୁର ଜିଲ୍ଲାର ରାଜାରାମ ଚିନି କଳଠାରେ ଫେବୃଆରୀ ମାସର ଉତ୍ତପ୍ତ ଓ ଶାନ୍ତ ଏକ ଅପରାହ୍ଣ। କାରଖାନା ପରିସରରେ ଥିବା ଶହ ଶହ ଖୋପ୍ୟା (ଚିନି କଳ ଶ୍ରମିକମାନଙ୍କ ଛପର କୁଡ଼ିଆ) ପ୍ରାୟତଃ ଖାଲି ପଡ଼ିଛି। ପ୍ରବାସୀ ଶ୍ରମିକମାନେ ଓ୍ୱଡ଼ାନାଗେ ଗାଁ ପାଖକୁ ଆଖୁ କାଟିବାକୁ ଯାଇଛନ୍ତି। ଉକ୍ତ ସ୍ଥାନଟି ଏଠାରୁ ଚାଲି ଚାଲି ଗଲେ ଗୋଟିଏ ଘଣ୍ଟାର ବାଟ ହେବ ।
ଦୂରରୁ ଧାତବ ବାସନକୁସନର ଶବ୍ଦ ଶୁଭୁଛି। କିଛି ଶ୍ରମିକ ବୋଧହୁଏ ଘରେ ରହିଯାଇଛନ୍ତି ବୋଲି ଏଥିରୁ ସଙ୍କେତ ମିଳୁଛି। ସେହି ଶବ୍ଦକୁ ଅନୁସରଣ କରି ଆମେ ୧୨ ବର୍ଷର ବାଳିକା ସ୍ୱାତୀ ମହାର୍ନୋର୍ ପାଖରେ ପହଞ୍ଚୁ, ଯିଏ କି ନିଜ ପରିବାରର ରାତ୍ରୀ ଭୋଜନ ରାନ୍ଧିବାକୁ ପ୍ରସ୍ତୁତ ହେଉଛି । କ୍ଳାନ୍ତ ଓ ବିଷର୍ଣ୍ଣ ବଦନରେ ସେ ନିଜ ପରିବାରର କୁଡ଼ିଆ ଦୁଆରେ ଏକାକୀ ବସିଥିବା ଆମେ ଦେଖୁ। ରୋଷେଇ ପାଇଁ ବାସନକୁସନଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥାଏ।
ଅଳସ ଭାଙ୍ଗି ସେ କୁହନ୍ତି, ‘‘ଭୋର ୩ଟା ବେଳୁ ମୁଁ ଉଠିଲିଣି।’’
ମହାରାଷ୍ଟ୍ର ବାୱଡ଼ା ତାଲୁକାରେ ଆଖୁ କାଟିବାରେ ସହାୟତା କରିବା ଲାଗି ଏହି ଛୋଟ ଝିଅ ନିଜର ମାତାପିତା, ସାନ ଭାଇ ଏବଂ ଜେଜେବାପାଙ୍କ ସହିତ ଏକ ବଳଦ ଗାଡ଼ିରେ ଆଜି ସକାଳୁ ବାହାରିଛି। ପାଞ୍ଚ ଜଣିଆ ପରିବାରକୁ ଗୋଟିଏ ଦିନରେ ୨୫ ମୋଲୀ (ବିଡ଼ା) ଆଖୁ ମଜୁରି ଆକାରରେ ମିଳିବ। ସମସ୍ତଙ୍କୁ ମିଶି ଏହି ଲକ୍ଷ୍ୟ ପୂରଣ କରିବାକୁ ହେବ। ମଧ୍ୟାହ୍ନ ଭୋଜନରେ ଖାଇବା ଲାଗି ସେମାନେ ଗତ ରାତିରେ ରନ୍ଧା ହୋଇଥିବା ଭାକରୀ ସହିତ ବାଇଗଣ ସବଜୀ ଆଣିଛନ୍ତି।
ଦିନ ଗୋଟାଏ ବେଳେ କେବଳ ସ୍ୱାତୀ ଫେରି ଆସିଥିଲେ। ଛଅ କିଲୋମିଟର ବାଟ ଚାଲି ଚାଲି ସେ ଚିନି କଳ ପରିସରରେ ଥିବା ନିଜ ଘରକୁ ଫେରିଥିଲେ। ‘‘ ବାବା (ଜେଜେବାପା) ମୋତେ ଏଠାରେ ଛାଡ଼ି ଦେଇ ଫେରିଯାଇଛନ୍ତି।’’ ୧୫ ଘଣ୍ଟା ଧରି ଆଖୁ କାଟିବା ପରେ ପରିବାରର ଅନ୍ୟମାନେ ଘରକୁ ଫେରିବେ। ସେତେବେଳକୁ ସମସ୍ତେ କ୍ଳାନ୍ତ ଓ ଭୋକିଲା ଥିବେ। ତେଣୁ ସେମାନଙ୍କ ପାଇଁ ରାତ୍ରୀ ଭୋଜନ ପ୍ରସ୍ତୁତ କରିବା ଲାଗି ସେ ଆଗୁଆ ଘରକୁ ଚାଲି ଆସିଛନ୍ତି। ‘‘ସକାଳ ପହରୁ ଆମେ [ପରିବାରର ସମସ୍ତେ] କେବଳ ଗୋଟିଏ କପ୍ ଚା’ ପିଇ ରହିଛୁ,’’ ସ୍ୱାତୀ କହିଥାଏ।
ନଭେମ୍ବର ୨୦୨୨ରେ ବୀଡ଼ ଜିଲ୍ଲା ଅନ୍ତର୍ଗତ ସକୁନ୍ଦୱାଡ଼ି ଗାଁରେ ଥିବା ସେମାନଙ୍କ ଘରୁ ସ୍ୱାତୀର ପରିବାର କୋହ୍ଲାପୁର ଜିଲ୍ଲାକୁ ଚାଲି ଆସିଥିଲେ। ସେବେଠାରୁ ୫ ମାସ ଧରି ଦୈନିକ ଘରୁ କ୍ଷେତକୁ ଯିବା ଆସିବା କରିବା, ଆଖୁ କାଟିବା ଓ ରୋଷେଇ କରିବା, ତା’ର ନିତିଦିନିଆ କାମ ପାଲଟିଛି। ସେମାନେ ଏହି କାରଖାନା ପରିସରରେ ରୁହନ୍ତି। ୨୦୨୦ରେ ଅକ୍ସଫାମ୍ ଇଣ୍ଡିଆର ହ୍ୟୁମାନ୍ କଷ୍ଟ୍ ଅଫ୍ ସୁଗାର (ଚିନିର ମାନବୀୟ ମୂଲ୍ୟ) ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ରର ପ୍ରବାସୀ ଶ୍ରମିକମାନେ ମୁଖ୍ୟତଃ ଜରି ପାଲ ଛପର ପଡ଼ିଥିବା ଅସ୍ଥାୟୀ ତମ୍ବୁର ବଡ଼ କଲୋନୀଗୁଡ଼ିକରେ ରହିଥାନ୍ତି। ଏସବୁ କଲୋନୀରେ ପ୍ରାୟତଃ ପାଣି, ବିଦ୍ୟୁତ ସଂଯୋଗ କିମ୍ବା ଶୌଚାଳୟ ନଥାଏ।

