ଯେତେବେଳେ ମୁଁ ତାରପା ବଜାଏ ସେତେବେଳେ ଆମର ୱର୍ଲି (ବର୍ଲି ଭାବରେ ମଧ୍ୟ ଉଚ୍ଚାରଣ ହୁଏ) ଲୋକମାନେ ସେମାନଙ୍କ ଶରୀର ଭିତରକୁ ପବନ ଆସିଯାଏ (ଆବିଷ୍ଟ ହୋଇଯାଆନ୍ତି)। ଘଣ୍ଟାଏ ପାଇଁ ସେମାନଙ୍କ ଶରୀର ପବନରେ ଦୋହଲୁଥିବା ଗଛ ପରି ହଲୁଥାଏ।
ଯେତେବେଳେ ମୁଁ ବଜାଏ, ମୁଁ ସାବରୀ ଦେବୀ ଏବଂ ତାଙ୍କର ସାଥୀମାନଙ୍କୁ ଆହ୍ୱାନ କରେ। ଏବଂ ଯିଏ ଉତ୍ତର ଦିଅନ୍ତି ମୋ ଲୋକମାନେ ତାଙ୍କ ଦ୍ୱାରା ସମ୍ମୋହିତ ହୋଇଯାଆନ୍ତି।
ଏହା ବିଶ୍ୱାସର କଥା। ‘ମନାଲ ତ୍ୟାଛା ଦେବ, ନାହି ତ୍ୟାଚା ନାହି’। [ଆସ୍ତିକର ଭଗବାନ ଅଛନ୍ତି, ନାସ୍ତିକର ଭଗବାନ ନାହାନ୍ତି।] ମୋ ପାଇଁ ମୋ ତାରପା ହେଉଛି ମୋର ଦେବତା। ତେଣୁ, ମୁଁ ହାତ ଯୋଡ଼େ ଏବଂ ଏହାଙ୍କର ପୂଜା କରେ।
ମୋ ଅଣଜେଜେ ନାବଶୀଆ ତାରପା ବଜାଉଥିଲେ।
ତାଙ୍କ ପୁଅ ଧାକ୍ଲ୍ୟା ମଧ୍ୟ ଏହା ବଜାଉଥିଲେ।
ଧାକଲ୍ୟାର ପୁଅ ଲାଡ୍କ୍ୟା ମଧ୍ୟ ଏହା ବଜାଉଥିଲେ।
ଲାଡ୍କ୍ୟା ହେଉଛନ୍ତି ମୋର ବାପା।
ଭିକ୍ଲ୍ୟା ଧିନ୍ଦାଙ୍କ ବାପା ଲାଡ୍କ୍ୟା ତାଙ୍କୁ ତାରପା ବଜାଇବା ଏବଂ ଶୁଖିଲା ତାଳ ଗଛ ପତ୍ର, ବାଉଁଶ ଏବଂ ଲାଉରୁ ତାରପା ତିଆରି କରିବା ଶିଖାଇଥିଲେ। ଭିକ୍ଲ୍ୟା ବାବା କୁହନ୍ତି ‘ଏହା ବଜାଇବା ପାଇଁ ଛାତିରେ ଛାତିଏ ପବନ ଦରକାର। ଜଣେ ଏହି ବାଜାକୁ ଫୁଙ୍କିବା ଏବଂ ଆପଣଙ୍କ ଶରୀରରେ ଶ୍ୱାସକ୍ରିୟା ପାଇଁ ଯଥେଷ୍ଟ ବାୟୁ ଅଛି ଏହା ସୁନିଶ୍ଚିତ କରିବା ଦରକାର ହୁଏ’
ବ୍ରିଟିଶ ଶାସନର ସମୟ ଥିଲା। ଆମେ ସ୍ୱାଧୀନତା ପାଇନଥିଲୁ। ଆମ ଗାଁ ୱାଲୱାନ୍ଦେରେ ‘ବଡ଼’ ଲୋକ [ଉଚ୍ଚ ଜାତି]ର ପିଲାମାନଙ୍କ ପାଇଁ କେବଳ ଗୋଟିଏ ସ୍କୁଲ୍ ଥିଲା। ଗରିବଙ୍କ ପାଇଁ କୌଣସି ସ୍କୁଲ୍ ନଥିଲା। ମୋ ବୟସ ପ୍ରାୟ ୧୦-୧୨ ଥିଲା। ମୁଁ ଗାଈ ଚରାଉଥିଲି। ମୋ ବାପାମାଆ ଚିନ୍ତା କଲେ ‘ଗାୟେ ମାଗେ ଗେଲା ତାର୍ ରୋଟିମିଲାଲ୍ ସାଲେଟ୍ ଗେଲା ତାର୍ ଉପାସି ରାହାଲ୍ [ଯଦି ମୁଁ ଗାଈ ଚରାଇବି ମୁଁ ଖାଇବାକୁ ପାଇବି, ଯଦି ମୁଁ ସ୍କୁଲ୍ ଯିବି, ମୁଁ ଉପାସ ରହିବି]’। ପାଳନ ପୋଷଣ ପାଇଁ ମୋ ମାଆଙ୍କର ସାତୋଟି ସନ୍ତାନ ଥିଲେ।
