ଶ୍ରୀ ଭାଦରିୟା ମାତା ମନ୍ଦିରର ପ୍ରବେଶ ଦ୍ୱାରରେ ଗାୟକମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥାନ୍ତି। ଆମେ ଯେମିତି ଶିଢ଼ିରେ ଓହ୍ଲାଇ ପ୍ରାୟ ୨୦୦ ବର୍ଷ ପୁରୁଣା ଢାଞ୍ଚା ତଳେ ଥିବା ଭୂତଳ ଗୃହ ଭିତରକୁ ପ୍ରବେଶ କରୁ, ସେମାନଙ୍କ ସ୍ୱର ଧୀରେ ଧୀରେ ନିରବୀ ଯାଏ। ତା’ପରେ ଅଚାନକ ସେମାନଙ୍କ ସ୍ୱର ଆଉ ଶୁଭେ ନାହିଁ - ସେତେବେଳକୁ ଆମେ ମାଟିତଳେ ପ୍ରାୟ ୨୦ ଫୁଟ ଗଭୀରରେ ଥିବା ଏକ ଭୂତଳ ଗୃହରେ ପହଞ୍ଚି ସାରିଥାଉ।
ସେଠାରେ ଆମେ ଦେଖୁ ପ୍ରାୟ ୧୫,୦୦୦ ବର୍ଗଫୁଟ୍ ସ୍ଥାନରେ ପରିବ୍ୟାପ୍ତ ଏକ ପାଠାଗାର ଯାହାର ନିର୍ମାଣଶୈଳୀ କୌଣସି ଏକ ଜଟିଳ ପ୍ରହେଳିକା ଭଳି। ପାଠଗାରର ସଂକୀର୍ଣ୍ଣ ଗଳିରେ ଅଳ୍ପ କିଛି ବ୍ୟବଧାନରେ ୫୬୨ଟି ଆଲମାରୀ ଥୁଆ ହୋଇଛି ଯେଉଁଥିରେ ୨ ଲକ୍ଷରୁ ଅଧିକ ପୁସ୍ତକ ରଖାଯାଇଛି। ଚମଡ଼ା ମଲାଟ ଥିବା ଗ୍ରନ୍ଥ, ଛାଲ ଉପରେ ଲେଖା ହୋଇଥିବା ପୁରୁଣା ପାଣ୍ଡୁଲିପି, ହିନ୍ଦୁଧର୍ମ, ଇସଲାମ, ଖ୍ରୀଷ୍ଟିଆନ୍ ଏବଂ ଅନ୍ୟ ଧର୍ମ ତଥା ସମ୍ପ୍ରଦାୟଠାରୁ ଆରମ୍ଭ କରି ଆଇନ, ଚିକିତ୍ସା ବିଜ୍ଞାନ, ଦର୍ଶନଶାସ୍ତ୍ର, ଭୂଗୋଳ, ଇତିହାସ ଏବଂ ଆହୁରି ଅନେକ ନୂଆ ନୂଆ ବିଷୟର ପୁସ୍ତକ ଏଠାରେ ଉପଲବ୍ଧ ରହିଛି। କଥା ସାହିତ୍ୟ ବିଭାଗରେ ମଧ୍ୟ ପୁରୁଣା ଶ୍ରେଷ୍ଠ ରଚନା ସହିତ ନୂଆ ଉପନ୍ୟାସ ଏଠାରେ ସାଇତି ରଖାଯାଇଛି। ଅଧିକାଂଶ ପୁସ୍ତକ ହିନ୍ଦୀ ଭାଷାର ହୋଇଥିବା ବେଳେ କିଛି ଇଂରାଜୀ ଓ ସଂସ୍କୃତ ଭାଷାର ପୁସ୍ତକ ମଧ୍ୟ ରହିଛି।
