ନିଜ ପେଟରେ ବଢୁଥିବା ମାଂସ ପିଣ୍ଡୁଳାକୁ ନେଇ ସୁନୀତା ଦେବୀ ଚିନ୍ତିତ ଥିଲେ। ସେ ଭଲ ଭାବେ ଖାଇପାରୁନଥିଲେ, ଏବଂ ପେଟ ଫମ୍ପେଇବା ଭଳି ଅନୁଭବ କରୁଥିଲେ। ଏହାକୁ ଦୁଇ ମାସ ଧରି ଅଣଦେଖା କରିବା ପରେ, ସେ ତାଙ୍କ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଜଣେ ଡାକ୍ତରଙ୍କୁ ଦେଖାଇବାକୁ ଗଲେ। ଡାକ୍ତର ଯାହା କହିଲେ ତାହା ତାଙ୍କୁ ବିସ୍ମିତ କରିଦେଲା: ‘‘ଆପ୍କୋ ବଚ୍ଚା ଠହର ଗୟା ହୈ [ଆପଣ ଗର୍ଭବତୀ ଅଛନ୍ତି]।’’
ତାହା କିପରି ସମ୍ଭବ ହେଲା ସେ ବୁଝିପାରିଲେ ନାହିଁ –ଏକ ଗର୍ଭଧାରଣ ରୋକିବା ଲାଗି ତାଙ୍କୁ କପର-ଟି ଲଗାଇବାର ଅତି ବେଶୀରେ ଛଅ ମାସ ହୋଇଥିଲା ।
୨୦୧୯ର ଘଟଣାକୁ ମନେ ପକାଇ ବର୍ତ୍ତମାନ, ତାଙ୍କର ଶେତା ପଡ଼ିଯାଇଥିବା ମୁହଁ ଆହୁରି ଶେତା ଦେଖାଗଲା। ତାଙ୍କ କେଶକୁ ପଛ ପଟକୁ ନେଇ ଏକ ଖୋସା କରାଯାଇଛି; ତାଙ୍କର ପଶିଯାଇଥିବା ଆଖି ଖୁବ୍ ନିସ୍ତେଜ ଓ କ୍ଲାନ୍ତ ଦେଖାଯାଉଥିଲା। ଏକମାତ୍ର ଉଜ୍ଜ୍ୱଳ ଚିହ୍ନ ଥିଲା ତାଙ୍କ ମଥାରେ ଥିବା ଏକ ନାଲି ବିନ୍ଦି ।
ସୁନୀତା (ତାଙ୍କର ପ୍ରକୃତ ନାମ ନୁହେଁ) ଜଣେ ୩୦ ବର୍ଷୀୟା ମହିଳା ହୋଇଥିବା ବେଳେ ୪ଟି ପିଲାଙ୍କର ମା’। ତାଙ୍କର ଦୁଇଜଣ ଝିଅ ଓ ଦୁଇଜଣ ପୁଅ ଅଛନ୍ତି। ସେମାନଙ୍କର ବୟସ ୪ରୁ ୧୦ ମଧ୍ୟରେ। ମେ ୨୦୧୯ରେ ତାଙ୍କର ସାନ ପିଲାଟି ୨ ବର୍ଷର ହୋଇଥିବା ସମୟରେ ସୁନୀତା ଆଉ ଅଧିକ ପିଲା ଜନ୍ମ ନ କରିବାକୁ ନିଷ୍ପତ୍ତି ନେଲେ। ସେହି ଅଞ୍ଚଳକୁ ଆସିଥିବା ଜଣେ ଆଶା କର୍ମୀଙ୍କଠାରୁ ସେ ପରିବାର ନିୟୋଜନ ଉପାୟ ସଂପର୍କରେ ଜାଣିବାକୁ ପାଇଲେ। ବିକଳ୍ପ ସଂପର୍କରେ ଚିନ୍ତା କରିବା ପରେ ସେ ଅନ୍ତରା, ଇଞ୍ଜେକ୍ସନ୍ ମାଧ୍ୟମରେ ଦିଆଯାଉଥିବା ଏକ ଗର୍ଭନିରୋଧକ ଯାହାକି ୩ ମାସ ଧରି ଗର୍ଭଧାରଣକୁ ରୋକିବାକୁ ଦାବି କରେ ତାକୁ ବାଛିଲେ। ସେ କହିଲେ, ‘‘ମୁଁ ଭାବିଲି ଇଞ୍ଜେକ୍ସନ୍କୁ ବ୍ୟବହାର କରିଦେଖେ।’’
ଆମେ ତାଙ୍କର ୮ x ୧୦ଫୁଟର କୋଠରୀର ଚଟାଣରେ ଏକ ସପ ଉପରେ ବସିଛୁ। ଏବଂ ଗୋଟିଏ କୋଣରେ ଥିବା ଖାଲି ଗ୍ୟାସ୍ ସିଲିଣ୍ଡର ଉପରେ ଆଉ ଅଧିକ ସପ ରଖାଯାଇଛି। ସୁନୀତାଙ୍କର ଦିଅରଙ୍କ ପରିବାର ଏଥିସଂଲଗ୍ନ ଏକ କୋଠରୀରେ ରହନ୍ତି । ସେଠାରେ ଆଉ ଏକ ତୃତୀୟ କୋଠରୀ ବି ଅଛି ଯେଉଁଠାରେ ଅନ୍ୟ ଜଣେ ଦିଅର ରହନ୍ତି। ଘରଟି ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଜିଲ୍ଲାର ନଜଫଗଡ଼ର ମହେଶ ଗାର୍ଡେନ୍ ଅଞ୍ଚଳରେ ରହିଛି ।
ଗୋପାଳନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ପିଏଚ୍ସି) ସୁନୀତାଙ୍କ ଘରପାଖରୁ ପ୍ରାୟ ୨ କିମି ଦୂର। ସେଠାକୁ ସୁନୀତା ଆଶା କର୍ମୀଙ୍କ ସହ ଅନ୍ତରା ଇଞ୍ଜେକ୍ସନ୍ ନେବାକୁ ଯାଇଥିଲେ। କିନ୍ତୁ ପିଏଚ୍ସିର ଡାକ୍ତର ତାଙ୍କୁ ଅନ୍ୟ କିଛି ପରାମର୍ଶ ଦେଲେ। ସୁନୀତା କହିଲେ, “ଡାକ୍ତର ମୋତେ ଅନ୍ତରା ବଦଳରେ କପର-ଟି ସଂପର୍କରେ କହିବା ଆରମ୍ଭ କଲେ। ସେ ମୋତେ ତାକୁ ଲଗାଇବାକୁ କହିଲେ କାରଣ ତାହା ନିରାପଦ ଥିଲା।’’ ସ୍ୱର ଦୃଢ଼ କରି ସେ ଆହୁରି କହିଲେ, ‘ମୁଁ କେବେହେଲେ ଡାକ୍ତରଙ୍କୁ କପର-ଟି କଥା ପଚାରି ନ ଥିଲି ।’’ “କିନ୍ତୁ ତାହା ଠିକ୍ ହେବ ବୋଲି ଡାକ୍ତର କହି ଚାଲିଲେ। ‘ତୁମେ ଆଉ ଅଧିକ ସନ୍ତାନ ପ୍ରସବ ବନ୍ଦ କରିବାକୁ ଚାହୁଁନ କି?’ ସେ ମୋତେ ପଚାରିଲେ ।’’

ଦିଲ୍ଲୀସ୍ଥିତ ଗୋପାଳ ନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ରୋଗୀମାନେ ଅପେକ୍ଷା କରିଛନ୍ତି ଯେଉଁଠାରେ ସୁନୀତା କପର-ଟି ଲଗାଇଥିଲେ
ସେହି ସମୟରେ ସୁନୀତାଙ୍କ ସ୍ୱାମୀ (ଯାହାଙ୍କ ନାମ ସେ ପ୍ରକାଶ କରିବାକୁ ଚାହିଁଲେ ନାହିଁ)- ଯିଏକି ନଜଫଗଡ଼ରେ ଫଳ ବିକ୍ରି କରନ୍ତି ସେ ତାଙ୍କ ଗାଁ ବିହାରର ଦରଭଙ୍ଗା ଜିଲ୍ଲାର କୋହ୍ଲାନ୍ତା ପଟୋରିକୁ ଯାଇଥିଲେ। ସୁନୀତା ମନେ ପକାଇଲେ “ଡାକ୍ତର ଏଥିନେଇ ଦୃଢ଼ ଥିଲେ ଏବଂ କହିଲେ: ‘ତୁମ ସ୍ୱାମୀଙ୍କର ଏଥିନେଇ କ’ଣ ଅଛି? ଏହା ତୁମ ହାତରେ ରହିଛି। ଏହାକୁ ବ୍ୟବହାର କଲେ ତୁମେ ୫ ବର୍ଷ ଧରି ଗର୍ଭବତୀ ହେବ ନାହିଁ ।’’
ତେଣୁ ସୁନୀତା ଇଞ୍ଜେକସନ୍ ମାଧ୍ୟମରେ ଦିଆଯାଉଥିବା ଗର୍ଭନିରୋଧକ (ଅନ୍ତରା) ବଦଳରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଗର୍ଭନିରୋଧକ ଉପକରଣ ବା କପର-ଟି ଲଗାଇବାକୁ ସ୍ଥିର କଲେ। ସେ ତାଙ୍କ ସ୍ୱାମୀ ଘରକୁ ନ ଫେରିବା ଯାଏ ଏ ବିଷୟରେ କହିଲେ ନାହିଁ। ସେତେବେଳକୁ ଅସ୍ତ୍ରୋପଚାରର ୧୦ ଦିନ ହୋଇଯାଇଥିଲା। “ମୁଁ ଏହାକୁ ତାଙ୍କୁ ନ ଜଣାଇ ଗୋପନରେ କରିଥିଲି । ସେ ମୋ’ ଉପରେ ଖୁବ୍ ରାଗିଲେ। ସେ ମଧ୍ୟ ମୋତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଯୋଗୁ ଆଶା କର୍ମୀଙ୍କୁ ଗାଳି କଲେ ।’’
ଏହି ପ୍ରକ୍ରିୟା ପରେ କିନ୍ତୁ, ଆଗାମୀ ଦୁଇମାସ ଧରି ସୁନୀତାଙ୍କର ମାସିକ ଋତୁସ୍ରାବ ସମୟରେ ପ୍ରବଳ ରକ୍ତସ୍ରାବ ହେଲା। କପର-ଟି ଯୋଗୁ ସେହି ଅଧିକ ରକ୍ତସ୍ରାବ ହେଉଥିବା କଥା ମନେ କରି ତାକୁ ବାହାର କରିବାକୁ ସେ ଜୁଲାଇ ୨୦୧୯ରେ ଗୋପାଳନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଇଥର ଗଲେ। କିନ୍ତୁ ପ୍ରତି ଥର ତାଙ୍କୁ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବାକୁ ଔଷଧ ଦିଆଗଲା।
ନଭେମ୍ବର ୨୦୧୯ ପାଖାପାଖି ସମୟରେ ତାଙ୍କର ମାସିକ ଋତୁସ୍ରାବ ହେଲାନାହିଁ ଏବଂ ସେ ତାଙ୍କ ପେଟରେ ମାଂସପିଣ୍ଡୁଳା ଥିବାର ଅନୁଭବ କଲେ। ନଜଫଗଡ଼ର ବିକାଶ ହସ୍ପିଟାଲରେ ଏକ “ବାଥରୁମ୍ ଯାଞ୍ଚ’’ ଯାହାର ଅର୍ଥ ଏକ ଗର୍ଭାବସ୍ଥା ଷ୍ଟିକ୍ ପରୀକ୍ଷଣ ବୋଲି ସେ ବୁଝନ୍ତି, ସେଥିରୁ ସେ ଗର୍ଭବତୀ ଥିବା ଏବଂ ୟୁଟେରସ୍ ମଧ୍ୟରେ ଲଗାଯାଇଥିବା ଗର୍ଭନିରୋଧକ ଉପକରଣ (ଆଇୟୁସିଡି) ବିଫଳ ହୋଇଥିବା ସ୍ପଷ୍ଟ ହୋଇଗଲା ।
କପର-ଟି ବ୍ୟବହାର କରିଥିବା ଜଣେ ମହିଳାଙ୍କ ଲାଗି ଗର୍ଭବତୀ ହେବା ଏକ ସାମାନ୍ୟ କଥା ନୁହେଁ, ପଶ୍ଚିମ ଦିଲ୍ଲୀ ଜିଲ୍ଲାରେ ଅଭ୍ୟାସରତ ଜଣେ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ପୁନମ ଚଢ୍ଢା କହିଲେ । ସେ ବୁଝାଇଲେ, “ଏଭଳି କିଛି ଘଟିବାର ସମ୍ଭାବନା ୧୦୦ରେ ୧ ଭଳି । ଏଥିଲାଗି ଜଣେ ନିର୍ଦ୍ଦିଷ୍ଟ କୌଣସି କାରଣ ଦର୍ଶାଇ ପାରିବେ ନାହିଁ । ଯେକୌଣସି ଉପାୟ [ଗର୍ଭନିରୋଧକ]ର ବିଫଳ ହେବାର ଆଶଙ୍କା ଥାଏ ।’’ ଆଇୟୁସିଡିକୁ ନିରାପଦ ଓ ଅଧିକ ପ୍ରଭାବଶାଳୀ ବିକଳ୍ପ ମଧ୍ୟରେ ଗଣନା କରାଯାଉଥିବା ବେଳେ ଏହାର ବିଫଳତା ଯୋଗୁ ଅବାଞ୍ଛିତ ଗର୍ଭଧାରଣ ଓ ବାଧ୍ୟତାମୂଳକ ଗର୍ଭପାତ ହେଉଛି ।
ସୁନୀତା କହିଲେ, “ମେଁ ତୋ ଇସି ଭରସୋ ବୈଠି ହୁଇ ଥି [ମୁଁ ଏହା ଉପରେ ଭରସା କରୁଥିଲି ]’’ । “ମୁଁ ନିଶ୍ଚିତ ଥିଲି ଯେ ମୁଁ ଗର୍ଭବତୀ ହେବି ନାହିଁ କାରଣ ମୁଁ କପର-ଟି ଲଗାଇଛି । ଡିସ୍ପେନ୍ସାରୀର ଡାକ୍ତର [ପିଏଚ୍ସି] ୫ ବର୍ଷ ଧରି ଏହା କାମ କରିବ ବୋଲି ଗ୍ୟାରେଣ୍ଟି ଦେଇଥିଲେ । କିନ୍ତୁ ଏହା ବର୍ଷକରୁ କମ୍ ସମୟରେ ହୋଇଗଲା ।’’


ବାମ: ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଜିଲ୍ଲାର ସେହି ଲେନ୍ ଯେଉଁଠାରେ ସୁନୀତା ଓ ତାଙ୍କ ପରିବାର ଏକ ଭଡ଼ା ଘରେ ରହୁଛନ୍ତି । ଡାହାଣ: ସୁନୀତା ଓ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଘରେ ବ୍ୟବହାର ହେଉଥିବା କୋଠରୀ
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧( ଏନ୍ଏଫ୍ଏଚ୍ଏସ୍-୫ ) ଅନୁସାରେ ଭାରତରେ ୧୫-୪୯ ବର୍ଷ ମଧ୍ୟରେ ବିବାହିତ ମହିଳାଙ୍କ ମଧ୍ୟରୁ କେବଳ ୨.୧ ପ୍ରତିଶତ କପର-ଟି ଭଳି ଆଇୟୁସିଡି ବ୍ୟବହାର କରନ୍ତି। ଗର୍ଭଧାରଣକୁ ରୋକିବା ଲାଗି ସବୁଠୁ ସାଧାରଣ ଗର୍ଭନିରୋଧକ ଉପାୟ ହେଉଛି ମହିଳାଙ୍କ ବନ୍ଧ୍ୟାକରଣ-ଏହାକୁ ୩୮ପ୍ରତିଶତ ବିବାହିତା ବ୍ୟବହାର କରନ୍ତି। ସର୍ଭେର ରିପୋର୍ଟ ଅନୁସାରେ ବିବାହିତାଙ୍କ ମଧ୍ୟରେ ଗର୍ଭନିରୋଧକ ବ୍ୟବହାର ସେମାନଙ୍କର ୨-୩ଟି ପିଲା ହେବା ପରେ ବଢ଼ିଯାଏ । ସୁନୀତା ୫ମ ପିଲା ଚାହୁଁନଥିଲେ ।
କିନ୍ତୁ ସେ ବିକାଶ ହସ୍ପିଟାଲରେ ଗର୍ଭପାତ କରାଇବାକୁ ସକ୍ଷମ ନଥିଲେ ଯେଉଁଠାରେ ଏହି ପ୍ରକ୍ରିୟା ଲାଗି ୩୦ ହଜାର ଟଙ୍କା ଲାଗିଥାଏ ।
ସୁନୀତା ଜଣେ ଗୃହିଣୀ, ଯେତେବେଳେକି ତାଙ୍କର ୩୪ ବର୍ଷୀୟ ସ୍ୱାମୀ ଫଳ ବିକ୍ରି କରି ମାସକୁ ୧୦ ହଜାର ଟଙ୍କା ରୋଜଗାର କରିଥାନ୍ତି । ତାଙ୍କ ସ୍ୱାମୀଙ୍କ ଦୁଇ ଭାଇ ଯେଉଁମାନଙ୍କର ପରିବାର ସହିତ ସେମାନେ ସେମାନଙ୍କର ୩ ବେଡ୍ରୁମ୍ର ଭଡ଼ାଘର ଶେୟାର କରନ୍ତି, ସେମାନେ ଏକ ସ୍ଥାନୀୟ ଲୁଗା ଦୋକାନରେ କାମ କରନ୍ତି। ପ୍ରତି ଭାଇ ସେମାନଙ୍କର ଭାଗର ଭଡ଼ା ବାବଦରେ ମାସକୁ ୨୩୦୦ ଟଙ୍କା ଦିଅନ୍ତି।
ଏକ ନାଲି ରଙ୍ଗର ସାଲୱାର କାମିଜ ଯେଉଁଥିରେ ସବୁଜ ଓ ହଳଦିଆ ରଙ୍ଗର ତ୍ରିଭୁଜ ପ୍ରିଣ୍ଟ ହୋଇଛି ତାକୁ ପିନ୍ଧିବା ସହ ସେ ଉଜ୍ଜ୍ୱଳ ରଙ୍ଗର ପୋଷାକକୁ ମ୍ୟାଚ୍ କରିବା ଭଳି ନିଜର ପତଳା ହାତରେ ରଙ୍ଗୀନ ଚୁଡ଼ି ପିନ୍ଧିଛନ୍ତି । ତାଙ୍କର ଫିକା ପଡ଼ିଯାଇଥିବା ରୂପା ପାଉଁଜି ତଳେ ତାଙ୍କର ଅଳତା ପିନ୍ଧା ପାଦ ନାଲି ଚହ ଚହ ହୋଇ ଝଟକୁଥିଲା । ପରିବାର ପାଇଁ ମଧ୍ୟ୍ୟାହ୍ନଭୋଜନ ପ୍ରସ୍ତୁତ କରିବା ସମୟରେ ସେ ଆମ ସହିତ କଥା ହେଲେ। ଯଦିଓ ସେ ନିଜେ ଉପବାସରେ ଅଛନ୍ତି । ସେ କହିଲେ, “ ମୁଁ ବିବାହ କରିବାର ମାତ୍ର ୬ ମାସ ମଧ୍ୟରେ ହିଁ ମୋ’ ଚେହେରାର ଚମକ ହଜିଗଲା।’’ ସେ କିଭଳି ଗୋଲଗାଲ୍ ଥିଲେ ତାହା ମନେ ପକାଇଲେ । ୧୮ ବର୍ଷ ବୟସରେ ଯେତେବେଳେ ସେ ବିବାହ କଲେ ସେତେବେଳେ ତାଙ୍କର ଓଜନ ୫୦ କିଲୋ ଥିଲା । ବର୍ତ୍ତମାନ ସେ ୫ଫୁଟ ୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଥିବାବେଳେ ୪୦ କିଲୋର ହୋଇଯାଇଛନ୍ତି ।
ସୁନୀତା ରକ୍ତହୀନତାର ଶିକାର ଯେଉଁଥିପାଇଁ ହୁଏତ ତାଙ୍କ ମୁହଁ ଶେତା ଦେଖାଯାଉଛି ଏବଂ ସେ କ୍ଲାନ୍ତ ଅନୁଭବ କରୁଛନ୍ତି। ସେ ଭାରତର ୧୫-୪୯ ବର୍ଷୀୟ ୫୭ ପ୍ରତିଶତ ମହିଳାଙ୍କ ମଧ୍ୟରେ ସାମିଲ ଯେଉଁମାନେ କି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। ସୁନୀତା ୨୦୨୧ ସେପ୍ଟେମ୍ବର ମାସରