‘‘ଆମ ପିଢ଼ି ପାଇଁ ଭେଡ଼ବକ୍ରି ଚରାନା (ପଶୁପାଳନ) ଏକ କଷ୍ଟକର କାମ,’’ ଭୋରଥାଏନ ଗ୍ରାମର ଉପରମୁଣ୍ଡରେ ଥିବା ଏକ ଉପାନ୍ତ ବସତି ପେହଲିର ଜଣେ ବକରୱାଲ ଯୁବକ ତାଲିବ କସାନା କୁହନ୍ତି । ସେ ଦୂରସ୍ଥ ଶିକ୍ଷା ମାଧ୍ୟମରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି।
ବକରୱାଲମାନେ ହେଉଛନ୍ତି ଏକ ପଶୁପାଳକ ସମୁଦାୟ, ସେମାନେ ନିଜ ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଭୂମି ସନ୍ଧାନରେ ଦଳବଦ୍ଧ ହୋଇ ହିମାଳୟର ବିଭିନ୍ନ ସ୍ଥାନରେ ଘୂରି ବୁଲିଥାନ୍ତି। ତାଲିବ କୁହନ୍ତି, ‘‘ଥରେ ଆମର ଗାଁରେ ରହିବା ଏବଂ ମେଣ୍ଢା ଚରାଇବା ପରିବର୍ତ୍ତେ ପାଠ ପଢ଼ିବାର ଅଭ୍ୟାସ ହୋଇଯିବା ପରେ, ଆମ ଭିତରେ ଅନ୍ୟାନ୍ୟ ଆଗ୍ରହ ମଧ୍ୟ ଜନ୍ମ ନେଇଛି... ଯେମିତି କି ଆମେ ବନ୍ଦ ଶୌଚାଳୟ ଚାହୁଁଛୁ କିମ୍ବା ଗୋଟିଏ ସ୍ଥାନରେ ପାଠ ପଢ଼ିବା ଲାଗି ସକ୍ଷମ ହେଉଛୁ।’’
ଜାମ୍ମୁର କାଠୁଆ ଜିଲ୍ଲାରେ ଏକ ଛୋଟିଆ ବକରୱାଲ ବସ୍ତିରେ ତାଲିବ ରୁହନ୍ତି। ଏହା ଏକ ଅର୍ଦ୍ଧ-ସ୍ଥାୟୀ ଜନବସତି, ଏବଂ ଏଠାକାର କୌଣସି ବାସିନ୍ଦାଙ୍କ ନିକଟରେ ଜମି ଅଧିକାର ନାହିଁ ।
ଗତ ଏକ ଦଶନ୍ଧି ମଧ୍ୟରେ, ଏହି ଅର୍ଦ୍ଧ-ଯାଯାବର ସମୁଦାୟର ବହୁ ଯୁବକଯୁବତୀ ସେମାନଙ୍କର ପାରମ୍ପରିକ ପଶୁପାଳନ ଜୀବନ ଠାରୁ ଦୂରେଇ ଯାଇ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି । ସେମାନେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ନଚେତ୍ ସେମାନଙ୍କ ପାଖରେ ଟଙ୍କା ଥିଲେ ରାଜନୀତି ଏବଂ ପ୍ରଶାସନିକ ସେବା ଚାକିରି କ୍ଷେତ୍ରରେ କ୍ୟାରିୟର ସନ୍ଧାନ କରୁଛନ୍ତି ।
ଗୋଟିଏ ବକରୱାଲ ପରିବାରରେ ଦୁଇ ପୁଅ ଥିଲେ, ଜଣେ ମେଣ୍ଢା ଚରାଇବେ ଏବଂ ଆଉ ଜଣେ ବାହାର କାମ କରିବେ ବୋଲି ଧରି ନିଆଯାଏ। ତାଲିବ କାସନା ନିଜର ପାଠପଢ଼ା ଜାରି ରଖିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କର ସାନ ଭାଇ ମେଣ୍ଢା ଚରେଇବା ପ୍ରତି ଆଗ୍ରହୀ ନୁହନ୍ତି ଏବଂ ସେ ମଧ୍ୟ ବାହାର କାମରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ଭାଇ ଚେତାଇ ଦେଇ କୁହନ୍ତି, ‘‘ଆମ ଭଳି ଲୋକଙ୍କ ପାଇଁ କୌଣସି ଚାକିରି ନାହିଁ।’’


