‘‘କିଏ ଜିତୁଛି? କିମ୍ବା ଏହା ଆଇପିଏଲ କି ବିଶ୍ୱକପ୍, ସେଥିରେ କ’ଣ ଯାଏ ଆସେ?’’
ଯେଉଁ ଦେଶରେ କ୍ରିକେଟ୍କୁ ଏକ ଧର୍ମ ବୋଲି ବିବେଚନା କରାଯାଏ, ସେଠି ମଦନଙ୍କ ପ୍ରଶ୍ନ ଅପମାନଜନକ ମନେ ହୁଏ।
କିନ୍ତୁ ସେ ଆଗକୁ କୁହନ୍ତି, ‘‘ କୋଇ ଭି ଜିତେ , ହମେଁ କାମ୍ ମିଲ୍ ଜାତା ହୈ (ଯିଏ ବି ଜିତୁ, ଆମକୁ କାମ ମିଳିଯାଏ)।’’ ୫୧ ବର୍ଷୀୟ ମଦନ ଜଣେ କ୍ରିକେଟ୍ ବଲ୍ ନିର୍ମାତା ଏବଂ ମେରଟ୍ ସହରରେ ଥିବା ବହୁସଂଖ୍ୟକ ଚକମକିଆ ନାଲି ଓ ଧଳା ବଲ୍ କାରଖାନା ମଧ୍ୟରୁ ଗୋଟିଏର ମାଲିକ।
ମାର୍ଚ୍ଚ ମାସ ଚାଲିଛି ଏବଂ ତାଙ୍କ ଚାରିପାଖରେ ପ୍ରାୟ ୧୦୦ଟି ବାକ୍ସ ଥୁଆ ହୋଇଛି। ପ୍ରତ୍ୟେକ ବାକ୍ସରେ ଛଅଟି ଲେଖାଏଁ ଚମଡ଼ା ତିଆରି ବଲ୍ ଅଛି, ଯାହା ବ୍ୟସ୍ତବହୁଳ ପୁରୁଷ କ୍ରିକେଟ କ୍ୟାଲେଣ୍ଡରରେ ଖେଳାଯିବା ଲାଗି ବ୍ୟବହାର କରାଯିବ। ଦୁଇ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପାଇଁ ମାର୍ଚ୍ଚ ମାସର ଶେଷ ଭାଗରେ କ୍ରିକେଟ୍ ଋତୁର ପ୍ରଥମ ବଲ୍ ପଡ଼ିବ। ଏହାପରେ, ଜୁନ୍ ମାସରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳାଯିବ। ଅକ୍ଟୋବର ଏବଂ ନଭେମ୍ବର ମାସରେ ଭାରତ ଦିନିକିଆ ଇଣ୍ଟରନ୍ୟାସନାଲ୍ ପୁରୁଷ ବିଶ୍ୱକପ୍ ଆୟୋଜନ କରିବ।
‘‘କେଉଁ ସ୍ତରରେ ବଲ୍ ବ୍ୟବହାର କରାଯିବ, ଏହାକୁ କିଏ ଖେଳିବ, ଏହା ଜରିଆରେ କେତେ ଓଭର ଖେଳାଯିବ, ତାହା ବଲ୍ର ଗୁଣବତ୍ତାରୁ ନିର୍ଦ୍ଧାରିତ ହେବ,’’ ମଦନ କୁହନ୍ତି।


ମେରଠ ଜିଲ୍ଲା ଶୋଭାପୁର ଝୋପଡ଼ି ବସ୍ତିରେ ନିଜର କ୍ରିକେଟ୍ ବ ଲ୍ ତିଆରି କାରଖାନାରେ ମଦନ ( ବାମ ) । ଧରମ ସିଂହ ( ଡାହାଣ ) ମଦନଙ୍କ ୟୁନିଟ୍ ରେ ସବୁଠୁ ଅଭିଜ୍ଞ କାରିଗର ଭାବେ କାମ କରିଥାନ୍ତି । ଏଠାକାର ଅଧିକାଂଶ କାରିଗର ଜାଟବ ସମ୍ପ୍ରଦାୟର ହୋଇଥିବା ବେଳେ ଏମାନେ ଡକ୍ଟର ଆମ୍ବେଦକରଙ୍କ ଅନୁଗାମୀ
ଦେଶରେ କ୍ରିକେଟ୍ ଖେଳକୁ ନେଇ ରହିଥିବା ନିଶା ଉପରେ ଆଲୋକପାତ କରି ସେ କୁହନ୍ତି, ‘‘ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖୁଚୁରା ଓ ପାଇକାରୀ ଖେଳ ସାମଗ୍ରୀ ବିକ୍ରେତା ଆମ ପାଖକୁ ଆସନ୍ତି। ଦୁଇ ମାସ ପୂର୍ବରୁ ଚାହିଦା ବେଶ୍ ବୃଦ୍ଧି ପାଇଥାଏ ଏବଂ ସୁଯୋଗକୁ ଆଖି ଆଗରେ ରଖି ବଡ଼ ସହରଗୁଡ଼ିକର ଦୋକାନୀମାନେ ବଲ୍କୁ ଷ୍ଟକ୍ କରି ରଖି ଦେବାକୁ ଚାହାନ୍ତି।’’ ଏସବୁ ବଲ୍ ଅଢ଼େଇ ଶହ ଟଙ୍କାରୁ ଆରମ୍ଭ କରି ସାଢ଼େ ତିନି ହଜାର ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। କିଏ ଖେଳୁଛି ଏବଂ ତା’ଉପରେ କେତେ ଟଙ୍କା ବାଜି ଲାଗିଛି ତା’କୁ ନେଇ ବଲ୍ ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ।