କୋହ୍ଲାପୁର ଜିଲ୍ଲାର ରାଜାରାମ ଚିନି କଳରେ ପ୍ରବାସୀ ଆଖୁ ଶ୍ରମିକମାନଙ୍କର ଖୋପ୍ୟା ( ଛପର କୁଡ଼ିଆ )
ସ୍ୱାତୀ କହିଥାଏ, ‘‘ଆଖୁ କାଟିବାକୁ ମୋତେ ଭଲ ଲାଗେ ନାହିଁ। ଗାଁରେ ରହିବାକୁ ମୁଁ ପସନ୍ଦ କରିଥାଏ କାରଣ ସେଠି ମୁଁ ସ୍କୁଲ୍ ଯାଏ।’’ ନିଜ ଗାଁ ପଟୋଦା ତାଲୁକାର ସକୁନ୍ଦୱାଡ଼ି ଗ୍ରାମରେ ଥିବା ଜିଲ୍ଲା ପରିଷଦ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛି । ତା’ର ସାନ ଭାଇ କ୍ରିଷ୍ଣା ସେହି ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼େ ।
ଆଖୁ ଅମଳ ଋତୁରେ ରାଜାରାମ ଚିନି କଳରେ ପ୍ରାୟ ୫୦୦ ପ୍ରବାସୀ ଶ୍ରମିକ ଚୁକ୍ତି ଭିତ୍ତିରେ କାମ କରନ୍ତି, ସେମାନଙ୍କ ମଧ୍ୟରୁ ସ୍ୱାତୀର ମାତାପିତା ଓ ଜେଜେବାପା ଅନ୍ୟତମ। ଶ୍ରମିକମାନଙ୍କ ସହିତ ସେମାନଙ୍କର ଛୋଟ ପିଲାମାନେ ଥାଆନ୍ତି । ସ୍ୱାତୀ କୁହେ, ‘‘ମାର୍ଚ୍ଚ (୨୦୨୨)ରେ ଆମେ ସାଙ୍ଗଲିରେ ଥିଲୁ।’’ ଉଭୟ ସେ ତା’ର ଭାଇ କ୍ରିଷ୍ଣା ବର୍ଷରେ ପ୍ରାୟ ୫ ମାସ ସ୍କୁଲ୍ ପାଠପଢ଼ାରୁ ବଞ୍ଚିତ ରହିଥାନ୍ତି।
‘‘ ବାବା (ଜେଜେବାପା) ପ୍ରତି ବର୍ଷ ମାର୍ଚ୍ଚ ମାସରେ ଜେଜେବାପା ଆମକୁ ଗାଁକୁ ନେଇ ଯାଆନ୍ତି ଯାହାଫଳରେ ଆମେ ପରୀକ୍ଷା ଦେଇପାରିବୁ। ପରୀକ୍ଷା ସରିବା ପରେ ତୁରନ୍ତ ଆମେ ଆମ ମାତାପିତାଙ୍କ ପାଖକୁ ଫେରିଆସୁ,’’ ସ୍ୱାତୀ କହିଥାଏ। ସରକାରୀ ବିଦ୍ୟାଳୟରେ ସେ ଓ ତା’ର ଭାଇ ଏମିତି ପାଠପଢ଼ା ଜାରି ରଖିଥାନ୍ତି।
ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅନୁପସ୍ଥିତ ରହିବା କାରଣରୁ ବାର୍ଷିକ ପରୀକ୍ଷାରେ ପାସ୍ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଯାଏ। ‘‘ମରାଠୀ ଓ ଇତିହାସ ଭଳି ବିଷୟରେ ଆମେ ସାଧାରଣ ପ୍ରଦର୍ଶନ କରିଥାଉ, କିନ୍ତୁ ଗଣିତ ବୁଝିବା ଆମ ପାଇଁ କଷ୍ଟକର ହୋଇଯାଏ,’’ ସ୍ୱାତୀ କହିଥାଏ। ଗାଁରେ ଥିବା କିଛି ସାଙ୍ଗ ସାହାଯ୍ୟ କରନ୍ତି, କିନ୍ତୁ ଅନୁପସ୍ଥିତ ରହିବା ଯୋଗୁଁ ପଢ଼ିପାରିନଥିବା ପାଠକୁ ବୁଝିବା ସହଜ ହୁଏ ନାହିଁ ।
ସ୍ୱାତୀ କହିଥାଏ, ‘‘କ’ଣ କରାଯାଇପାରିବ? ମୋ ମା’ବାପାଙ୍କୁ କାମ କରିବାକୁ ହେବ।’’
ସ୍ୱାତୀର ମାତା ପିତା ବର୍ଷା (୩୫) ଏବଂ ଭାଉସାହେବ (୪୫) ପ୍ରବାସ କରୁନଥିବା ମାସ (ଜୁନ-ଅକ୍ଟୋବର)ଗୁଡ଼ିକରେ ସକୁନ୍ଦୱାଡ଼ି ନିକଟରେ ଥିବା ଚାଷ ଜମିରେ କୃଷି ଶ୍ରମିକ ଭାବେ କାମ କରନ୍ତି । ‘‘ମୌସୁମୀ ଋତୁରେ କପାନୀ (ଅମଳ) ପର୍ଯ୍ୟନ୍ତ, ଆମେ ଗାଁ ପାଖରେ ୪-୫ ସପ୍ତାହ ପର୍ଯ୍ୟନ୍ତ କାମ କରିଥାଉ,’’ ବର୍ଷା କୁହନ୍ତି ।