ବାଇରା କୁପାଇ ଗ୍ରାମରେ ଥିବା ଏକ ଅସ୍ଥାୟୀ ବକରୱାଲ ବସତିରେ ଅଲତାଫ ହୁସେନ, ମୁନାବ୍ବର ଅଲୀ, ହନୀଫ ସୌଦ ଏବଂ ମହମ୍ମଦ ତାଲିବ (ବାମରୁ ଡାହାଣ) ରୁହନ୍ତି । ଡାହାଣ: କାଠୁଆ ଜିଲ୍ଲାର ବକରୱାଲ ପଡ଼ାରେ ଥିବା ଏକ ମାଟି ଘର


ବାମ: ବକରୱାଲ ସମୁଦାୟର ଜଣେ ମହିଳା ନଗୀନା ନିଜ ଘରେ ରୋଷେଇ କରୁଛନ୍ତି। ଡାହାଣ: ‘ଦିନ ବିତିବା ସହିତ ପାରମ୍ପରିକ ଜୀବିକା ଉପରେ ନିର୍ଭର କରି ଚଳିବା ଏହି ସମୁଦାୟ ପାଇଁ କଷ୍ଟକର ହେଉଛି,’ ପଶୁପାଳକ ଶରୀଫ କାସନା କୁହନ୍ତି
ତାଲିବଙ୍କ କଥାରେ ଏକମତ ହୁଅନ୍ତି କାଠୁଆ ଜିଲ୍ଲା ବାଇରା କୁପାଇ ଗ୍ରାମରେ ରହୁଥିବା ବକରୱାଲ୍ ସମୁଦାୟର ଜଣେ ବୟସ୍କ ବ୍ୟକ୍ତି ମୁନାବ୍ବର ଅଲ୍ଲୀ । ସେ କୁହନ୍ତି, ‘‘ମୋ ଝିଅ ଦ୍ୱାଦଶ ପାସ୍ କରିଛି । ଏବେ ସେ ଘରେ ବସିଛି ।’’
ପେସାରେ ଜଣେ କାଠ ମିସ୍ତ୍ରୀ ହୋଇଥିବା ମୁନାବ୍ବର ଅଲ୍ଲୀ ନିଜ ଝିଅର ଭବିଷ୍ୟତକୁ ନେଇ ସନ୍ଦିହାନ । ‘‘ଆମ ପିଲାମାନେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ସୁଦ୍ଧା କୌଣସି ଫରକ ପଡ଼ିନଥାଏ। ସେମାନଙ୍କୁ ବଡ଼ ପଦପଦବୀ ମିଳେ ନାହିଁ।’’
ଏହା ସତ୍ତ୍ୱେ, ବକରୱାଲ ପରିବାରଗୁଡ଼ିକ ଶିକ୍ଷା ଉପରେ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଜାମ୍ମୁ ଜିଲ୍ଲାର ସନ୍ଧି ଗ୍ରାମରେ ଏକ ବକରୱାଲ ପରିବାରରେ ମହମ୍ମଦ ହନୀଫ ଜାଟଲାଙ୍କ ଜନ୍ମ ହୋଇଥିଲା। ସେ ଥିଲେ ଛଅ ଭାଇଭଉଣୀଙ୍କ ମଧ୍ୟରୁ ଜଣେ। ତାଙ୍କର ପିଲାଦିନ ମେଣ୍ଢା, ଛେଳି ଓ ଘୋଡ଼ାଙ୍କ ଗହଣରେ କଟିଥିଲା। ହଠାତ୍ ତାଙ୍କ ମା’ଙ୍କ ମୃତ୍ୟୁ ପରେ ଜେଜେବାପାଙ୍କ ସଞ୍ଚିତ ଟଙ୍କାରେ ପରିବାର ଲୋକମାନେ ତାଙ୍କୁ ସ୍କୁଲରେ ନାମ ଲେଖାଇଥିଲେ।