ମୁମ୍ବାଇ, ଅହମ୍ମଦାବାଦ, ବରୋଦା, ଯାଜପୁର, ବେଙ୍ଗାଲୁରୁ ଓ ପୁଣେର ବିଭିନ୍ନ କ୍ରିକେଟ୍ ଏକାଡେମୀ, ବିତରକ ଏବଂ ଖୁଚୁରା ବିକ୍ରେତାମାନେ ମଦନଙ୍କୁ ବଲ୍ କିଣିବାକୁ ଅର୍ଡର ଦେଇଥାନ୍ତି। ଏଠାରେ ଥିବା ତାଙ୍କ କାରଖାନାରେ ତିଆରି ହେଉଥିବା ବଲ୍ଗୁଡ଼ିକ ନିମ୍ନ ସ୍ତରର ଖେଳ ଏବଂ ଅଭ୍ୟାସ ମ୍ୟାଚ୍ ପାଇଁ ବ୍ୟବହୃତ ହୋଇଥାଏ।
ଆମେ ତାଙ୍କ କାରଖାନାରେ ଅଛୁ ଏବଂ ଏକ ଛୋଟ କିନ୍ତୁ ସାମାନ୍ୟ ବଙ୍କା ଡିସ୍ପ୍ଲେ ଥିବା ଟିଭିରେ ଲାଇଭ୍ କ୍ରିକେଟ୍ ମ୍ୟାଚ୍ ପ୍ରସାରିତ ହେଉଛି। ଟିଭି ସ୍କ୍ରିନ୍ ଆଠ ଜଣ କାରିଗରଙ୍କ ଆଡ଼କୁ ରହିଛି, ଯେଉଁମାନେ ନିରବ ଦର୍ଶକ ହୋଇ ବସି ରହିଛନ୍ତି। କିନ୍ତୁ ସେମାନେ କେବଳ ଟିଭି ଶୁଣିପାରୁଛନ୍ତି, କାରଣ ସେମାନଙ୍କ ନଜର ନିଜ କାମ ଉପରେ ରହିଛି। ‘‘ ହମେଁ ଅଭି ବିଲକୁଲ ଫୁରସତ୍ ନହିଁ ହୈ (ଆମକୁ ଏବେ ସାମାନ୍ୟ ଫୁରସତ୍ ନାହିଁ)।’’
ସେମାନେ ମଧ୍ୟମ ମାନର ୬୦୦ ଟୁ-ପିସ୍ କ୍ରିକେଟ୍ ବଲ୍ ଅର୍ଡର ପାଇଁ ଲୁହା କ୍ଲାମ୍ପ ଉପରେ ନଇଁପଡ଼ି କଷ୍ଟକର ସିଲେଇ କାମ କରୁଛନ୍ତି। କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ ଓ କାଶ୍ମୀରର କ୍ରେତାଙ୍କୁ ତିନି ଦିନ ମଧ୍ୟରେ ଏହି ବଲ୍ ଯୋଗାଇ ଦେବାକୁ ହେବ।
ପଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ଏକ ଉଜ୍ଜ୍ୱଳ ଲାଲ ରଙ୍ଗର ବଲ୍କୁ ମଦନ ହାତରେ ଉଠାଇ ନିଅନ୍ତ। ‘‘ଗୋଟିଏ ବଲ୍ ତିଆରି ପାଇଁ ୩ଟି ଜିନିଷ ଲାଗିଥାଏ। ଫିଟକିରୀ ଘସି ଚିକ୍କଣ କରାଯାଇଥିବା ବାହାର ପଟ ଭାଗ, କର୍କରେ ତିଆରି ଭିତର ଭାଗ ( ଗୋଲା ) ଏବଂ ସିଲେଇ କରିବା ପାଇଁ ସୂତା।’’ ଏହି ତିନୋଟି ଯାକ ଜିନିଷ ମେରଠ ଜିଲ୍ଲାରେ ମିଳିଥାଏ ଏବଂ ‘‘ଥରେ କ୍ରେତା ଆମକୁ ନିଜ ଆବଶ୍ୟକତାର ମାନ ସମ୍ପର୍କରେ କହିବା ପରେ, ଆମେ ସେହି ଅନୁଯାୟୀ ଚମଡ଼ା ଓ କର୍କ ବ୍ୟବହାର କରିଥାଉ।’’


ଏଠାରେ କ୍ୱଚିତ ମହିଳାମାନଙ୍କୁ ଔପଚାରିକ ଭାବେ କାମ ମିଳିଥାଏ । ମଦନଙ୍କୁ ବଡ଼ ଅର୍ଡର ମିଳିଲେ ହିଁ ଯାଇ ସମାନ୍ତରା ଏଠାକୁ କାମ କରିବା ପାଇଁ ଆସନ୍ତି । ସେ ଫିଟକିରୀ ଖଣ୍ଡଗୁଡ଼ିକୁ ପେଷୁଛନ୍ତି , ଯାହା ଚମଡ଼ାର ଉପରି ସ୍ଥଳଳ ଭାଗକୁ ( ଡାହାଣ ପଟେ ) ଚିକ୍କଣ କରିବା ଲାଗି ବ୍ୟବହୃତ ହେବ । ଏହି ଚମଡ଼ାକୁ ନରମ ଏବଂ ରଙ୍ଗ ଦେବା ଯୋଗ୍ୟ କରିବା ଲାଗି ବେକିଂ ସୋଡ଼ା , ଫିଟକିରୀ ଏବଂ ଲୁଣ ପାଣିରେ ତିନି ଦିନ ପର୍ଯ୍ୟନ୍ତ ଭିଜାଇ ରଖାଯାଏ


