ଏବେ ବି ସିଂହଙ୍କ ପାଇଁ ଦୁଃସ୍ୱପ୍ନ ସାଜି ଆସନ୍ତି ପଞ୍ଜାବରେ ତାଙ୍କ ପିଣ୍ଡ (ଗାଁ)ର ସେହି ଟ୍ରାଭେଲ ଏଜେଣ୍ଟ ଜଣକ।
ତାଙ୍କୁ ଟଙ୍କା ପଇଠ କରିବା ପାଇଁ ସିଂହ (ତାଙ୍କର ପ୍ରକୃତ ନାଁ ନୁହେଁ) ତାଙ୍କ ପରିବାରର ଏକ ଏକର ଚାଷଜମି ବିକ୍ରି କରିଦେଲେ। ବଦଳରେ, ସେହି ଏଜେଣ୍ଟ ଯତିନ୍ଦର ତାଙ୍କୁ କଥା ଦେଇଥିଲେ ଯେ, ସର୍ବିଆ ବାଟ ଦେଇ ତାଙ୍କୁ ସୁରକ୍ଷିତ ଭାବରେ ପର୍ତ୍ତୁଗାଲ ନେଇଯିବା ନିମନ୍ତେ ଇକ୍ ନମ୍ବର (ଆଇନଗତ କାଗଜପତ୍ର) କରି ଦେବେ।
ଖୁବ୍ ଶୀଘ୍ର ସିଂହ ବୁଝିପାରିଲେ ଯେ, ଯତିନ୍ଦର ତାଙ୍କୁ ଠକି ଦେଇଛନ୍ତି ଏବଂ ବେଆଇନ ଭାବରେ ଅନ୍ତର୍ଜାତୀୟ ସୀମାରେଖା ପାର କରାଇ ଚାଲାଣ କରିଛନ୍ତି। ଏଥିରେ ସେ ଏତେ ହତାଶ ଓ ହତବାକ୍ ହୋଇପଡ଼ିଲେ ଯେ, ତାଙ୍କ ଦୟନୀୟ ଅବସ୍ଥା ସଂପର୍କରେ ଗାଁରେ ଛାଡ଼ି ଆସିଥିବା ତାଙ୍କ ପରିବାରକୁ ଖବର ଦେବା ପାଇଁ ବି ସାହସ ଜୁଟାଇ ପାରିଲେନି।
ତାଙ୍କର ଏହି ଅକଥନୀୟ ବିଦେଶ ଯାତ୍ରା କାଳରେ, ୟୁରୋପର ଘଞ୍ଚ ଜଙ୍ଗଲ ଭିତର ଦେଇ, ନର୍ଦ୍ଦମା ପାଣିରେ ପଶି ଏବଂ ଅନେକ ପାହାଡ଼ ଚଢ଼ି ଯିବା ବାଟରେ ସେ ଓ ଅନ୍ୟ ପ୍ରବାସୀମାନେ, କାଦୁଅ ଭର୍ତ୍ତି ଖାଲରେ ଜମି ରହିଥିବା ବର୍ଷା ପାଣି ପିଇ ଏବଂ କେବଳ ପାଉଁରୁଟି ଖାଇ ଜୀବନ ବଞ୍ଚାଇଛନ୍ତି। ଦୁଃସ୍ଥିତିର ସେହି ସ୍ମୃତି ଏତେ ଭୟାବହ ଯେ ଏବେ ସେ ଖାଦ୍ୟ ଭାବରେ ପାଉଁରୁଟିକୁ ଘୃଣା କରିବା ଆରମ୍ଭ କରିଦେଇଛନ୍ତି।
“ ମେରେ ଫାଦର ସାବ୍ ହାର୍ଟ ପେସେଣ୍ଟ ଆ । ଇନ୍ନା ଟେନ୍ସନ ଓହ୍ ଲେ ନି ସକ୍ତେ । ନଲେ, ଘର ମେଁ ଜା ନହିଁ ସକ୍ତା କ୍ୟୁଁ କେ ମୈଁ ସାରା କୁଛ ଦାଓ ତେ ଲାକେ ଆୟା ସି (ମୋ ବାପା ଜଣେ ହୃଦ୍ରୋଗୀ; ସେ ଏତେ ମାନସିକ ଚାପ ସମ୍ଭାଳି ପାରିବେନି। ମୁଁ ଘରକୁ ଫେରି ପାରିଲିନି, କାହିଁକି ନା ଏଠାକୁ ଆସିବା ଲାଗି ମୁଁ ସବୁ କିଛି ବାଜି ଲଗାଇ ସାରିଥିଲି)” ପର୍ତ୍ତୁଗାଲରେ ଅନ୍ୟ ପାଞ୍ଚ ଜଣଙ୍କ ସହିତ ସେ ରହୁଥିବା ଦୁଇଟି କୋଠରି ବିଶିଷ୍ଟ ଘରୁ ପଞ୍ଜାବୀ ଭାଷାରେ କହନ୍ତି ୨୫ ବର୍ଷୀୟ ସିଂହ।
କିଛି ବର୍ଷ ହେଲା, ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସୀୟ ଦେଶର ଶ୍ରମିକମାନଙ୍କ ପାଇଁ ମନପସନ୍ଦ ଗନ୍ତବ୍ୟସ୍ଥଳ ରୂପରେ ଉଭା ହୋଇଛି ପର୍ତ୍ତୁଗାଲ।

ସର୍ବିଆ ବାଟ ଦେଇ ପର୍ତ୍ତୁଗାଲ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ‘ ଆଇନଗତ କାଗଜପତ୍ର ’ କରିବା ନିମନ୍ତେ ସିଂହ ତାଙ୍କ ପରିବାରର ଏକ ଏକର ଚାଷଜମି ବିକ୍ରି କରିଦେଲେ
ଦିନେ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିଲେ ସିଂହ। କିନ୍ତୁ, କେତେକ ବିଫଳ ଉଦ୍ୟମ ପରେ, ସେ ଲକ୍ଷ୍ୟ ବଦଳାଇ ଦେଶ ବାହାରକୁ ଯିବା ଲାଗି ମନ ବଳାଇଲେ ଏବଂ ବିଦେଶୀମାନଙ୍କ ଦେଶାନ୍ତର କ୍ଷେତ୍ରରେ ସେଠାକାର ସହଜ ନୀତି ଯୋଗୁଁ ପର୍ତ୍ତୁଗାଲ ଯିବାକୁ ସ୍ଥିର କଲେ। ସମ୍ଭବତଃ, ତାଙ୍କ ଗାଁରୁ ଯାଇ ୟୁରୋପର ଏହି ଦେଶରେ ଖୁସିରେ ବସବାସ କରୁଥିବା ଅନେକ ଲୋକଙ୍କ ସଫଳ ପ୍ରବାସନର କାହାଣୀ ତାଙ୍କୁ ଅନୁପ୍ରାଣିତ କରିଥିଲା। ଏବଂ ତା’ପରେ ଦିନେ, କେହି ଜଣେ ତାଙ୍କୁ ଯତିନ୍ଦରଙ୍କ କଥା କହିଲେ, ଯେ କି ସେହି ଏକା ଗାଁର ଏବଂ ତାଙ୍କୁ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ।