ମୋ ବାପା କହୁଥିଲେ, ‘ଗାଈଗୋରୁ ଚରୁଥିବା ବେଳେ ତୋର କିଛି କାମ ନାହିଁ। ତୁ ତାରପା କାହିଁକି ବଜଉନୁ? ଏହା ତୋର ଶରୀର [ଏବଂ ସ୍ୱାସ୍ଥ୍ୟ]କୁ ସାହାଯ୍ୟ କରିବ ଏବଂ ଏହା ତୋର ମନୋରଞ୍ଜନ ମଧ୍ୟ କରିବ।’ ଏହି ଶବ୍ଦ ଯୋଗୁଁ କୌଣସି କୀଟପତଙ୍ଗ ମଧ୍ୟ ଗାଈଗୋରୁଙ୍କ ନିକଟକୁ ଆସିବେ ନାହିଁ।
ଯେତେବେଳେ ମୁଁ ଜଙ୍ଗଲକୁ ଏବଂ ଚାରଣ ପଡ଼ିଆକୁ ଯାଉଥିଲି ସେତେବେଳେ ମୁଁ ଏହା ବଜାଇବା ଆରମ୍ଭ କଲି। ଲୋକମାନେ ଅଭିଯୋଗ କରୁଥିଲେ। ‘ସାରାଦିନ ଧିନ୍ଦ୍ୟାର ପୁଅ ଶବ୍ଦ କରୁଛି – କ୍ୟାଓ କ୍ୟାଓ।’ ମୋ ବାପା ଦିନେ କହିଲେ, ‘ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଛି ମୁଁ ତୋ ପାଇଁ ତାରପା ତିଆରି କରିବି। କିନ୍ତୁ ମୁଁ ଗଲା ପରେ କିଏ କରିବ?’ ତେଣୁ ମୁଁ ଏହି କଳା ଶିଖିଲି।
ଗୋଟିଏ ତାରପା ତିଆରି କରିବା ପାଇଁ ତୁମର ତିନୋଟି ଜିନିଷ ଦରକାର। ‘ଶବ୍ଦ’ [ଶବ୍ଦ ଅନୁନାଦନ କୋଠରୀ] ମାଦ୍ [ତାଳ] ଗଛର ପତ୍ର, ଦୁଇ ଖଣ୍ଡ ବାଉଁଶ [ନଳୀ], ଗୋଟିଏ ପୁରୁଷ ପାଇଁ ଏବଂ ଗୋଟିଏ ମହିଳା ପାଇଁ। ପୁରୁଷର ଆଉ ଏକ ଛୋଟ ଖଣ୍ଡ ଥାଏ ଯାହା ଉପରେ ହାତ ଦେଇ ତାଳ ରଖାଯାଏ। ତୃତୀୟ ଜିନିଷ ଯାହା ଆପଣ ଦରକାର କରିବେ ତାହା ହେଉଛି ଦୁଧି [ଲାଉ], ଯାହା ପବନ କୋଠରୀ ଭାବରେ କାମ କରିବ। ଯେତେବେଳେ ମୁଁ ଫୁଙ୍କିବା ଛିଦ୍ର ଦେଇ ଫୁଙ୍କେ ପୁରୁଷ ଓ ନାରୀ ଏକତ୍ର ହୁଅନ୍ତି ଏବଂ ସବୁଠାରୁ ସୁନ୍ଦର ଶବ୍ଦ ସୃଷ୍ଟି କରନ୍ତି।
ତାରପା ହେଉଛି ଗୋଟିଏ ପରିବାର ପରି। ଏଥିରେ ଗୋଟିଏ ପୁରୁଷ ଓ ଗୋଟିଏ ନାରୀ ଥାଆନ୍ତି। ଯେତେବେଳେ ମୁଁ କିଛି ପବନ ଫୁଙ୍କେ ସେମାନେ ଏକାଠି ହୁଅନ୍ତି ଏବଂ ଯେଉଁ ଧ୍ୱନୀ ଉତ୍ପନ୍ନ ହୁଏ ତାହା ଚମତ୍କାର। ପଥର ପରି ଏହା ପ୍ରାଣହୀନ। କିନ୍ତୁ ମୋ ନିଶ୍ୱାସ ସହିତ ଏହା ଜୀବନ୍ତ ହୁଏ ଏବଂ ଏକ ଧ୍ୱନୀ, ଏକ ସଙ୍ଗୀତମୟ ସ୍ୱର ସୃଷ୍ଟି କରେ। ଏହା ଛାତିରେ ପବନ ଭରି ରଖିବା ଦରକାର କରେ। ଏହାକୁ ବଜାଇବା ପାଇଁ ବାଦକକୁ ଫୁଙ୍କିବାକୁ ହେବ ଏବଂ ନିଶ୍ଚିତ କରିବାକୁ ହେବ ଯେ ନିଶ୍ୱାସ ନେବା ପାଇଁ ତୁମ ଶରୀରରେ ଯଥେଷ୍ଟ ବାୟୁ ଅଛି।
