“ ଶାସନ କା ବରା କଦର କରତ ନାହି ଆମଚ୍ୟା ମେହନାତିଚି (ସରକାର କାହିଁକି ଆମର କଠିନ ପରିଶ୍ରମକୁ ସ୍ୱୀକାର କରୁନାହାନ୍ତି)?” ପଚାରନ୍ତି ଅଙ୍ଗନବାଡ଼ି କର୍ମୀ ମଙ୍ଗଲ କରପେ।
“ ଦେଶଲା ନିରୋଗୀ, ସୁଦୃଢ଼ ଥେବନ୍ୟାତ ଆମଚା ମୋଥା ହାଥଭର ଲଗତୋ (ଦେଶକୁ ସୁସ୍ଥ ଏବଂ ସୁଦୃଢ଼ ରଖିବାରେ ଆମର ଅନେକ ଅବଦାନ ରହିଛି),” ସେ କହନ୍ତି । ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ଏବଂ ସେମାନଙ୍କ ଛୋଟ ଛୋଟ ଶିଶୁମାନଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାକୁ ତାଙ୍କ ଭଳି ଅଙ୍ଗନବାଡ଼ି କର୍ମୀମାନେ ହିଁ କାର୍ଯ୍ୟକାରୀ କରାଉଥିବା କଥାକୁ ଉପଲକ୍ଷ୍ୟ କରି ସେ ଏହା କହନ୍ତି ।
ଅଣଚାଳିଶ ବର୍ଷ ବୟସ୍କା ମଙ୍ଗଲ, ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ରାହତା ତାଲୁକା ଅନ୍ତର୍ଗତ ଡୋହାଲେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା କରନ୍ତି । ତାଙ୍କ ଭଳି ଦୁଇ ଲକ୍ଷରୁ ଅଧିକ ମହିଳା ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ବା ସହାୟିକା ଭାବରେ କାମ କରନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପରିଚାଳିତ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟ ସେବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ପ୍ରାରମ୍ଭିକ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସେମାନେ କାର୍ଯ୍ୟକାରୀ କରାନ୍ତି ।
ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରିବା ସକାଶେ ୨୦୨୩ ଡିସେମ୍ବର ୫ ତାରିଖରୁ ସାରା ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେମାନେ ଶହ ଶହ ସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି ।