“ଯତିନ୍ଦର ମତେ କହିଲେ, ‘ମୁଁ ୧୨ ଲକ୍ଷ ଟଙ୍କା (ମୋଟାମୋଟି ୧୩,୦୦୦ ୟୁରୋ) ନେବି ଏବଂ ତୁମକୁ ଆଇନଗତ ଭାବରେ ପର୍ତ୍ତୁଗାଲ ପଠାଇବି।” ମୁଁ ପୂରା ଟଙ୍କା ଦେବାକୁ ରାଜି ହେଲି ଏବଂ ବୈଧ ବାଟରେ ଯିବାକୁ ଜିଦ୍ ଧରି ବସିଲି,” ସିଂହ କହନ୍ତି।
ହେଲେ, ଟଙ୍କା ପଇଠ କରିବା ସମୟରେ ବ୍ୟାଙ୍କ ଜରିଆରେ ନ ଦେଇ ଏକ “ଭିନ୍ନ ବାଟ”ରେ ଦେବାକୁ ଏଜେଣ୍ଟ ଜଣକ ତାଙ୍କୁ କହିଲେ। ସିଂହ ଏହା କରିବାକୁ ମନା କରିବାରୁ, ତାଙ୍କୁ ଯେମିତି କୁହାଯାଉଛି ସେ ସେମିତି କରନ୍ତୁ ବୋଲି ଯତିନ୍ଦର ଅଡ଼ି ବସିଲେ। ସିଂହ ତାଙ୍କ କଥା ମାନିଲେ ଏବଂ ପ୍ରଥମ ଦଫାରେ ତାଙ୍କୁ ପଞ୍ଜାବର ଜଳନ୍ଧରରେ ଥିବା ଏକ ପେଟ୍ରୋଲ ପମ୍ପରେ ୪ ଲକ୍ଷ ଟଙ୍କା (୪,୩୮୩ ୟୁରୋ) ଏବଂ ପରେ ଗୋଟିଏ ଦୋକାନରେ ଆଉ ୧ ଲକ୍ଷ ଟଙ୍କା (୧,୦୯୫ ୟୁରୋ) ହସ୍ତାନ୍ତର କଲେ।
୨୦୨୧ ଅକ୍ଟୋବର ମାସରେ ସିଂହ ଦିଲ୍ଲୀ ବାହାରିଲେ ଏବଂ ସେଠାରୁ ସେ ଆକାଶ ପଥରେ ବେଲଗ୍ରେଡ୍ ଏବଂ ପରେ ପର୍ତ୍ତୁଗାଲକୁ ଯିବାର ଥିଲା। ଏହା ଥିଲା ତାଙ୍କର ପ୍ରଥମ ବିମାନ ଯାତ୍ରା, କିନ୍ତୁ କୋଭିଡ୍-୧୯ କଟକଣା ଯୋଗୁଁ ଭାରତରୁ ସର୍ବିଆକୁ ବିମାନ ଚଳାଚଳ କରୁ ନଥିବାରୁ, ବିମାନ ଚଳାଚଳ ସଂସ୍ଥା ବିମାନ ଯାତ୍ରା ଲାଗି ମନା କରିଦେଲା – ଏଜେଣ୍ଟ ଜଣକ ଏହି କଟକଣା କଥାକୁ ଲୁଚାଇ ରଖିଥିଲେ। ତେଣୁ ଦୁବାଇ ବାଟ ଦେଇ ତାଙ୍କର ବିମାନ ଯାତ୍ରା ପାଇଁ ପୁଣି ଥରେ ଟିକେଟ କରାଗଲା ଏବଂ ସେଠାରୁ ସେ ବେଲଗ୍ରେଡ୍ ଗଲେ।
“ସର୍ବିଆର ପୋଲିସ ଭଲ ନୁହେଁ ଏବଂ ସେମାନେ ଭାରତୀୟମାନଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି କହି ବେଲଗ୍ରେଡ୍ ବିମାନ ବନ୍ଦରରେ ଆମକୁ ନେବାକୁ ଆସିଥିବା ଏଜେଣ୍ଟ ଜଣକ ଆମର ସବୁ ପାସ୍ପୋର୍ଟ ଅକ୍ତିଆର କରିନେଲେ,” ସିଂହ କହନ୍ତି। ସେ ମଧ୍ୟ ତାଙ୍କ ପାସ୍ପୋର୍ଟ ଏଜେଣ୍ଟଙ୍କୁ ଦେଇଦେଲେ।
ସର୍ବିଆର ରାଜଧାନୀ ବେଲଗ୍ରେଡ୍ରୁ ଗ୍ରୀସ୍ର ଥିବା ସହର ପର୍ଯ୍ୟନ୍ତ ସେମାନଙ୍କର ସେହି ଯାତ୍ରା ଭଳି ବେଆଇନ ଯାତ୍ରା ସଂପର୍କରେ ବୁଝାଇବାକୁ ଯାଇ ଅନେକ ସମୟରେ ସିଂହ “ ଦୋ ନମ୍ବର ” ପଦ ବ୍ୟବହାର କରନ୍ତି। ସେ ଗ୍ରୀସ୍ ବାଟ ଦେଇ ପର୍ତ୍ତୁଗାଲରେ ପହଞ୍ଚି ଯିବେ ବୋଲି ତାଙ୍କ ସାଙ୍ଗରେ ଯାଉଥିବା ଡଙ୍କର (ମାନବ ଚାଲାଣକାରୀ)ମାନେ ସିଂହଙ୍କୁ ଆଶ୍ୱାସନା ଦେଇଥିଲେ।
ଥିବା ସହରରେ ପହଞ୍ଚିବା ପରେ ଏଜେଣ୍ଟ ଜଣକ ତାଙ୍କ କଥାରୁ ଓହରି ଗଲେ ଏବଂ ପ୍ରତିଶ୍ରୁତି ମୁତାବକ ସେ ତାଙ୍କୁ ପର୍ତ୍ତୁଗାଲରେ ପହଞ୍ଚାଇ ପାରିବେ ନାହିଁ ବୋଲି କହିଲେ।
“ଯତିନ୍ଦର ମୋତେ କହିଲେ, ‘ମୁଁ ତୁମ ପାଖରୁ ସାତ ଲକ୍ଷ ଟଙ୍କା ପାଇଛି। ମୋ କାମ ସରିଯାଇଛି। ମୁଁ ତୁମକୁ ଗ୍ରୀସ୍ରୁ ବାହାରକୁ ନେଇପାରିବି ନାହିଁ,’ ସେ ସମୟର କଥା ମନେ ପକାଇ କହନ୍ତି ସିଂହ। ସେତେବେଳେ ସେ ଗଭୀର ମାନସିକ ବେଦନାରେ ଭାଙ୍ଗି ପଡ଼ିଲେ ଏବଂ କାନ୍ଦିବାରେ ଲାଗିଲେ।

ଅନେକ ଯୁବକ ଓ ଯୁବତୀଙ୍କୁ ସୁରକ୍ଷିତ ବିଦେଶ ଯାତ୍ରାର ପ୍ରତିଶ୍ରୁତି ଦିଆଯାଏ ଏବଂ ପରେ ସେମାନଙ୍କୁ ଡଙ୍କର (ମାନବ ଚାଲାଣକାରୀ)ମାନଙ୍କ ହାତରେ ଟେକି ଦିଆଯାଏ
