‘ଖେଲା ହୋବେ’ (ଖେଳ ହେବ) ଓ ‘ଅବକି ବାର ୪୦୦ ପାର’ (ଏଥର ୪୦୦ ଉପର) ମଝିରେ ଠିଆ ହେଇଛି ଆମ ରାଜ୍ୟ, ଯାହା ଗୋଟିଏ ଛୋଟ ଭାରତ, ଯେଉଁଠି ସରକାରୀ ଯୋଜନା, ମାଫିଆ ସିଣ୍ଡିକେଟ, ସରକାରୀ ଦାନ ଓ ବେତାଳିଆ ପ୍ରତିବାଦର ଅବୁଝା ମିଶ୍ରଣ ରହିଛି।
ଆମର ଏଠି ଅଛନ୍ତି କାମରେ ଛନ୍ଦି ହେଇ ରହିଥିବା ବାସହୀନ ପ୍ରବାସୀ, ନୈରାଶ୍ୟପୂର୍ଣ୍ଣ ସ୍ଵଦେଶରେ ରହୁଥିବା କର୍ମହୀନ ଯୁବବର୍ଗ, କେନ୍ଦ୍ର ବନାମ ରାଜ୍ୟ ପ୍ରସଙ୍ଗର ଦ୍ଵନ୍ଦ୍ଵରେ ଝୁଲି ରହିଥିବା ସାଧାରଣ ଜନତା, ଜଳବାୟୁ ପରିବର୍ତ୍ତନ ଦ୍ଵାରା ପଙ୍ଗୁ ପାଲଟିଥିବା ଚାଷୀକୁଳ, ଏବଂ ମୌଳବାଦୀ ଚିନ୍ତାଧାରା ବିରୁଦ୍ଧରେ ଲଢୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ। ଉତ୍ତେଜିତ ସ୍ନାୟୁ ଓ ଶକ୍ତିହୀନ ଶରୀର। ଜାତି, ଶ୍ରେଣୀ, ଲିଙ୍ଗ, ଭାଷା, ଜାତି, ଧର୍ମ – ଏ ସବୁକିଛିର ସମାହାରଜନିତ କୋଳାହଳ।
ଏଇ ପାଗଳାମୀକୁ ଡେଇଁ ଆଗକୁ ବଢିଲେ ଶୁଣାଯାଏ ଏକାଧିକ ସ୍ଵର, ବହୁ ମାତ୍ରାରେ ବିଭ୍ରାନ୍ତ, ଅସହାୟ, ପ୍ରଳାପର ସ୍ଵର ସହିତ ଗୋଳାମିଶା ଅନ୍ୟ ଯେଉଁମାନେ କ୍ଷମତା-ମଙ୍ଗଧରା-ବଡ ନାଁ କରା-ନେତାଙ୍କ ଦ୍ଵାରା ଆଉ ବୋକା-ବନିବାକୁ-ରାଜି-ନଥିବା ଲୋକଙ୍କ ସ୍ଵର। ସନ୍ଦେସଖାଲିଠାରୁ ହିମାଳୟର ଚା’ ବଗିଚା, କଲିକତାଠାରୁ ଗଙ୍ଗା-ପ୍ଳାବିତ ରାଢ ସମତଳ ଭୂମି ପର୍ଯ୍ୟନ୍ତ ଆମର ବୁଲିବା, ଜଣେ ସାମ୍ବାଦିକ ଓ ଆଉ ଜଣେ ଚାରଣ କବି। ଆମେ ଶୁଣୁ, ଆମେ ସଂଗ୍ରହ କରୁ, ଆମେ ଫଟୋ ଉଠାଉ, ଆମେ କଥା ହେଉ।
ଆମର ଆରମ୍ଭ ସନ୍ଦେସଖାଲିଠାରୁ, ପଶ୍ଚିମ ବଙ୍ଗର ସୁନ୍ଦରବନର ତଳିଆ ପଟୁ ଚଢ଼ା ଏକ ଅଜଣା ଦ୍ଵୀପାଞ୍ଚଳ, ଯେଉଁଠି ଅଧିକାଂଶତଃ ଭୂମି ଓ ଭୁଆସୁଣୀଙ୍କ ଦେହକୁ ନେଇ ସଂଘର୍ଷ ହୁଏ।
ପଶାପାଲି
ବେଣୀ, ଭିସି ଭିଡ଼ି
ହେଇ ଆସୁଛି ଇଡ଼ି
ସନ୍ଦେସଖାଲିଠାରେ
ରାତି କଡ଼ ଲେଉଟାଏ
ବନ୍ଧା ପଡ଼ିଛନ୍ତି ସବୁ ଭୁଆସୁଣୀ
ଟିଭି
ଘୋଷକମାନେ ଚିତ୍କାର କରନ୍ତି, “ରାମ ରାମ, ଅଲ୍ଲୀ ଅଲ୍ଲୀ”!

‘ଖେଲା ହୋବେ’ (ଖେଳ ହେବ) କହେ ମୁର୍ଶିଦାବାଦରେ ଥିବା ଟିଏମସିର ଗ୍ରାଫିଟି। (ଭିତ୍ତିଲେଖ)

ମୁର୍ଶିଦାବାଦର ଏକ କାନ୍ଥରେ ଥିବା ରାଜନୈତିକ ଭିତ୍ତିଲେଖ: ‘ତୁମେ ଗିଳିଲ କୋଇଲା, ଚୋରି କରିନେଲ ସବୁ ଗୋସମ୍ପଦ, ସେ କଥା ତ ଆମେ ବୁଝୁଚୁ । କିନ୍ତୁ ନଈପଠାରୁ ବାଲି ବି ଛା ଡ଼ି ଲ ନାହିଁ, ବୋହୂ ଭୁଆସୁଣୀଙ୍କୁ ଛା ଡ଼ି ଲ ନାହିଁ ଅକ୍ଷତ – ସନ୍ଦେସଖାଲିର ଉକ୍ତି’


ବାମ: ଉତ୍ତର କଲିକତା ର ପୂଜା ପେଣ୍ଡାଲରେ ମହିଳାମାନଙ୍କ ଉପରେ ହିଂସା ବିରୋଧୀ ସ୍ଵର କହେ: ‘ଫନ୍ଦି କୋରେ ବନ୍ଦୀ କରୋ’ (ଫନ୍ଦି କରି ବନ୍ଦୀ କର) । ଡାହାଣ: ମହିଳାଙ୍କ ଉପରେ ଅତ୍ୟାଚାର ପ୍ରକଟ କରୁଥିବା ସୁନ୍ଦରବନ ଅନ୍ତର୍ଗତ ବାଲି ଦ୍ଵୀପାଞ୍ଚଳର ଜଣେ ପ୍ରାଥମିକ ଶ୍ରେଣୀର ଛାତ୍ରଙ୍କ ଦ୍ଵାରା ପ୍ରସ୍ତୁତ ପୋଷ୍ଟର। ‘ଆମରା ନାରୀ, ଆମରା ନାରୀ ନିର୍ଯାତାନ ବନ୍ଦୋ କରି ପାରି’ (ଆମେ ନାରୀ, ଆମେ ନା ରୀ ନିର୍ଯାତନା ବନ୍ଦ କରିପାରିବୁ)
*****
ବାଙ୍କୁଡ଼ା, ପୁରୁଲିଆ, ପଶ୍ଚିମ ମିଦନାପୁର ଓ ଝାଡ଼ଗ୍ରାମ ଆଦି ଯେଉଁ ଜିଲ୍ଲାଗୁଡ଼ିକୁ ଜଙ୍ଗଲ ମହଲ କୁହାଯାଏ ସେହିସବୁ ଜିଲ୍ଲା ବୁଲିଲା ବେଳେ ଆମେ ଭେଟିଥିବା ମହିଳା କୃଷକ ଓ ପ୍ରବାସୀ କୃଷି ଶ୍ରମିକ।
ଝୁମର
ପ୍ରବାସୀ ଶ୍ରମିକ
ବାଲି ତଳେ ସମାଧି
ଏହି ଭଳି କାହାଣୀ ରଖିଛି ଆମ ଟେରାକୋଟା
ମାଟି।
‘ପାନି କହିବା
ପାପ ଏଠି
ତୁମକୁ ‘ଜଳ’
କହିବାକୁ ହେବ ସବୁଠି!
ଜଙ୍ଗଲ ମହଲର
ଶୋଷ ଏହି ଭଳି।


ପୁରୁଲିଆର ମହିଳା କୃଷି ଶ୍ରମିକମାନେ ଉତ୍କଟ ଜଳ ସଙ୍କଟ ଭିତରେ ଚାଷ କାମ କମିବା ଓ ଜୀବିକାଜନିତ ସମସ୍ୟା ଭିତରେ ସଂଘର୍ଷରତ
*****
ଦାର୍ଜିଲିଂ ଦୁନିଆ ପାଇଁ ହୁଏତ ପାହାଡ଼ ରାଣୀ ହୋଇପାରେ, କିନ୍ତୁ ଯେଉଁ ଆଦିବାସୀ ମହିଳାମାନେ ଏଠାକାର ସୁନ୍ଦର ବଗିଚାରେ କାମ କରନ୍ତି, ସେମାନଙ୍କ ପାଇଁ ବ୍ୟବହାର କରିବା ଲାଗି ଶୌଚାଳୟଟିଏ ନାହିଁ। ଏଭଳି ଅସମାନତା ଓ ସଂଘର୍ଷ ଭିତରେ ଜୀବନ ବଞ୍ଚୁଥିବା ଏହି ଅଞ୍ଚଳର ମହିଳାଙ୍କ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ବାରି ହେଇଯାଏ।
ବ୍ଲଡି ମାରୀ
ଚା’ କପେ ପିଇବେକି?
ଧୋବଧାଉଳିଆ ପିଅନ, ଗୋଡ଼ା ଚା’ ପତି?
ଭଜା, ଗରମ ଉଚ୍ଚବର୍ଗୀୟ ଭଦ୍ରଲୋକ
ବଙ୍ଗାଳୀ।
କପେ ରୁଧିର
ପିଇବେ କି,
ଅବା ଆଦିବାସୀ
ଝିଅଟିଏ?
ଖଟିବା, ଫୁଟିବା,
“କରିବୁ! କରିବୁ!”

ଦାର୍ଜିଲିଂଗରେ ଏହି ଭିତ୍ତିଲେଖରୁ ଆପଣଙ୍କ ଦୃଷ୍ଟି ଏଡ଼େଇ ପାରିବେନି
*****
ମୁର୍ଶିଦାବାଦ କେବଳ ବେଙ୍ଗଲର ମୁଖ୍ୟ ପ୍ରସଙ୍ଗ ନୁହେଁ, ବରଂ ଦୃଷ୍ଟିକୁ ଆସିଛି ଟଙ୍କା ବଦଳରେ ସ୍କୁଲ ଚାକିରି ଭଳି ଆଉ ଏକ ଝଡ଼। ରାଜ୍ୟ ବିଦ୍ୟାଳୟ ସେବା ଆୟୋଗ (ଏସଏସସି) ଦ୍ୱାରା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ବହୁସଂଖ୍ୟାରେ ନିଯୁକ୍ତିକୁ ରଦ୍ଦ କରିବା ଲାଗି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନେକ ଯୁବକଯୁବତୀଙ୍କୁ ସନ୍ଦେହରେ ପକେଇ ଦେଇଛି। ବିଡ଼ି ତିଆରି କାରଖାନାରେ କାମ କରୁଥିବା ୧୮ ବର୍ଷ ବୟସରୁ କମ୍ ବୟସର କିଶୋରମାନେ ପାଠ ପଢ଼ିବା ଓ ତଦ୍ୱାରା ଭାଗ୍ୟ ପରିବର୍ତ୍ତନ ଉପରେ ଆଦୌ ଭରସା କରନ୍ତି ନାହିଁ। ବରଂ ସେମାନେ ଯେତେ ଶୀଘ୍ର ସମ୍ଭବ କର୍ମଶକ୍ତିରେ ଯୋଗ ଦେବାକୁ ଓ ଭଲ ସୁଯୋଗ ପାଇବା ପାଇଁ ପ୍ରବାସୀ ଶ୍ରମିକ ହେବାକୁ ଚାହାନ୍ତି।
ଯୋଗ୍ୟ ପ୍ରାର୍ଥୀ
ସେମାନେ ଧାରଣା ଦେଲେ
‘ତାନାସାହି ଆର ନା’ – ସ୍ଵେଚ୍ଛାଚାରିତା
ଚଳିବ ନାହିଁ
ମିଲିଟାରୀ ବୁଟ୍ ପିନ୍ଧା ପୋଲିସ ଆସିଲେ
ମାଡ଼ି,
ସରକାରୀ ଚାକିରି,
ମାଗଣାରେ ମିଳିବ କିପରି!
ବରାବର ଭାଗମାପ ଦଣ୍ଡ ଓ ଉପୁରି।

ପାଠ ଛାଡ଼ୁଥିବା କିଶୋରମାନଙ୍କ ମଧ୍ୟରୁ ଅଧିକାଂଶ ମୁର୍ଶିଦାବାଦର ବି ଡ଼ି କାରଖାନାରେ କାମ କରନ୍ତି । ‘ ଯେଉଁ ମା ନଙ୍କ ପାଖରେ ବ ଡ଼ ବ ଡ଼ ଡିଗ୍ରୀ ଅଛି ସେମାନେ କିଛି ନ କରି ଘରେ ବସିଛନ୍ତି। ଯେଉଁମାନେ ବଛା ହେଲେ ସେମାନେ ଚାକିରି ପାଇଲେ ନାହିଁ, ଓ ଏବେ ସେମାନେ ଏସଏସସି ମାଧ୍ୟମରେ ପାଇଥିବା ଚାକିରି ଦାବି କରି ରାସ୍ତାରେ ଧାରଣା ଦେଇ ବସିଛନ୍ତି। ତେଣୁ ପାଠ ପ ଢ଼ି ଲାଭ କ ’ ଣ?
*****
ବର୍ଷର ଯେ କୌଣସି ସମୟ ହୋଇଥାଉନା କାହିଁକି, କଲିକତାର ଜନଗହଳି ପୂର୍ଣ୍ଣ ରାସ୍ତାରେ ଚାଲି ଗଲାବେଳେ ବହୁ ସଂଖ୍ୟାରେ ପ୍ରତିବାଦ କରୁଥିବା ମହିଳାମାନଙ୍କୁ ଦେଖିବାକୁ ମିଳେ। ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସାରା ରାଜ୍ୟର ଚାରିଆଡୁ ଲୋକେ ଏଠାକୁ ଆସି ପ୍ରତିବାଦର ହାତ ଉଠାନ୍ତି।
ନାଗରିକତ୍ଵ
ହେଇ ଆସୁଛି କାଗଜ-ମଣିଷ,
ଦୌଡ଼ି ପଳାଅ, ପଳାଅ, ପାରୁଛ
ଯଦି,
ବାଂଲାଦେଶୀ! ବାଂଲାଦେଶୀ! ମୁହଁ ଲୁଚେଇ ଯାଅ ପଳାଇ!
ତୁମ ସିଏଏ ଯାଉ ଚୁଲିକୁ
ଆମେ ଆଦୌ ପଳେଇ ଯିବୁ ନାହିଁ,
ବାଂଲାଦେଶୀ! ବାଂଲାଦେଶୀ! କେକ୍ ଖାଅ ଯଦି ରୁଟି ନାହିଁ?

କଲିକତାର ବିଭିନ୍ନ ମହିଳା ଅନୁଷ୍ଠାନ ଦ୍ଵାରା ଆହୁତ ମହିଳାଙ୍କ ଶୋଭାଯାତ୍ରା, ୨୦୧୯ର ଚିତ୍ର

ମହିଳା ଶୋଭାଯାତ୍ରା, ୨୦୧୯, କଲିକତା: ବିଭିନ୍ନ ସାମାଜିକ ପୃଷ୍ଠଭୂମିରୁ ଆସିଥିବା ମହିଳାମାନେ ଧର୍ମ, ଜାତି ଓ ଲିଙ୍ଗଗତ ତାରତମ୍ୟ ଆଧାରରେ ଘୃଣାକୁ ଦୂରେଇବା ଉଦ୍ଦେଶ୍ୟରେ ରାସ୍ତା କୁ ଓହ୍ଲାଇଥିଲେ

