ଅହରୱାନିରେ ପହଞ୍ଚିବା କ୍ଷଣି ରାମ ଅବତାର କୁଶୱାହା କାଦୁଅ ଭର୍ତ୍ତି ସଡ଼କରେ ସନ୍ତୁଳନ ବଜାୟ ରଖିବା ପାଇଁ ନିଜ ମୋଟର ସାଇକେଲର ଗତିକୁ ଧିମେଇ ଦେଇଥାନ୍ତି। ସେ ଖାଲ ଢିପ ଭର୍ତ୍ତି ବସ୍ତିର କେନ୍ଦ୍ର ସ୍ଥଳରେ ପହଞ୍ଚିବା ପରେ ନିଜ ୧୫୦ ସିସି ବାଇକର ଇଞ୍ଜିନକୁ ବନ୍ଦ କରି ଦିଅନ୍ତି ।
ପାଖାପାଖି ୫ ମିନିଟ୍ ମଧ୍ୟରେ ଛୋଟ ପିଲା, ମାଧ୍ୟମିକ ସ୍କୁଲ୍ ଛାତ୍ରଛାତ୍ରୀ ଓ କିଶୋରମାନେ ତାଙ୍କ ଚାରିପାଖରେ ଏକତ୍ରିତ ହୋଇଯାଆନ୍ତି । ସହରିୟା ଆଦିବାସୀ ପିଲାମାନଙ୍କ ଦଳ ଧୈର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି, ହାତରେ ଖୁଚୁରା ମୁଦ୍ରା ଓ ୧୦ ଟଙ୍କାର ନୋଟ୍ ଧରି ସେମାନେ ପରସ୍ପର ସହ କଥା ହୋଇଥାନ୍ତି । ସେମାନେ ସମସ୍ତେ ଗୋଟିଏ ପ୍ଲେଟ୍ ଚାଓମିନ୍ କିଣିବା ପାଇଁ ଅପେକ୍ଷା କରିଛନ୍ତି ଯାହାକି ଭଜା ହୋଇଥିବା ପନିପରିବା ଓ ନୁଡଲ୍ସରେ ପ୍ରସ୍ତୁତ ଏକ ବ୍ୟଞ୍ଜନ।
ଭଲ ବ୍ୟବହାର କରୁଥିବା ଏହି ଭୋକିଲା ଗ୍ରାହକଙ୍କ ବ୍ୟସ୍ତତାକୁ ଧ୍ୟାନରେ ରଖି ମୋଟର ସାଇକେଲ ବିକାଳୀ ଜଣଙ୍କ ଶୀଘ୍ର ଶୀଘ୍ର ନିଜର ଜିନିଷପତ୍ର ଖୋଲି ଦିଅନ୍ତି । ସେଥିରେ ବେଶି କିଛି ନାହିଁ - ରାମ ଅବତାର ଦୁଇଟି ପ୍ଲାଷ୍ଟିକ ବୋତଲ ବାହାର କରନ୍ତି । ସେ କୁହନ୍ତି, ‘‘ଗୋଟିଏରେ ଲାଲ ସସ୍ (ଲଙ୍କା) ଏବଂ ଅନ୍ୟଟି କଳା ସସ୍ (ସୋୟା) ଅଛି ।’’ ଅନ୍ୟ ସାମଗ୍ରୀ ମଧ୍ୟରେ ରହିଛି ବନ୍ଧାକୋବି, କଟା ପିଆଜ, ସବୁଜ ସିମଲା ଲଙ୍କା ଏବଂ ସିଝା ହୋଇଥିବା ନୁଡଲ୍ସ। ‘‘ମୁଁ ନିଜର ସବୁ ସାମଗ୍ରୀ ବିଜୟପୁର (ସହର)ରୁ କିଣିଥାଏ।’’
ସନ୍ଧ୍ୟା ପ୍ରାୟ ୬ଟା ବାଜିଛି ଏବଂ ରାମ ଅବତାର ଆଜି ଏହାକୁ ମିଶାଇ ୪ଟି ଗାଁ ବୁଲିସାରିଲେଣି। ସେ ଅନ୍ୟ ବସ୍ତି ଓ ଗାଁର ନାଁ ମଧ୍ୟ କୁହନ୍ତି, ଯେଉଁଠାକୁ ସେ ନିୟମିତ ଭାବେ ଯାଇଥାନ୍ତି । ସେଗୁଡ଼ିକ ହେଲା ଲାଡର, ପଣ୍ଡରୀ, ଖଜୁରି କଲାଁ, ସିଲପାରା, ପାରୋଣ୍ଡ। ଏ ସବୁ ସ୍ଥାନ ସୁତେପୁରାରେ ଥିବା ତାଙ୍କ ଘରଠାରୁ ପ୍ରାୟ ୩୦ କିଲୋମିଟର ପରିଧି ମଧ୍ୟରେ ରହିଛି, ଯାହାକି ବିଜୟପୁର ତହସିଲର ଗୋପାଳପୁରା ଗାଁକୁ ଲାଗି ଏକ ଛୋଟ ଗ୍ରାମ । ଏସବୁ ବସ୍ତି ଓ ଛୋଟ ଗାଁରେ ପ୍ରସ୍ତୁତ ସ୍ନାକ୍ସ (ଜଳଖିଆ) ନାଁରେ ଚିପ୍ସ ପ୍ୟାକେଟ୍ ଓ ବିସ୍କୁଟ୍ ମିଳିଥାଏ।
ସେ ସପ୍ତାହକୁ ଅତିକମରେ ଦୁଇ ତିନି ଥର ପ୍ରାୟ ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଆଦିବାସୀ ବହୁଳ ବସ୍ତି ଅହରୱାନିକୁ ଆସିଥାନ୍ତି । ଅହରୱାନି ଏକ ନୂଆ ଜନବସତି। କୁନୋ ଜାତୀୟ ଉଦ୍ୟାନକୁ ସିଂହମାନଙ୍କର ଦ୍ୱିତୀୟ ବାସସ୍ଥଳୀରେ ପରିଣତ କରିବା ଲାଗି ୧୯୯୯ରେ ଏମାନଙ୍କୁ ବିସ୍ଥାପିତ କରାଯାଇଥିଲା । ପଢ଼ନ୍ତୁ : କୁନୋରେ: ଚିତା ଆସିଲେ, ଆଦିବାସୀ ବିଦା । ସିଂହ ତ’ ଆସିଲେ ନାହିଁ କିନ୍ତୁ ସେପ୍ଟେମ୍ବର ୨୦୨୨ରେ ଆଫ୍ରିକୀୟ ଚିତାମାନଙ୍କୁ ଏହି ଜାତୀୟ ଉଦ୍ୟାନକୁ ଅଣାଗଲା।


ବାମ : ରାମ ଅବତାର, ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାର ଅହରୱାନି ଗ୍ରାମରେ ପରିବା ମିଶ୍ରିତ ନୁଡୁଲ୍ସ ତିଆରି କରି ବିକ୍ରି କରିଥାନ୍ତି । ଡାହାଣ : ଅହରୱାନି ନିବାସୀ ଏବଂ ପୂର୍ବତନ ସ୍କୁଲ୍ ଶିକ୍ଷକ କେଦାର ଆଦିବାସୀଙ୍କ ପରିବାରକୁ ମଧ୍ୟ ୧୯୯୯ରେ କୁନୋ ଜାତୀୟ ଉଦ୍ୟାନରେ ସିଂହଙ୍କୁ ରଖିବା ଲାଗି ବିସ୍ଥାପିତ କରାଯାଇଥିଲା
ଆଖପାଖରେ ଛିଡ଼ା ହୋଇଥିବା ଅଧିକାଂଶ ପିଲା କହିଥିଲେ ଯେ ସେମାନେ ଏଠାରେ ଅହରୱାନିସ୍ଥିତ ସରକାରୀ ବିଦ୍ୟାଳୟରେ ପଢ଼ିଥାନ୍ତି, କିନ୍ତୁ ଏଠାକାର ବାସିନ୍ଦା କେଦାର ଆଦିବାସୀ କୁହନ୍ତି ଯେ, ପିଲାମାନେ ନାଁ ଲେଖାଇଛନ୍ତି, କିନ୍ତୁ ବେଶି କିଛି ପଢ଼ି ପାରୁନାହାନ୍ତି। ‘‘ଶିକ୍ଷକ ନିୟମିତ ଆସୁନାହାନ୍ତି, ଏବଂ ଯେତେବେଳେ ଆସୁଛନ୍ତି କିଛି ପାଠ ପଢ଼ାଉନାହାନ୍ତି।’’