୨୦୨୨ ମାର୍ଚ୍ଚ ମାସରେ, ଗ୍ରୀସ୍ରେ ପହଞ୍ଚିବାର ଦୁଇ ମାସ ପରେ, ସର୍ବିଆର ମାନବ ଚାଲାଣକାରୀ ଏଜେଣ୍ଟଙ୍କ ପାଖରୁ ତାଙ୍କ ପାସ୍ପୋର୍ଟ ହାସଲ କରିବା ଲାଗି ସିଂହ ଉଦ୍ୟମ କଲେ। ସେ ଯେଉଁ ପିଆଜ କ୍ଷେତରେ କାମ କରୁଥିଲେ, ସେଠାକାର ସାଥୀ ଶ୍ରମିକମାନେ ତାଙ୍କୁ ଦେଶ ଛାଡ଼ି ପଳାଇବାକୁ ପରାମର୍ଶ ଦେଇ କହିଲେ ଯେ, ଗ୍ରୀସ୍ରେ ତାଙ୍କର କୌଣସି ଭବିଷ୍ୟତ ନାହିଁ ଏବଂ ସେ ଧରା ପଡ଼ିଗଲେ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ଦିଆଯିବ।
ତେଣୁ, ପଞ୍ଜାବର ଏହି ଯୁବକ ଜଣକ ପୁଣି ଥରେ ନିଜ ଜୀବନକୁ ବାଜି ଲଗାଇ ଚୋରା ବାଟରେ ଦେଶ ବାହାରକୁ ଚାଲିଯିବା ପାଇଁ ସ୍ଥିର କଲେ। “ଗ୍ରୀସ୍ ଛାଡ଼ିବାକୁ ମୁଁ (ମାନସିକ ଭାବେ) ପ୍ରସ୍ତୁତ ହେଲି। ମୁଁ ଭାବିଲି, ଶେଷ ଥର ପାଇଁ ହେଉ ପଛକେ, ଆଉ ଥରେ ନିଜ ଜୀବନକୁ ବାଜି ଲଗାଇବି।”
ସେ ଗ୍ରୀସ୍ରେ ଜଣେ ଏଜେଣ୍ଟଙ୍କୁ ଠାବ କଲେ ଏବଂ ସେ ୮୦୦ ୟୁରୋ ନେଇ ତାଙ୍କୁ ସର୍ବିଆ ନେଇଯିବାକୁ କଥା ଦେଲେ। ପିଆଜ କ୍ଷେତରେ ତିନି ମାସ କାଳ କାମ କରି ସେ ଏହି ପଇସା ସଞ୍ଚୟ କରିଥିଲେ।
ଏଥର, ଯାତ୍ରା ଆରମ୍ଭ କରିବା ପୂର୍ବରୁ, ସିଂହ ମଧ୍ୟ ନିଜେ କିଛି ଅନୁଧ୍ୟାନ କରିଥିଲେ ଏବଂ ଗ୍ରୀସ୍ରୁ ସର୍ବିଆ ଯିବା ପାଇଁ ରାସ୍ତା ଖୋଜି ନେଇଥିଲେ, ଯେଉଁଠାରୁ ସେ ଆଗକୁ ହଙ୍ଗେରୀ ବାଟ ଦେଇ ଅଷ୍ଟ୍ରିଆକୁ ଏବଂ ସେଠାରୁ ପର୍ତ୍ତୁଗାଲକୁ ଯିବେ ବୋଲି ଯୋଜନା କରିଥିଲେ। ତାଙ୍କୁ କୁହାଗଲା ଯେ, ଗ୍ରୀସ୍ରୁ ସର୍ବିଆ ଯିବା ଲାଗି ଏହା ଖୁବ୍ କଷ୍ଟକର ରାସ୍ତା, “ତୁମେ ଯଦି ଧରାପଡ଼ିଯିବ, ତେବେ ତୁମକୁ କେବଳ ଚଡ଼ି ପିନ୍ଧାଇ ତୁର୍କୀକୁ ପ୍ରତ୍ୟାର୍ପଣ କରିଦିଆଯିବ” ସେ କହନ୍ତି।
*****
ଛଅ ଦିନ ଏବଂ ଛଅ ରାତି ପାଦରେ ଚାଲିବା ପରେ ୨୦୨୨ ଜୁନ୍ରେ ସିଂହ ସର୍ବିଆରେ ପହଞ୍ଚିଲେ। ସର୍ବିଆର ରାଜଧାନୀ ବେଲଗ୍ରେଡ୍ ପାଖରେ ସେ କେତେକ ଶରଣାର୍ଥୀ ବସତି ଖୋଜି ପାଇଲେ- ସର୍ବିଆ-ରୋମାନିଆ ସୀମା ନିକଟବର୍ତ୍ତୀ କିକିନ୍ଦା ଶିବିର ଏବଂ ସର୍ବିଆ-ହଙ୍ଗେରୀ ସୀମା ନିକଟ ସୁବୋଟିକା ଶିବିର। ସେ କହନ୍ତି ଯେ, ଏହି ଶିବିରଗୁଡ଼ିକ ଚୋରା ବାଟରେ ଲୋକଙ୍କୁ ନେଇଯିବା ଭଳି ଲୋଭନୀୟ କାର୍ଯ୍ୟକଳାପରେ ଲିପ୍ତ ମାନବ ଚାଲାଣକାରୀମାନଙ୍କର ଚରାଭୂଇଁ।
“ସେଠାରେ (କିକିନ୍ଦା ଶିବିରରେ) ପ୍ରତି ଦୁଇ ଜଣରେ ଜଣେ ମାନବ ଚାଲାଣକାରୀ। ସେମାନେ ଆପଣଙ୍କୁ କହିବେ, ‘ମୁଁ ତୁମକୁ ସେଠାକୁ ନେଇଯିବି, କିନ୍ତୁ ଏଥିପାଇଁ ଏତେ ଟଙ୍କା ଲାଗିବ,” ସିଂହ କହନ୍ତି। ସେତେବେଳକୁ ତାଙ୍କୁ ଅଷ୍ଟ୍ରିଆରେ ପହଞ୍ଚାଇ ଦେବା ଲାଗି ଜଣେ ଏଜେଣ୍ଟକୁ ସେ ପାଇସାରିଥାଆନ୍ତି।
କିକିନ୍ଦା ଶିବିରର ଏହି ଚାଲାଣକାରୀ (ଭାରତୀୟ) ଜଣକ ଜଳନ୍ଧରରେ “ଗ୍ୟାରେଣ୍ଟି ରଖିବା” ପାଇଁ ତାଙ୍କୁ କହନ୍ତି। “ଗ୍ୟାରେଣ୍ଟି” ସଂପର୍କରେ ବୁଝାଇବା ଲାଗି ସିଂହ କହନ୍ତି ଯେ, ଉଭୟ ପକ୍ଷ – ପ୍ରବାସୀ ଏବଂ ଚାଲାଣକାରୀଙ୍କ ମଧ୍ୟରେ ଥିବା ଜଣେ ମଧ୍ୟସ୍ଥଙ୍କ ପାଖରେ ଟଙ୍କା ରହେ ଏବଂ ପ୍ରବାସୀ ବ୍ୟକ୍ତି ଜଣକ ତାଙ୍କ ଇଚ୍ଛା ମୁତାବକ ସ୍ଥାନରେ ପହଞ୍ଚିବା ପରେ ଏହି ଟଙ୍କା ପଇଠ କରିଦିଆଯାଏ।

