‘
କିଏ
ଜାଣିଥିଲା
,
ଜରୁରି
ପରିସ୍ଥିତି
ଏକ
ନୂଆ
ରୂପରେ
ଆସିବ
ଏଣିକି
ଏକଛତ୍ରବାଦର
ନାଁ
ବଦଳାଇ
ଗଣତନ୍ତ୍ର
କରି
ଦିଆଯିବ
’
ବର୍ତ୍ତମାନ, ଯେତେବେଳେ ଅସହମତିକୁ ଚାପି ଦିଆଯାଉଛି ଏବଂ ଅସହମତି ବ୍ୟକ୍ତ କରୁଥିବା ଲୋକକୁ ଚୁପ୍ କରି ଦିଆଯାଉଛି କିମ୍ବା ଜେଲରେ ବନ୍ଦ କରି ଦିଆଯାଉଛି ଅଥବା ଉଭୟ ଦଣ୍ଡ ମିଳୁଛି ସେହି ସମୟରେ ବିପ୍ଲବ ସଂଗୀତର ଏହି ପଦଗୁଡ଼ିକ ପ୍ରାସଙ୍ଗିକ ହୋଇପଡ଼ିଛି। ଚାଷୀ ଓ କୃଷି ଶ୍ରମିକ - କିଷାନ୍ ଓ ମଜଦୁର୍ - ଲାଲ, ସବୁଜ ଓ ହଳଦିଆ ପତାକା ହାତରେ ଧରି ନିଜ ହକ୍ ପାଇଁ ଶୋଭାଯାତ୍ରା କରି ରାମଲୀଳା ମୈଦାନରେ ଏକାଠି ହୋଇଛନ୍ତି।
ଏସକେଏମ (ସଂଯୁକ୍ତ କିଷାନ ମୋର୍ଚ୍ଚା) ମିଳିତ ମଞ୍ଚ ଅଧୀନରେ ଏଆଇକେଏସ୍ (ସର୍ବଭାରତୀୟ କିଷାନ ସଭା), ବିକେୟୁ (ଭାରତୀୟ କିଷାନ ୟୁନିଅନ୍), ଏଆଇକେକେଏମଏସ୍ (ସର୍ବଭାରତୀୟ କିଷାନ କ୍ଷେତ ମଜଦୁର ସଂଗଠନ) ଏବଂ ଅନ୍ୟାନ୍ୟ ସଂଗଠନର କୃଷିବିତ୍ମାନେ ୧୪ ମାର୍ଚ୍ଚ, ୨୦୨୪ରେ କିଷାନ ମଜଦୁର ମହାପଞ୍ଚାୟତରେ ଅଂଶଗ୍ରହଣ କରିବା ଲାଗି ଏହି ଐତିହାସିକ ପଡ଼ିଆରେ ଏକାଠି ହୋଇଥିଲେ।
‘‘ତିନୋଟି କୃଷି ଆଇନ ଉଚ୍ଛେଦ ହେବା ପରେ ସରକାର କେତେକ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଅଧୁରା ରହିଯାଇଛି। ବର୍ତ୍ତମାନ ସେମାନେ ସେହିସବୁ ପ୍ରତିଶ୍ରୁତି ପୂରଣ କରିବା ଉଚିତ୍। ୱର୍ ନା ହମ୍ ଲଢ଼େଙ୍ଗେ ଔର୍ ଲଢ଼ତେ ରହେଙ୍ଗୋ (ନଚେତ୍ ଆମେ ଲଢ଼ିବୁ ଓ ଲଢ଼ିବା ଜାରି ରଖିବୁ),’’ କାଲାନ୍ ଗ୍ରାମର ଜଣେ ମହିଳା ଚାଷୀ ପ୍ରେମମତୀ ପରୀକୁ କହିଥିଲେ। ସେ ଦର ଆଶ୍ୱାସନା ଓ କୃଷି ସେବା ଉପରେ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ଆଇନ ୨୦୨୦ , କୃଷକ ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ବିଷୟରେ ଉଲ୍ଲେଖ କରିଥିଲେ।
‘‘ଆମେ ତିନି ବର୍ଷ ପୂର୍ବରୁ (ମଧ୍ୟ) ଆନ୍ଦୋଳନ ପାଇଁ ଏଠାକୁ ଆସିଥିଲୁ,’’ ସେ କହିଥିଲେ। ମହାପଞ୍ଚାୟତରେ ଯୋଗ ଦେବାକୁ ଉତ୍ତର ପ୍ରଦେଶର ଶାହାଜାହାଁପୁରରୁ ଆସିଥିବା ତିନି ଜଣ ମହିଳା ଚାଷୀଙ୍କ ମଧ୍ୟରେ ପ୍ରେମମତୀ ଅନ୍ୟତମ ଥିଲେ। ସେମାନେ ଚାଷୀ ସଂଗଠନ ଭାରତୀୟ କିଷାନ ସଂଘ (ବିକେୟୁ) ଅଧୀନରେ ଏକତ୍ରିତ ହୋଇଥିଲେ। ସେ କ୍ରୋଧର ସହିତ କହିଥିଲେ, ‘‘ଏ ସରକାର ମଜବୁତ ହେଉଛି, କିନ୍ତୁ ସେମାନେ ଚାଷୀଙ୍କୁ ବରବାଦ୍ କରି ଦେଇଛନ୍ତି।’’