କାରିଗରମାନେ ଚମଡ଼ାରେ ଲାଲ ରଙ୍ଗ ( ବାମ ) ଦେଇଥାନ୍ତି ଏବଂ ଦୁଇରୁ ଚାରି ଖଣ୍ଡ ଚମଡ଼ା ବ୍ୟବହାର କରି କ୍ରିକେଟ୍ ବଲ୍ ତିଆରି କରନ୍ତି । ୩୫ ବର୍ଷୀୟ ସଚ୍ଚିନ ( ଡାହାଣ ) ଟୁ - ପିସ୍ ବଲ୍ ତିଆରି କରିବା ପାଇଁ ଚମଡ଼ାକୁ ଗୋଲାକୃତିରେ କାଟୁଛନ୍ତି
ଜିଲ୍ଲା ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଉଦ୍ୟୋଗୀ ବିକାଶ କେନ୍ଦ୍ର (ଡିଆଇପିଇଡିସି)ର ଆକଳନ ଅନୁଯାୟୀ, ମେରଠରେ ୩୪୭ କ୍ରିକେଟ୍ ବଲ୍ ତିଆରି କାରଖାନା ରହିଛି। ଏଥିମଧ୍ୟରେ ମେରଠ ଜିଲ୍ଲାର ଶିଳ୍ପାଞ୍ଚଳରେ ଥିବା ବଡ଼ କାରଖାନା ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଆବାସିକ କ୍ଷେତ୍ରରେ ଥିବା ଛୋଟ ଛୋଟ ୟୁନିଟ୍ ସାମିଲ ରହିଛି।
ତେବେ ଏହି ସଂଖ୍ୟାରେ, ଏଣେ ତେଣେ ଅଲଗା ହୋଇ ରହିଥିବା ଅସଂଗଠିତ ଉତ୍ପାଦନ କେନ୍ଦ୍ର ଏବଂ ଘରୋଇ ୟୁନିଟ୍ ଗୁଡ଼ିକୁ ସାମିଲ କରାଯାଇନାହିଁ, ଏସବୁ ୟୁନିଟ୍ରେ ସମ୍ପୂର୍ଣ୍ଣ ବଲ୍ ତିଆରି କରାଯାଏ କିମ୍ବା କୌଣସି ନିର୍ଦ୍ଦିଷ୍ଟ କାମ ହୋଇଥାଏ। ମେରଠ ଜିଲ୍ଲାର ଉପକଣ୍ଠରେ ଥିବା ଜଙ୍ଗେଠୀ, ଗଗୌଲ ଏବଂ ଭାବନପୁର ଭଳି ଗାଁରେ ଏପରି କାରଖାନା ଦେଖିବାକୁ ମିଳିଥାଏ। ମଦନ କୁହନ୍ତି, ‘‘ ଆଜ୍ ଗାଓଁ କେ ବିନା ବିଲକୁଲ୍ ପୂର୍ତ୍ତି ନହିଁ ହୋଗି ମେରଠରେ (ଆଜି ମେରଠର ଗାଁଗୁଡ଼ିକୁ ବାଦ୍ ଦେଲେ ଆଦୌ କ୍ରିକେଟ୍ ବଲ୍ର ଯୋଗାଣ କରାଯାଇପାରିବ ନାହିଁ)’’।
ସେ କୁହନ୍ତି, ‘‘ବଲ୍ ତିଆରିରେ ଚମଡ଼ା ବ୍ୟବହାର କରାଯାଉଥିବାରୁ ଗାଁ ଓ ସହରର ଅଧିକାଂଶ କାରଖାନାରେ ଜାଟବମାନେ କାମ କରନ୍ତି।’’ ୧୯୦୪ ମସିହାର ଜିଲ୍ଲା ଗେଜଟ୍ଟିୟରରେ ଥିବା ତଥ୍ୟ ଅନୁଯାୟୀ, ଜାଟବ ବା ଚମାର ସମୁଦାୟ (ୟୁପିରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ)ର ଲୋକମାନେ ମେରଠ ଚମଡ଼ା ଉଦ୍ୟୋଗରେ ସବୁଠୁ ବଡ଼ ଶ୍ରମିକ ସମୂହ ଭାବେ କାମ କରିଥାନ୍ତି। ସେ ଆହୁରି କହିଛନ୍ତି, ‘‘ଚମଡ଼ାରେ ତିଆରି କ୍ରିକେଟ୍ ବଲ୍କୁ ଖେଳିବାରେ ଲୋକମାନଙ୍କର କୌଣସି ସମସ୍ୟା ନଥାଏ, କିନ୍ତୁ ଏହି କାମ କରିବା କଥା ଉଠିଲେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ।’’