ବେଆଇନ ପ୍ରବାସନ ସଂପର୍କରେ ପଞ୍ଜାବର ଯୁବ ପିଢ଼ି ଜାଣି ରଖନ୍ତୁ ବୋଲି ସିଂହ ତାଙ୍କର ଏ ଅନୁଭୂତି ଶୁଣାଇବାକୁ ଚାହାଁନ୍ତି
ପରିବାରର ଜଣେ ସଦସ୍ୟଙ୍କ ଜରିଆରେ ସିଂହ ୩ ଲକ୍ଷ ଟଙ୍କା (୩,୩୦୨ ୟୁରୋ) ଗ୍ୟାରେଣ୍ଟି ରଖିବା ପରେ ଚାଲାଣକାରୀଙ୍କ ନିର୍ଦ୍ଦେଶ ଅନୁସାରେ ହଙ୍ଗେରୀ ସୀମା ଅଭିମୁଖେ ବାହାରି ଗଲେ। ସେଠାରେ ଆଫଗାନିସ୍ତାନର କେତେକ ଡଙ୍କର ତାଙ୍କୁ ସାଙ୍ଗରେ ନେଇଗଲେ। ମଧ୍ୟରାତ୍ରୀରେ, ସେମାନେ ୧୨ ଫୁଟ୍ ଉଚ୍ଚତାର ଦୁଇଟି ତାରବାଡ଼ ପାର କରି ଆଗକୁ ଗଲେ। ତାଙ୍କ ସହିତ ସୀମା ପାର କରିଥିବା ଜଣେ ଡଙ୍କର ସେମାନଙ୍କୁ ଜଙ୍ଗଲ ଭିତର ଦେଇ ଚାରି ଘଣ୍ଟା ଚଲେଇ ଚଲେଇ ନେବା ପରେ ସେମାନେ ସୀମାରେ ନିୟୋଜିତ ପୋଲିସ ହାତରେ ଧରାପଡ଼ି ଅଟକ ରହିଲେ।
ସେ ସମୟର କଥା ମନେ ପକାଇ ସିଂହ କହନ୍ତି, “ସେମାନେ (ହଙ୍ଗେରୀର ପୋଲିସ) ଆମକୁ ଆଣ୍ଠେଇ ଦେଲେ ଏବଂ ଆମ ଜାତୀୟତା ସଂପର୍କରେ ପଚାରିଲେ। ସେମାନେ ସେହି ଡଙ୍କରକୁ ନିର୍ଧୂମ ପିଟିଲେ। ତା’ପରେ, ଆମକୁ (ପ୍ରବାସୀମାନଙ୍କୁ) ପୁଣି ଗାଡ଼ିରେ ବସାଇ ସର୍ବିଆକୁ ପଠାଇ ଦିଆଗଲା।”
ସୁବୋଟିକା ଶିବିରରେ ଆଉ ଜଣେ ନୂଆ ଡଙ୍କର ତାଙ୍କୁ ଅପେକ୍ଷା କରିଛନ୍ତି ବୋଲି ସିଂହଙ୍କୁ ସେହି ଚାଲାଣକାରୀ ଜଣକ କହିଲେ। ପରଦିନ ଅପରାହ୍ଣ ୨ଟା ପାଖାପାଖି ସେ ହଙ୍ଗେରୀ ସୀମାକୁ ଫେରିଆସିଲେ, ଯେଉଁଠି ସୀମା ପାର କରିବା ଲାଗି ପୂର୍ବରୁ ୨୨ ଜଣ ଲୋକ ଥିଲେ। କିନ୍ତୁ, ଶେଷରେ ସିଂହଙ୍କ ସମେତ ମାତ୍ର ସାତ ଜଣ ସୀମା ପାର କରିପାରିଲେ।
ତା’ପରେ ଆରମ୍ଭ ହେଲା ଡଙ୍କରଙ୍କ ସହିତ ଜଙ୍ଗଲ ଭିତର ଦେଇ ତିନି ଘଣ୍ଟାର ପଦଯାତ୍ରା। “ଅପରାହ୍ଣ ପ୍ରାୟ ୫ଟା ବେଳକୁ ଆମେ ଗୋଟିଏ ବଡ଼ ଖାତ ପାଖରେ ପହଞ୍ଚିଲୁ। ଡଙ୍କର ଜଣକ ଶରୀରକୁ ଶୁଖିଲା ପତ୍ରରେ ଘୋଡ଼େଇ ସେହି ଖାତରେ ପଡ଼ି ରହିବାକୁ ଆମକୁ ନିର୍ଦ୍ଦେଶ ଦେଲେ।” କେଇ ଘଣ୍ଟା ପରେ, ସେମାନେ ପୁଣି ଚାଲୁଥିଲେ। ଶେଷରେ, ସେମାନଙ୍କୁ ଗୋଟିଏ ଭ୍ୟାନ୍ରେ ବସାଇ ନିଆଗଲା ଏବଂ ଅଷ୍ଟ୍ରିଆ ସୀମା ପାଖରେ ଛାଡ଼ି ଦିଆଗଲା। ସେଠାରେ ସେମାନଙ୍କୁ କୁହାଯାଇଥିଲା, “ପବନଚାଳିତ କଳଗୁଡ଼ିକ ଆଡ଼କୁ ଚାଲି ଚାଲି ଯାଅ ଏବଂ ତୁମେମାନେ ଅଷ୍ଟ୍ରିଆ ଭିତରେ ପହଞ୍ଚି ଯିବ।”
ପାଖରେ ଖାଦ୍ୟ କି ପାଣି କିଛି ହେଲେ ନଥିଲା ଏବଂ ସେମାନେ କେଉଁଠି ଅଛନ୍ତି ସେ କଥା ବି ଜାଣି ନଥିଲେ। ଏଭଳି ସ୍ଥିତିରେ ସିଂହ ଓ ଅନ୍ୟ ପ୍ରବାସୀମାନେ ସାରା ରାତି ଚାଲିଲେ। ପରଦିନ ସକାଳେ ସେମାନେ ଅଷ୍ଟ୍ରିଆ ସେନା ବାହିନୀର ଏକ ଶିବିର ଦେଖିଲେ। ଅଷ୍ଟ୍ରିଆର ସାମରିକ ବାହିନୀକୁ ଦେଖିବା ମାତ୍ରେ ସିଂହ ଆତ୍ମସମର୍ପଣ କରିବା ଲାଗି ସେମାନଙ୍କ ପାଖକୁ ଧାଇଁଗଲେ, କାରଣ, “ଏ ଦେଶରେ ଶରଣାର୍ଥୀମାନଙ୍କୁ ସ୍ୱାଗତ କରାଯାଏ, ଏବଂ ଡଙ୍କରମାନେ ଏହାର ସତ୍ୟତା ପ୍ରମାଣିତ କରନ୍ତି,” ସେ କହନ୍ତି।
“ସେମାନେ ଆମର କୋଭିଡ୍-୧୯ ପରୀକ୍ଷଣ କରାଇଲେ ଏବଂ ଆମକୁ ଅଷ୍ଟ୍ରିଆର ଏକ ଶରଣାର୍ଥୀ ଶିବିରକୁ ନେଇଗଲେ, ଯେଉଁଠାରେ ସେମାନେ ଆମର ବକ୍ତବ୍ୟ ରେକର୍ଡ କରାଇଲେ ଏବଂ ଅଙ୍ଗୁଳି ଛାପ ନେଲେ। ତା’ପରେ, ଆମକୁ ଛଅ ମାସ ପର୍ଯ୍ୟନ୍ତ ବୈଧ ଶରଣାର୍ଥୀ କାର୍ଡ ଦିଆଗଲା,” ସିଂହ କହନ୍ତି।