କଲିକତାର ପାର୍କ ସର୍କସ ମଇଦାନରେ ସିଏଏ-ଏନଆରସିକୁ ବିରୋଧ କରି ପ୍ରତିବାଦ ଆନ୍ଦୋଳନରେ ବସିଥିବା ମୁସଲିମ ମହିଳାମାନେ
*****
ବୀରଭୂମର ଗାଁଗୁଡ଼ିକରେ ଚାଷ କାମରେ ନିର୍ଭର କରୁଥିବା ଭୂମିହିନ ଆଦିବାସୀ ମହିଳାମାନେ କାମ କରୁଥିବା ବେଳେ ସେମାନଙ୍କ ସହ ଆମର ମୁହାଁମୁହିଁ ଆଲୋଚନା। ଅଳ୍ପ କେତେକ ସ୍ୱଳ୍ପ ଜମି ଥିବା ମହିଳାମାନେ ଅଳ୍ପ କିଛି କହିଛନ୍ତି।
ଶୁଦ୍ରାଣୀ
ହେ ବାବୁ, ଏଇ ମୋର କାଦୁଅବୋଳା ପୁରୁଣା
ପଟ୍ଟା –
ଲାଲ ଆଉ ଚିରାଫଟା ଯେମିତି ନାରଙ୍ଗି
ଡୁପଟ୍ଟା।
ଟୁକୁଡାଏ ଦିଅ
ମତେ, ଜୀବନଟେ ଦିଅ,
ମୁଁ ନିଜେ ଜଣେ
ଚାଷୀ, କୌଣସି ଚାଷୀର ସ୍ତ୍ରୀ ନୁହେଁ।
ମୋ ଚାଷ ଜମି
ଯାଇଛି ବାବୁ ନାଶ,
ମରୁଡ଼ିରେ ହୋଇଛି ବିନାଶ...
ମୁଁ ଏବେ ବି
ଜଣେ ଚାଷୀ, ହେଉ ନାହିଁ କି ବିଶ୍ଵାସ?


‘ଆମର କିଛି ଜମି ନାହିଁ। ଆମେ କ୍ଷେତରେ କାମ କରୁ କିନ୍ତୁ ମୁଠାଏ ଶସ୍ୟ ପାଇଁ ହାତ ପତାଉ’, କହନ୍ତି ଧାନ ଅମଳ କରୁଥିବା ପଶ୍ଚିମବଙ୍ଗ ବୀରଭୂମର ଜଣେ ସାନ୍ତାଳୀ କୃଷି ଶ୍ରମିକ
*****
କ୍ଷମତାରେ ଥିବା ଲୋକଙ୍କୁ ସାଧାରଣ ଲୋକେ କେବଳ ନିର୍ବାଚନ ସମୟରେ ଦାୟୀ କରନ୍ତି ନାହିଁ। ମୁର୍ସିଦାବାଦ, ହୁଗଳି, ନଦିଆ ଆଦି ସ୍ଥାନର ମହିଳା ଓ କୃଷିଜୀବୀ ବାରମ୍ବାର ଆସି ଏହି ଦେଶବ୍ୟାପୀ ଆନ୍ଦୋଳନରେ ଯୋଗ ଦିଅନ୍ତି।
ହାତୁଡି
ପ୍ରିୟ ମୋର ଅତି ପ୍ରିୟ ଲୁହବୁହା ଗ୍ୟାସ
ଛାଡିଲ ତରଙ୍ଗେ –
କାରଖାନା ହେଲା ବନ୍ଦ, ଜମି ଦଲାଲ ଖୁସ
କଳା କଳା
ପ୍ରତିବନ୍ଧକ ବାଡ ଦେଇଦେଲ।
ସର୍ବନିମ୍ନ
ମଜୁରି
ମନରେଗା
ବାନ୍ଧି ହେଇ ରହିଛି ନାରଙ୍ଗି କ୍ରୋଧରେ।


ବାମ: ସର୍ବଭାରତୀୟ କିସାନ ସଂଘର୍ଷ ସମନ୍ୱୟ କମିଟି (ଏଆଇକେଏସସିସି), ମହିଳା କିସାନ ଦିବସ ରାଲି ଜାନୁଆରୀ ୧୮,୨୦୨୧। ଡାହାଣ: ‘ସେମାନେ ଆମ ପାଖକୁ ଆସନ୍ତି ନାହିଁ। ତେଣୁ, ଆମେ ଏଠାକୁ ଆସି ସେମାନଙ୍କୁ କହିବା ପାଇଁ ଚାହୁଁ!’ ସେପ୍ଟେମ୍ବର ୧୯, ୨୦୨୩ ଦିନ ଅଲ୍ ଇଣ୍ଡିଆ କିସାନ ସଭା (ଏଆଇକେଏସ୍) ରାଲିରେ ଯୋଗ ଦେଇଥିବା ପ୍ରତିବାଦୀ କୃଷକମାନେ
ଓଡ଼ିଆ ଭାବାନୁବାଦ: କପିଳାସ ଭୂୟାଁ