ପରୀ ଯେଉଁ ମହିଳାମାନଙ୍କ ସହିତ କଥା ହୋଇଥିଲା ସେମାନେ ସମସ୍ତେ କ୍ଷୁଦ୍ର ଚାଷୀ ଥିଲେ, ଯେଉଁମାନେ ୪-୫ ଏକର ଜମିରେ କାମ କରୁଥିଲେ। ଭାରତରେ ୬୫ ପ୍ରତିଶତରୁ ଅଧିକ କୃଷି କାର୍ଯ୍ୟ ମହିଳା ଚାଷୀ ଓ ଶ୍ରମିକ କରନ୍ତି, କିନ୍ତୁ ମାତ୍ର ୧୨ ପ୍ରତିଶତ ମହିଳା ଚାଷୀଙ୍କ ନାଁରେ ଜମି ରହିଛି।


ବାମ : ବାମରୁ ଡାହାଣ , ବିକେୟୁର ପ୍ରେମମତୀ , କିରଣ ଓ ଯଶୋଦା ଯେଉଁମାନେ ଉତ୍ତର ପ୍ରଦେଶର ଶାହାଜାହାଁପୁରରୁ ଆସିଛନ୍ତି । ଡାହାଣ : ୧୪ ମାର୍ଚ୍ଚ ୨୦୨୪ରେ ପଞ୍ଜାବ ଓ ହରିୟାଣାରୁ ଆସିଥିବା ଚାଷୀମାନେ ଦିଲ୍ଲୀର ରାମଲୀଳା ମୈଦାନରେ ଏକାଠି ହୋଇଛନ୍ତି


ବାମ : ପଞ୍ଜାବରୁ ଆସିଥିବା ମହିଳା ଚାଷୀ ଓ କୃଷି ଶ୍ରମିକ । ଡାହାଣ : ପଞ୍ଜାବର ଚାଷୀମାନେ ‘ କିଷାନ୍ ମଜଦୁର ଏକତା ଜିନ୍ଦାବାଦ !’ ସ୍ଲୋଗାନ୍ ଦେଉଛନ୍ତି
ନେସନ୍ ଫର୍ ଫାର୍ମର୍ସ ମୁଭମେଣ୍ଟର ଏକ ପ୍ରୟାସ କିଷାନ୍ ମଜଦୁର କମିଶନ୍ (କେଏମସି) ମଧ୍ୟ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ସ୍ୱୀକାର କରିଛି। ୧୯ ମାର୍ଚ୍ଚ ୨୦୨୪ରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ୨୦୨୪ ପାଇଁ କେଏମସିର କାର୍ଯ୍ୟସୂଚୀ ଉନ୍ମୋଚନ କରିଛନ୍ତି ଯେଉଁଥିରେ କୁହାଯାଇଛି : ‘‘ମହିଳାଙ୍କୁ ଚାଷୀ ରୂପେ ମାନ୍ୟତା ଦିଆଯାଉ, ସେମାନଙ୍କୁ ଜମି ଅଧିକାର ପ୍ରଦାନ କରାଯାଉ ଏବଂ ଭାଗ ଜମି ଉପରେ ସେମାନଙ୍କ ଭାଗିଦାରୀକୁ ସୁରକ୍ଷିତ କରାଯାଉ।’’ ଏଥିରେ ଆହୁରି କୁହାଯାଇଛି, ‘‘କୃଷି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ଏବଂ କ୍ରେଚ୍ ସୁବିଧା କରାଯାଉ।’’
ପିଏମ୍ କିଷାନ ସମ୍ମାନ ନିଧି ଭଳି ସରକାରୀ ଯୋଜନାରେ ମହିଳା ଚାଷୀଙ୍କୁ ଅଣଦେଖା କରାଯାଏ। ଏହି ଯୋଜନାରେ କେବଳ ଚାଷ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କାର ଆୟ ସହାୟତା ମିଳିଥାଏ। ଭାଗ ଚାଷୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇଥା’ନ୍ତି।
୩୧ ଜାନୁଆରୀ ୨୦୨୪ରେ ବଜେଟ୍ ଅଧିବେଶନ ଆରମ୍ଭରେ ସଂସଦର ମିଳିତ ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ସରକାର ବର୍ତ୍ତମାନ ସୁଦ୍ଧା ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨.୨୫ ଲକ୍ଷ କୋଟି ଟଙ୍କା (୨,୨୫୦ ବିଲିୟନ ଟଙ୍କା) ହସ୍ତାନ୍ତର କରିଛନ୍ତି ଏଥିମଧ୍ୟରୁ ୫୪,୦୦୦ କୋଟି (୫୪୦ ବିଲିୟନ) ଟଙ୍କା ମହିଳା ଚାଷୀଙ୍କୁ ମିଳିଛି।