ପ୍ରାୟ ୨୩ ବର୍ଷ ବୟସ୍କ କେଦାର ଆଧାରଶିଳା ଶିକ୍ଷା ସମିତିର ଶିକ୍ଷକ ଥିଲେ। ଏହା ଏକ ଅଣଲାଭକାରୀ ସଂସ୍ଥା ଏବଂ ଅଗରା ଗାଁରେ ବିସ୍ଥାପିତ ସମୁଦାୟର ପିଲାଙ୍କ ପାଇଁ ଏକ ବିଦ୍ୟାଳୟ ଚଳାଇଥାଏ। ୨୦୨୨ରେ ପରୀ ସହ କଥା ହୋଇ ସେ କହିଥିଲେ, ‘‘ଏଠାକାର ମାଧ୍ୟମିକ ବିଦ୍ୟାଳୟରୁ ପାସ୍ ହେଉଥିବା ଛାତ୍ରଛାତ୍ରୀ ପଢ଼ିବା ଓ ଲେଖିବା ଭଳି ମୌଳିକ ଶିକ୍ଷା ଜାଣିନଥିବାରୁ ଅନ୍ୟ ବିଦ୍ୟାଳୟରେ ଆଗକୁ ବଢ଼ି ପାରନ୍ତି ନାହିଁ।’’
ଭାରତରେ ଅନୁସୂଚିତ ଜନଜାତିଙ୍କ ପରିସଂଖ୍ୟାନ ପ୍ରୋଫାଇଲ ରିପୋର୍ଟ , ୨୦୧୩ ଅନୁଯାୟୀ, ସହରିୟା ଆଦିବାସୀ ମଧ୍ୟପ୍ରଦେଶରେ ଅତି ଆପଦଗ୍ରସ୍ତ ଜନଜାତି ସମୂହ (ପିଭିଟିଜି) ଭାବେ ତାଲିକାଭୁକ୍ତ ଏବଂ ସେମାନଙ୍କ ମଧ୍ୟରେ ସାକ୍ଷରତା ହାର ମାତ୍ର ୪୨ ପ୍ରତିଶତ ।
ଭିଡ଼ ବ୍ୟସ୍ତ ହୋଇପଡ଼ିଛି, ସେଥିପାଇଁ ରାମ ଅବତାର ଆମ ସହ କଥା ହେବା ବନ୍ଦ କରି ଦିଅନ୍ତି ଏବଂ ଖାଦ୍ୟ ପ୍ରସ୍ତୁତି ଉପରେ ଧ୍ୟାନ ଦିଅନ୍ତି । ସେ କିରୋସିନ ଷ୍ଟୋଭ୍ ଚାଲୁ କରନ୍ତି ଏବଂ ଗୋଟିଏ ବୋତଲରୁ କିଛି ତେଲ ବାହାର କରି ୨୦ ଇଞ୍ଚ ଚଉଡ଼ା ତାୱା ଉପରେ ଛିଞ୍ଚନ୍ତି। ତଳେ ରଖାଯାଇଥିବା ଏକ ଡବାରୁ ସେ ନୁଡଲ୍ସ ବାହାର କରନ୍ତି ଏବଂ ତା’କୁ ଗରମ ତେଲ ଉପରେ ପକାଇ ଦିଅନ୍ତି ।
ତାଙ୍କ ବାଇକ ସିଟ୍ ପିଆଜ ଓ ବନ୍ଧା କୋବି କାଟିବା ପାଇଁ ସୁବିଧାଜନକ ହୋଇଥାଏ। ସେ କଟା ପିଆଜ ତାୱାରେ ପକାନ୍ତି, ତା’ର ସ୍ୱାଦିଷ୍ଟ ବାସ୍ନା ପବନରେ ଖେଳିଯାଏ।


ମୋଟରସାଇକେଲ ଉପରେ ସବୁ ସାମଗ୍ରୀ ଥୁଆ ହୋଇଥାଏ ଏବଂ ଗୋଟିଏ ଛୋଟ ଷ୍ଟୋଭ୍ ଥାଏ ଯାହାକୁ ନୁଡଲ୍ସ ଓ ପନିପରିବା ଭାଜିବା ପାଇଁ ବ୍ୟବହାର କରାଯାଏ। ଏଥିରେ ଗୋଟିଏ ଦୁଇଟି ସସ୍ ବୋତଲ, ପିଆଜ, ବନ୍ଧାକୋବି ଓ କିଛି ଗାଜର ବ୍ୟବହାର କରାଯାଇଥାଏ
ରାମ ଅବତାର ୟୁଟ୍ୟୁବ୍ ଦେଖି ରୋଷେୟା ହୋଇଛନ୍ତି । ସେ ପ୍ରଥମେ ପନିପରିବା ବିକ୍ରି କରୁଥିଲେ, କିନ୍ତୁ ‘‘ସେ ବ୍ୟବସାୟ ଭଲ ଚାଲିଲା ନାହିଁ। ମୁଁ ନିଜ ଫୋନରେ ଚାଓମିନ୍ ତିଆରିର ଭିଡିଓ ଦେଖିଲି ଏବଂ ଏଥିରେ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲି ।’’ ଏହା ୨୦୧୯ର ଘଟଣା ଏବଂ ସେବେଠାରୁ ତାଙ୍କର କାମ ଚାଲିଛି।