ପଞ୍ଜାବର ଜଣେ ଧାର୍ମିକ ବିଦ୍ୱାନ ହରବଂଶ ସିଂହ ନିର୍ମଳଙ୍କ ମନରେ ଏହି ପାଠାଗାର ପ୍ରତିଷ୍ଠା କରିବା ଲାଗି ବିଚାର ଜନ୍ମ ନେଇଥିଲା। ତାଙ୍କ ବିଷୟରେ କୁହାଯାଏ ଯେ, ସେ ନିଜ ଜୀବନର ୨୫ ବର୍ଷ ଏହି ମନ୍ଦିର ପରିସରରେ ଥିବା ଏକ ଗୁମ୍ଫାରେ ବିତାଇଥିଲେ ଏବଂ ମନ୍ଦିର ତଳେ ଏହି ପାଠାଗାରକୁ ତିଆରି କରିବା ଲାଗି ସେ ଚିନ୍ତା କରିଥିଲେ। ତେବେ ୨୦୧୦ରେ ନିର୍ମଳଙ୍କ ପରଲୋକ ଘଟିଲା କିନ୍ତୁ ଏହାର ବହୁପୂର୍ବରୁ ସେ ଶିକ୍ଷା ଓ ପ୍ରାଣୀକଲ୍ୟାଣ ଉଦ୍ଦେଶ୍ୟରେ ଯଥେଷ୍ଟ ଅର୍ଥରାଶି ସଂଗ୍ରହ କରି କାମ ଆରମ୍ଭ କରି ଦେଇଥିଲେ।
‘‘ସେ ଜଣେ ମାନବବାଦୀ ଥିଲେ। ସବୁ ଧର୍ମର ଗୋଟିଏ ମୌଳିକ ବାର୍ତ୍ତା ରହିଛି: ମନୁଷ୍ୟର ଚର୍ମ ଓ କେଶର ରଙ୍ଗ ଭିନ୍ନ ହୋଇପାରେ, କିନ୍ତୁ ଭିତରୁ ଆମେ ସମସ୍ତେ ଏକ ସମାନ,’’ ଶ୍ରୀ ଜଗଦମ୍ବା ସେବା ସମିତି ନାମରେ ଗଠିତ ନ୍ୟାସର ସମ୍ପାଦକ ଯୁଗଳ କିଶୋର କୁହନ୍ତି। ମନ୍ଦିର ଓ ପାଠାଗାର ପରିଚାଳନାର ଉତ୍ତରଦାୟିତ୍ୱ ଏହି ନ୍ୟାସ ପାଖରେ ରଖିଛି। ନ୍ୟାସ ଦ୍ୱାରା ଗୋଟିଏ ଗୋଶାଳା ମଧ୍ୟ ପରିଚାଳିତ ହୋଇଥାଏ ଯେଉଁଥିରେ ପ୍ରାୟ ୪୦,୦୦୦ ଗାଈ ରୁହନ୍ତି।