“ପୂର୍ବରୁ ମଧ୍ୟ ଆମେ ଅନେକ ଥର ଆନ୍ଦୋଳନ କରିଛୁ,” ମଙ୍ଗଲ କହନ୍ତି । “ଆମେ ସରକାରୀ କର୍ମଚାରୀ ଅନୁରୂପ ମାନ୍ୟତା ଦାବି କରୁଛୁ । ଆମେ ଚାହୁଁଛୁ ମାସକୁ ୨୬,୦୦୦ (ଟଙ୍କା) ଦରମା । ଆମର ଦରକାର ଚାକିରିରୁ ଅବସର ନେବା ପରେ ପେନସନ୍, ଗସ୍ତ ଓ ଇନ୍ଧନ ଭତ୍ତା,” ଆନ୍ଦୋଳନକାରୀମାନଙ୍କର ମୁଖ୍ୟ ଦାବି ସଂପର୍କରେ ସୂଚାଇ ଦେବାକୁ ଯାଇ ସେ କହନ୍ତି ।


ବାମ: ଅଙ୍ଗନବାଡ଼ି କର୍ମୀ ଭାବରେ ତାଙ୍କୁ ମିଳୁଥିବା ମାସିକ ୧୦,୦୦୦ ଟଙ୍କା ପାରିଶ୍ରମିକ ଯଥେଷ୍ଟ ହେଉ ନଥିବାରୁ ମଙ୍ଗଲ କରପେ ଭିନ୍ନ ଭିନ୍ନ କାମ କରି ଜୀବନ ନିର୍ବାହ କରନ୍ତି


ସରକାରୀ କର୍ମଚାରୀ ମାନ୍ୟତା, ପେନସନ୍ ଏବଂ ବର୍ଦ୍ଧିତ ପାରିଶ୍ରମିକ ଦାବି କରି ୨୦୨୩ ଡିସେମ୍ବର ୮ ତାରିଖ ଦିନ ରାହତା ତାଲୁକାରୁ ଆସିଥିବା ଶହ ଶହ କର୍ମୀ ଓ ସହାୟିକା ଶିରଡି ସହରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ପଦଯାତ୍ରା କରିଥିଲେ
ପ୍ରତିବାଦ ଆନ୍ଦୋଳନର ତୃତୀୟ ଦିନରେ, ଏହି ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ, ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ୨୦୨୩ ଡିସେମ୍ବର ୮ ତାରିଖ ଦିନ ଶହ ଶହ କର୍ମୀ ପଦଯାତ୍ରାରେ ଯାଇ ଶିରଡି ସହରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
“ଆମେ ଆତ୍ମସମ୍ମାନର ସହ ଜୀବନ କାଟିବା ପାଇଁ (ସେମାନଙ୍କ ପାଖରେ) ଦାବି କରି କ’ଣ କିଛି ଭୁଲ କରୁଛୁ,” ୫୮ ବର୍ଷୀୟା ଅଙ୍ଗନବାଡ଼ି କର୍ମୀ ମନ୍ଦା ରୁକାରେ କହନ୍ତି । ସେ ଚିନ୍ତିତ ଯେ, ତାଙ୍କ ବୟସ ୬୦ ପାଖାପାଖି ହେଲାଣି: “ଆଉ କେଇଟା ବର୍ଷ ପରେ ମୁଁ ଅବସର ନେବି । ମୁଁ ଯେତେବେଳେ କୌଣସି କାମ ଲାଗି ଶାରୀରିକ ଭାବେ ସକ୍ଷମ ହେବି ନାହିଁ, ସେତେବେଳେ କିଏ ମୋର ଦେଖାଶୁଣା କରିବ?” ମନ୍ଦା ଗତ ୨୦ ବର୍ଷ ହେଲା, ସେହି ଅହମଦନଗର ଜିଲ୍ଲାରେ ଅବସ୍ଥିତ ତାଙ୍କ ଗାଁ ରୁଇର ଅଙ୍ଗନବାଡ଼ିରେ କାମ କରିଆସୁଛନ୍ତି । “ମୋର ସେବା ପ୍ରତିବଦଳରେ ସାମାଜିକ ସୁରକ୍ଷା ଭାବରେ ମୋତେ କ’ଣ ମିଳିବ?” ସେ ପଚାରନ୍ତି ।