ତାଙ୍କ ପରିବାର ମାଲିକାନାରେ ଶୋଭାପୁରଠାରେ ଏକ ଚମଡ଼ା କାରଖାନା ମଧ୍ୟ ରହିଛି। ଏହା ହିଁ ଏକମାତ୍ର ସ୍ଥାନ ଯେଉଁଠାରେ କ୍ରିକେଟ୍ ବଲ୍ ଉଦ୍ୟୋଗ ପାଇଁ ଫିଟକିରି ଘସି ଚମଡ଼ାକୁ ବିଶୋଧନ କରାଯାଏ। (ପଢ଼ନ୍ତୁ : ମିରଟର ଚମଡ଼ା କାରିଗର: ସଂଘର୍ଷ ଅବ୍ୟାହତ )। ସେ କୁହନ୍ତି, ‘‘ଫିଟକିରୀ ସହାୟତାରେ ଚମଡ଼ା ବିଶୋଧନର ଚାହିଦାକୁ ଦେଖି ମୋତେ ଲାଗିଲା ଯେ କ୍ରିକେଟ୍ ବଲ୍ର ଚାହିଦା କେବେ କମିବ ନାହିଁ।’’ ବଜାରର ଭଲ ସ୍ଥିତିକୁ ଦେଖି ୨୦ ବର୍ଷ ପୂର୍ବରୁ ସେ ମେସର୍ସ ବି.ଡି. ଏଣ୍ଡ ସନ୍ସ କମ୍ପାନୀ ଆରମ୍ଭ କରିଥିଲେ। ଏହା ସ୍ଥାନୀୟ ଅଞ୍ଚଳରେ କ୍ରିକେଟ୍ ବଲ୍ ତିଆରି କରୁଥିବା ଦୁଇଟି ଉଦ୍ୟୋଗ ମଧ୍ୟରୁ ଅନ୍ୟତମ।
ଗୋଟିଏ ବଲ୍ ତିଆରି କରିବା ପାଇଁ ସଠିକ୍ ଭାବେ କେତେ ସମୟ ଲାଗିଥାଏ ତାହା କହିବା ମୁସ୍କିଲ୍, କାରଣ ଏକାଧିକ ପ୍ରକ୍ରିୟା ଏକ ସମୟରେ ଚାଲିଥାଏ। ଆହୁରି ପାଣିପାଗ ଓ ଚମଡ଼ାର ଗୁଣବତ୍ତା ମଧ୍ୟ ଏଥିପାଇଁ ଲାଗୁଥିବା ସମୟକୁ ପ୍ରଭାବିତ କରିଥାଏ। ସେ କୁହନ୍ତି, ‘‘ ଦୋ ହଫତେ ଲଗତେ ହେଁ ଏକ ଗେନ୍ଦ କୋ ତୟାର ହୋନେ ମେଁ କମ୍ ସେ କମ୍ (ଗୋଟିଏ ବଲ୍ ତିଆରି କରିବା ପାଇଁ ଅତି କମ୍ରେ ଦୁଇ ସପ୍ତାହ ଲାଗିଥାଏ)।’’
ମଦନଙ୍କ କାରଖାନାର କର୍ମଚାରୀ ପ୍ରଥମେ ଚମଡ଼ାକୁ ଫିଟକିରୀରେ ବିଶୋଧନ କରିଥାନ୍ତି, ଲାଲ ରଙ୍ଗ ଦେଇଥାନ୍ତି, ଖରାରେ ଶୁଖାଇଥାନ୍ତି, ତେଲ କିମ୍ବା ପଶୁଙ୍କ ଚର୍ବି ସହାୟତାରେ ଚିକ୍କଣ କରିଥାନ୍ତି ଏବଂ ତା’ପରେ ଏହାକୁ ନରମ କରିବା ଲାଗି କାଠର ହାତୁଡ଼ିରେ ପିଟିଥାନ୍ତି। ମଦନ କୁହନ୍ତି, ‘‘ଧଳା ବଲ୍ ପାଇଁ କୌଣସି ରଙ୍ଗ ଦେବା ଦରକାର ହୋଇନଥାଏ, କାରଣ ଫିଟକିରୀରେ ବିଶୋଧନ ହେବା ପରେ ଚମଡ଼ା ଧଳା ହୋଇଯାଏ। ତେବେ ଏହାକୁ ଚିକ୍କଣ କରିବା ଲାଗି ଗାଈ କ୍ଷୀରରେ ପ୍ରସ୍ତୁତ ଦହି ଉପଯୋଗ କରାଯାଏ।’’


ବାମ: ଟୁ-ପିସ୍ ବଲ୍ ପାଇଁ ଉତ୍ତାପ ଓ ଚାପ ଦେଇ ପ୍ରସ୍ତୁତ କରାଯାଇଥିବା ଗୋଲାର୍ଦ୍ଧକୁ ଖରାରେ ଶୁଖିବା ପାଇଁ ରଖାଯାଇଛି । ଡାହାଣ: ଧରମ ମେସିନ ସହାୟତାରେ ପ୍ରତ୍ୟେକ ଗୋଲାର୍ଦ୍ଧ ଖଣ୍ଡରେ ସିମ୍ର ଦୁଇଟି ସମାନ୍ତରାଳ ପରସ୍ତକୁ ସିଲେଇ କରୁଛନ୍ତି । ଚାରି ପିସ୍ ବଲ୍ କ୍ଷେତ୍ରରେ ସିମ୍କୁ ହାତରେ ସିଲେଇ କରାଯାଏ, ଏହା ତୁଳନାରେ ମେସିନରେ ସିଲେଇ ହୋଇଥିବା ସିମ୍ ସୁନ୍ଦର ଦେଖାଯାଏ


ବାମ: ଚମଡ଼ାକୁ ଘର୍ଷଣରୁ ସୁରକ୍ଷିତ ରଖିବା ଲାଗି ପ୍ରସ୍ତୁତ ହୋଇସାରିଥିବା ବଲ୍ରେ ଧରମ ଲାଖ ଉପଯୋଗ କରୁଛନ୍ତି । ଡାହାଣ: ମୁମ୍ବାଇର ଧୋବି ତଲାୱରେ ଥିବା ଏକ କ୍ରୀଡ଼ା ସାମଗ୍ରୀ ଦୋକାନରେ ସୁନେଲି ଏବଂ ରୁପେଲି ଫାଇଲ୍ ଷ୍ଟାମ୍ପ ଲାଗିଥିବା କ୍ରିକେଟ୍ ବଲ୍। ଏଗୁଡ଼ିକୁ ମିରଠରେ ବଲ୍ ତିଆରି କରୁଥିବା ଭିନ୍ନ ଭିନ୍ନ କାରଖାନାରେ ତିଆରି କରାଯାଇଛି