ପରୀ ଯେତେବେଳେ ତାଙ୍କୁ ୨୦୨୨ରେ ଭେଟିଥିଲା, ସେ ଗୋଟିଏ ଛୋଟ ପ୍ଲେଟ୍ ଚାଓମିନକୁ ୧୦ ଟଙ୍କାରେ ବିକ୍ରି କରୁଥିଲେ । ‘‘ମୁଁ ଦିନକୁ ୭୦୦-୮୦୦ ଟଙ୍କାରେ ବିକ୍ରି କରିପାରିବି।’’ ଏଥିରୁ ସେ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ୭୦୦ ଗ୍ରାମ ନୁଡୁଲ୍ସ ପ୍ୟାକେଟ୍ର ଦାମ୍ ୩୫ ଟଙ୍କା ଏବଂ ସେ ଗୋଟିଏ ଦିନରେ ପାଞ୍ଚ ପ୍ୟାକେଟ୍ ବ୍ୟବହାର କରିଥାନ୍ତି । ଅନ୍ୟାନ୍ୟ ବଡ଼ ଖର୍ଚ୍ଚ ମଧ୍ୟରେ ରହିଛି, ଷ୍ଟୋଭ୍ ପାଇଁ କିରୋସିନ, ଖାଇବା ତେଲ ଓ ତାଙ୍କ ବାଇକରେ ପଡ଼ୁଥିବା ପେଟ୍ରୋଲ।
‘‘ଆମର ତିନି ବିଘା ଜମି ଅଛି କିନ୍ତୁ ଆମେ ସେଥିରୁ ପ୍ରାୟତଃ କିଛି ରୋଜଗାର କରିପାରିନଥାଉ,’’ ସେ କହିଥିଲେ । ସେ ନିଜ ଭାଇମାନଙ୍କ ସହ ମିଶି ଚାଷ କାମ କରିଥାନ୍ତି ଏବଂ ନିଜ ଖାଇବା ପାଇଁ ସେମାନେ ଗହମ, ବାଜରା ଓ ସୋରିଷ ଅମଳ କରିଥାନ୍ତି । ରାମଙ୍କ ବାହାଘର ରୀନାଙ୍କ ସହିତ ହୋଇଛି ଏବଂ ଉଭୟଙ୍କର ଚାରି ପିଲା ଅଛନ୍ତି - ତିନି ଝିଅ ଏବଂ ଗୋଟିଏ ପୁଅ - ସମସ୍ତଙ୍କ ବୟସ ୧୦ ବର୍ଷ ମଧ୍ୟରେ ।
ସାତ ବର୍ଷ ପୂର୍ବରୁ ରାମ ଅବତାର ନିଜର ଟିଭିଏସ ମୋଟର ସାଇକେଲ୍ କିଣିଥିଲେ ଏବଂ ଚାରି ବର୍ଷ ପରେ ୨୦୧୯ରେ ଏହାକୁ ମୋବାଇଲ୍ କିଚେନ୍ ବା ଭ୍ରାମ୍ୟମାଣ ରୋଷେଇ ଘର ଭାବେ ପରିଣତ କରି ଦେଇଥିଲେ ଯେଉଁଥିରେ ସାମଗ୍ରୀ ବୋହି ନେବା ପାଇଁ ବ୍ୟାଗ ବନ୍ଧା ହୋଇଛି । ରାମ ଅବତାର କୁହନ୍ତି, ସାରା ଦିନ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ସହିତ ସେ ନିଜ କୁନି ଗ୍ରାହକମାନଙ୍କୁ ଖାଦ୍ୟ ବିକ୍ରି କରିଥାନ୍ତି । ‘‘ମୋତେ ଏହି କାମ ଭଲ ଲାଗୁଛି। ଯେତେ ଦିନ ପର୍ଯ୍ୟନ୍ତ ସମ୍ଭବ ହେବ, ମୁଁ ଏହାକୁ ଜାରି ରଖିବି।’’
ଅନୁବାଦ: ଓଡ଼ିଶାଲାଇଭ୍