ରାଜସ୍ଥାନର ଜୈସଲମେର ଜିଲ୍ଲା ଧୋଲିୟା ନିକଟରେ ଥିବା ଶ୍ରୀ ଭାଦରିୟା ମାତାଙ୍କ ମନ୍ଦିରରେ ନିର୍ମିତ ଭୂତଳ ପାଠାଗାର


ବାମ : ସ୍ୱର୍ଗତ ହରବଂଶ ସିଂହ ନିର୍ମଳ ଜଣେ ଧାର୍ମିକ ବିଦ୍ୱାନ ଥିଲେ ଏବଂ ସେ ଏହି ପାଠାଗାରକୁ ପ୍ରତିଷ୍ଠା କରିଥିଲେ। ଡାହାଣ: ଶ୍ରୀ ଜଗଦମ୍ବା ସେବା ସମିତି ନ୍ୟାସର ସମ୍ପାଦକ ଯୁଗଳ କିଶୋର। ଏହି ନ୍ୟାସ ପାଖରେ ମନ୍ଦିର, ପାଠାଗାର ଓ ଗୋଶାଳା ପରିଚାଳନା ଦାୟିତ୍ୱ ରହିଛି
ପାଠଗାର ନିର୍ମାଣ କାମ ୧୯୮୩ ମସିହାରେ ଆରମ୍ଭ ହୋଇଥିଲା ଏବଂ ୧୯୯୮ ସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହୋଇସାରିଥିଲା। ଏହାପରେ ପାଠାଗାର ପାଇଁ ପୁସ୍ତକ ସଂଗ୍ରହ କାମ ଆରମ୍ଭ ହେଲା। ‘‘ସେ (ନିର୍ମଳ) ଏହି ପାଠାଗାରକୁ ଏକ ଜ୍ଞାନର କେନ୍ଦ୍ର ଏବଂ ବିଶ୍ୱବିଦ୍ୟାଳୟ ରୂପରେ ବିକଶିତ କରିବାକୁ ଚାହୁଁଥିଲେ,’’ କିଶୋର କୁହନ୍ତି, ‘‘ମହାରାଜା ଜୀ ଚାହୁଁଥିଲେ ଯେ ଲୋକମାନେ ଦୂରଦୂରାନ୍ତ ଅଞ୍ଚଳରୁ ଏଠାକୁ ଆସନ୍ତୁ ଏବଂ ଯେଉଁ ଜ୍ଞାନ ଅନ୍ୟ କୌଣସି ସ୍ଥାନରେ ମିଳୁନାହିଁ, ତାହା ଏଠାରୁ ପ୍ରାପ୍ତ କରନ୍ତୁ।’’
ପାଠାଗାରର ପ୍ରଶାସକ କୁହନ୍ତି ଯେ ଏହାର ପ୍ରତିଷ୍ଠା ପାଇଁ ଭୂତଳ ସ୍ଥାନ ଚୟନ କରାଯିବା ପଛରେ କାରଣଟି ହେଉଛି ଏହାକୁ ଧୂଳି ଓ କ୍ଷତିଠାରୁ ଯଥାସମ୍ଭବ ସୁରକ୍ଷା ଦେବା। ପୋଖରଣ ସ୍ଥିତ ଭାରତୀୟ ସେନାର ଫାୟାରିଂ ରେଞ୍ଜ ଏଠାରୁ ୧୦ କିଲୋମିଟର ଦୂରରେ ରହିଛି ଏବଂ ରାଜସ୍ଥାନର ତୃଣଭୂମିରେ ଜୋରରେ ପବନ ବୋହିଲେ ଚାରି ଆଡ଼େ ଧୂଳି ଭର୍ତ୍ତି ହୋଇଯାଏ।
ଅଶୋକ କୁମାର ଦେବପାଲ ପାଠାଗାର ରକ୍ଷଣାବେକ୍ଷଣ ଦଳରେ କାମ କରିଥାନ୍ତି। ସେ କୁହନ୍ତି, ପାଠାଗାରକୁ ଛଅଟି ଏକଜଷ୍ଟ୍ ଫ୍ୟାନ୍ ସହାୟତାରେ ଶୁଖିଲା ରଖାଯାଏ। ପବନକୁ ଶୁଖିଲା ରଖିବା ପାଇଁ ନିୟମିତ କର୍ପୂର ଜଳାଯାଏ। ଫିମ୍ପିରୁ ବର୍ତ୍ତିବା ପାଇଁ, ‘‘ଆମେ ବହିଗୁଡ଼ିକୁ ମଝିରେ ମଝିରେ ପବନରେ ରଖିଥାଉ। ଆମେ ସାତ-ଆଠ ଜଣ ଲୋକ ଦୁଇରୁ ଅଧିକ ମାସ ପର୍ଯ୍ୟନ୍ତ ଏହି କାମ କରିଥାଉ।’’