ଏହାର ଅର୍ଥ ହେଉଛି ପୁରୁଷ ଚାଷୀଙ୍କୁ ତିନି ଟଙ୍କା ମିଳୁଥିବା ବେଳେ ମହିଳା ଚାଷୀଙ୍କୁ ଏକ ଟଙ୍କା ମିଳୁଛି। ତେବେ ଗ୍ରାମୀଣ ଭାରତରେ ବହୁ ସଂଖ୍ୟକ ମହିଳା କୃଷି କ୍ଷେତ୍ରରେ କାମ କରୁଥିବାରୁ ତଥା ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅବୈତନିକ ପାରିବାରିକ ଶ୍ରମ ରୂପରେ ସ୍ୱ-ରୋଜଗାରରେ ନିୟୋଜିତ ହୋଇଥିବାରୁ ଲିଙ୍ଗଗତ ଅନ୍ୟାୟ ଆହୁରି ଅଧିକ ଭୟାବହ ସ୍ଥିତିରେ ରହିଛି।
ଏକମାତ୍ର ମହିଳା ନେତ୍ରୀ ମେଧା ପାଟକର ମଞ୍ଚ ଉପରେ ସେହି ନାରା ଦୋହରାଇଥିଲେ, ଯାହା ପୂର୍ବରୁ ଆନ୍ଦୋଳନ ସମୟରେ ପ୍ରାୟତଃ ଶୁଣିବାକୁ ମିଳୁଥିଲା : ‘‘ ନାରୀ କେ ସହୟୋଗ୍ ବିନା ହର୍ ସଂଘର୍ଷ ଅଧୁରା ହୈ (ମହିଳାଙ୍କ ଭାଗିଦାରୀ ବିନା ପ୍ରତ୍ୟେକ ସଂଘର୍ଷ ଅଧୁରା)।’’


ବାମ : ପଞ୍ଜାବ ସଂଗରୁର ଜିଲ୍ଲାରେ ଥିବା କପିଆଲ୍ ଗାଁରୁ ଆସିଥିବା ଜଣେ ଚାଷୀ ଚିନ୍ଦରବାଲା (ମଝିରେ ବସିଛନ୍ତି)। ଡାହାଣ : ‘ନାରୀ କେ ସହୟୋଗ୍ ବିନା ହର୍ ସଂଘର୍ଷ ଅଧୁରା ହୈ (ମହିଳାଙ୍କ ଭାଗିଦାରୀ ବିନା ପ୍ରତ୍ୟେକ ସଂଘର୍ଷ ଅଧୁରା)’
ମହିଳା ଓ ଚାଷୀ ଭାବେ ସେମାନଙ୍କ ହକ୍ ପାଇଁ ସଂଘର୍ଷ କରୁଥିବା ଅନେକ ମହିଳା ଆନ୍ଦୋଳନକାରୀଙ୍କ ଦ୍ୱାରା ତାଙ୍କ ବକ୍ତବ୍ୟକୁ ସ୍ୱାଗତ କରାଯାଇଥିଲା। ମହାପଞ୍ଚାୟତରେ ସେମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ, ସମବେତ ଜନତାଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ଏକ ତୃତୀୟାଂଶ ଥିଲା। ‘‘ଆମ ଲଢ଼େଇ ମୋଦୀ ସରକାରଙ୍କ ସହ। ସେମାନେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି,’’ ପଞ୍ଜାବ ସଙ୍ଗରୁର୍ ଜିଲ୍ଲା କପିଆଲ ଗାଁର ଜଣେ ମହିଳା ଚାଷୀ ଚିନ୍ଦରବାଲା କୁହନ୍ତି।
‘‘ଆମ ସମସ୍ତଙ୍କ ପାଖରେ ତିନି କିମ୍ବା ଚାରି କିଲ୍ଲା (ଏକର) ଜମି ରହିଛି। ବିଦ୍ୟୁତ ବହୁତ ମହଙ୍ଗା। ଯେପରି ପ୍ରତିଶ୍ରୁତି ଦିଆଯାଇଥିଲା, ସେମାନେ (ବିଦ୍ୟୁତ ସଂଶୋଧନ) ବିଲ୍ ଉଚ୍ଛେଦ କଲେ ନାହିଁ,’’ ସେ ଆହୁରି କହିଥିଲେ। ୨୦୨୦-୨୧ରେ ଦିଲ୍ଲୀ ସୀମାରେ ହୋଇଥିବା ବିରୋଧ ପ୍ରଦର୍ଶନରେ, ଚାଷୀ ଏବଂ ଶ୍ରମିକ ଭାବେ ମହିଳାମାନେ ନିଜ ଅଧିକାର ଓ ସମ୍ମାନ ପାଇଁ ପୁରୁଷଙ୍କ ସହିତ କାନ୍ଧ ସହ କାନ୍ଧ ମିଶାଇ ଲଢ଼େଇ କରିଥିଲେ।