ଏହା ଈଶ୍ୱରଙ୍କ ଜ୍ଞାନ ଯେ ଆମେ ଏମିତି ଏକ ବାଦ୍ୟଯନ୍ତ୍ର ତିଆରି କରିପାରୁଛୁ। ଏହା ଈଶ୍ୱରଙ୍କର।
ମୋ ବାପା କହୁଥିଲେ, ‘ଗାଈଗୋରୁ ଚରିବା ବେଳେ ତୋର କିଛି କାମ ନାହିଁ କରିବାକୁ। ତୁ କାହିଁକି ତାରପା ବଜାଉନୁ? ଏହା ତୋର ଶରୀର [ଏବଂ ସ୍ୱାସ୍ଥ୍ୟ]କୁ ସାହାଯ୍ୟ କରେ ଏବଂ ଏହା ମଧ୍ୟ ତୋର ମନୋରଞ୍ଜନ କରିବ’
*****
ମୋ ବାପାମାଆ ଏବଂ ବୟସ୍କ ଲୋକମାନେ ଆମକୁ ଅନେକ କାହାଣୀ କହୁଥିଲେ। ଯଦି ମୁଁ ଆଜି ସେଗୁଡ଼ିକ କହିବି ଲୋକମାନେ ମୋତେ ଗାଳିଦେବେ। କିନ୍ତୁ ସେଗୁଡ଼ିକ ଆମର ପୂର୍ବଜମାନେ ଆମକୁ କହିଥିଲେ।
ଏହି ଦେବତାମାନେ ବ୍ରହ୍ମାଣ୍ଡ [ବିଶ୍ୱ] ସୃଷ୍ଟି ପରେ ଚାଲିଗଲେ। ତାହାହେଲେ ୱର୍ଲିମାନେ କେଉଁଠୁ ଆସିଲେ?
କନ୍ଦରାମ୍ ଦେହଲ୍ୟାରୁ।
ଦେବତାମାନେ କନ୍ଦରାମ୍ ଦେହଲ୍ୟାଙ୍କ ମାଆଙ୍କ ପାଖରେ କିଛି ଦହି ରଖିଥିଲେ। ସେ ଦହି ଖାଇଦେଲେ ଏବଂ ମଇଁଷିକୁ ମଧ୍ୟ ଖାଇଦେଲେ। ତାଙ୍କ ମାଆ ରାଗିଗଲେ ଏବଂ ତାଙ୍କୁ ଘରୁ ବାହାର କରିଦେଲେ।
ଆମର ପୂର୍ବଜମାନେ ଆମକୁ କହନ୍ତି ପ୍ରଥମ ୱର୍ଲି, କନ୍ଦରାମ୍ ଦେହଲ୍ୟା କିପରି ଏଠାରେ ପହଞ୍ଚିଲେ।
କନ୍ଦରାମ ଦେହଲ୍ୟାଲହୁନ
ପଲ୍ସୋଣ୍ଡେୟାଲା ପରସଙ୍ଗ ଝାଲା
ନଟବଚୋଣ୍ଡିଲା ନଟଲ
ଖରବଣ୍ଡିୟାଲା ଖରଝାଲ
ସିଣଗାରପାଡ଼୍ୟାଲା ସିଣଗାରଲ
ଆଡ଼ଖଡ଼କାଲା ଆଡ଼ଝାଲ
କାଟା ଖୋଚ୍ଚାୟ କାସଟୱାଡ଼ିଝାଲ
କସେଲିଲା ୟେଉନ୍ ହସଲ
ଆନ୍ ୱାଲବନ୍ଦୟାଲା ୟେଉନ ବସଲ
ଗୋରୟାଲା ଯାନ ଖରଜାଲ
ଗୋରୟାଲା ରହଲା ଗୋନ୍ଦ୍ୟା
ଚାନ୍ଦ୍ୟା ଆଲ, ଗମ୍ଭୀରଗଡ଼ ଆଲ।
Kandram Dehlyalahun
Palsondyala parsang jhala
Natavchondila Natala
Kharvandyala khara jhala
Shingarpadyala shingarala
Aadkhadakala aad jhala
Kata khochay Kasatwadi jhala
Kaselila yeun hasala
Aan Walwandyala yeun basala.