ପଞ୍ଜାବର ଏହି ପ୍ରବାସୀ ଜଣକ ସେଠାରେ ଛଅ ମାସ କାଳ ଖବରକାଗଜ ବିକାଳି ରୂପେ କାମ କରି ପ୍ରାୟ ୧,୦୦୦ ୟୁରୋ ସଞ୍ଚୟ କରିପାରିଲେ। ତାଙ୍କ ରହଣିର ସମୟସୀମା ପୂରି ଯିବା ମାତ୍ରେ ହିଁ ଶିବିର ଅଧିକାରୀ ତାଙ୍କୁ ଦେଶ ଛାଡ଼ିବାକୁ କହିଲେ।

ଥରେ ପର୍ତ୍ତୁଗାଲରେ ପହଞ୍ଚି ଯିବା ପରେ, ସିଂହ ପଞ୍ଜାବରେ ତାଙ୍କ ମାଆଙ୍କୁ ଫୋନ୍ କଲେ ଏବଂ ତାଙ୍କର ସବୁ ମେସେଜ୍ର ଉତ୍ତର ଦେବାରେ ଲାଗିଲେ
ତା’ପରେ ମୁଁ ସ୍ପେନ୍ର ଭାଲେନ୍ସିଆକୁ ସିଧାସଳଖ ଯାଉଥିବା ବିମାନରେ ଟିକେଟ୍ କଲି (କାରଣ, ୟୁରୋପର ସେନ୍ଜେନ୍ କ୍ଷେତ୍ରରେ ଚଳାଚଳ କରୁଥିବା ଘରୋଇ ବିମାନରେ ସେତେଟା ଯାଞ୍ଚ କରାଯାଉ ନଥିଲା), ଏବଂ ସେଠାରୁ ଟ୍ରେନ୍ରେ ବାର୍ସିଲୋନା ଯାଇ ଜଣେ ବନ୍ଧୁଙ୍କ ଘରେ ରାତିରେ ରହିଲି। ମୋ ବନ୍ଧୁ ମୋ ପାଇଁ ପର୍ତ୍ତୁଗାଲ ଯିବାକୁ ବସ୍ ଟିକେଟ କରିଦେଲେ, କାରଣ ମୋ ପାଖରେ କୌଣସି କାଗଜପତ୍ର କିମ୍ବା ପାସ୍ପୋର୍ଟ ନଥିଲା।” ଏଥର, ସେ ସ୍ୱେଚ୍ଛାରେ ନିଜ ପାସ୍ପୋର୍ଟକୁ ଗ୍ରୀସ୍ରେ ଜଣେ ବନ୍ଧୁଙ୍କ ପାଖରେ ରଖି ଆସିଥିଲେ, କାରଣ, ଯଦି ଧରାପଡ଼ନ୍ତି, ତେବେ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ଦିଆଯାଉ ବୋଲି ସେ ଚାହୁଁ ନଥିଲେ।
*****
ଶେଷରେ, ୨୦୨୩ ମସିହା ଫେବ୍ରୁଆରୀ ୧୫ରେ, ବସ୍ରେ ବସି ସିଂହ ପହଞ୍ଚିଲେ ପର୍ତ୍ତୁଗାଲରେ - ତାଙ୍କ ସ୍ୱପ୍ନର ଲକ୍ଷ୍ୟସ୍ଥଳରେ। ସେଠାରେ ପହଞ୍ଚିବା ଲାଗି ତାଙ୍କୁ ୫୦୦ ଦିନରୁ କିଛି ଅଧିକ ସମୟ ଲାଗିଗଲା।
ପର୍ତ୍ତୁଗାଲରେ ଭାରତର ଦୂତାବାସ ସ୍ୱୀକାର କରନ୍ତି ଯେ, ଅନେକ ପ୍ରବାସୀଙ୍କ ପାଖରେ “ଏଠାରେ ରହିବା ଲାଗି ଆବାସ ସମ୍ବନ୍ଧୀୟ ବୈଧ କାଗଜପତ୍ର ନାହିଁ, ଏବଂ ସରକାରୀ ଭାବେ ସେମାନଙ୍କ ସଂଖ୍ୟା ଉପଲବ୍ଧ ନୁହେଁ।” ଏଥିରେ ଆହୁରି କୁହାଯାଇଛି ଯେ, ବିଦେଶୀମାନଙ୍କ ପ୍ରବାସନ କ୍ଷେତ୍ରରେ ପର୍ତ୍ତୁଗାଲର ସହଜ ନିୟମ କାରଣରୁ କିଛି ବର୍ଷ ହେଲା ଏଠାରେ ଭାରତୀୟମାନଙ୍କର (ବିଶେଷତଃ ପଞ୍ଜାବ ଓ ହରିଆଣାର ବ୍ୟକ୍ତିମାନଙ୍କର) ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।
“ ୟହାଁ ଡକ୍ୟୁମେଣ୍ଟ୍ସ ବନ୍ ଜାତେ ହେଁ, ଆଦ୍ମୀ ପକ୍କା ହୋ ଜାତା ହୈ, ଫିର୍ ଅପନି ଫ୍ୟାମିଲି ବୁଲା ସକ୍ତା ହୈ, ଅପ୍ନି ୱାଇଫ୍ ବୁଲା ସକ୍ତା ହୈ (ଏଠି ଆପଣଙ୍କର କାଗଜପତ୍ର ପ୍ରସ୍ତୁତ ହୋଇଯିବ, ଜଣେ ଚାହିଁଲେ ଏଠାକାର ସ୍ଥାୟୀ ବାସିନ୍ଦା ହୋଇପାରିବେ। ପରେ ନିଜ ପରିବାର କିମ୍ବା ସ୍ତ୍ରୀଙ୍କୁ ପର୍ତ୍ତୁଗାଲ ଆଣିପାରିବେ),” ସିଂହ କହନ୍ତି।
ଫରେନର୍ସ ଆଣ୍ଡ ବର୍ଡର ସର୍ଭିସ୍ (ଏସ୍ଇଏଫ୍)ର ତଥ୍ୟ ଅନୁସାରେ, ୨୦୨୨ରେ ପର୍ତ୍ତୁଗାଲରେ ୩୫,୦୦୦ରୁ ଅଧିକ ଭାରତୀୟଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ମଞ୍ଜୁର କରାଯାଇଛି। ସେହି ବର୍ଷ, ମୋଟାମୋଟି ୨୨୯ ଜଣ ଭାରତୀୟ ଏଠାରେ ଆଶ୍ରୟ ଲୋଡ଼ିଥିଲେ।