ହନିଫ୍ କଲେଜରେ ପଢ଼ୁଥିବା ସମୟରେ, ‘‘ମୋ ବାପା ସବୁ ଗୃହପାଳିତ ପଶୁଙ୍କୁ ବିକି ଦୁଇ କନାଲ (୦.୨୫ ଏକର) ଜମି କିଣିଥିଲେ।’’ ସେ କୁହନ୍ତି ଯେ ପରିବାର ଲୋକଙ୍କୁ ସ୍ଥାୟୀ ବାସସ୍ଥାନ ଯୋଗାଇ ଦେବା ଏବଂ ତାଙ୍କ ପିଲାମାନେ ପାଠପଢ଼ି ଚାକିରି ଖୋଜିବା ପାଇଁ ସକ୍ଷମ ହେବା ନିମନ୍ତେ ତାଙ୍କ ବାପା ଏହି ଜମି କିଣିଥିଲେ। ହନିଫ୍ ଏକ ସ୍ଥାନୀୟ ଖବର ସରବରାହ ସଂସ୍ଥାରେ ସମ୍ବାଦଦାତା ଭାବେ କାମ କରିଥାନ୍ତି ।


ବାମ : ହନିଫ ଜାଟଲା ତାଙ୍କ ଝିଆରୀ ସାନିଆ ସହିତ ବସିଛନ୍ତି । ସେ ଏକ ସ୍ଥାନୀୟ ଖବର ସରବରାହ ସଂସ୍ଥାରେ ସମ୍ବାଦଦାତା ଭାବେ କାମ କରିଥାନ୍ତି । ଡାହାଣ : ଫୟଜ ଜାମ୍ମୁ ସହରରେ ପଢ଼ୁଥିବା ଜଣେ ଛାତ୍ର। ଅଧିକାଂଶ ଯୁବ ବକରୱାଲ କଲେଜକୁ ଯାଇଥାନ୍ତି ଏବଂ ସରକାରୀ ଚାକିରି ଖୋଜନ୍ତି


ବାମ : ବିବାଦୀୟ ଜମିରେ ଘର ନିର୍ମାଣ କରିଥିବା ଅଧିକାଂଶ ବକରୱାଲ ପରିବାର ପାଇଁ ପକ୍କା ଘର ଏକ ସ୍ୱପ୍ନ । ଡାହାଣ : ଅଧିକାଂଶ ଚାରଣଭୂମି ଏବଂ ଚାଷ ଜମିକୁ ଏବେ କାମ୍ପା (କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ) ପ୍ରକଳ୍ପ ଅଧୀନରେ ବାଡ଼ ଘେରାଇ ଦିଆଯାଇଛି ଏବଂ ଏଥିପାଇଁ ବ୍ୟାପକ ମାତ୍ରାରେ ଉଚ୍ଛେଦ କରାଯାଇଛି
ବକରୱାଲମାନେ ରାଜ୍ୟରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ହୋଇଛନ୍ତି ଏବଂ ୨୦୧୩ର ଏକ ରିପୋର୍ଟ ଅନୁଯାୟୀ ଏମାନଙ୍କ ଜନସଂଖ୍ୟା ୧,୧୩,୧୯୮ ହେବ । ଅଧିକାଂଶ ବକରୱାଲଙ୍କ ନିକଟରେ ଜମି ନାହିଁ, ଏବଂ ଏହି ଲୋକଙ୍କ ସଂଖ୍ୟା ଦିନକୁ ଦିନ କମି ଯାଉଥିବା କାରଣରୁ ଚାରଣ ଭୂମି ଏବଂ ସ୍ଥାୟୀ ଘର ଉପରେ ସେମାନଙ୍କର ଅଧିକାର ମଧ୍ୟ ବିବାଦାସ୍ପଦ ହୋଇଯାଉଛି ।
ଜାମ୍ମୁ ଜିଲ୍ଲାର ବାଜାଲ୍ଟା ସହର ନିକଟରେ ଥିବା ଏକ ବସତି ସମୂହର ବାସିନ୍ଦା ପରଭେଜ୍ ଚୌଧୁରୀ କୁହନ୍ତି, ଗୋଟିଏ ସ୍ଥାନରେ ବହୁ ଦଶନ୍ଧି ଧରି ରହିବା ସତ୍ତ୍ୱେ ତାଙ୍କ ସମୁଦାୟର ଲୋକମାନଙ୍କୁ ନିଜ ଜମି ଉପରେ କୌଣସି କାଗଜପତ୍ର କିମ୍ବା ଅଧିକାର ନାହିଁ । ଅଧିକାଂଶ ଚାରଣଭୂମି ଏବଂ ଚାଷ ଜମିକୁ ଏବେ କାମ୍ପା (କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ) ପ୍ରକଳ୍ପ ଅଧୀନରେ ବାଡ଼ ଘେରାଇ ଦିଆଯାଇଛି ଏବଂ ଏଥିପାଇଁ ବ୍ୟାପକ ମାତ୍ରାରେ ଉଚ୍ଛେଦ କରାଯାଇଛି ।