Goryala jaan khara jaala
Goryala rahala Gondya
Chandya aala, Gambhirgada aala
* ଏହି ପଦ ହେଉଛି ପାଳଘର ଜିଲ୍ଲାର ଜୱହାର ବ୍ଲକ୍ର ଗାଁ ଏବଂ ପଡ଼ାଗୁଡ଼ିକର ତାଳ ପଡ଼ୁଥିବା ନାମର ଏକ ଶବ୍ଦ ଖେଳ।
କ୍ୟାପ୍ସନ୍: ବାମ; ଭିକ୍ଲ୍ୟା ଧିନ୍ଦା ତାଙ୍କ ପତ୍ନୀ ତାଇ ଧିନ୍ଦାଙ୍କ ସହିତ। ‘ ତାରପା ହେଉଛି ଗୋଟିଏ ପରିବାର ପରି। ଏଥିରେ ଗୋଟିଏ ପୁରୁଷ ଓ ଗୋଟିଏ ନାରୀ ଥାଆନ୍ତି। ଯେତେବେଳେ ମୁଁ କିଛି ପବନ ଫୁଙ୍କେ ସେମାନେ ଏକାଠି ହୁଅନ୍ତି ଏବଂ ଯେଉଁ ଧ୍ୱନୀ ଉତ୍ପନ୍ନ ହୁଏ ତାହା ଚମତ୍କାର। ପଥର ପରି ଏହା ପ୍ରାଣହୀନ। କିନ୍ତୁ ମୋ ନିଶ୍ୱାସ ସହିତ ଏହା ଜୀବନ୍ତ ହୁଏ ଏବଂ ଏକ ଧ୍ୱନୀ, ଏକ ସଙ୍ଗୀତମୟ ସ୍ୱର ସୃଷ୍ଟି କରେ’
ୱର୍ଲିମାନଙ୍କ ପରି ଅନେକ ସମ୍ପ୍ରଦାୟ ଏଠାରେ ବାସ କରନ୍ତି। ରାଜକୋଲି, କୋକ୍ନା, କଟ୍କାରୀ, ଠାକୁର, ମାହାର, ଚମ୍ଭାର… ମୋର ମନେ ଅଛି ମୁଁ ମହାରାଜା [ଜୱହାର ରାଜା]ଙ୍କ ଦରବାର [ରାଜସଭା]ରେ କାମ କରୁଥିଲି। ତାଙ୍କ ଦରବାରରେ ସମସ୍ତଙ୍କ ସହ ସେ କେନ୍ଦୁପତ୍ରରେ ଖାଉଥିଲେ। ମୁଁ ସେଠାରେ କାମ କରୁଥିଲି ଏବଂ ବ୍ୟବହାର ହୋଇସାରିଥିବା ପତ୍ରଗୁଡ଼ିକୁ ଉଠାଇ ଦେଉଥିଲି। ସବୁ ସମ୍ପ୍ରଦାୟ ସେଠାରେ ଏକତ୍ର ହେଉଥିଲେ ଏବଂ ଗୋଟିଏ ଧାଡ଼ିରେ ଖାଉଥିଲେ। କାହାକୁ ଛୋଟ କିମ୍ବା ବଡ଼ ଭାବରେ ବିବେଚନା କରାଯାଉନଥିଲା। ମୁଁ ସେଠାରୁ ଏହା ଶିଖିଥିଲି ଏବଂ କଟକାରୀ କିମ୍ବା ମୁସଲମାନ୍ମାନଙ୍କ ହାତରୁ ପାଣି ପିଇବା ଆରମ୍ଭ କଲି। ରାଜକୋଲିମାନେ ୱର୍ଲିମାନେ ଛୁଇଁଥିବା ପାଣି ଗ୍ରହଣ କରନ୍ତି ନାହିଁ। ଆମ ଲୋକମାନେ କଟ୍କାରୀ କିମ୍ବା ଜଣେ ଚମ୍ଭାର କିମ୍ବା ଜଣେ ଧୋର୍କଲିଙ୍କଠାରୁ ପାଣି ପିଅନ୍ତି ନାହିଁ। ସେମାନେ ଏପର୍ଯ୍ୟନ୍ତ ବି ପିଉନାହାନ୍ତି। କିନ୍ତୁ ମୁଁ ଏଭଳି ଭେଦଭାବରେ ବିଶ୍ୱାସ କରେ ନାହିଁ।
ଦେଖନ୍ତୁ, ଯେଉଁବ୍ୟକ୍ତି ହିର୍ବା ଦେବ ଏବଂ ତାର୍ପାକୁ ପୂଜା କରନ୍ତି, ସେ ହେଉଛନ୍ତି ଓ୍ୱର୍ଲି ଆଦିବାସୀ।
ଆମେ ପର୍ବପର୍ବାଣୀ ଏକାଠି ପାଳନ କରୁ। ଯେତେବେଳେ ନୂଆ ଧାନ ଅମଳ ହୁଏ, ଆମେ ପରିବାର ସହ, ସାଇ ପଡ଼ିଶା ସହ ଏହାକୁ ବାଣ୍ଟୁ। ଏବଂ ପ୍ରଥମେ ଆମେ ଏହାକୁ ଆମ ଗାଁର ଦେବୀ ଗାଓଁଦେବୀ ଙ୍କ ପାଖକୁ ନେଉ। ତାଙ୍କୁ ପ୍ରଥମ ଦାନା ଅର୍ପଣ କରିବା ପରେ ଯାଇ ଆମେ ତାହାକୁ ଖାଉ। ଆପଣ ଏହାକୁ ଅନ୍ଧ ଶ୍ରଦ୍ଧା ବୋଲି ଭାବି ପାରନ୍ତି। କିନ୍ତୁ ଏହା ପ୍ରକୃତରେ ସେମିତି ନୁହେଁ। ଏହା ଆମର ଶ୍ରଦ୍ଧା , ଆମର ବିଶ୍ୱାସ।