ସେମାନଙ୍କ ନିଜ ଦେଶରେ ଭବିଷ୍ୟତ ଗଢ଼ିବାର ସୁଯୋଗ ନାହିଁ ବୋଲି ଅନୁଭବ କରି ସିଂହଙ୍କ ଭଳି ଯୁବକମାନେ ବିଦେଶକୁ ଚାଲି ଯିବା ପାଇଁ ବ୍ୟଗ୍ର ହୋଇଉଠନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରକାଶିତ ଭାରତର ନିୟୋଜନ ରିପୋର୍ଟ- ୨୦୨୪ ରେ ଦର୍ଶାଯାଇଛି ଯେ, “ଯଥାର୍ଥରେ ଅଭିବୃଦ୍ଧି ହାର ଉଚ୍ଚରେ ରହିଥିଲେ ହେଁ, ସେହି ଅନୁପାତରେ ଉତ୍ପାଦନକ୍ଷମ ନିୟୋଜନର ସୁଯୋଗ ସଂପ୍ରସାରିତ ହୋଇପାରି ନାହିଁ।”
ପାଖରେ ଖାଦ୍ୟ କି ପାଣି ନଥାଇ, ସିଂହ ସାରା ରାତି ଚାଲିଲେ। ପରଦିନ ସକାଳେ ସେ ଅଷ୍ଟ୍ରିଆର ଏକ ସେନା ଶିବିର ଦେଖିଲେ ...ଏବଂ ଆତ୍ମସମର୍ପଣ କରିବା ଲାଗି ସେଠାକୁ ଧାଇଁଲେ, କାରଣ, ‘ଏ ଦେଶରେ ଶରଣାର୍ଥୀମାନଙ୍କୁ ସ୍ୱାଗତ କରାଯାଏ’
ସାରା ୟୁରୋପରେ, ପର୍ତ୍ତୁଗାଲରେ ନାଗରିକତା ଅର୍ପଣ ପ୍ରକ୍ରିୟାରେ ସବୁଠାରୁ କମ୍ ସମୟ ଲାଗେ। ଏଠାକାର ନାଗରିକତ୍ବ ହାସଲ କରିବା ଲାଗି ଆଇନସମ୍ମତ ଭାବରେ ପାଞ୍ଚ ବର୍ଷ ରହିବା ଦରକାର ହୁଏ। ସାଧାରଣତଃ ସେଠାକାର କୃଷି ଓ ନିର୍ମାଣ କ୍ଷେତ୍ରରେ କାମ କରିବା ଲାଗି ଭାରତର ଗ୍ରାମାଞ୍ଚଳରୁ ଯାଉଥିବା ବ୍ୟକ୍ତିମାନେ ପ୍ରବାସନର ଏହି ଯାତ୍ରାକୁ ଲକ୍ଷ୍ୟରେ ରଖି ଯାଇଥାଆନ୍ତି। ବିଶେଷତଃ ପଞ୍ଜାବର ଲୋକେ ଯାଇଥାଆନ୍ତି ବୋଲି କହନ୍ତି ପ୍ରଫେସର ଭାସ୍ୱତୀ ସରକାର। ସେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ୟୁରୋପିଆନ୍ ଷ୍ଟଡିଜ୍ରେ ଜାଁ ମୋନେଟ୍ ଚେୟାର ଅଛନ୍ତି। ସେ ଆହୁରି କହନ୍ତି, “ଗୋଆ ଓ ଗୁଜରାଟରୁ ଯାଇ ସେଠାରେ ପ୍ରତିଷ୍ଠିତ ସଂପ୍ରଦାୟ ବ୍ୟତୀତ, ଅନେକ ପଞ୍ଜାବୀ ସେଠାକାର ନିର୍ମାଣ ଏବଂ କୃଷି କ୍ଷେତ୍ରରେ ବୃକ୍ଷରୋପଣ ଭଳି ସ୍ୱଳ୍ପ କୁଶଳୀ କାମ କରନ୍ତି।”
ଟେମ୍ପରାରୀ ରେସିଡେନ୍ସୀ କାର୍ଡ (ଟିଆର୍ସି) ନାଁରେ ପରିଚିତ ପର୍ତ୍ତୁଗାଲର ବାସିନ୍ଦା ଅନୁମତିପତ୍ରର ସବୁଠାରୁ ବଡ଼ ସୁବିଧା ହେଉଛି ଯେ ଏହାକୁ ନେଇ ସେନ୍ଜେନ୍ ରାଷ୍ଟ୍ରସମୂହ ଅନ୍ତର୍ଗତ ୧୦୦ରୁ ଅଧିକ ଦେଶରେ ବିନା ଭିସାରେ ପ୍ରବେଶ କରିହେବ। ହେଲେ, ଏବେ ସ୍ଥିତି ବଦଳିବାରେ ଲାଗିଛି- ୨୦୨୪ ଜୁନ୍ ୩ ତାରିଖରେ ପର୍ତ୍ତୁଗାଲର କେନ୍ଦ୍ର-ବାମପନ୍ଥୀ ଡେମୋକ୍ରାଟିକ୍ ଆଲାଏନ୍ସ (ଏଡି)ର ଲୁଇ ମଣ୍ଟେନେଗ୍ରୋ ଏକ ନିର୍ଦ୍ଦେଶନାମା ଜାରି କରି କାଗଜପତ୍ର ନଥାଇ ବସବାସ କରୁଥିବା ପ୍ରବାସୀମାନଙ୍କ ପାଇଁ ବିଦେଶାଗତ ନାଗରିକ ଆଇନକୁ କଡ଼ାକଡ଼ି କରିଛନ୍ତି।
ଏହି ନୂତନ ଆଇନ ଅନୁସାରେ, ପର୍ତ୍ତୁଗାଲରେ ବସବାସ କରିବାକୁ ଚାହୁଁଥିବା ଯେ କୌଣସି ବିଦେଶୀ ନାଗରିକ ଏଠାକୁ ଯାତ୍ରା କରିବା ପୂର୍ବରୁ ତାଙ୍କୁ କାର୍ଯ୍ୟ ଅନୁମତିପତ୍ର ବା ୱାର୍କ ପର୍ମିଟ୍ ପାଇଁ ଆବେଦନ କରିବାକୁ ପଡ଼ିବ। ଭାରତୀୟ ପ୍ରବାସୀମାନଙ୍କ ଉପରେ, ନିର୍ଦ୍ଦିଷ୍ଟ ଭାବରେ ପଞ୍ଜାବ ଓ ହରିଆଣାର ପ୍ରବାସୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ।
ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ପ୍ରବାସନ ସଂପର୍କରେ କଠୋର ଆଭିମୁଖ୍ୟ ପୋଷଣ କରୁଛନ୍ତି। କିନ୍ତୁ ପ୍ରଫେସର ସରକାର କହନ୍ତି ଯେ, ଅନିୟମିତ ତଥା ଉଚ୍ଚାକାଂକ୍ଷୀ ପ୍ରବାସୀମାନଙ୍କ ଧାରାକୁ ଏଭଳି ଆଇନ ପ୍ରତିହତ କରିପାରିବ ନାହିଁ। “ଏ କ୍ଷେତ୍ରରେ ନିଜ ନିଜର ମୂଳ ଦେଶରେ ସୁଯୋଗ ସୃଷ୍ଟି, ସୁରକ୍ଷା ଓ ନିରାପତ୍ତା ପ୍ରଦାନ ସହାୟକ ହେବ,” ସେ କହନ୍ତି।