ସେ କୁହନ୍ତି, ‘‘ ଲାଇନ୍ ସେ କାମ୍ ହୋବେ ହୈ ଔର ଏକ କାରିଗର ଏକ ହି କାମ୍ କରେ ହୈ। (ଗୋଟିଏ ଲାଇନରେ କାମ ହୋଇଥାଏ ଏବଂ ଜଣେ କାରିଗର ଗୋଟିଏ କାମ କରିଥାନ୍ତି)।’’ ତା’ପରେ ଦାୟିତ୍ୱରେ ଥିବା କାରିଗର ଚମଡ଼ାକୁ ଦୁଇଟି ଗୋଲାକାର ଖଣ୍ଡରେ କାଟିଥାନ୍ତି କିମ୍ବା ଚାରିଟି ଅଣ୍ଡାକୃତି ଖଣ୍ଡରେ କାଟନ୍ତି। କ୍ରିକେଟ୍ ବଲ୍ ଦୁଇ ଖଣ୍ଡ କିମ୍ବା ଚାରି ଖଣ୍ଡ ଚମଡ଼ାରେ ତିଆରି କରାଯାଏ।
ମଦନ କୁହନ୍ତି, ‘‘ଏସବୁ ଖଣ୍ଡର ମୋଟେଇ ଏବଂ ହେୟାର ଗ୍ରେନ୍ ମଧ୍ୟ ସମାନ ହେବା ଉଚିତ୍।’’ ‘‘ ଇସ୍ ୱକତ୍ ଛାଣ୍ଟନେ ମେ ଗଲତୀ ହୋ ଗୟୀ, ତୋ ସମଝ ଲୋ କି ଗେନ୍ଦ ଡିଶେପ୍ ହୋଗା ହି (ଏହି ସମୟରେ ଅଲଗା କରି ରଖିବାରେ ତ୍ରୁଟି ହୋଇଗଲେ ଜାଣିବେ ଯେ ବଲ୍ ର ଆକୃତି ବିଗିଡ଼ି ଯିବ),’’ ସେ ଆହୁରି କହିଥାନ୍ତି।
ବଲ୍ ତିଆରି କାମରେ ବେଶ୍ ଶାରୀରିକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ସବୁଠୁ କୁଶଳୀ କାମ ହେଉଛି ହାତରେ ଛୁଞ୍ଚିସୂତା ସହାୟତାରେ ଚମଡ଼ାକୁ ସିଲେଇ କରିବା, ଯାହାର ଅଗ୍ରଭାଗରେ ଘୁଷୁରିଙ୍କ କେଶ ଲାଗିଥାଏ। ମଦନ କୁହନ୍ତି, ‘‘ଛୁଞ୍ଚି ସ୍ଥାନରେ ଘୁଷୁରି କେଶ ଉପଯୋଗ କରାଯାଏ, କାରଣ ଏଗୁଡ଼ିକ ନମନୀୟ ଏବଂ ମଜଭୁତ ହୋଇଥାଏ। ତା’ଛଡ଼ା ଏଗୁଡ଼ିକ ବେଶୀ ଧାରୁଆ ହୋଇନଥିବାରୁ ଚମଡ଼ା କଟିଯିବାର ଭୟ ମଧ୍ୟ ନଥାଏ। ଏଗୁଡ଼ିକ ଲମ୍ବା ଏବଂ ଧରିବା ପାଇଁ ସହଜ ହୋଇଥାଏ। ସିଲେଇ କରୁଥିବା ଲୋକଙ୍କ ହାତ କଟିଯିବାର ଆଶଙ୍କ ମଧ୍ୟ ରୁହେ ନାହିଁ।
ସେ ଆହୁରି କୁହନ୍ତି, ‘‘ ଲେକିନ୍ ସିର୍ଫ ଇସି ଚିଜ୍ କି ୱଜହ ସେ ହମାରେ ମୁସଲମାନ ଭାଇ ୟେ କାମ୍ ନହିଁ କର୍ ସକତେ । ଉନକୋ ସୁଅର ସେ ଦିକ୍କତ ହୋଇ ହୈ ନ । ’’ (ଘୁଷୁରିଙ୍କ କେଶ ଉପଯୋଗ କରାଯାଉଥିବା କାରଣରୁ ଆମର ମୁସଲିମ ଭାଇମାନେ ଏହି କାମ କରନ୍ତି ନାହିଁ। ସେମାନେ ଘୁଷୁରିକୁ ପସନ୍ଦ କରିନଥାନ୍ତି)
ମଦନଙ୍କ କାରଖାନାରେ ସବୁଠୁ ଅଭିଜ୍ଞ ବଲ୍ ନିର୍ମାତା ଧରମ ସିଂହ କୁହନ୍ତି, ‘‘ଚାରି ପିସ୍ ବଲ୍ ପାଇଁ ତିନି ପ୍ରକାରର ସିଲେଇ କରିବାକୁ ହୁଏ। ଏଥିରେ କୁଶଳୀ ହେବା ପାଇଁ ଅନେକ ବର୍ଷ ଲାଗିଯାଏ।’’ ପ୍ରାୟ ୫୦ ବର୍ଷ ବୟସ୍କ ଧରମ ସିଂହ ଜାମ୍ମୁ-କାଶ୍ମୀରର ଗ୍ରାହକଙ୍କଠାରୁ ମିଳିଥିବା ଅର୍ଡର ପାଇଁ ବଲ୍ ଉପରେ ବାର୍ନିଶ ଲଗାଉଛନ୍ତି। ସେ କୁହନ୍ତି, ‘‘ଜଣେ କାରିଗର ଗୋଟିଏ ପ୍ରକାର ସିଲେଇରୁ ଅନ୍ୟ ପ୍ରକାରର ସିଲେଇ ଆଡ଼କୁ ବଢ଼ିବା ସହିତ, ଖଣ୍ଡର ମଜୁରି ମଧ୍ୟ ବଢ଼ିଚାଲିଥାଏ।’’ ପ୍ରତ୍ୟେକ ପରବର୍ତ୍ତୀ ସିଲେଇ ପାଇଁ ଭିନ୍ନ ଭିନ୍ନ ଜ୍ଞାନକୌଶଳ ଉପଯୋଗ ହୋଇଥାଏ ଏବଂ ତାହା ଭିନ୍ନ ଭାବେ କାମ କରିଥାଏ।