ବାମ: ପୁସ୍ତକଗୁଡ଼ିକର ସଂଗ୍ରହ । ଡାହାଣ: ଅଶୋକ କୁମାର ଦେବପାଲ ପାଠଗାର ରକ୍ଷଣାବେକ୍ଷଣ ଦଳରେ କାମ କରିଥାନ୍ତି
ମନ୍ଦିର ନ୍ୟାସ ନିକଟରେ ପ୍ରାୟ ୧.୨୫ ଲକ୍ଷ ବିଘା (ପ୍ରାୟ ୨୦,୦୦୦ ଏକର) ଜମିର ମାଲିକାନା ରହିଛି। ଭାଦରିୟା ଓରଣ (ପବିତ୍ର ଉପବନ)ର ପରମ୍ପରା ଅନୁଯାୟୀ, ‘‘ଏଠାରେ ଲାଗିଥିବା ଗଛର ଗୋଟିଏ ଶାଖା ସୁଦ୍ଧା କଟାଯାଇପାରିବ ନାହିଁ,’’ ୭୦ ବର୍ଷ ବୟସ୍କ କିଶୋର କୁହନ୍ତି। ସେ ନ୍ୟାସ ଅଧୀନରେ ଥିବା ଏକ ଗୋଶାଳା ମଧ୍ୟ ପରିଚାଳନା କରିଥାନ୍ତି। ଏଥିରେ ୪୦,୦୦୦ରୁ ଅଧିକ ଗାଈ ଅଛନ୍ତି। ଏଠାକୁ ପ୍ରତିବର୍ଷ ପ୍ରାୟ ୨-୩ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସନ୍ତି। ଅନ୍ୟ ଲୋକମାନଙ୍କ ବ୍ୟତୀତ ଏଠାକୁ ରାଜପୁତ, ବିଷ୍ନୋଇ ଏବଂ ଜୈନ ସମ୍ପ୍ରଦାୟର ଲୋକମାନେ ବହୁସଂଖ୍ୟାରେ ଆସିଥାନ୍ତି। ସେମାନେ ୪ଟି ବାର୍ଷିକ ସମାରୋହରେ ସମବେତ ହୋଇଥାନ୍ତି। ବର୍ତ୍ତମାନ, ଯେପର୍ଯ୍ୟନ୍ତ ପାଠାଗାର ଉଦଘାଟନ ହୋଇନାହିଁ, ଆଗନ୍ତୁକମାନଙ୍କୁ ଏଠାକୁ ଆସି ବୁଲିଯିବା ପାଇଁ ଅନୁମତି ମିଳିଥାଏ।
ପାଠାଗାର ବ୍ୟତୀତ, ଏଠାରେ ଏକ ବିଶାଳ ଗୋଶାଳା ରହିଛି ଯେଉଁଠି ଗିର, ଥରପାରକର, ରାଠୀ ଏବଂ ନାଗୋରୀ ପ୍ରଜାତିର ହଜାର ହଜାର ଗାଈ ଓ ଷଣ୍ଢ ପାଳନ କରାଯାଇଥାଏ। ଏମାନଙ୍କର ଯତ୍ନ ନେବା ପାଇଁ ୧୫୦ ଜଣ କର୍ମଚାରୀଙ୍କର ଏକ ପୃଥକ ଦଳ ରହିଛି। ‘‘ଓରଣ ପଶୁ-ପକ୍ଷୀଙ୍କ ପାଇଁ ଉଦ୍ଧିଷ୍ଟ,’’ ନ୍ୟାସର ପ୍ରଶାସକ ଅଶୋକ ସୋଡାନୀ କୁହନ୍ତି। ପ୍ରଜନନ କ୍ଷମତା ନଷ୍ଟ ହୋଇଗଲେ ଏସବୁ ପଶୁଙ୍କୁ ଏଠାକୁ ଅଣାଯାଇଥାଏ ଏବଂ ଏମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଅଣ୍ଡିରା ପଶୁ ରହିଥାନ୍ତି। ‘‘ଆମର ଏଠାରେ ଗୋଶାଳା ପାଇଁ ୧୪ଟି ନଳକୂପ ରହିଛି। ନ୍ୟାସ ପ୍ରତିବର୍ଷ ପ୍ରାୟ ୨୫ କୋଟି ଟଙ୍କା ପଶୁ ଓ ପକ୍ଷୀଙ୍କ ଖାଦ୍ୟରେ ଖର୍ଚ୍ଚ କରିଥାଏ,’’ ସୋଡାନୀ କୁହନ୍ତି, ‘‘ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶ ଭଳି ଦୂରବର୍ତ୍ତୀ ରାଜ୍ୟରୁ ଗୋଖାଦ୍ୟ ଭର୍ତ୍ତି ୩-୪ଟି ଟ୍ରକ୍ ଏଠାକୁ ପ୍ରତିଦିନ ଆସନ୍ତି।’’ ସେମାନେ କୁହନ୍ତି ଯେ ଏହି କାମ ସୁଚାରୂ ରୂପରେ ଚାଲୁ ସେଥିପାଇଁ ଦାନ ସୂତ୍ରରେ ମିଳୁଥିବା ଅର୍ଥର ଉପଯୋଗ କରାଯାଇଥାଏ।
ଆମେ ଯେତେବେଳେ ଭୂତଳରୁ ବାହାରକୁ ଆସି ଖୋଲା ଆକାଶ ତଳେ ପହଞ୍ଚିଲୁ, ଢୋଲି ସମୁଦାୟର ପ୍ରେମ ଚୌହାନ ଓ ଲକ୍ଷ୍ମଣ ଚୌହାନ ସେତେବେଳେ ମଧ୍ୟ ହାର୍ମୋନିୟମ ବଜାଇ ଦେବୀ ଶ୍ରୀ ଭାଦରିୟା ମାତାଙ୍କ ଭଜନ ଗାଉଥାନ୍ତି। ସେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ଏବଂ ଏହା ତଳେ ଓ ଚାରିପାଖରେ ଥିବା ସବୁକିଛି ତାଙ୍କରି ଇଚ୍ଛାରେ ପରିଚାଳିତ ହୋଇଥାଏ।