ଏହି ପରିବାର ମହାରାଷ୍ଟ୍ରର ଯାଯାବର ଜାତି ଭାବରେ ତାଲିକାଭୁକ୍ତ ଧାଙ୍ଗର ସମ୍ପ୍ରଦାୟର ଅଟନ୍ତି। ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଦିନକୁ ୩୫୦ ଟଙ୍କା ରୋଜଗାର କରନ୍ତି - ବର୍ଷାଙ୍କୁ ୧୫୦ ଟଙ୍କା ଏବଂ ଭାଉସାହେବଙ୍କୁ ୨୦୦ ଟଙ୍କା ମଜୁରି ମିଳେ।ଯେତେବେଳେ ସେମାନଙ୍କ ଗାଁ ପାଖରେ କୌଣସି କାମ ମିଳେ ନାହିଁ, ସେମାନେ ଆଖୁ କଟାଳି ଭାବେ କାମ କରିବା ଲାଗି ଅନ୍ୟତ୍ର ପ୍ରବାସ କରିଥାନ୍ତି ।

ଆଖୁ ଶ୍ରମିକମାନେ କଟା ହୋଇଥିବା ଆଖୁକୁ ଏକ ବଳଦ ଗାଡ଼ିରେ ଲଦି ନେଇ ଯାଉଛନ୍ତି
*****
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ଶିଶୁମାନଙ୍କର ଅଧିକାର ଆଇନ (ଆରଟିଇ) ୨୦୦୯ରେ ଥିବା ବ୍ୟବସ୍ଥା ଅନୁଯାୟୀ, ‘‘ଛଅରୁ ୧୪ ବର୍ଷ ବୟସର ସବୁ ପିଲା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ହକଦାର୍ ଅଟନ୍ତି।’’ କିନ୍ତୁ ସ୍ୱାତୀ ଓ କ୍ରିଷ୍ଣା ଭଳି ପ୍ରବାସୀ ଆଖୁ ଶ୍ରମିକମାନଙ୍କର ପ୍ରାୟ ୧.୩ ଲକ୍ଷ ପିଲା (୬-୧୪ ବର୍ଷ ବୟସ୍କ) ସେମାନଙ୍କ ମାତାପିତାଙ୍କ ସହିତ ବାହାରକୁ ଯିବା ସମୟରେ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି ।
ସ୍କୁଲ୍ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବାକୁ ଏକ ପ୍ରୟାସ ସ୍ୱରୂପ, ମହାରାଷ୍ଟ୍ର ସରକାର ‘ଶିକ୍ଷା ଗ୍ୟାରେଣ୍ଟୀ କାର୍ଡ’ (ଇଜିସି) ପ୍ରଚଳନ କରିଥିଲେ। ଶିକ୍ଷା ଅଧିକାର ଆଇନ, ୨୦୦୯ ସହିତ ୨୦୧୫ରେ ଏକ ସଂକଳ୍ପ ଅଣାଯାଇ ଇଜିସି କାର୍ଯ୍ୟକାରୀ କରାଯାଇଥିଲା। ଏହି କାର୍ଡର ଉଦ୍ଦେଶ୍ୟ ଥିଲା, ନୂଆ ସ୍ଥାନରେ ମଧ୍ୟ ପିଲାମାନେ ବାଧାମୁକ୍ତ ଭାବେ ସେମାନଙ୍କର ପାଠପଢ଼ା ଜାରି ରଖିପାରିବେ । ଏଥିରେ ସବୁ ଶିକ୍ଷାଗତ ବିବରଣୀ ରହିଥିଲା ଏବଂ ଗାଁ ସ୍କୁଲର ଶିକ୍ଷକ ଏହି କାର୍ଡ ପ୍ରଦାନ କରୁଥିଲେ ।
ବୀଡ଼ ଜିଲ୍ଲାର ଜଣେ ସାମାଜିକ କର୍ମୀ ଅଶୋକ ତାଙ୍ଗଡ଼େ କୁହନ୍ତି, ‘‘ପିଲାମାନେ ଯେଉଁ ଜିଲ୍ଲାକୁ ପ୍ରବାସ କରୁଛନ୍ତି ସେମାନଙ୍କୁ ସାଙ୍ଗରେ ସେହି କାର୍ଡ ନେଇ ଯିବାକୁ ହେବ।’’ ନୂଆ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କାର୍ଡ ଦେବା ପରେ, ‘‘ମାତାପିତାଙ୍କୁ ନାମଲେଖା ପ୍ରକ୍ରିୟା ପୁନର୍ବାର କରିବାକୁ ପଡ଼ିବ ନାହିଁ ଏବଂ ପିଲାମାନେ ସମାନ ଶ୍ରେଣୀରେ ସେମାନଙ୍କର ପାଠପଢ଼ା ଜାରି ରଖିପାରିବେ,’’ ସେ ଆହୁରି କହିଥାନ୍ତି ।
ତେବେ, ବାସ୍ତବତା ହେଉଛି ଯେ ‘‘ବର୍ତ୍ତମାନ ସୁଦ୍ଧା ଜଣେ ହେଲେ ପିଲାକୁ ଇଜିସି କାର୍ଡ ଦିଆଯାଇନାହିଁ,’’ ଅଶୋକ କୁହନ୍ତି। ନାମ ଲେଖାଇଥିବା ପିଲା ଯଦି କିଛି ସମୟ ଅବଧି ପାଇଁ ଅନ୍ୟ କେଉଁ ସ୍ଥାନକୁ ଯାଉଛି ତା’ହେଲେ ଏହା ତା’କୁ ଦିଆଯିବା ଉଚିତ୍ ।