*****
ସକାଳ ୧୧ଟା ବେଳେ ମହାପଞ୍ଚାୟତ ଆରମ୍ଭ ହୋଇଥିଲା ଏବଂ କିଛି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ଓ ଶ୍ରମିକମାନେ ପଡ଼ିଆରେ ଭର୍ତ୍ତି ହୋଇଯାଇଥିଲେ।
ପଞ୍ଜାବରୁ ଆସିଥିବା ଅନେକ ପୁରୁଷ ଚାଷୀଙ୍କ ମଧ୍ୟରେ ଭଟିଣ୍ଡା ଜିଲ୍ଲାରୁ ଆସିଥିବା ସର୍ଦ୍ଦାର ବଲଜିନ୍ଦର ସିଂ ପରୀକୁ କହିଥିଲେ, ‘‘ଚାଷୀ ଭାବେ ଆମର ହକ୍ ମାଗିବା ପାଇଁ ଆମେ ଏଠାକୁ ଆସିଛୁ। ଆମେ ଏଠାକୁ କେବଳ ନିଜ ପାଇଁ ନୁହେଁ, ବରଂ ନିଜ ପିଲା ଓ ଭବିଷ୍ୟତ ପିଢ଼ି ଲାଗି ଲଢ଼ିବାକୁ ଆସିଛୁ।’’
ସାମାଜିକ କର୍ମୀ ମେଧା ପାଟକର ମଞ୍ଚରୁ କହିଥିଲେ, ‘‘ମୁଁ ଏଠାରେ ସେହିମାନଙ୍କୁ ପ୍ରଣାମ କରୁଛି ଯେଉଁମାନଙ୍କର ଜୀବିକା ପ୍ରକୃତି ଉପରେ ନିର୍ଭରଶୀଳ - ଚାଷୀ, ମତ୍ସ୍ୟଜୀବୀ, ପ୍ରାଣୀପାଳକ, ଗୋଚରାଳି, ବନ୍ୟଦ୍ରବ୍ୟ ସଂଗ୍ରହକାରୀ, କୃଷି ଶ୍ରମିକ, ଆଦିବାସୀ ଓ ଦଳିତ। ଆମେ ଆମର ଜଲ , ଜଙ୍ଗଲ ଔର ଜମିନ୍ (ଜଳ, ଜଙ୍ଗଲ ଓ ଜମି)କୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି।’’
ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ)କୁ ଗଠନ କରିଥିବା ଚାଷୀ ସଂଗଠନଗୁଡ଼ିକର ୨୫ରୁ ଅଧିକ ନେତା ମଞ୍ଚ ଉପରେ ଦୁଇ ଧାଡ଼ିରେ ବସି ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ପୁରୁଷ ଥିଲେ, କେବଳ ତିନି ଜଣ ମହିଳା ପ୍ରଥମ ଧାଡ଼ିର ମଝିରେ ପ୍ରମୁଖ ଆସନରେ ବସିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବିକେୟୁ ଉଗ୍ରାହାଁ, ପଞ୍ଜାବର ହରିନ୍ଦର ବିନ୍ଦୁ; ମଧ୍ୟପ୍ରଦେଶର କିଷାନ ସଂଘର୍ଷ ସମିତି (କେଏସଏସ)ର ଆରାଧନା ଭାର୍ଗବ ଏବଂ ମହାରାଷ୍ଟ୍ରରୁ ନେସନାଲ ଆଲାଏନ୍ସ ଅଫ୍ ପିପୁଲ୍ସ ମୁଭମେଣ୍ଟ (ଏନଏପିଏମ)ର ମେଧା ପାଟକର।


ବାମ: କିଷାନ ମଜଦୁର ମହାପଞ୍ଚାୟତରେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ଗଠନ କରିଥିବା ଚାଷୀ ଓ ଶ୍ରମିକ ସଂଗଠନର ନେତମାନେ। ଡାହାଣ : ବିକେୟୁ ଉଗ୍ରାହାଁ, ପଞ୍ଜାବର ହରିନ୍ଦର ବିନ୍ଦୁ; ମଧ୍ୟପ୍ରଦେଶର କିଷାନ ସଂଘର୍ଷ ସମିତି (କେଏସଏସ)ର ଆରାଧନା ଭାର୍ଗବ ଏବଂ ମହାରାଷ୍ଟ୍ରରୁ ନେସନାଲ ଆଲାଏନ୍ସ ଅଫ୍ ପିପୁଲ୍ସ ମୁଭମେଣ୍ଟ (ଏନଏପିଏମ)ର ମେଧା ପାଟକର ମଞ୍ଚ ଉପରେ ବାମରୁ ଡାହାଣକୁ ବସିଛନ୍ତି


ବାମ : ପଞ୍ଜାବର ଜଣେ ଚାଷୀ ନିଜର ଫୋନ୍ କ୍ୟାମେରା ଜରିଆରେ ବିଶାଳ ଜନସମାବେଶର ଫଟୋ ଉଠାଉଛନ୍ତି । ଡାହାଣ : ଭାରତୀୟ କିଷାନ ୟୁନିଅନ୍ର ଚାଷୀ ଓ ଶ୍ରମିକ