‘‘ଅଧିକାଂଶ ବକରୱାଲ ସରକାରୀ ଜମି କିମ୍ବା ଜଙ୍ଗଲ ଜମିରେ ରହିଥାନ୍ତି। ଯଦି ଏହାକୁ ଆମଠାରୁ ଛଡ଼ାଇ ନିଆଯିବ, ତା’ହେଲେ ଆମେ କେଉଁଆଡ଼େ ଯିବୁ?’’ ବିଜୟପୁର ପାଖ ବକରୱାଲ କଲୋନୀରେ ରହୁଥିବା ପ୍ରାୟ ୩୦ ବର୍ଷ ବୟସ୍କ ମହମ୍ମଦ ୟୁସୁଫ ଏବଂ ଫିରଦୌସ ଅହମ୍ମଦ ପ୍ରଶ୍ନ କରିଥାନ୍ତି ।
ଏଠାରେ ସେମାନଙ୍କ ବସତିରେ କିମ୍ବା ତାଲିବ ରହୁଥିବା ବାଇରା କୁପାଇରେ ଥିବା ସେମାନଙ୍କ ବସ୍ତିରେ କୌଣସି ମୌଳିକ ସୁବିଧା ସୁଯୋଗ ନାହିଁ । ସେମାନେ କୁହନ୍ତି, ବନ ବିଭାଗ ପକ୍ଷରୁ ଲଗାତାର ଉଚ୍ଛେଦର ଧମକ ମିଳୁଥିବାରୁ ସେମାନେ ନିଜର ଅସ୍ଥାୟୀ ଘରକୁ ସ୍ଥାୟୀ ଘରରେ ପରିଣତ କରିପାରୁନାହାନ୍ତି । ଏହାବ୍ୟତୀତ, ସେମାନଙ୍କ ବସ୍ତି ଭିତରେ ଏବଂ ଚାରି ପାଖରେ ରାସ୍ତା ନଥିବାରୁ ସେମାନେ ସମସ୍ୟାରେ ପଡ଼ିଥାନ୍ତି । ‘‘ଯଦି କେହି ଅସୁସ୍ଥ ହୋଇଯାଆନ୍ତି, ତା’ହେଲେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କଷ୍ଟକର ହୋଇଯାଏ।’’


ବାମ: ଅଧିକାଂଶ ପଡ଼ାରେ ପାନୀୟ ଜଳ ସୁବିଧା ନଥିବାରୁ ସମୁଦାୟର ମହିଳାମାନଙ୍କୁ ତିନି ଚାରି କିଲୋମିଟର ଦୂରରୁ ପାଣି ଆଣିବାକୁ ପଡ଼ିଥାଏ। ଡାହାଣ: ପ୍ରାୟ ୪୫ ବର୍ଷ ବୟସ୍କ ନୁର୍ ମହମ୍ମଦ ସେପସିସ୍ରୁ ସୁସ୍ଥ ହେଉଛନ୍ତି। ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ପଠାନକୋଟ୍ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାର କୁହନ୍ତି ଯେ, ଚିକିତ୍ସା ଖର୍ଚ୍ଚରେ ସେମାନଙ୍କ ସବୁତକ ସଞ୍ଚୟ ଖର୍ଚ୍ଚ ହୋଇଯାଇଛି ଏବଂ ସେମାନେ ଋଣ ବୋଝରେ ପଡ଼ିଛନ୍ତି


ବାମ: ପ୍ରବାସ ସମୟରେ ଦେଖା ଦେଉଥିବା ସମସ୍ୟା ସମ୍ପର୍କରେ ମହମ୍ମଦ ତାଲିବ ଓ ହନିଫ ସୌଦ କଥା ହେଉଛନ୍ତି । ଡାହାଣ: ମହମ୍ମଦ ଆକ୍ରମ ହେଉଛନ୍ତି ବକରୱାଲ ସମୁଦାୟ ପାଇଁ କାମ କରୁଥିବା ଜଣେ ଆଇନଜୀବୀ