ଅନେକ ମାସ ଧରି ବିଦ୍ୟାଳୟରେ ପାଠପଢ଼ାରୁ ବଞ୍ଚିତ ଥିବା ସ୍ୱାତୀ କୁହନ୍ତି, ‘‘ ଜିଲ୍ଲା ପରିଷଦ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ମୋତେ କିମ୍ବା ମୋର କୌଣସି ସହପାଠୀଙ୍କୁ ଏଭଳି କୌଣସି କାର୍ଡ କେବେ ଦେଇନାହାନ୍ତି’’।
ବାସ୍ତବରେ, ଚିନି କଳ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ସ୍ଥାନୀୟ ଜିଲ୍ଲା ପରିଷଦ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ, କିନ୍ତୁ ପାଖରେ କାର୍ଡ ନଥିବା କାରଣରୁ ସ୍ୱାତୀ ଏବଂ କ୍ରିଷ୍ଣା ସେଠାକୁ ପାଠ ପଢ଼ିବା ଲାଗି ଯାଇପାରିନଥାନ୍ତି।
ପାଖାପାଖି ୧.୩ ଲକ୍ଷ ପିଲା ଆରଟିଇ ୨୦୦୯ ଲାଗୁ ହେବା ସତ୍ତ୍ୱେ ମାତାପିତାଙ୍କ ସହିତ ପ୍ରବାସ କରୁଥିବା ସମୟରେ ପ୍ରବାସୀ ଆଖୁ ଶ୍ରମିକମାନଙ୍କ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥାନ୍ତି
ତେବେ ପୁଣେ ସ୍ଥିତ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କୁହନ୍ତି, ‘‘ଏହି ଯୋଜନା ସକ୍ରିୟ ଭାବେ କାର୍ଯ୍ୟକାରୀ ହେଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରବାସୀ ଛାତ୍ରଛାତ୍ରୀଙ୍କୁ କାର୍ଡ ଦେଇଥାନ୍ତି।’’ କିନ୍ତୁ ଏବେ ସୁଦ୍ଧା କାର୍ଡ ପାଇଥିବା ମୋଟ୍ ସଂଖ୍ୟକ ପିଲାମାନଙ୍କ ସଂଖ୍ୟା ବିଷୟରେ ତଥ୍ୟ ଦେବାକୁ କହିଲେ, ‘‘ବର୍ତ୍ତମାନ ସର୍ବେକ୍ଷଣ ଜାରି ରହିଛି; ଆମେ ଇଜିସି ଉପରେ ତଥ୍ୟ ସଂଗ୍ରହ କରୁଛୁ ଏବଂ ବର୍ତ୍ତମାନ ଏହାକୁ ଏକତ୍ର କରାଯାଉଛି।’’
*****
‘‘ମୋତେ ଏଠାରେ ରହିବାକୁ ଘୃଣା ଲାଗୁଛି,’’ ଅର୍ଜୁନ ରାଜପୁତ କହିଥାଏ। କୋହ୍ଲାପୁର ଜିଲ୍ଲାର ଯାଧବୱାଡ଼ି ଅଞ୍ଚଳରେ ଥିବା ଦୁଇ ଏକର ଇଟାଭାଟିରେ କାମ କରୁଥିବା ତାଙ୍କର ମାତାପିତାଙ୍କ ସହିତ ୧୪ ବର୍ଷ ବୟସ୍କ ଅର୍ଜୁନ ରହିଥାଏ।
କୋହ୍ଲାପୁର-ବାଙ୍ଗାଲୋର ରାଜପଥ କଡ଼ରେ ଥିବା ଇଟାଭାଟିରେ କାମ କରିବା ଲାଗି ଔରଙ୍ଗାବାଦ ଜିଲ୍ଲାର ୱଡ଼ଗାଓଁ ଗ୍ରାମରୁ ସେମାନଙ୍କର ୭ ଜଣିଆ ପରିବାର ପ୍ରବାସ କରି ଚାଲି ଆସିଛନ୍ତି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପର କୋଳାହଳ ମଧ୍ୟରେ, ଏହି ଇଟାଭାଟିରେ ଦୈନିକ ହାରାହାରୀ ୨୫,୦୦୦ ଇଟା ତିଆରି ହୋଇଥାଏ। ଭାରତରେ ପ୍ରାୟ ୧୦-୨୩ ନିୟୁତ ଲୋକ ଇଟାଭାଟିରେ କାମ କରିଥାନ୍ତି, ସେମାନଙ୍କ ମଧ୍ୟରୁ ଅର୍ଜୁନଙ୍କ ପରିବାର ଅନ୍ୟତମ। ଉଚ୍ଚ ତାପମାତ୍ରା ସହିତ ସବୁଠୁ ଅସୁରକ୍ଷିତ କାର୍ଯ୍ୟ ପରିବେଶରେ ସେମାନେ ହାଡ଼ଭଙ୍ଗା ପରିଶ୍ରମ କରିଥାନ୍ତି । ମଜୁରି ପ୍ରଦାନ ବେଳେ ଶ୍ରମିକମାନଙ୍କୁ ଶୋଷଣ କରାଯାଏ। ତେଣୁ ଅନ୍ୟତ୍ର କାମ ପାଉନଥିବା ଶ୍ରମିକମାନେ ଶେଷ ଆଶ୍ରା ସ୍ୱରୂପ ଇଟାଭାଟିରେ କାମ କରନ୍ତି।