ବକ୍ତାମାନେ ଏସକେଏମର ପ୍ରମୁଖ ଦାବିଗୁଡ଼ିକୁ ଦୋହରାଇଥିଲେ, ସେଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଗ୍ୟାରେଣ୍ଟି ଆଧାରିତ କ୍ରୟ ସହିତ ସବୁ ଫସଲ ଉପରେ ସି୨+୫୦ ପ୍ରତିଶତ ହାରରେ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ)ର ଆଇନଗତ ଗ୍ୟାରେଣ୍ଟି। ସି୨ ଉତ୍ପାଦନ ଖର୍ଚ୍ଚକୁ ଦର୍ଶାଇଥାଏ ଯେଉଁଥିରେ ଉପଯୋଗ କରାଯାଇଥିବା ମାଲିକାନା ଜମିର ଭଡ଼ା ମୂଲ୍ୟ, ଭାଗରେ ଦିଆଯାଇଥିବା ଜମିର ଭଡ଼ା ଏବଂ ପାରିବାରିକ ଶ୍ରମ ବ୍ୟୟ ସାମିଲ ରହିଛି।
ବର୍ତ୍ତମାନ, ରୋପଣ ଋତୁ ପୂର୍ବରୁ ୨୩ଟି ଫସଲ ପାଇଁ ମିଳୁଥିବା ଏମଏସପିରେ ଜମି ଭଡ଼ା ସାମିଲ ନାହିଁ କିମ୍ବା ଏଥିରେ ଚାଷୀଙ୍କ ପାଇଁ ଜାତୀୟ ଆୟୋଗ ରିପୋର୍ଟରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ କରିଥିବା ସୁପାରିସ ଅନୁଯାୟୀ ଅତିରିକ୍ତ ୫୦ ପ୍ରତିଶତ ସାମିଲ ନାହିଁ। ଏହି ରିପୋର୍ଟରେ କୁହାଯାଇଛି, ‘‘ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉତ୍ପାଦନର ଲାଗୁ ହାରାହାରୀ ମୂଲ୍ୟଠାରୁ ଅତିକମ୍ରେ ୫୦ ପ୍ରତିଶତରୁ ଅଧିକ ହେବା ଉଚିତ୍। ଚାଷୀଙ୍କ ‘‘ଶୁଦ୍ଧ ଘରୋଇ ଆୟ’’ ପ୍ରାଶାସନିକ ସେବା ଅଧିକାରୀଙ୍କ ଆୟ ସହ ସମାନ ହେବା ଉଚିତ୍।’’
ପାଟକର ତାଙ୍କ ଭାଷଣରେ ବିହନ ଉତ୍ପାଦନ ଉପରେ କର୍ପୋରେଟ୍ କବ୍ଜା, ବଡ଼ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ଆଫ୍ରିକୀୟ ଦେଶ ଉପରେ ନିୟନ୍ତ୍ରଣ ଏବଂ ମହାମାରୀ ସମୟରେ ଧନୀ ଲୋକଙ୍କ ଆୟ ଅନେକ ଗୁଣା ବୃଦ୍ଧି ପାଇବା ବିଷୟରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ପନିପରିବା ସମେତ ସବୁ ଫସଲ ଉପରେ ଉଚିତ୍ ପାରିଶ୍ରମିକ ଦେବାକୁ ଚାଷୀଙ୍କ ଦାବିକୁ ସରକାର ପୂରଣ କରିନାହାନ୍ତି। ଏହାଦ୍ୱାରା ଆର୍ଥିକ ବୋଝ ପଡ଼ିବ ବୋଲି ସରକାର କହୁଛନ୍ତି। ‘‘ଅତ୍ୟଧିକ ଧନୀଙ୍କ ସମ୍ପତ୍ତି ଉପରେ ସାମାନ୍ୟ ୨ ପ୍ରତିଶତ ଟିକସ ଲାଗୁ କରିବା ଦ୍ୱାରା ସବୁ ଫସଲର ଏମଏସପି ସୁନିଶ୍ଚିତ ହୋଇପାରିବ,’’ ସେ କହିଥିଲେ।
ସବୁ ଚାଷୀଙ୍କ ପାଇଁ ଏକ ବିସ୍ତୃତ ଋଣ ଛାଡ଼ ଯୋଜନା କାର୍ଯ୍ୟକାରୀ କରିବା ଲାଗି ବହୁଦିନରୁ ଦାବି ହୋଇଆସୁଛି ଏବଂ ୯ ଡିସେମ୍ବର ୨୦୨୧ରେ ତିନୋଟି କୃଷି ଆଇନ ଉଚ୍ଛେଦ କରିବା ପରେ କେନ୍ଦ୍ର ସରକାର ଏସକେଏମ ସହିତ ଏକ ରାଜିନାମା ସମୟରେ ଏହି ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।