ସୁନୀଲ (ବାମ) ବିଶୋଧିତ ଚମଡ଼ାର ଏକ ରୋଲ୍କୁ ହାତୁଡ଼ିରେ ପିଟି ତା’କୁ ନମନୀୟ କରୁଛନ୍ତି। ଏହି ପର୍ଯ୍ୟାୟକୁ ସ୍ଥାନୀୟ ଲୋକମାନେ ମେଲ୍ଲୀ ମାରନା କୁହନ୍ତି। ଚାରି ଖଣ୍ଡ ବିଶିଷ୍ଟ ବଲ୍ ପାଇଁ, ଚମଡ଼ାକୁ ଅଣ୍ଡାକୃତି ଖଣ୍ଡ (ଡାହାଣ)ରେ କାଟି ଦିଆଯାଏ, ଯାହାଦ୍ୱାରା ବଲ୍ର ଚାରି ଚତୁର୍ଥାଂଶ ଖଣ୍ଡଗୁଡ଼ିକ ପ୍ରସ୍ତୁତ ହୋଇପାରିବ


ମୋନୁ ଦୁଇଟି ଅଣ୍ଡାକୃତି ଖଣ୍ଡକୁ ଯୋଡ଼ି ଗୋଟିଏ କପ୍ କିମ୍ବା ଗୋଲାର୍ଦ୍ଧ ତିଆରି କରିଥାନ୍ତି ଏବଂ ତା’ପରେ ‘ଆର୍’ ନାମକ ଉପକରଣକୁ ଉପଯୋଗ କରି ଛେଦ ସୃଷ୍ଟି କରିଥାନ୍ତି । ଡାହାଣ: ବିକ୍ରମଜିତ ଗୋଲାର୍ଦ୍ଧର ଆଭ୍ୟନ୍ତରୀଣ ଭାଗକୁ ପତଳା ଓ ଅଣ୍ଡାକୃତି ଖଣ୍ଡ ସହାୟତାରେ ମଜବୁତ କରିଥାନ୍ତି - ଏହି ପ୍ରକ୍ରିୟାକୁ ‘ଅସ୍ତର ଲଗାନା’ କୁହାଯାଏ। ତାଙ୍କର ଡାହାଣ ପଟେ ଥିବା ମେସିନକୁ ସିମ୍-ଚାପିବା ଲାଗି ଉପଯୋଗ କରାଯାଇଥାଏ ଏବଂ ବାମ ପଟେ ଥିବା ମେସିନରେ ଗୋଲେଇ କରାଯାଏ
ପ୍ରଥମେ ଦୁଇଟି ଅଣ୍ଡାକୃତି ଚମଡ଼ାକୁ ଭିତର ପଟୁ ସିଲେଇ କରି ଯୋଡ଼ିବା ପରେ ଏକ ଗୋଲାର୍ଦ୍ଧ ବା କପ୍ ତିଆରି କରାଯାଏ, ଯାହାକୁ ସ୍ଥାନୀୟ ଭାଷାରେ ପିସ୍ ଜୁଡ଼ାଇ କୁହାଯାଏ। ସାଧାରଣତଃ ନୂଆ କରି କାମ କରୁଥିବା ଜଣେ ବ୍ୟକ୍ତି ପ୍ରଥମ ସିଲେଇ କରିଥାନ୍ତି, ଯାହାଙ୍କୁ ପ୍ରତ୍ୟେକ ଗୋଲାର୍ଦ୍ଧ ପାଇଁ ସାଢ଼େ ସାତ ଟଙ୍କା ମିଳିଥାଏ। ଧରମ କୁହନ୍ତି, ‘‘ପିସ୍ ଯୋଡ଼ି ହେବା ପରେ କପ୍ଗୁଡ଼ିକୁ ପତଳା ଚମଡ଼ା ଖଣ୍ଡ ସହିତ ଦୃଢ଼ ଭାବେ ଯୋଡ଼ି ଦିଆଯାଏ, ଯାହାକୁ ଲପ୍ପେ କୁହନ୍ତି।’’ ଗଦି ଭଳି ଚମଡ଼ାର ଗୋଲାର୍ଦ୍ଧକୁ ପୁଣି ଥରେ ଗୋଲେଇ ମେସିନ ସହାୟତାରେ ଏକ ଢାଞ୍ଚାରେ ପକାଇ ନିର୍ଦ୍ଧାରିତ ଗୋଲ୍ ଆକୃତି ଦିଆଯାଏ।
କାରିଗରମାନେ ଦୁଇଟି ଗୋଲାର୍ଦ୍ଧକୁ ଯୋଡ଼ି ମଝିରେ ଚାପି ହୋଇ ରହିଥିବା ଗୋଲ କର୍କ ସହିତ ଉଭୟ ପଟୁ ସୂତା ଲଗାଇ ଏକ ବଲ୍ ପ୍ରସ୍ତୁତ କରିଥାନ୍ତି, ଯାହାକୁ କପ୍ ଜୁଡ଼ାଇ କୁହାଯାଏ। କପ୍ ଜୁଡ଼ାଇ ର ମଜୁରି ୧୭ରୁ ୧୯ ଟଙ୍କା ମଧ୍ୟରେ ହୋଇଥାଏ। ଟୁ ପିସ୍ ବଲ୍କୁ ମଧ୍ୟ କପ୍ ଜୁଡ଼ାଇ ଜରିଆରେ ହାତରେ ସିଲେଇ କରାଯାଏ।