ବର୍ଷ ସାରା ମନ୍ଦିରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କିଛି ପାଠାଗାର ମଧ୍ୟ ପରିଦର୍ଶନ କରିଥାନ୍ତି

ରାଜସ୍ଥାନ ଜୈସଲମେର ଜିଲ୍ଲାରେ ଥିବା ଶ୍ରୀ ଭାଦରିୟା ମାତା ଜୀଙ୍କ ମନ୍ଦିରର ପ୍ରବେଶଦ୍ୱାର

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରୁ ଅନେକ ଲୋକ ପାଠଗାରକୁ ମଧ୍ୟ ଆସିଥାନ୍ତି । ଏହି କାରଣରୁ ବର୍ତ୍ତମାନ ଏହା ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପରିଣତ ହୋଇଛି

ପାଠାଗାରଟି ୧୫,୦୦୦ ବର୍ଗଫୁଟ୍ କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ରହିଛି । ଏହାର ସଂକୀର୍ଣ୍ଣ କରିଡରରେ ଧାଡ଼ି ହୋଇ ରହିଥିବା ୫୬୨ ଆଲମାରୀରେ ଦୁଇ ଲକ୍ଷରୁ ଅଧିକ ପୁସ୍ତକ ସଂଗୃହିତ ହୋଇ ରହିଛି

ପୁରୁଣା ସଂସ୍କରଣଗୁଡ଼ିକ ତାଲା ପଡ଼ି ରହିଛି

ଏଥିମଧ୍ୟରୁ କେତେକ ୧,୦୦୦ ବର୍ଷ ପୁରୁଣା ପାଣ୍ଡୁଲିପି ମଧ୍ୟ ଅଛି ଯାହାକୁ ବାକ୍ସରେ ବନ୍ଦ କରି ରଖାଯାଇଛି ଏବଂ ପାଠାଗାର କର୍ମଚାରୀମାନେ ହିଁ କେବଳ ଏହାକୁ ଦେଖିପାରିବେ

ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମର ଧାର୍ମିକ ଗ୍ରନ୍ଥ ମଧ୍ୟ ଏଠାରେ ରହିଛି

ଏସବୁ ପୁସ୍ତକରେ କୋରାନ୍ର କପି ବ୍ୟତୀତ ହିନ୍ଦୀ, ଊର୍ଦ୍ଦୁ ଏବଂ ଇଂରାଜୀରେ ଲିଖିତ ପୁସ୍ତକ ମଧ୍ୟ ରହିଛି

ଏଠାରେ ପ୍ରେମଚନ୍ଦଙ୍କ ସବୁ ପୁସ୍ତକ ଉପଲବ୍ଧ

ଆମେରିକା ଏବଂ ବ୍ରିଟେନ୍ ଇତିହାସର ପୁସ୍ତକ ମଧ୍ୟ ଏଠାରେ ରହିଛି

ଗଣମାଧ୍ୟମ ଓ ସାମ୍ବାଦିକତା ବିଷୟର ପୁସ୍ତକ

ପାଠଗାରର ପ୍ରତିଷ୍ଠାତା ହରବଂଶ ସିଂ ନିର୍ମଳ ଙ୍କ ସମାଧି ପୀଠ

ପାଠାଗାରର ପ୍ରତିଷ୍ଠାତା, ହରବଂଶ ସିଂ ନିର୍ମଳ ଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ପତ୍ରକୁ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯାଇଛି

ଗୋଶାଳାରେ ଗିର, ଥରପାରକର, ରାଠୀ ଓ ନାଗୋରୀ ଭଳି ବିଭିନ୍ନ ପ୍ରଜାତିର ଗାଈ ଓ ଷଣ୍ଢ ରହିଛନ୍ତି

ମନ୍ଦିର ବାହାରେ ଥିବା ଛୋଟିଆ ବଜାର ଯେଉଁଠାରେ ପୂଜା ସାମଗ୍ରୀ, ଖେଳନା ଓ ଜଳଖିଆ ଦୋକାନ ରହିଛି
ଅନୁବାଦ: ଓଡ଼ିଶାଲାଇଭ୍