ଋଣ ଭାର ଚାଷୀମାନଙ୍କୁ ସମସ୍ୟାରେ ପକାଉଛି ଯାହାକି ଚାଷୀ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧିରୁ ପ୍ରମାଣିତ ହେଉଛି। ୨୦୧୪ରୁ ୨୦୨୨ ମଧ୍ୟରେ ଋଣ ବୋଝ ବଢ଼ିବା କାରଣରୁ ୧,୦୦,୦୦୦ରୁ ଅଧିକ ଚାଷୀ ସେମାନଙ୍କ ଜୀବନ ହାରିଛନ୍ତି। ସବସିଡି ପ୍ରତ୍ୟାହାର, ଉଚିତ୍ ମୂଲ୍ୟ ନମିଳିବା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧୀନରେ ଫସଲ ବୀମା ପ୍ରକ୍ରିୟାକୁ ମନ୍ଦ ଉଦ୍ଦେଶ୍ୟ ରଖି ଏବଂ ତ୍ରୁଟିପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବା ଭଳି ସରକାରୀ ନୀତି ସେମାନଙ୍କୁ ଏପରି କରିବା ଲାଗି ବାଧ୍ୟ କରିଛି। ଋଣ ଛାଡ଼ ଏକ ବରଦାନ ସାବ୍ୟସ୍ତ ହୋଇପାରେ କିନ୍ତୁ ସରକାର ଏହା ଦେଉନାହାନ୍ତି।
ଚାଷୀମାନେ ଶୋଭାଯାତ୍ରା କରି ରାମଲୀଳା ମୈଦାନକୁ ଯାଉଥିବା ବେଳେ ଜଣେ କବି ଗାଉଛନ୍ତି: ‘କିଏ ଜାଣେ ଜରୁରି ପରିସ୍ଥିତି ଏକ ନୂଆ ରୂପରେ ଫେରିବ ଏଣିକି ଏକଛତ୍ରବାଦର ନାଁ ବଦଳାଇ ଗଣତନ୍ତ୍ର କରି ଦିଆଯିବ’
ମହାପଞ୍ଚାୟତରେ ବକ୍ତବ୍ୟ ରଖି ଏଆଇକେଏସ (ସର୍ବଭାରତୀୟ କୃଷକ ସଭା)ର ମହାସଚିବ ବିଜୁ କୃଷ୍ଣନ କହିଥିଲେ, ‘‘ବିଗତ ଦଶ ବର୍ଷ ମଧ୍ୟରେ ୪.୨ ଲକ୍ଷରୁ ଅଧିକ ଚାଷୀ, କୃଷି ଶ୍ରମିକ ଏବଂ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି, ଯାହା ଦେଶରେ ଗମ୍ଭୀର କୃଷି ସଂକଟର ସଙ୍କେତ ଦେଇଥାଏ।’’
୨୦୨୨ରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ଭାରତରେ ଦୁର୍ଘଟଣା ମୃତ୍ୟୁ ଏବଂ ଆତ୍ମହତ୍ୟା ରିପୋର୍ଟରେ ମୋଟ୍ ୧.୭ ଲକ୍ଷରୁ ଅଧିକ ଆତ୍ମହତ୍ୟାର ରେକର୍ଡ କରାଯାଇଥିବା ବେଳେ ଏଥିମଧ୍ୟରେ ୩୩ ପ୍ରତିଶତ (୫୬,୪୦୫) ଆତ୍ମହତ୍ୟା ଦିନ ମଜୁରିଆ, କୃଷି ଶ୍ରମିକ ଏବଂ ଚାଷୀ ରହିଛନ୍ତି।
ଘରୋଇ ବୀମା କମ୍ପାନୀର ସମୃଦ୍ଧି ସହିତ ଏହାର ତୁଳନା କରନ୍ତୁ ଯେଉଁମାନେ ୨୪,୩୫୦ କୋଟି ଟଙ୍କା (୨୦୧୬ରୁ ୨୦୨୧ ମଧ୍ୟରେ) ରୋଜଗାର କରିଛନ୍ତି। ଏମାନେ ହେଉଛନ୍ତି ସେହି ୧୦ଟି କମ୍ପାନୀ (ଚୟନ ହୋଇଥିବା ୧୩ଟି କମ୍ପାନୀ ମଧ୍ୟରେ) ଯେଉଁମାନେ ସରକାରଙ୍କଠାରୁ ବୀମା ବ୍ୟବସାୟ ହାସଲ କରିଛନ୍ତି। ଆଉ ଏକ ଉପହାର ସ୍ୱରୂପ, ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ୧୪.୫୬ ଲକ୍ଷ କୋଟି ଟଙ୍କା (୨୦୧୫ରୁ ୨୦୨୩ ମଧ୍ୟରେ)ର ଋଣ ଛାଡ଼ କରାଯାଇଛି।