ପରୀ ସେମାନଙ୍କ ସହିତ କଥା ହେଉଥିବା ସମୟରେ, ମହିଳାମାନେ ମୁଣ୍ଡରେ ଓଜନିଆ ପାଣି ପାତ୍ର ବୋହି ପାହାଡ଼ ଉପରକୁ ଚଢ଼ୁଥିବା ଏବଂ ଓହ୍ଲାଉଥିବା ଆମେ ଦେଖିପାରୁ। ସେଠାରେ କିଛି ଘଣ୍ଟା ବିତାଇ ଆମେ ଯିବା ପାଇଁ ପ୍ରସ୍ତୁତ ହେବା ବେଳକୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ମୁଣ୍ଡରେ ପାଣି ବୋହି ଏକାଧିକ ବାର ପାହାଡ଼ର ଉପରତଳ ହୋଇସାରିଥାନ୍ତି।
ଜାମ୍ମୁର ଯୁବ ଛାତ୍ରୀ ତଥା ସାମାଜିକ କର୍ମୀ ନାହିଲା ବକରୱାଲ ସମୁଦାୟର ଆଇନଗତ, ଜମି ଓ ସାଂସ୍କୃତିକ ଅଧିକାର ପାଇଁ ଲଢ଼େଇ କରିଥାନ୍ତି । ବକରୱାଲ ସମୁଦାୟର ଯୁବପିଢ଼ି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବେ ବୋଲି ତାଙ୍କର ବିଶ୍ୱାସ ରହିଛି। ‘‘ଶିକ୍ଷା, ଜମି ଅଧିକାର ଏବଂ ଉନ୍ନତ ସୁବିଧା ଓ ସରକାରଙ୍କ ସହାୟତା (ଉନ୍ନତ ସୁବିଧା ପାଇଁ) ପାଇଁ ଆମର ସଂଘର୍ଷ ଜାରି ରହିବ,’’ ସେ କୁହନ୍ତି।
ବକରୱାଲ ଯୁବପିଢ଼ିଙ୍କର ବିଭିନ୍ନ ଦାବି ରହିଛି। ସେମାନେ ଯାଯାବରଙ୍କ ଆବଶ୍ୟକତା ଉପରେ ଉପଯୁକ୍ତ ସର୍ବେକ୍ଷଣ ଏବଂ ଉନ୍ନତ ବାସସ୍ଥାନ ଚାହାନ୍ତି । ସେମାନେ ମଧ୍ୟ ସରକାରୀ ସଂସ୍ଥା ଓ ଆୟୋଗରେ ଜନଜାତିଙ୍କ ପ୍ରତିନିଧିତ୍ୱ ଦାବି କରିଥାନ୍ତି।
ରାଜ୍ୟ ସରକାର ପାହାଡ଼ି ସମୁଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ପ୍ରତି ଆଗ୍ରହୀ ଅଛନ୍ତି - ଏହି ପଦକ୍ଷେପ ସେମାନଙ୍କର ଅନୁସୂଚିତ ଜନଜାତି କୋଟାରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ାଇବ ବୋଲି ବକରୱାଲମାନେ ଅନୁଭବ କରିଥାନ୍ତି ।
ପାରମ୍ପରିକ ବେଉସାକୁ ଆଗେଇ ନେବା କିମ୍ବା ଅନ୍ୟ ଚାକିରି ଆପଣାଇବାକୁ ନେଇ ଦୋଛକି ଅବସ୍ଥାରେ ରହିଥିବା ବକରୱାଲ ସମୁଦାୟର ସଦସ୍ୟ ତଥା ପେହଲିର ବାସିନ୍ଦା ଅବଦୁଲ ରସିଦ୍ କୁହନ୍ତି, ‘‘ ନା ୟାହାଁ କେ, ନା ୱହାଁ କେ (ଆମେ ନା ଏଠାକାର ହୋଇପାରୁଛୁ ନା ସେଠାକାର) ।’’
ଅନୁବାଦ : ଓଡ଼ିଶାଲାଇଭ୍