ପର୍ତ୍ତୁଗାଲର ଏଆଇଏମ୍ଏ (ଏଜେନ୍ସୀ ଫର୍ ଇଣ୍ଟିଗ୍ରେସନ, ମାଇଗ୍ରେସନ ଆଣ୍ଡ ଆସାଇଲମ) ସଂସ୍ଥାରେ ୪,୧୦,୦୦୦ ମାମଲା ବିଚାର ଅପେକ୍ଷାରେ ରହିଛି। ବିଦେଶାଗତ ସଂପ୍ରଦାୟର ବ୍ୟକ୍ତିମାନେ ଦୀର୍ଘ ଦିନ ହେଲା କରିଆସୁଥିବା ନିବେଦନର ବିଚାର କରିବା ପାଇଁ ବିଦେଶାଗତ ବ୍ୟକ୍ତିଙ୍କ କାଗଜପତ୍ର ଏବଂ ଭିସାର ଅବଧି ଆଉ ଗୋଟିଏ ବର୍ଷ ପାଇଁ, ଅର୍ଥାତ୍ ୨୦୨୫ ଜୁନ୍ ଯାଏଁ ବୃଦ୍ଧି କରାଯାଇଛି।
‘ଆଇନସମ୍ମତ ବାଟ ଦେଇ ଭାରତୀୟ ଶ୍ରମିକଙ୍କୁ ପଠାଇବା ଏବଂ ଗ୍ରହଣ କରିବା’ ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ଲାଗି ୨୦୨୧ରେ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଇଟାଲୀ, ଜର୍ମାନୀ, ଅଷ୍ଟ୍ରିଆ, ଫ୍ରାନ୍ସ, ଫିନ୍ଲ୍ୟାଣ୍ଡ ଭଳି କେତେକ ୟୁରୋପୀୟ ଦେଶ ସହିତ ପ୍ରବାସନ ଏବଂ ନାଗରିକମାନଙ୍କ ଗମନାଗମନ ସଂପର୍କିତ ବୁଝାମଣାପତ୍ରରେ ଭାରତ ସରକାର ସ୍ୱାକ୍ଷର କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ, ଯେଉଁ କ୍ଷେତ୍ରରେ ଲୋକେ ଏଭଳି ବେଆଇନ ପ୍ରବାସନର ନିଷ୍ପତ୍ତି ନେଉଛନ୍ତି, ସେଠାରେ ଲୋକଙ୍କୁ ଶିକ୍ଷିତ କରିବା ଏବଂ ସୂଚନା ଦେବା ଦିଗରେ ସେମିତି କିଛି ପ୍ରୟାସ କରାଯାଇନାହିଁ।
ଏ ସଂପର୍କରେ ମତାମତ ଓ ମନ୍ତବ୍ୟ ପାଇଁ ଏହି ସାମ୍ବାଦିକମାନେ ଉଭୟ ଭାରତ ଓ ପର୍ତ୍ତୁଗାଲ ସରକାରଙ୍କ ସହିତ ସଂପର୍କ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ବାରମ୍ବାର ଅନୁସନ୍ଧାନ ସତ୍ତ୍ୱେ କାହାରିଠାରୁ ଉତ୍ତର ମିଳି ନଥିଲା।

ଭାରତରେ ଚାକିରି ଖୋଜି ବିଫଳ ହେବା ପରେ ସିଂହଙ୍କ ଭଳି ଯୁବକମାନେ ପ୍ରବାସନରେ ଯିବା ପାଇଁ ବ୍ୟଗ୍ର ହୋଇ ଉଠନ୍ତି
*****
ସିଂହ ଯେତେବେଳେ ପର୍ତ୍ତୁଗାଲକୁ ତାଙ୍କ ‘ସ୍ୱପ୍ନ’ର ଲକ୍ଷ୍ୟସ୍ଥଳ ବୋଲି ସ୍ଥିର କଲେ, ସେଠାରେ ମଧ୍ୟ ନିଯୁକ୍ତି ସୁଯୋଗର ଅଭାବ ରହିଥିବା କଥା ପ୍ରଥମେ ତାଙ୍କ ନଜରକୁ ଆସିଲା ଏବଂ ସେଠାରେ ରହିବା ଲାଗି ବାସିନ୍ଦା ଅନୁମତିପତ୍ର ହାସଲ କରିବା କଷ୍ଟକର ହୋଇଥିବା କଥା ତାଙ୍କୁ ମଧ୍ୟ ଚିନ୍ତିତ କରିଥିଲା। ୟୁରୋପକୁ ଯିବା ପାଇଁ ଯୋଜନା କରିବା ସମୟରେ ସେ ଏଥିରୁ କିଛି ହେଲେ ଜାଣି ନଥିଲେ।
ସେ ‘ପରୀ’କୁ କହିଲେ, “ପ୍ରଥମେ ପର୍ତ୍ତୁଗାଲରେ ପହଞ୍ଚି ମୋତେ ଖୁବ୍ ଭଲ ଲାଗିଲା। ପରେ, ମୁଁ ଜାଣିଲି ଯେ ଏଠାରେ ମଧ୍ୟ ନିଯୁକ୍ତି ସୁଯୋଗ ଖୁବ୍ କମ୍, ଏବଂ ଏସିଆର ଅନେକ ଲୋକ ଏଠାରେ ରହୁଥିବାରୁ କାମ ପାଇବାର ସମ୍ଭାବନା ଶୂନ। ତେଣୁ, ଏଠାରେ ଚାକିରି ସୁଯୋଗ ନିହାତି କମ୍।”
ସିଂହ ଏଠାରେ ରହିଥିବା ବିଦେଶାଗତ-ବିରୋଧୀ ମନୋଭାବ କଥା ମଧ୍ୟ କହନ୍ତି। “ସେମାନେ ବିଦେଶରୁ ଆସିଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ। ତଥାପି, କୃଷି ଓ ନିର୍ମାଣ ସ୍ଥଳରେ କଠିନ ଶାରୀରିକ ପରିଶ୍ରମ ଜଡ଼ିତ କାମ କରିବା ଲାଗି ସେମାନେ ଆମକୁ ଚାହାଁନ୍ତି।” ଏଠାରେ ଭାରତୀୟମାନେ ସବୁଠାରୁ କଠିନ କାମ କରନ୍ତି, ଯାହାକୁ ସରକାର କହନ୍ତି “୩ଡି କାମ – ଡାର୍ଟି (ଅପରିଷ୍କାର), ଡେଞ୍ଜରସ (ବିପଜ୍ଜନକ) ଏବଂ ଡିମିନିଂ (ମର୍ଯ୍ୟାଦାହୀନ), ଯେଉଁ କାମକୁ ଏଠାକାର ସ୍ଥାନୀୟ ଲୋକେ କରିବାକୁ ଚାହାଁନ୍ତିନି।” ସେମାନଙ୍କର ଅନିଶ୍ଚିତ ସାମାଜିକ ମାନ୍ୟତା କାରଣରୁ, ସେମାନେ ଆଇନଗତ ଭାବରେ ନିର୍ଦ୍ଧାରିତ ମଜୁରି ଅପେକ୍ଷା କମ୍ ମଜୁରିରେ ଏହି କାମ କରିବାକୁ ପ୍ରସ୍ତୁତ ହୋଇଥାଆନ୍ତି।