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର କୃଷି କ୍ଷେତ୍ରକୁ ୧,୧୭,୫୨୮.୭୯ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି। ଏହି ଅର୍ଥରାଶି ମଧ୍ୟରୁ ୮୩ ପ୍ରତିଶତ ଆୟ ସହାୟତା ପାଇଁ ବ୍ୟକ୍ତିଗତ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଆବଣ୍ଟନ କରାଯାଇଛି। ଏହାର ସବୁଠୁ ଉପଯୁକ୍ତ ଉଦାହରଣ ହେଉଛି ଜମି ଥିବା ଚାଷୀ ପରିବାରକୁ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା।
ମନରେଗା ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକଙ୍କ ଗ୍ରାମୀଣ ପରିବାରକୁ ମିଳୁଥିବା ଅନ୍ୟ ଅର୍ଥରାଶି ମଧ୍ୟ ହ୍ରାସ କରିଦିଆଯାଇଛି - ଏଥିପାଇଁ ଆବଣ୍ଟିତ ବଜେଟ୍ର ଭାଗ ୨୦୨୩-୨୪ରେ ୧.୯୨ ପ୍ରତିଶତରୁ ହ୍ରାସ ପାଇ ୨୦୨୪-୨୫ରେ ୧.୮ ପ୍ରତିଶତରେ ପହଞ୍ଚି ଯାଇଛି।
୧୪ ମାର୍ଚ୍ଚ, ୨୦୨୪ରେ ରାମଲୀଳା ମୈଦାନର ମଞ୍ଚରୁ ଚାଷୀଙ୍କ ଏସବୁ ସମସ୍ୟା ଓ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଥିଲା।


ବାମ : ରାମଲୀଳା ମୈଦାନରେ ମୂର୍ଚ୍ଛା ପୀଡ଼ିତ ଜଣେ ଚାଷୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତରୀ ଦଳ। ତାଙ୍କ ଦଳ କର୍ନାଲରୁ ଯାତ୍ରା କରି ଏଠାରେ ପହଞ୍ଚିବା ଯୋଗୁ ଥକି ଯାଇଛି। ଡାହାଣ : ଏକ ଉତ୍ସାହ ବର୍ଦ୍ଧନକାରୀ ପତାକା ଯେଉଁଥିରେ ଲେଖାଯାଇଛି, ‘‘ପ୍ରତ୍ୟେକ ଥର ଦମନ ବିରୋଧରେ ମୁକାବିଲା ସମୟରେ, ଆମର ନାରା ସଂଘର୍ଷ ପାଇଁ ଆହ୍ୱାନ ଦିଏ’


ବାମ : ହରିୟାଣାରୁ ଦୀର୍ଘ ଦୂର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିବା ଚାଷୀଙ୍କ ପାଇଁ ସାମାନ୍ୟ ବିଶ୍ରାମ ଓ ଆଶ୍ୱସ୍ତି। ଡାହାଣ : ପଞ୍ଜାବର ତିନି ଜଣ ବରିଷ୍ଠ ନାଗରିକ ଚାଷୀ ନୂଆଦିଲ୍ଲୀର ଉଚ୍ଚ ଅଟ୍ଟାଳିକା ପୃଷ୍ଠଭୂମିରେ ରାମଲୀଳା ମୈଦାନରେ ନିଜର ମଜବୁତ ପାଦକୁ ଆରାମ ଦେଉଛନ୍ତି
ଏହି ପଡ଼ିଆରେ ମହାକାବ୍ୟ ରାମାୟଣର ବାର୍ଷିକ ନାଟ୍ୟ ପ୍ରଦର୍ଶନୀ ପାଇଁ ମଞ୍ଚ ସଜାହୁଏ। ପ୍ରତ୍ୟେକ ବର୍ଷ, କଳାକାରମାନେ ନବରାତ୍ରୀ ଉତ୍ସବ ସମୟରେ ନାଟକର ଦୃଶ୍ୟରେ ଅଭିନୟ କରିଥାନ୍ତି, ଯାହା ଅଧର୍ମ ଉପରେ ଧର୍ମର ଏବଂ ମିଥ୍ୟା ଉପରେ ସତ୍ୟର ବିଜୟ ସମ୍ପର୍କରେ ବାର୍ତ୍ତା ଦେଇଥାଏ। କିନ୍ତୁ ଏହାକୁ ‘ଐତିହାସିକ’ ବୋଲି କହିବା ଲାଗି ଏହା ହିଁ ଯଥେଷ୍ଟ କାରଣ ନୁହେଁ। ତା’ହେଲେ କ’ଣ?