ସଂପ୍ରତି ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନେ ମାସିକ ୧୦,୦୦୦ ଟଙ୍କା ଓ ସହାୟିକାମାନେ ମାସିକ ୫,୫୦୦ ଟଙ୍କା ପାରିଶ୍ରମିକ ପାଉଛନ୍ତି । “ମୁଁ କାମ ଆରମ୍ଭ କରିବା ବେଳେ ମାସକୁ ୧,୪୦୦ (ଟଙ୍କା) ପାଉଥିଲି । ବର୍ଷ ବର୍ଷ ଧରି କାମ କରିବା ପରେ, ସେବେଠାରୁ (୨୦୦୫ରୁ) ଏଥିରେ ମାତ୍ର ୮,୬୦୦ ଟଙ୍କା ବୃଦ୍ଧି ହୋଇଛି,” ମଙ୍ଗଲ ସୂଚାଇ ଦିଅନ୍ତି ।
ଗହ୍ୱାଣେ ବସ୍ତିର ଅଙ୍ଗନବାଡ଼ିରେ ମଙ୍ଗଲ ୫୦ ଜଣ ଶିଶୁଙ୍କର ଯତ୍ନ ନିଅନ୍ତି- ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ବୟସ ୩ରୁ ୬ ବର୍ଷ ମଧ୍ୟରେ । ସେଠାରେ, “ପିଲାମାନେ ପ୍ରତିଦିନ କେନ୍ଦ୍ରକୁ ଆସୁଛନ୍ତି ବୋଲି ମୁଁ ନିଶ୍ଚିତ କରିନେବା ଦରକାର।” ତେଣୁ ଅନେକ ସମୟରେ ସେ ତାଙ୍କ ସ୍କୁଟରରେ ନିଜେ ସେମାନଙ୍କୁ ଆଣି ଆସନ୍ତି ।
ହେଲେ, ସବୁ ସେତିକି ନୁହେଁ । ସେ ମଧ୍ୟ, “ସକାଳର ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ରାନ୍ଧନ୍ତି ଏବଂ ସେମାନେ, ବିଶେଷତଃ ପୁଷ୍ଟିହୀନତାରେ ପୀଡ଼ିତ ପିଲାମାନେ ଯେ, ଉପଯୁକ୍ତ ଭାବରେ ଖାଇଛନ୍ତି, ତାହା ସୁନିଶ୍ଚିତ କରନ୍ତି ।” ତଥାପି ଏତିକିରେ ତାଙ୍କର ଦିନକର କାମ ସରେ ନାହିଁ- ତାଙ୍କୁ ପ୍ରତିଟି ଶିଶୁ ସଂପର୍କିତ ରେକର୍ଡ ରଖିବାକୁ ପଡ଼େ ଏବଂ ‘ପୋଷଣ’ ‘ଟ୍ରାକର୍ ଆପ୍’ରେ ଏ ସଂପର୍କିତ ସଦ୍ୟତମ ବିବରଣୀ ପୂରଣ କରିବାକୁ ପଡ଼େ - ଏହା ଏକ ସମୟସାପେକ୍ଷ ଏବଂ କ୍ଳାନ୍ତିକର ଡାଟା ଏଣ୍ଟ୍ରି କାମ ।


ଖୁବ୍ ଶୀଘ୍ର ଚାକିରିରୁ ଅବସର ନେବେ ମନ୍ଦା ରୁକାରେ ଏବଂ ସେ କହନ୍ତି ଯେ ଲୋକଙ୍କ ସେବାଯତ୍ନରେ ଦଶନ୍ଧି ଦଶନ୍ଧି ବିତାଇ ଦେଇଥିବା ତାଙ୍କ ଭଳି ମହିଳାଙ୍କ ପାଇଁ ଏକ ପେନସନ୍ ଯୋଜନାର ଆବଶ୍ୟକତା ରହିଛି । “ଜଣେ ଅଙ୍ଗନବାଡ଼ି କର୍ମୀ ଭାବରେ ତାଙ୍କୁ ସବୁ ପ୍ରକାର ପୁଷ୍ଟିଯୋଗାଣ ରେକର୍ଡ ସଂପର୍କରେ ‘ପୋଷଣ ଟ୍ରାକର୍ ଆପ୍’ରେ ସଦ୍ୟତମ ତଥ୍ୟ ପୂରଣ କରିବାକୁ ପଡ଼େ । ‘ମୋତେ ମୋ ପକେଟରୁ ଖର୍ଚ୍ଚ କରିବାକୁ ପଡ଼େ’। ବହୁ ପରିମାଣର ତଥ୍ୟ ପ୍ରଦାନ କରାଯାଉଥିବାରୁ ଦିନକୁ ୨ଜିବି ଆଦୌ ପର୍ଯ୍ୟାପ୍ତ ନୁହେଁ” ମଙ୍ଗଲ କହନ୍ତି


ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟ, ପୋଷଣ ଏବଂ ପ୍ରାରମ୍ଭିକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ହିଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳ
“ଡାଏରୀ ଓ ଅନ୍ୟାନ୍ୟ ଅଫିସ୍ ସାମଗ୍ରୀ, ‘ପୋଷଣ ଆପ୍’ ପାଇଁ ଇଣ୍ଟରନେଟ୍ ରିଚାର୍ଜ, ଘରକୁ ଘର ବୁଲିବା ପାଇଁ ଇନ୍ଧନ ପ୍ରଭୃତି ସବୁ ଖର୍ଚ୍ଚ ଆମକୁ ନିଜ ପକେଟରୁ କରିବାକୁ ପଡ଼େ,” ମଙ୍ଗଲ କହନ୍ତି । “ଯେଉଁ ଟଙ୍କା ମିଳେ ସେଥିରୁ ବେଶୀ କିଛି ବଳକା ରହେ ନାହିଁ ।”
ସେ ଜଣେ ଗ୍ରାଜୁଏଟ୍ ଏବଂ ଗତ ୧୮ ବର୍ଷ ହେଲା ଏହି କାମ କରିଆସୁଛନ୍ତି । ଘରେ ତାଙ୍କର ଦୁଇ ପିଲାଙ୍କ ଦାୟିତ୍ୱ ସେ ଏକାକୀ ସମ୍ଭାଳୁଛନ୍ତି । ପୁଅ ସାଇର ବୟସ ୨୦ ଏବଂ ଝିଅ ବୈଷ୍ଣବୀକୁ ୧୮ ବର୍ଷ । ସାଇ ଇଞ୍ଜିନିୟରିଂ ଡିଗ୍ରୀ ପାଇଁ ପଢୁଥିବା ବେଳେ ବୈଷ୍ଣବୀ ‘ନିଟ୍’ (NEET) ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଛନ୍ତି । ‘ମୁଁ ଚାହେଁ ମୋ ପିଲାମାନେ ସବୁଠୁ ଭଲ ଶିକ୍ଷା ପାଆନ୍ତୁ । ବର୍ଷକୁ ଆମର ହଜାର ହଜାର (ଟଙ୍କା) ଖର୍ଚ୍ଚ ହେଉଛି । ମାତ୍ର ୧୦,୦୦୦ ଟଙ୍କାରେ ଏହା ସହିତ ପରିବାରର ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ଖୁବ୍ କଷ୍ଟକର,” ସେ କହନ୍ତି ।
ତେଣୁ ରୋଜଗାରର ଅନ୍ୟ ପନ୍ଥା ଖୋଜିବାକୁ ବାଧ୍ୟ ହୋଇଛନ୍ତି ମଙ୍ଗଲ । “ମୁଁ ଘରକୁ ଘର ବୁଲି ବ୍ଲାଉଜ୍ କି ଅନ୍ୟ ପୋଷାକପତ୍ର (ଭଳି) କାହାର କ’ଣ ସିଲେଇ କରିବାକୁ ଅଛି ବୋଲି ପଚାରେ । ଏହା ସହିତ ମୁଁ ଲୋକଙ୍କ ପାଇଁ ଛୋଟ ଛୋଟ ଭିଡିଓ ସଂପାଦନା କରେ, ଇଂରାଜୀରେ ବିଭିନ୍ନ ଫର୍ମ ପୂରଣ କରିବାରେ ସେମାନଙ୍କ ସହାୟତା କରେ । ଯେ କୌଣସି ଛୋଟମୋଟ କାମ ବି କରେ । ଆଉ ମୁଁ ବା କ’ଣ କରିପାରିବି ?” କାହିଁକି ସେ କାମ ଖୋଜି ବୁଲୁଥାଆନ୍ତି ବୋଲି ବୁଝାଇବାକୁ ଯାଇ ସେ କହନ୍ତି ।