ନୂଆ ଅମଳ ସହିତ ଆମେ ଆମର ସ୍ଥାନୀୟ ଦେବୀ ଗାଓଁଦେବୀ ଙ୍କ ମନ୍ଦିରକୁ ଯାଉ। ଆମେ କାହିଁକି ଏଠି ତାଙ୍କର ମନ୍ଦିର ତିଆରି କଲୁ ଏବଂ ତାଙ୍କୁ ଏଠାକୁ ଆଣିଲୁ? ଆମେ ତାଙ୍କୁ ପ୍ରାର୍ଥନା କରୁ ‘ଆମର ପିଲାମାନଙ୍କୁ, ବନ୍ଧୁବାନ୍ଧବମାନଙ୍କୁ, ଗାଈଗୋରୁଙ୍କୁ ଏବଂ ଆମର ଶ୍ରମିକମାନଙ୍କୁ ସୁସ୍ଥ ଏବଂ ସ୍ୱସ୍ଥ ରଖ। ଆମର ଜମି ଏବଂ ତୋଟା ହସି ଉଠୁ। ଯେଉଁମାନେ ଚାକିରୀ କରୁଛନ୍ତି, ସେମାନଙ୍କୁ ସଫଳତା ଦିଅ। ଆମର ପରିବାର ଓ ଆମ ଜୀବନ ଖୁସିର ଦିନ ଦେଖୁ।’ ଆମେ ଆଦିବାସୀମାନେ ମନ୍ଦିରକୁ ଯାଉ ଏବଂ ଆମର ଦେବୀଦେବତାଙ୍କୁ ପ୍ରାର୍ଥନା କରୁ, ସେମାନଙ୍କର ନାମ ନେଉ ଏବଂ ଆମର ଇଚ୍ଛା କହୁ।
କ୍ୟାପ୍ସନ୍: ଭିକ୍ଲ୍ୟା ବାବା ତାଙ୍କ ବାରିରେ ଦୁଧି (ଲାଉ) କିଆରିରେ। ସେ ପ୍ରତ୍ୟେକଟିରେ ରଶି ଏବଂ ବଡ଼ ଗୋଡ଼ି ବାନ୍ଧନ୍ତି ଯେମିତିକି ଏହା ଆବଶ୍ୟକ ଆକୃତିରେ ରହିବ। ସେ କହନ୍ତି, ‘‘କେବଳ ତାରପା ତିଆରି କରିବା ପାଇଁ ମୁଁ ଏଗୁଡ଼ିକ ଚାଷ କରେ। ଯଦି କେହି ଏହାକୁ ଚୋରି କରେ ଓ ଖାଏ, ତା’ର ନିଶ୍ଚୟ ଏକ କେଷ୍ଟୋଡ୍ [ବଥ] ହୁଏ କିମ୍ବା ଗଳା ଖରାପ ହୁଏ’
ତାରପା ତାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ୱାଘବାରସରେ ଆମେ ଶବରୀ ଦେବୀଙ୍କ ପର୍ବ ପାଳନ କରୁ। ଆପଣମାନେ ତାଙ୍କୁ ଶବରୀ ଭାବରେ ଜାଣନ୍ତି, ଯିଏ ପ୍ରଭୁ ରାମଙ୍କୁ ଅଇଁଠା କୋଳି ଦେଇଥିଲେ। ଆମ ନିକଟରେ ଥିବା କାହାଣୀ ଭିନ୍ନ। ଶବରୀ ଦେବୀ ରାମଙ୍କ ପାଇଁ ଜଙ୍ଗଲରେ ଅପେକ୍ଷା କରିଥିଲେ। ସେ ସେଠାକୁ ସୀତାଙ୍କ ସହ ଆସିଥିଲେ। ଶବରୀ ତାଙ୍କୁ ଭେଟିଲେ ଏବଂ ତାଙ୍କୁ କହିଲେ ଯେ, ସେ ତାଙ୍କ ପାଇଁ ଚିରକାଳ ଅପେକ୍ଷା କରି ରହିଥିଲେ ଏବଂ ବର୍ତ୍ତମାନ ଯେହେତୁ ସେ ତାଙ୍କୁ ଦେଖିସାରିଲେଣି, ତାଙ୍କର ବଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ସେ ତାଙ୍କର ଜୀୱଡ଼ା [ହୃଦୟ] ବାହାର କରିଆଣିଲେ ଏବଂ ରାମଙ୍କ ହାତରେ ତାହା ରଖିଦେଲେ ଏବଂ ଚାଲିଗଲେ, କେବେବି ନ ଫେରିବା ପାଇଁ।
ତାଙ୍କର ପ୍ରେମ ଏବଂ ଭକ୍ତିର ଉତ୍ସବ ମନେଇବା ପାଇଁ ଆମେ ପାହାଡ଼ ଏବଂ ଜଙ୍ଗଲକୁ ତାରପା ନେଇଯାଉ। ସେଠାରେ, ଜଙ୍ଗଲରେ ଅନେକ ଦେବୀଦେବତା ବାସ କରନ୍ତି। ଟାଙ୍ଗଡ଼ା ଶବରୀ, ଗୋହରା ଶବରୀ, ପୋପ୍ତା ଶବରୀ, ତୁମ୍ବା ଶବରୀ, ଘୁଙ୍ଗା ଶବରୀ। ସେମାନେ ସମସ୍ତେ ହେଉଛନ୍ତି ଶବରୀ ଦେବୀଙ୍କ ବାନ୍ଧବୀ। ସେମାନେ ପ୍ରକୃତିର ଦେବୀ। ସେମାନେ ଅଛନ୍ତି। ଏବେବି ସେମାନେ ଅଛନ୍ତି। ଆମେ ସେ ମାନଙ୍କୁ ପୂଜା କରିବା ଆରମ୍ଭ କଲୁ। ମୁଁ ତାରପା ବଜାଏ ଏବଂ ସେମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରେ। ରାସ୍ତାରେ ଆମେ ଜଣ ଜଣ କରି ନାଁ ଧରି ଡାକୁ, ମୁଁ ପ୍ରତ୍ୟେକ ଶବରୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ୱର ବଜାଏ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ସ୍ୱର ବଦଳେ।
*****
୨୦୨୨ରେ ମୁଁ ବିଭିନ୍ନ ଜାଗାରୁ ଯଥା ନନ୍ଦୁରବାର, ଧୁଲେ, ବରୋଦା…ରୁ ଆସିଥିବା ଆଦିବାସୀମାନଙ୍କ ସହିତ ମଞ୍ଚ ଉପରେ ଥିଲି। ସେଠାରେ ସାମ୍ନାରେ ବସିଥିବା ଲୋକମାନେ ମୁଁ ଜଣେ ଆଦିବାସୀ ଏହା ପ୍ରମାଣ କରିବା ପାଇଁ ମୋତେ କହିଲେ।
ମୁଁ ସେମାନଙ୍କୁ କହିଲି ଏହି ପୃଥିବୀକୁ ପ୍ରଥମ କରି ଓହ୍ଲାଇଥିବା ଏବଂ ଏହାର ମୃତ୍ତିକା ପରୀକ୍ଷା କରିଥିବା ବ୍ୟକ୍ତି ଜଣକ ଜଣେ ଆଦିବାସୀ ଥିଲେ ଏବଂ ସେହି ମଣିଷ ମୋର ପୂର୍ବଜ ଥିଲେ। ମୁଁ କହିଲି, ଆମର ସଂସ୍କୃତି ହେଉଛି ଆମେ ଆମର ନିଶ୍ୱାସରୁ ସୃଷ୍ଟି କରୁଥିବା ଧ୍ୱନୀ। ଆମେ ଆମ ହାତରେ ଯାହା ବଜାଉ ତାହା ହେଉଛି ଆପଣ ଚିତ୍ରରେ ଯାହା ଦେଖନ୍ତି। ଏହି ଚିତ୍ର ପରେ ଆସିଲା। ଏହି ନିଶ୍ୱାସ ଏବଂ ସଙ୍ଗୀତ ହେଉଛି ଶାଶ୍ୱତ। ବ୍ରହ୍ମାଣ୍ଡର ସୃଷ୍ଟି ସମୟରୁ ହିଁ ଏହି ଧ୍ୱନୀ ରହିଛି।
ମୁଁ ଏହା କହି ଶେଷ କଲି ଯେ ଏହି ତାରପା ଏକ ଦମ୍ପତ୍ତିଙ୍କର ପ୍ରତିନିଧିତ୍ୱ କରେ। ଗୋଟିଏ ପୁରୁଷ ନାରୀକୁ ସହଯୋଗ କରେ ଏବଂ ନାରୀ ପୁରୁଷକୁ ସହଯୋଗ କରେ। ତାରପା ଠିକ୍ ସେମିତି କାମ କରେ। ଗୋଟିଏ ନିଶ୍ୱାସ ସେମାନଙ୍କର ମିଳନ କରାଏ ଏବଂ ସବୁଠାରୁ ଚମତ୍କାର ଧ୍ୱନୀ ସୃଷ୍ଟି କରେ।
ମୋ ଉତ୍ତର ମୋତେ ପ୍ରଥମ ସ୍ଥାନରେ ପହଞ୍ଚାଇଲା। ମୁଁ ମୋ ରାଜ୍ୟକୁ ପ୍ରଥମ ମାନ୍ୟତାକୁ ଆଣିଲି!