ଏହି ସ୍ଥାନରେ ସାଧାରଣ ଭାରତୀୟମାନେ ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭାଷଣ ଶୁଣୁଥିଲେ। ୧୯୬୫ରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏହି ମୈଦାନରୁ ଜୟ ଯବାନ, ଜୟ କିଷାନ୍ ନାରା ଦେଇଥିଲେ। ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଜୟପ୍ରକାଶ ନାରାୟଣ ଏହି ସ୍ଥାନରେ ବିଶାଳ ଜନସମାବେଶ ଆୟୋଜନ କରିଥିଲେ; ୧୯୭୭ ସାଧାରଣ ନିର୍ବାଚନର ତୁରନ୍ତ ପରେ ସରକାର ଭାଙ୍ଗି ଯାଇଥିଲା। ୨୦୧୧ରେ ଇଣ୍ଡିଆ ଏଗେନଷ୍ଟ କରପ୍ସନ୍ ଆନ୍ଦୋଳନ ଏହି ସ୍ଥାନରୁ ଆରମ୍ଭ ହୋଇଥିଲା। ଦିଲ୍ଲୀର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଆନ୍ଦୋଳନରୁ ଜଣେ ନେତା ରୂପେ ଉଭା ହୋଇଥିଲେ। ଏହି କାହାଣୀ ପ୍ରକାଶ ପାଇବା ବେଳକୁ, ସାଧାରଣ ନିର୍ବାଚନ ୨୦୨୪ର କିଛି ସପ୍ତାହ ପୂର୍ବରୁ, ଦୁର୍ନୀତି ଅଭିଯୋଗରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ କରାଯାଇସାରିଛି।
୩୦ ନଭେମ୍ବର ୨୦୧୮ରେ ଏହି ରାମଲୀଳା ମୈଦାନରେ କିଷାନ ମୁକ୍ତି ମୋର୍ଚ୍ଚା ପାଇଁ ସାରା ଦେଶରୁ ଚାଷୀ ଓ କୃଷି ଶ୍ରମିକମାନେ ଏକତ୍ରିତ ହେବା ସହ ଯନ୍ତରମନ୍ତର ପଡ଼ିଆକୁ ଶୋଭାଯାତ୍ରାରେ ଯାଇଥିଲେ ଏବଂ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ସରକାର କରିଥିବା ଦାବି ପୂରଣ କରିବା ଲାଗି ବିଜେପି ସରକାରକୁ ଆହ୍ୱାନ ଦେଇଥିଲେ। ୨୦୨୨ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ୨୦୧୮ରେ ସରକାର ଆଉ ଏକ ପ୍ରତିଶ୍ରୁତି ଦେଇଥିଲେ। ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅପୂରଣୀୟ ହୋଇ ରହିଛି।
ଏହି ଐତିହାସିକ ରାମଲୀଳା ମୈଦାନରେ, ସଂଯୁକ୍ତ କିଷାନ ମୋର୍ଚ୍ଚ (ଏସକେଏମ) ଅଧୀନ ଚାଷୀ ଓ କୃଷି ଶ୍ରମିକଙ୍କ କିଷାନ୍ ମଜଦୁର ମହାପଞ୍ଚାୟତ ନିଜ ଦାବି ପାଇଁ ସଂଘର୍ଷ ଜାରି ରଖିବା ଏବଂ ୯ ଡିସେମ୍ବର ୨୦୨୧ରେ ଏସକେଏମକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ କେନ୍ଦ୍ରରେ ବର୍ତ୍ତମାନ କ୍ଷମତାସୀନ ଥିବା ବିଜେପି ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରିବାକୁ ସଂକଳ୍ପ ନେଇଥିଲା।
ପ୍ରେମମତୀ କୁହନ୍ତି, ‘‘ଆମେ ସବୁ ଜିନିଷପତ୍ର ଧରି ପୁଣିଥରେ ଦିଲ୍ଲୀ ଫେରିବୁ। ଧରନେ ପର୍ ବୈଠ୍ ଜାୟେଙ୍ଗେ । ହମ୍ ୱାପସ୍ ନହିଁ ଜାୟେଙ୍ଗେ ଜବ୍ ତକ୍ ମାଙ୍ଗେ ପୁରୀ ନ ହୋ (ଆମେ ଆନ୍ଦୋଳନରେ ବସି ରହିବୁ। ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ କୁଆଡ଼େ ଯିବୁ ନାହିଁ)’’
ଅନୁବାଦ : ଓଡ଼ିଶାଲାଇଭ୍