ଧରମ କୁହନ୍ତି, ‘‘ଦ୍ୱିତୀୟ ଥର ସିଲେଇ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ବଲ୍ ବୋଲି କୁହାଯାଏ। ‘‘ ପେହଲି ବାର୍ ଚମଡ଼ା ଏକ ଗେନ୍ଦ କା ଆକାର୍ ଲେତା ହୈ (ପ୍ରଥମ ଥର ପାଇଁ ଚମଡ଼ା ବଲ୍ର ଆକାର ନେଇଥାଏ)’’।
ଧରମ ପ୍ରାୟ ୩୫ ବର୍ଷ ପୂର୍ବରୁ ସୁରଜକୁଣ୍ଡ ରୋଡ୍ରେ ଥିବା ଏକ କାରଖାନାରେ ବଲ୍ ତିଆରି କୌଶଳ ଶିଖିଥିଲେ। ସେଠାରେ ୧୯୫୦ ଦଶକରେ ଖେଳ ସାମଗ୍ରୀ ତିଆରି ଆରମ୍ଭ ହୋଇଥିଲା। ଦେଶ ବିଭାଜନ ପରେ, ସିଆଲକୋଟ (ଏବେ ପାକିସ୍ତାନରେ)ରୁ ବିସ୍ଥାପିତ ହୋଇଥିବା ଲୋକମାନେ କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ। ସେମାନଙ୍କୁ ମେରଠର ସୁରଜ କୁଣ୍ଡ ରୋଡ ଏବଂ ଭିକ୍ଟୋରିଆ ପାର୍କ ସ୍ଥିତ ଖେଳ କଲୋନୀରେ ଥଇଥାନ କରାଯାଇଥିଲା। ‘‘ମେରଠ ଆଖପାଖ ଗାଁର ଲୋକମାନେ ସହରକୁ ଆସିଥିଲେ ଏବଂ ଏହି କୌଶଳ ଶିଖି ଘରକୁ ଫେରିଥିଲେ।’’
ଚାରି ପିସ୍ ବିଶିଷ୍ଟ ବଲ୍ ପାଇଁ ତୃତୀୟ ପର୍ଯ୍ୟାୟର ସିଲେଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବଲ୍ ଉପରେ ଖୁବ୍ ନିଖୁଣ ଭାବେ ଚାରିଟି ସମାନ୍ତରାଳ ଧାଡ଼ିରେ ସିମ୍ ( ଗେନ୍ଦ ସିଲାଇ ) କରାଯାଇଥାଏ। ସେ କୁହନ୍ତି, ‘‘ସବୁଠୁ ଭଲ ବଲ୍ରେ ପ୍ରାୟ ୮୦ଟି ସିଲେଇ ପଡ଼ିଥାଏ।’’ ସିଲେଇର ସଂଖ୍ୟାକୁ ଆଧାର କରି ଜଣେ କାରିଗରଙ୍କ ରୋଜଗାର ବଲ୍ ପିଛା ୩୫-୫୦ ଟଙ୍କା ମଧ୍ୟରେ ହୋଇଥାଏ। ଟୁ-ପିସ୍ ବଲ୍ ପାଇଁ ମେସିନରେ ସିଲେଇ କରାଯାଏ।


ଲୁହା କ୍ଲାମ୍ପ ଦ୍ୱାରା ଏକ ସଙ୍ଗେ ଭିଡ଼ି ହୋଇ ରହିଥିବା ଦୁଇଟି ଗୋଲାର୍ଦ୍ଧ ମଧ୍ୟରେ ବାହାରକୁ ବାହାରି ଆସିଥିବା ଚମଡ଼ା ଭିତରେ କଣା କରି ସିଲେଇ କରିବା ଲାଗି ଭାରତ ଭୂଷଣ ‘ଆର’ ଉପଯୋଗ କରୁଛନ୍ତି। ସେ ଦୁଇଟି କପ୍ ମଧ୍ୟରେ ଗୋଟିଏ ଗୋଲ୍ କର୍କ ରଖିଥାନ୍ତି ଏବଂ ସିଲେଇର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଗୋଟିଏ ମିଟର ଲମ୍ବା ସୂତାର ଅଗ୍ରଭାଗରେ ଘୁଷୁରି କେଶକୁ ଯୋଡ଼ିଥାନ୍ତି । ତା’ପରେ ସେ କପ୍ଗୁଡ଼ିକୁ ଗୋଟିଏ ବଲ୍ ରୂପରେ ସିଲେଇ କରିବା ପାଇଁ, ବିପରୀତ ଦିଗରୁ ସମାନ କଣାରେ ଘୁଷୁରିର ଦୁଇଟି କେଶକୁ ପ୍ରବେଶ କରାଇଥାନ୍ତି


ଜଣେ କାରିଗର ଅନେକ ବର୍ଷ ପର୍ଯ୍ୟନ୍ତ ଅନ୍ୟାନ୍ୟ କାର୍ଯ୍ୟରେ କୁଶଳୀ ହେବା ପରେ ସିମ୍ ସିଲେଇ କାମ କରିପାରିଥାନ୍ତି। ପ୍ରାୟ ୪୫ ବର୍ଷ ବୟସ୍କ ପପ୍ପନ (ବାମ)ଙ୍କୁ କେଉଁଠି କଣା କରିବାକୁ ହେବ ଏବଂ ସେଗୁଡ଼ିକ ମଧ୍ୟରେ କେତେ ଜାଗା ଛାଡ଼ିବାକୁ ହେବ ସେଥିପାଇଁ ସଠିକ୍ ଭାବେ ଅନୁମାନ ଲଗାଇବାକୁ ପଡ଼ିଥାଏ। ସବୁଠୁ ଭଲ ମାନର ବଲ୍ରେ ୮୦ଟି ସିଲେଇ ପଡ଼ିଥାଏ ଏବଂ ସିମ୍ର ଚାରିଟି ସମାନ୍ତରାଳ ଧାଡ଼ିକୁ ସିଲେଇ କରିବାରେ ଜଣେ କାରିଗରଙ୍କୁ ୩୦ ମିନିଟରୁ ଅଧିକ ସମୟ ଲାଗିପାରେ