ମୁଁ ପ୍ରାୟତଃ ହାତ ଯୋଡ଼ି ମୋ ତାରପାକୁ କହେ, ‘ହେ ଭଗବାନ, ମୁଁ ଆପଣଙ୍କର ସେବା କରେ, ମୁଁ ଆପଣଙ୍କର ପୂଜା କରେ, ବଦଳରେ ତୁମେ ବି ମୋ କଥା ବୁଝ। ମୁଁ ଉଡ଼ିବାକୁ ଚାହେଁ। ମୋତେ ଗୋଟିଏ ଉଡ଼ାଜାହାଜରେ ନେଇଯାଅ।’ ଏବଂ ଆପଣ ହୁଏତ ବିଶ୍ୱାସ କରିନପାରନ୍ତି, ମୁଁ ତାରପା ମୋତେ ଗୋଟିଏ ଉଡ଼ାଜାହାଜରେ ନେଇଗଲା। ଭିକ୍ଲ୍ୟା, ଲାଡ୍କ୍ୟା ଧିନ୍ଦା ଉଡ଼ାଜାହାଜରେ ଭ୍ରମଣ କଲା। ମୁଁ ଅନେକ ସ୍ଥାନ ବୁଲିଲି। ମୁଁ ଅଲାଣ୍ଡି, ଜେଜୁରି, ବାରାମତି, ସାନିଆ (ଶାନି) ଶିଙ୍ଗଣାପୁର… ଆଦି ସ୍ଥାନକୁ ଗଲି। ମୁଁ ବହୁତ ଆଡ଼େ ବୁଲିଲି। ଏଠାରୁ କେହି କେବେବି ‘ଗୋମା’ [ଗୋଆ]ର ରାଜଧାନୀ ପାନ୍ଜିମ୍କୁ ଯାଇନାହାନ୍ତି, କିନ୍ତୁ ମୁଁ ସେଠାକୁ ଯାଇଥିଲି। ମୁଁ ସେଠାରୁ ଏକ ସାର୍ଟିଫିକେଟ୍ ମଧ୍ୟ ପାଇଥିଲି।
କ୍ୟାପ୍ସନ୍: ବାମ: ଭିକ୍ଲ୍ୟା ବାବାଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ତାରପା। ଡାହାଣ: ସେ ତାଙ୍କର ତାରପା ବାଦନ ପାଇଁ ଅନେକ ପୁରସ୍କାର ଓ ସମ୍ମାନ ଜିତିଛନ୍ତି। ୨୦୨୨ରେ ସେ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ ଏବଂ ଦିଲ୍ଲୀରେ ସମ୍ମାନିତ ହୋଇଥିଲେ। ତାଙ୍କର ଦୁଇ ବଖୁରିଆ ଘରର ଗୋଟିଏ କାନ୍ଥ ତାଙ୍କ ପୁରସ୍କାର ଏବଂ ପ୍ରମାଣପତ୍ରରେ ଭରିଯାଇଛି
ମୋ ପାଖରେ ଅନେକ କିଛି ଜିନିଷ ଅଛି ବାଣ୍ଟିବା ପାଇଁ, କିନ୍ତୁ ମୁଁ କରିନି। ମୋର ବୟସ ୮୯ ବର୍ଷ ଏବଂ ମୋ ପାଖରେ ଅନେକ କାହାଣୀ ଅଛି। କିନ୍ତୁ ମୁଁ କେବେ ତାହା କହେନି। ମୁଁ ସେଗୁଡ଼ିକୁ ମୋ ହୃଦୟରେ ରଖେ। ଅନେକ ସମ୍ବାଦଦାତା ଏବଂ ସାମ୍ବାଦିକ ଆସନ୍ତି ଏବଂ ମୋ କାହାଣୀ ଲେଖନ୍ତି। ସେମାନେ ପୁସ୍ତକ ପ୍ରକାଶନ କରନ୍ତି ଏବଂ ଦୁନିଆକୁ କହନ୍ତି ଯେ ସେମାନେ ମୋତେ ପ୍ରସିଦ୍ଧ କରିଦେଇଛନ୍ତି। ଅନେକ ସଙ୍ଗୀତଜ୍ଞ ଆସନ୍ତି ଏବଂ ମୋ ସଙ୍ଗୀତ ଚୋରାଇବାକୁ ଚେଷ୍ଟା କରନ୍ତି ଏବଂ ଚୋରାନ୍ତି। ତେଣୁ, ମୁଁ ସମସ୍ତଙ୍କୁ ଭେଟେନି। ଆପଣ ଭାଗ୍ୟବାନ ଯେ ଆପଣ ମୋତେ ଭେଟିଲେ।
ମୁଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲି। ଏହି ଉତ୍ସବ ଦିଲ୍ଲୀରେ ଥିଲା। ଯେତେବେଳେ ମୁଁ ପୁରସ୍କାର ଗ୍ରହଣ କଲି ମୋ ଆଖିରେ ଲୁହ ଭରିଗଲା। ମୋ ବାପା ମୋତେ କେବେବି ସ୍କୁଲ୍ ପଠେଇନଥିଲେ। ସେ ଭାବୁଥିଲେ ସେହି ଶିକ୍ଷା ଦ୍ୱାରା ମୁଁ କାମ ପାଇପାରେ କିମ୍ବା ନ ପାଇପାରେ। କିନ୍ତୁ ସେ ମୋତେ କହିଥିଲେ ଯେ, ‘ଏହି ବାଦ୍ୟଯନ୍ତ୍ର ହେଉଛି ଆମର ଦେବତା।’ ଏହା ପ୍ରକୃତରେ ଦେବତା। ଏହା ମୋତେ ସବୁକିଛି ଦେଇଛି। ଏହା ମୋତେ ମାନବତା ଶିଖାଇଛି। ସାରା ପୃଥିବୀର ଲୋକେ ମୋ ନାଁ ଜାଣନ୍ତି। ମୋ ତାରପା ଏକ ଡାକ ଏନ୍ଭେଲପ୍ [ଏକ ଡାକ ଟିକଟ]ରେ ଛପା ହୋଇଛି। ଯଦି ଆପଣ ଆପଣଙ୍କ ଫୋନ୍ରେ ମୋ ନାଁରେ ଏକ ବଟନ ଦବାଇବେ, ଆପଣ ମୋର ଭିଡିଓ ଦେଖିବେ… ଆପଣ ଆଉ ଅଧିକ କ’ଣ ଚାହାଁନ୍ତି। କୂଅରେ ଥିବା ଗୋଟିଏ ବେଙ୍ଗ ସେହି ଗର୍ତ୍ତ ବାହାରରେ ଥିବା ଦୁନିଆ ବିଷୟରେ ଜାଣେ ନାହିଁ। କିନ୍ତୁ ମୁଁ ସେହି କୂଅରୁ ବାହାରକୁ ବାହାରିଲି… ମୁଁ ଦୁନିଆ ଦେଖିଲି।
ଆଜିର
ଯୁବପିଢ଼ି ତାରପାର ତାଳରେ ନାଚନ୍ତି ନାହିଁ। ସେମାନଙ୍କ ପାଖରେ ଡିଜେ ଅଛି। କିନ୍ତୁ ମୁଁ ଗୋଟିଏ କଥା
କହୁଛି, ଯେତେବେଳେ ଆମେ ଆମ ଜମିରୁ ଫସଲ ଅମଳ କରୁ, ଯେତେବେଳେ ଆମେ ନୂଆ ଚାଉଳ ଗାଁ ଦେବୀଙ୍କ ପାଖକୁ
ଭୋଗ କରିବାକୁ ନେଉ, ଯେତେବେଳେ ଆମେ ତାଙ୍କ ନାଁ ନେଉ ଏବଂ ତାଙ୍କୁ ପ୍ରାର୍ଥନା କରୁ, ସେତେବେଳେ କ’ଣ
ଆମେ ଡିଜେ ବଜାଉ? ସେହି ମୁହୂର୍ତ୍ତଗୁଡ଼ିକରେ ସେଠି କେବଳ ତାରପା ଥାଏ, ଆଉ କିଛି ନୁହେଁ।
ପରୀ ଏହି ପ୍ରାମାଣିକ ତଥ୍ୟ ଲାଭ କରିବାରେ ସହାୟତା ପାଇଁ ଆରୋହଣର ମାଧୁରୀ ମୁକାନେଙ୍କୁ ଧନ୍ୟବାଦ ଜଣାଉଛି।
ସାକ୍ଷାତ,
ପ୍ରତିଲେଖନ ଏବଂ ଇଂରାଜୀ ଅନୁବାଦ: ମେଧା କାଲେ
ଫଟୋ
ଏବଂ ଭିଡିଓ: ସିଦ୍ଧିତା ସୋନାବନେ
ଏହି କାହାଣୀ ହେଉଛି ପରୀର ଲୁପ୍ତପ୍ରାୟ ଭାଷା ପ୍ରକଳ୍ପର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଦେଶର ଅସୁରକ୍ଷିତ ଏବଂ ଲୁପ୍ତପ୍ରାୟ ଭାଷାର ଦଲିଲକରଣ।
ୱର୍ଲି ହେଉଛି ଏକ ଭାରତୀୟ-ଆର୍ଯ୍ୟ ଭାଷା ଯାହାକି ଗୁଜରାଟ, ଡାମନ ଏବଂ ଡିଉ, ଦାଦ୍ରା ଓ ନଗର ହାଭେଳି, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୋଆରେ ରହୁଥିବା ଓର୍ଲି ବା ବାର୍ଲି ଆଦିବାସୀମାନଙ୍କ ଦ୍ୱାରା ପ୍ରଚଳିତ। ୟୁନେସ୍କୋର ଭାଷା ମାନଚିତ୍ର ୱର୍ଲିକୁ ଭାରତର ସର୍ବାଧିକ ଅସୁରକ୍ଷିତ ଭାଷା ମଧ୍ୟରୁ ଗୋଟିଏ ଭାବରେ ତାଲିକାଭୁକ୍ତ କରିଛି।
ଆମେ ମହାରାଷ୍ଟ୍ରରେ ପ୍ରଚଳିତ ୱର୍ଲି ଭାଷାର ଦଲିଲକରଣର ଲକ୍ଷ୍ୟ ରଖିଛୁ।
ଅନୁବାଦ : ଓଡ଼ିଶାଲାଇଭ୍