ଏହି ସବୁ କାମ ଖୋଜୁଥିବା ଜଣେ ବ୍ୟକ୍ତି ଭାବରେ ସିଂହ ଆଉ ଗୋଟିଏ କଥା ବି ଲକ୍ଷ୍ୟ କରିଥିଲେ। ଗୋଟିଏ ଷ୍ଟିଲ୍ କାରଖାନାର ସମସ୍ତ ପାଞ୍ଚଟି ଶାଖାରେ, ଶ୍ରମିକମାନଙ୍କ ପାଇଁ ଥିବା ନିର୍ଦ୍ଦେଶାବଳୀ ପର୍ତ୍ତୁଗୀଜ୍ ଭାଷା ସହିତ ପଞ୍ଜାବୀ ଭାଷାରେ ବି ଲେଖା ହୋଇଥିଲା। “ଏମିତି କି ଚାକିରି ସଂପର୍କିତ ଚୁକ୍ତିନାମାରେ ବି ପଞ୍ଜାବୀ ଭାଷାର ଅନୁବାଦ ରହିଥାଏ। ଏହା ସତ୍ତ୍ୱେ, ଆମେ ଯଦି ସେମାନଙ୍କୁ ସିଧାସଳଖ ଭେଟି ଚାକିରି ପାଇଁ କହିଥାଉ, ଉତ୍ତରରେ ସେମାନେ ‘କୌଣସି କାମ ନାହିଁ’ ବୋଲି କହିଥାଆନ୍ତି.” ସିଂହ କହନ୍ତି।

ସିଂହ କହନ୍ତି ଯେ, ପର୍ତ୍ତୁଗାଲରେ ବିଦେଶାଗତ-ବିରୋଧୀ ମନୋଭାବ ସ ତ୍ତ୍ୱେ , ସୌଭାଗ୍ୟକ୍ରମେ ତାଙ୍କୁ ଜଣେ ଦୟାଳୁ ଓ ସାହାଯ୍ୟକାରୀ ଘରମାଲିକ ମିଳିଥିଲେ
ଜଣେ ନଥିଭୁକ୍ତ ହୋଇ ନଥିବା ପ୍ରବାସୀ ରୂପରେ, ଗୋଟିଏ ନିର୍ମାଣସ୍ଥଳୀରେ ଚାକିରି ପାଇବା ଲାଗି ତାଙ୍କୁ ସାତ ମାସ ଲାଗିଯାଇଥିଲା।
“ଚୁକ୍ତିନାମା ସହିତ ଆଗୁଆ ଇସ୍ତଫାପତ୍ରରେ ସ୍ୱାକ୍ଷର କରିବା ଲାଗି ବିଭିନ୍ନ କମ୍ପାନୀ କର୍ମଚାରୀମାନଙ୍କୁ କହନ୍ତି। ଯଦିଓ ସେମାନେ ମାସିକ ମଜୁରି ବାବଦରେ ସର୍ବନିମ୍ନ ୯୨୦ ୟୁରୋ ପାଆନ୍ତି, ତଥାପି କେତେବେଳେ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ ସେ କଥା କର୍ମଚାରୀମାନେ ଜାଣି ନଥାଆନ୍ତି,” ସିଂହ କହନ୍ତି। ସେ ମଧ୍ୟ ଆଗୁଆ ଇସ୍ତଫାପତ୍ରରେ ସ୍ୱାକ୍ଷର କରିଥିଲେ। ସେ ଏଠାରେ ରହିବା ଲାଗି ଆବାସିକ ଭିସା ନିମନ୍ତେ ଆବେଦନ କରିଛନ୍ତି ଏବଂ ଆଇନଗତ ଭାବେ ରହିବେ ବୋଲି ଆଶାପୋଷଣ କରନ୍ତି।
“ ବସ୍ ହୁଁ ତାଁ ଆହି ସପ୍ନା ଆହ କି, ଘର ବନ୍ ଜାୟେ, ସିଷ୍ଟର ଦା ବ୍ୟାହ ହୋ ଜେ, ତେ ଫେର ଇଥେ ଅପ୍ଣେ ଡକ୍ୟୁମେଣ୍ଟ୍ସ ବନା କେ ଫ୍ୟାମିଲି ନୁ ଭି ବୁଲା ଲୈୟେ (ଏବେ ମୋର ସ୍ୱପ୍ନ ହେଉଛି ପଞ୍ଜାବରେ ଘରଟିଏ ତିଆରି କରିବି, ଭଉଣୀର ବିବାହ କରାଇବି ଏବଂ ଆଇନ ଅନୁସାରେ ଏଠାରେ ରହିବି, ଯାହା ଫଳରେ କି ମୋ ପରିବାରକୁ ଏଠାକୁ ଆଣିପାରିବି)”, ୨୦୨୩ ନଭେମ୍ବରରେ ଆମ ସହ କଥାବାର୍ତ୍ତା ଅବସରରେ କହନ୍ତି ସିଂହ।
୨୦୨୪ରେ ସିଂହ ଘରକୁ ପଇସା ପଠାଇବା ଆରମ୍ଭ କରିଛନ୍ତି ଏବଂ ଏବେ ତାଙ୍କ ବାପାମାଆଙ୍କ ସହିତ ସଂପର୍କରେ ଅଛନ୍ତି। ସେମାନେ ଏବେ ନିଜର ଘର ତିଆରି କରୁଛନ୍ତି। ଘରର ରୂପରେଖ ପ୍ରସ୍ତୁତିରେ ପର୍ତ୍ତୁଗାଲରେ ତାଙ୍କ ଚାକିରିର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି।
ପର୍ତ୍ତୁଗାଲରୁ କରନ ଧିମାନଙ୍କ ଦ୍ୱାରା ଅତିରିକ୍ତ ରିପୋର୍ଟିଂ
ଜର୍ଣ୍ଣାଲିଜ୍ମ ଫଣ୍ଡ ସହାୟତାରେ ମଡର୍ଣ୍ଣ ସ୍ଲେଭରୀ ଗ୍ରାଣ୍ଟ୍ ଅନ୍ଭେଲ୍ଡ ଶୀର୍ଷକ କାର୍ଯ୍ୟକ୍ରମରେ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଏହି ଅନୁସନ୍ଧାନ କରାଯାଇଛି ।
ଅନୁବାଦ: ଓଡ଼ିଶାଲାଇଭ୍