‘‘ ସ୍ପିନ ର୍ ହୋ ୟା ଫାଷ୍ଟ ବୋଲର୍, ଦୋନୋ ସିମ୍ କେ ସାହାରେ ହି ଗେନ୍ଦ ଫେଙ୍କତେ ହୈ (ସ୍ପିନର ହୁଅନ୍ତୁ କିମ୍ବା ଦ୍ରୁତ ବୋଲର, ଉଭୟ ସିମ୍ ସହାୟତାରେ ବଲ ଫିଙ୍ଗିଥାନ୍ତି),’’ ଧରମ କୁହନ୍ତି)। ଥରେ ସିମ୍ ସିଲେଇ ସମ୍ପୂର୍ଣ୍ଣ ହେବା ପରେ, ବଲ୍ରେ ଉପରକୁ ଉଠି ରହିଥିବା ସିମ୍କୁ ହାତରେ ଚାପି ଦିଆଯାଏ ଆଉ ତା’ପରେ ବଲ୍ ଉପରେ ବାର୍ନିସ ଓ ମୋହର ଲଗାଯାଏ। ‘‘ ଖିଲାଡ଼ି କ୍ୟା ପେହଚାନ୍ତେ ହେଁ? ସିର୍ଫ ଚମକତି ହୁଇ ଗେନ୍ଦ, ସୋନେ କି ମୁହର କେ ସାଥ (ଜଣେ କ୍ରିକେଟ ଖେଳାଳୀ କ’ଣ ଚିହ୍ନନ୍ତି? କେବଳ ସୁନେଲି ଷ୍ଟାମ୍ପ ଥିବା ଚକମକିଆ ବଲ୍)।’’
‘‘ କ୍ରିକେଟ ବଲ୍ କି ଏକ ଖାସ୍ ବାତ୍ ବତାୟିୟେ (କ୍ରିକେଟ୍ ବଲର ଗୋଟିଏ ବିଶେଷତ୍ୱ କୁହନ୍ତୁ),’’ ମଦନ ପଚାରନ୍ତି।
ସେ କୁହନ୍ତି, ‘‘ଏହା ହିଁ ଏକମାତ୍ର ଖେଳ ଯାହାର ଫର୍ମାଟ୍ ବଦଳି ଯାଇଛି, ‘‘ ଲେକିନ୍ ବନାନେ ୱାଲା ଔର ବନାନେ କି ତକନିକ୍, ତରିକା ଔର ଚିଜେଁ ବିଲକୁଲ ନହିଁ ବଦଲିଁ (କିନ୍ତୁ ବଲ୍ ତିଆରି କରୁଥିବା ଲୋକ, ବଲ୍ ତିଆରି କୌଶଳ, ପଦ୍ଧତି ଏବଂ ସାମଗ୍ରୀ ଆଦୌ ବଦଳି ନାହିଁ।’’
ମଦନଙ୍କ କାରିଗରମାନେ ଗୋଟିଏ ଦିନରେ ହାରାହାରୀ ୨୦୦ ବଲ୍ ତିଆରି କରିପାରନ୍ତି। ଗୋଟିଏ ବଲ୍ କିମ୍ବା ବଲ୍ର ଗୋଟିଏ ବ୍ୟାଚ୍ ତିଆରି କରିବା ପାଇଁ ପାଖାପାଖି ଦୁଇ ସପ୍ତାହ ଲାଗିଥାଏ। ଚମଡ଼ା ବିଶୋଧନଠାରୁ ଆରମ୍ଭ କରି ବଲ୍ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ, ‘‘ଅତିକମ୍ରେ ୧୧ କାରିଗରଙ୍କ କୌଶଳ ବିନିଯୋଗ ହୋଇଥାଏ, ଯେମିତି ୧୧ ଜଣ କ୍ରିକେଟର ମିଶି ଗୋଟିଏ ଦଳ ଗଢ଼ିଥାନ୍ତି,’’ ମଦନ ଏପରି ଏକ ତୁଳନା କରିବା ସହିତ ଅଳ୍ପ ହସି ଦିଅନ୍ତି।
‘‘ ପର ଖେଲ୍ କା ଅସଲି କାରିଗର ତୋ ଖିଲାଡ଼ି ହି ହୋୱେ ହୈ (କିନ୍ତୁ ଖେଳାଳୀମାନେ ହିଁ ଖେଳର ଅସଲି କାରିଗର ହୋଇଥାନ୍ତି),’’ ସେ କୁହନ୍ତି।
ରିପୋର୍ଟର ଏହି ଷ୍ଟୋରୀରେ ବହୁମୂଲ୍ୟ ଯୋଗଦାନ ପାଇଁ ଭାରତ ଭୂଷଣଙ୍କୁ ଧନ୍ୟବାଦ ଜଣାଇଛନ୍ତି
ଏହି ଷ୍ଟୋରୀ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ) ଠାରୁ ମିଳିଥିବା ଫେଲୋଶିପ୍ ଅଧୀନରେ ପ୍ରସ୍ତୁତ କରାଯାଇଛି
ଅନୁବାଦ : ଓଡ଼ିଶାଲାଇଭ୍