ମାତାପିତାଙ୍କ ସହିତ ରହୁଥିବା କାରଣରୁ, ଅର୍ଜୁନକୁ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ସ୍କୁଲ୍ ପାଠପଢ଼ାରୁ ବଞ୍ଚିତ ହେବାକୁ ପଡ଼ିଥାଏ। ‘‘ମୁଁ ମୋ ଗାଁର ଜିଲ୍ଲା ପରିଷଦ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼େ,’’ ଅର୍ଜୁନ ଏହା କହିବା ସମୟରେ, ସେହି ପାଖରେ ଅଣନିଃଶ୍ୱାସୀ କରି ଦେଉଥିବା ଧୂଳି ଉଡ଼ାଇ ଜେସିବି ମେସିନଗୁଡ଼ିକ ଚାଲି ଯାଉଥାଏ।


ବାମ : ନିଜର ମା’ ସୁମନ ଏବଂ ଭଉଣୀ ଅନୀତା ପାଖରେ ଅର୍ଜୁନ। ଡାହାଣ : ଯାଧବୱାଡ଼ିରେ ଏକ ଇଟା ଭାଟି। ଅଧିକ ତାପମାତ୍ରାରେ ଅତ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲେ ମଧ୍ୟ ମଜୁରି ପ୍ରଦାନ ବେଳେ ଶ୍ରମିକମାନଙ୍କୁ ଶୋଷଣ କରାଯାଏ, ତେଣୁ ସେମାନେ ଶେଷ ଆଶ୍ରା ରୂପରେ ଇଟା ଭାଟିରେ କାମ କରନ୍ତି
ଅନ୍ୟପଟେ ୱଡ଼ଗାଓଁରେ, ଅର୍ଜୁନର ମାତାପିତା, ସୁମନ ଏବଂ ଆବାସାହେବ ଗଙ୍ଗାପୁର ତାଲୁକାରେ ଥିବା ସେମାନଙ୍କ ଗାଁ ଏବଂ ଆଖପାଖ ଅଞ୍ଚଳରେ କୃଷି ଶ୍ରମିକ ଭାବେ କାମ କରିଥାନ୍ତି। ଚାଷ ଏବଂ ଅମଳ ଋତୁରେ ସେମାନଙ୍କୁ ମାସିକ ପ୍ରାୟ ୨୦ ଦିନ ଖଣ୍ଡେ କାମ ମିଳିଥାଏ ଏବଂ ସେମାନେ ମଜୁରି ବାବଦକୁ ଦୈନିକ ୨୫୦-୩୦୦ ଟଙ୍କା ରୋଜଗାର କରିଥାନ୍ତି। ଏହି ମାସଗୁଡ଼ିକରେ ଅର୍ଜୁନ ତାଙ୍କ ଗାଁ ବିଦ୍ୟାଳୟରେ ପାଠ ପଢ଼ିବାରେ ସକ୍ଷମ ହୋଇଥାଏ।
ଗତ ବର୍ଷ, ତା’ର ମାତାପିତା ଉଚାଲ୍ (ଅଗ୍ରୀମ) ଟଙ୍କା ନେଇ ନେଇ ସେମାନଙ୍କ କଚ୍ଚା ଘର ପାଖରେ ଏକ ପକ୍କା ଘର ତିଆରି କରିଥିଲେ। ‘‘ଆମେ ୧.୫ ଲକ୍ଷ ଟଙ୍କାର ଅଗ୍ରୀମ ନେଇଥିଲୁ ଏବଂ ଆମ ଘରର ମୂଳଦୁଆ ତିଆରି କରିଥିଲୁ,’’ ସୁମନ କହିଥାନ୍ତି। ‘‘ଚଳିତ ବର୍ଷ, ଆମେ କାନ୍ଥ ତିଆରି କରିବା ପାଇଁ ଆଉ ଏକ ଲକ୍ଷ ଟଙ୍କା ଅଗ୍ରୀମ ଆଣିଥିଲୁ।’’
ସେମାନଙ୍କ ପ୍ରବାସ ସମ୍ପର୍କରେ ସୁମନ କୁହନ୍ତି, ‘‘ଅନ୍ୟ କୌଣସି ବାଟରେ ଆମେ ଗୋଟିଏ ବର୍ଷରେ ଏକ ଲକ୍ଷ ଟଙ୍କା ରୋଜଗାର କରିପାରିବୁ ନାହିଁ। ଏହା (ଇଟା ଭାଟିରେ କାମ କରିବା ପାଇଁ ପ୍ରବାସ କରିବା) ହେଉଛି ଏକମାତ୍ର ମାର୍ଗ।’’ ସେ ଆହୁରି କୁହନ୍ତି ଯେ, ‘‘ଘର ପ୍ଲାଷ୍ଟର କରିବା ପାଇଁ ଟଙ୍କା ଯୋଗାଡ଼ କରିବାକୁ,’’ ସେମାନେ ଆସନ୍ତା ବର୍ଷ ଫେରିବାର ସମ୍ଭାବନା ରହିଛି।
ଘର ତିଆରିରେ ଦୁଇ ବର୍ଷ ଗଲାଣି ଏବଂ ଆଉ ଦୁଇ ବର୍ଷ ମଧ୍ୟ ଯିବ - ଇତିମଧ୍ୟରେ ଅର୍ଜୁନଙ୍କ ପାଠପଢ଼ା ଠପ୍ ହୋଇଯାଇଛି । ସୁମନଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ଚାରି ଜଣ ଅଧାରୁ ପାଠ ଛାଡ଼ିଛନ୍ତି ଏବଂ ୨୦ ବର୍ଷ ବୟସରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ବାହାଘର ହୋଇସାରିଛି। ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଓ ଦୁଃଖି ହୋଇ ସେ କୁହନ୍ତି, ‘‘ମୋର ଜେଜେବାପା-ମା’ ଇଟାଭାଟିରେ କାମ କରୁଥିଲେ; ତା’ପରେ ମୋ ବାପା-ମା’ ମଧ୍ୟ କାମ କଲେ, ଆଉ ଏବେ ମୁଁ ବି ଇଟା ଭାଟିରେ କାମ କରୁଛି। ପ୍ରବାସର ଏହି ଚକ୍ର କିଭଳି ବନ୍ଦ କରିବାକୁ ହେବ ମୁଁ ଜାଣି ନାହିଁ।’’