ଅଙ୍ଗନବାଡ଼ି କର୍ମୀମାନଙ୍କର ସଂଘର୍ଷ ଠିକ୍ ‘ଆଶା’ କର୍ମୀମାନଙ୍କ ଭଳି । ‘ଆଶା’- ଆକ୍ରେଡିଟେଡ୍ ସୋସିଆଲ ହେଲଥ ଆକ୍ଟିଭିଷ୍ଟ ବା ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ । (ପଢ଼ନ୍ତୁ: ଗାଁର ସ୍ୱାସ୍ଥ୍ୟ ଆଶାଙ୍କ ଯତ୍ନ ଉପରେ ନିର୍ଭରଶୀଳ ) ଉଭୟ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ଜନ୍ମ, ଟିକାଦାନ, ପୁଷ୍ଟିଯୋଗାଣରୁ ଆରମ୍ଭ କରି ଯକ୍ଷ୍ମା କିମ୍ବା କୋଭିଡ୍-୧୯ ଭଳି ବିଶ୍ୱ ମହାମାରୀ ସମୟରେ ପ୍ରତିଷେଧମୂଳକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେବା ପ୍ରଦାନ କରିଥାଆନ୍ତି ।


ସାରା ମହାରାଷ୍ଟ୍ରରେ ୨୦୨୩ ଡିସେମ୍ବର ୫ରୁ ଏହି ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହେଲା । ‘ଆମେ ଆଗରୁ ବି ଅନେକ ଥର ଏମିତି ପ୍ରତିବାଦ କରିଛୁ,’ ମଙ୍ଗଲ କହନ୍ତି
୨୦୨୨ ଏପ୍ରିଲରେ ସୁପ୍ରିମ କୋର୍ଟ ଦେଇଥିବା ରାୟରେ, ପୁଷ୍ଟିହୀନତା ଏବଂ କୋଭିଡ୍- ୧୯ର ମୁକାବିଲା କରିବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କର ଭୂମିକାକୁ ‘ଗୁରୁତ୍ୱପୂର୍ଣ୍ଣ’ ଏବଂ ‘ତାତ୍ପର୍ଯ୍ୟପୂର୍ଣ୍ଣ’ ବୋଲି ସ୍ୱୀକାର କରିଥିଲେ । ଯୋଗ୍ୟ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ‘ବାର୍ଷିକ ୧୦ ପ୍ରତିଶତ ସରଳ ସୁଧ ସହିତ’ ‘ଗ୍ରାଚୁଇଟି ପାଇବାକୁ ହକଦାର’ ବୋଲି କୋର୍ଟ ଏହି ରାୟରେ ନିର୍ଦ୍ଦେଶ ଦେଇଥିଲେ ।
ଏହି ରାୟର ଉପସଂହାରରେ ବିଚାରପତି ଅଜୟ ରାସ୍ତୋଗି ତାଙ୍କ ମନ୍ତବ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ‘ନିରବରେ କାମ କରିଚାଲିଥିବା ଏହି ବ୍ୟକ୍ତିମାନଙ୍କୁ ସେମାନଙ୍କ କାମ ଉପଯୋଗୀ ଉନ୍ନତ ଚାକିରି ସର୍ତ୍ତାବଳୀ ପ୍ରଦାନ ନିମନ୍ତେ ଉପାୟ ଖୋଜିବାକୁ’ ଉଲ୍ଲେଖ କରିଥିଲେ ।
ଏହାର କାର୍ଯ୍ୟକାରିତାକୁ ଅପେକ୍ଷା କରି ରହିଛନ୍ତି ମଙ୍ଗଲ, ମନ୍ଦା ଏବଂ ଲକ୍ଷ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ।
“ଏଥର ଆମେ ସରକାରଙ୍କ ପାଖରୁ ଲିଖିତ ପ୍ରତିଶ୍ରୁତି ଚାହୁଁ । ତାହା ନହେଲା ପର୍ଯ୍ୟନ୍ତ ଆମେ ଧର୍ମଘଟରୁ ଓହରି ଯିବୁ ନାହିଁ । ଏହା ଆମମାନଙ୍କ ଲାଗି ଆତ୍ମସମ୍ମାନର ପ୍ରଶ୍ନ । ଏହା ଆମ ଅସ୍ତିତ୍ୱର ପ୍ରଶ୍ନ,” କଥା ଯୋଡ଼ି କହନ୍ତି ମଙ୍ଗଲ ।
ଅନୁବାଦ : ଓଡ଼ିଶାଲାଇଭ୍