କେବଳ ଅର୍ଜୁନ ଏକାକୀ ପାଠପଢ଼ା ଜାରି ରଖିଛି, କିନ୍ତୁ ସେ କହିଥାଏ, ‘‘ଛଅ ମାସ ଧରି ବିଦ୍ୟାଳୟ ଠାରୁ ଦୂରରେ ରହିବା ପରେ, ମୁଁ ଯେତେବେଳେ ଘରକୁ ଫେରିଥାଏ, ସେତେବେଳେ ମୁଁ ପାଠ ପଢ଼ୁଛି ବୋଲି ଅନୁଭବ କରିପାରିନଥାଏ।’’
ଅୱନୀ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଇଟାଭାଟି ନିକଟରେ ପ୍ରତିଷ୍ଠା କରାଯାଇଥିବା ଏକ ଡେ କେୟାର ସେଣ୍ଟର (ଦିବା ଶିଶୁ ଯତ୍ନ କେନ୍ଦ୍ରରେ) ଅର୍ଜୁନ ଓ ଅନୀତା (ତା’ର ମାମୁଁ ଝିଅ) ଦୈନିକ ୬ ଘଣ୍ଟା ରୁହନ୍ତି। ଅୱନୀ ସଂସ୍ଥା କୋହ୍ଲାପୁର ଏବଂ ସାଙ୍ଗଲୀର ୨୦ଟି ଇଟା ଭାଟି ଓ କିଛି ଆଖୁ ଚାଷ କ୍ଷେତ୍ରରେ ଏଭଳି ଡେ କେୟାର ସେଣ୍ଟର ପରିଚାଳନା କରିଥାଏ। ଅୱନୀରେ ରହି ପାଠ ପଢ଼ୁଥିବା ଅଧିକାଂଶ ଛାତ୍ରଛାତ୍ରୀ ଅତି ପଛୁଆ ଜନଜାତି ସମୁଦାୟ (ପିଭିଟିଜି) ଭାବେ ବର୍ଗୀକୃତ କାତକରୀ କିମ୍ବା ଯାଯାବର ଜନଜାତି ଭାବେ ତାଲିକାଭୁକ୍ତ ବେଲଦାର ସମୁଦାୟର ପିଲା ହୋଇଥାନ୍ତି। ଅୱନୀର କାର୍ଯ୍ୟକ୍ରମ ସଂଯୋଜକ ସତ୍ତପ୍ପା ମୋହିତେ କୁହନ୍ତି, ୮୦୦ରୁ ଅଧିକ ପଞ୍ଜିକୃତ ଇଟାଭାଟି ଥିବା କୋହ୍ଲାପୁର କାମ ସନ୍ଧାନରେ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ପ୍ରମୁଖ ସ୍ଥଳୀ ଭାବେ ବିବେଚିତ ହୋଇଥାଏ।


ଯାଧବୱାଡ଼ି ଇଟା ଭାଟିରେ ଥିବା ଅୱନୀର ଡେ କେୟାର ବିଦ୍ୟାଳୟ ଏବଂ (ଡାହାଣ) ସେମାନଙ୍କ କେନ୍ଦ୍ରରେ ପିଲାମାନେ ଖେଳନ୍ତି ଓ ପାଠ ପଢ଼ନ୍ତି
‘‘ଏଠି (ଡେ କେୟାର ସେଣ୍ଟରରେ) ମୁଁ ଚତୁର୍ଥ ଶ୍ରେଣୀ ବହି ପଢ଼େ ନାହିଁ। ତେବେ ମୋତେ ଖାଇବାକୁ ଓ ଖେଳିବାକୁ ମିଳିଥାଏ,’’ ସ୍ମିତ ହସି ଅନୀତା କହିଥାଏ। ଏହି କେନ୍ଦ୍ରରେ ୩ରୁ ୧୪ ବର୍ଷ ବୟସ୍କ ପ୍ରାୟ ୨୫ ଜଣ ପ୍ରବାସୀ ଶ୍ରମିକଙ୍କ ପିଲା ରହିଥାନ୍ତି। ମଧ୍ୟାହ୍ନ ଭୋଜନ ବ୍ୟତୀତ ପିଲାମାନଙ୍କୁ, ଖେଳିବାକୁ ଓ କାହାଣୀ ଶୁଣିବାକୁ ମିଳିଥାଏ।
କେନ୍ଦ୍ରରେ ସେମାନଙ୍କ ସମୟ ସରିଯିବା ପରେ, ସାମାନ୍ୟ କୁଣ୍ଠାବୋଧ କରି ଅର୍ଜୁନ କହିଥାଏ ଯେ ‘‘ଆମେ ଆଈବାବାଙ୍କୁ ସାହାଯ୍ୟ (ଇଟା ପକାଇବାରେ) କରିଥାଉ।’’
ସାତ ବର୍ଷ ବୟସ୍କା ରାଜେଶ୍ୱରୀ ନୟନେଗେଲି ଏହି କେନ୍ଦ୍ରରେ ଥିବା ପିଲାମାନଙ୍କ ମଧ୍ୟରୁ ଜଣେ। ସେ କହିଥାଏ, ‘‘ବେଳେବେଳେ ମୁଁ ମୋ ମା’ ସହିତ ରାତିରେ ଇଟା ତିଆରି କରିଥାଏ।’’ କର୍ଣ୍ଣାଟକରେ ଥିବା ନିଜ ଗାଁରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ରାଜେଶ୍ୱରୀ ଏହି କଠିନ କାମରେ ମଧ୍ୟ ପାରଙ୍ଗମ : ‘‘ଅପରାହ୍ଣରେ ଆଈ ଓ ବାବା ମାଟି ପ୍ରସ୍ତୁତ କରିଥାନ୍ତି ଏବଂ ରାତିରେ ସେମାନେ ଇଟା ଗଢ଼ନ୍ତି। ମୁଁ ସେମାନଙ୍କ କାମକୁ ଅନୁସରଣ କରିଥାଏ।’’ ଇଟା ଛାଞ୍ଚରେ ମାଟି ଭରି ସେ ଲଗାତର ଥାପି ଥାପି ତା’କୁ ବସାଇଥାଏ। ତା’ପରେ ତା’ର ମା’ କିମ୍ବା ବାପା ଛାଞ୍ଚକୁ ତଳେ ପିଟି ଇଟାକୁ ବାହାର କରନ୍ତି କାରଣ ମାଟି ଭର୍ତ୍ତି ଛାଞ୍ଚ ଟେକିବା ରାଜେଶ୍ୱରୀ ଭଳି କୋମଳମତି ଶିଶୁ ପକ୍ଷେ ସମ୍ଭବ ନୁହେଁ ।
‘‘ମୁଁ କେତୋଟି (ଇଟା) ତିଆରି କରିଥାଏ ଜାଣେ ନାହିଁ, କିନ୍ତୁ ଥକିଗଲେ ମୁଁ ଶୋଇପଡ଼ିଥାଏ ଏବଂ ଆଇ-ବାବା କାମ ଜାରି ରଖିଥାନ୍ତି,’’ ରାଜେଶ୍ୱରୀ କୁହେ।
ଅୱନୀରେ ଥିବା ୨୫ ଜଣ ପିଲାଙ୍କ ମଧ୍ୟରୁ କାହା ପାଖରେ - ସେମାନଙ୍କ ମଧ୍ୟରୁ ଅନେକ ମହାରାଷ୍ଟ୍ରର ବାସିନ୍ଦା- କୋହ୍ଲାପୁରକୁ ଆସିବା ପରେ ପାଠପଢ଼ା ଜାରି ରଖିବାକୁ ଇଜିସି କାର୍ଡ ନାହିଁ। ଏହାବ୍ୟତୀତ ଭାଟିର ସବୁଠୁ ପାଖରେ ଥିବା ବିଦ୍ୟାଳୟ ପାଞ୍ଚ କିଲୋମିଟର ଦୂରରେ ରହିଛି ।
‘‘ଏହା (ବିଦ୍ୟାଳୟ) ଏତେ ଦୂରରେ ଅଛି। କିଏ ଆମକୁ ସେଠାକୁ ନେଇଯିବ?’’ ଅର୍ଜୁନ ଦାବି କରି ଜାଣିବାକୁ ଚାହେଁ।
ତେବେ ସେହି କାର୍ଡରେ ମାତାପିତା ଏବଂ ପିଲାମାନଙ୍କ ପାଇଁ ବ୍ୟବସ୍ଥା ରହିଛି ଯେ ଯଦି ନିକଟତମ ବିଦ୍ୟାଳୟ ଗୋଟିଏ କିଲୋମିଟର ଠାରୁ ଅଧିକ ହୋଇଥିବ ତା’ହେଲେ ‘‘ସ୍ଥାନୀୟ ଶିକ୍ଷା ବିଭାଗ, ଜିଲ୍ଲା ପରିଷଦ କିମ୍ବା ମହାନଗର ନିଗମ ପକ୍ଷରୁ ପ୍ରବାସୀ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଶ୍ରେଣୀଗୃହ ଏବଂ ପରିବହନ ସୁବିଧା ଯୋଗାଇ ଦିଆଯିବ।’’
କିନ୍ତୁ ଏଠାରେ ୨୦ ବର୍ଷ ଧରି କାମ କରୁଥିବା ଅୱନୀ ଏନଜିଓର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଅନୁରାଧା ଭୋସଲେ କୁହନ୍ତି, ‘‘ଏସବୁ ବ୍ୟବସ୍ଥା କେବଳ କାଗଜକଲମରେ ରହିଛି।’’


ବାମ : କୋହ୍ଲାପୁରର ଏକ ଇଟାଭାଟି ଯାଧବୱାଡ଼ି ଜକାତନାକା । ଡାହାଣ : ସର୍ଣ୍ଣୋବତୱାଡ଼ିରେ ନିକଟତମ ବିଦ୍ୟାଳୟ ରହିଛି ଯାହାକି ଏଠାରୁ ପାଞ୍ଚ କିଲୋମିଟର ଦୂର
ଅହମ୍ମଦନଗର ଜିଲ୍ଲାରୁ ଆସିଥିବା ଆରତୀ ପୱାର କୋହ୍ଲାପୁର ଇଟାଭାଟିରେ କାମ କରନ୍ତି। ସପ୍ତମ ଶ୍ରେଣୀ ପରେ ବିଦ୍ୟାଳୟରୁ ପାଠପଢ଼ା ବନ୍ଦ କରି ଦେଇଥିବା ଏହି ୨୩ ବର୍ଷୀୟା ମହିଳା ଜଣଙ୍କ କୁହନ୍ତି ଯେ, ‘‘ମୋର ମାତାପିତା ୨୦୧୮ରେ ମୋର ବାହାଘର କରି ଦେଇଥିଲେ।’’
‘‘ମୁଁ ପୂର୍ବରୁ ସ୍କୁଲ୍ ଯାଉଥିଲି। ଏବେ ମୁଁ ଇଟାଭାଟିରେ କାମ କରୁଛି,’’ ଆରତୀ କୁହନ୍ତି।
*****
ମାର୍ଚ୍ଚ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପାଠପଢ଼ା ସମ୍ପୂର୍ଣ୍ଣ ଅନଲାଇନ୍ ହୋଇଥିଲା। ଏହି ଅବଧି ବିଷୟରେ ଉଲ୍ଲେଖ କରି ଅର୍ଜୁନ କହିଥାଏ, ‘‘ଦୁଇ ବର୍ଷ ପାଇଁ ମୁଁ କିଛି ପଢ଼ିପାରିନଥିଲି । ଆମ ପାଖରେ ସ୍ମାର୍ଟଫୋନ୍ ନାହିଁ।’’
‘‘ମହାମାରୀ ପୂର୍ବରୁ ମଧ୍ୟ, ପରୀକ୍ଷାରେ ପାସ୍ କରିବା ମୋ ପାଇଁ କଷ୍ଟକର ଥିଲା କାରଣ ମୁଁ ମାସ ମାସ ଧରି ସ୍କୁଲ୍ ବନ୍ଦ କରୁଥିଲି। ମୋତେ ଆଉ ଥରେ ପଞ୍ଚମ ଶ୍ରେଣୀରେ ପଢ଼ିବାକୁ ପଡ଼ିଲା,’’ ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅର୍ଜୁନ କହିଥାଏ। ମହାମାରୀ ସମୟରେ ମହାରାଷ୍ଟ୍ରର ଅନେକ ଛାତ୍ରଛାତ୍ରୀଙ୍କ ଭଳି ଅର୍ଜୁନ ମଧ୍ୟ ଦିନେ ହେଲେ ବିଦ୍ୟାଳୟରେ ପାଠ ନପଢ଼ି ଦୁଇ ଥର (ଷଷ୍ଠ ଓ ସପ୍ତମ ଶ୍ରେଣୀ) ଉପର ଶ୍ରେଣୀକୁ ଉନ୍ନୀତ ହୋଇଥିଲା। ସରକାର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ।
ଭାରତର ମୋଟ୍ ଜନସଂଖ୍ୟାର ୩୭ ପ୍ରତିଶତ (୪୫୦ ନିୟୁତ) (୨୦୧୧ ଜନଗଣନା ଅନୁଯାୟୀ) ଲୋକଙ୍କୁ ଦେଶ ଭିତରେ ପ୍ରବାସ କରିବାକୁ ପଡ଼ିଥାଏ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ହୋଇଥିବା ଅନୁମାନ କରାଯାଏ। ଏତେ ବଡ଼ ସଂଖ୍ୟାରେ ଲୋକଙ୍କ ପାଇଁ ପ୍ରଭାବୀ ନୀତି ପ୍ରଣୟନ କରିବା ଏବଂ ସେଗୁଡ଼ିକୁ ଉଚିତ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଏକ ଜରୁରି ଆବଶ୍ୟକତା। ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ବାଧାମୁକ୍ତ ଭାବେ ସେମାନଙ୍କ ପାଠପଢ଼ା ଜାରି ରଖିବା ନିମନ୍ତେ ସୁବିଧା ଦେବାକୁ ସୁନିଶ୍ଚିତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ କାର୍ଯ୍ୟାନୁଷ୍ଠାନ ଭାବେ ୨୦୨୦ରେ ପ୍ରକାଶ ପାଇଥିବା ଏକ ଆଇଏଲଓ ରିପୋର୍ଟରେ ସୁପାରିସ କରାଯାଇଛି ।
ଅଶୋକ ତାଙ୍ଗଡ଼େ କୁହନ୍ତି, ‘‘ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ଶିକ୍ଷାର ଗ୍ୟାରେଣ୍ଟି ଦେବା ଲାଗି ନୀତିଗୁଡ଼ିକୁ କାର୍ଯ୍ୟ କରିବାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗମ୍ଭୀର ନୁହନ୍ତି । ଏହାଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପିଲାମାନେ କେବଳ ସେମାନଙ୍କର ଶିକ୍ଷା ଅଧିକାରଠାରୁ ବଞ୍ଚିତ ହେଉନାହାନ୍ତି, ବରଂ ସେମାନେ ଅତି ବିପଦପୂର୍ଣ୍ଣ ପରିବେଶରେ ଜୀବନ ନିର୍ବାହ କରିବା ପାଇଁ ବାଧ୍ୟ ହେଉଛନ୍ତି।
ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୁନାଲରମ୍ଭା ଗ୍ରାମର ଜଣେ ଛୋଟ ଝିଅ ଗୀତାଞ୍ଜଳି ସୁନା ନଭେମ୍ବର ୨୦୨୨ରେ ଦେଶର ଗୋଟିଏ ପ୍ରାନ୍ତରୁ ଆଉ ଗୋଟିଏ ପ୍ରାନ୍ତକୁ ଯାତ୍ରା କରି ନିଜ ମାତାପିତା ଓ ଭଉଣୀଙ୍କ ସହିତ କୋହ୍ଲାପୁରର ଇଟାଭାଟିକୁ ଆସିଥିଲେ। ମେସିନର କର୍କଶ ଶବ୍ଦ ମଧ୍ୟରେ ୧୦ ବର୍ଷ ବୟସ୍କା ଗୀତାଞ୍ଜଳି ଅୱନୀ ଠାରେ ଅନ୍ୟ ପିଲାମାନଙ୍କ ସହିତ ଧରା ଛୁଆଁ ଖେଳ ଖେଳୁଛନ୍ତି । କିଛି ସମୟ ପାଇଁ କୋହ୍ଲାପୁର ଇଟାଭାଟିର ଧୂଳିମୟ ପରିବେଶରେ ପିଲାମାନଙ୍କ କୋଳାହଳର ଶବ୍ଦ ପବନରେ ମିଳେଇ ଯାଉଛି।
ଅନୁବାଦ: ଓଡ଼ିଶାଲାଇଭ୍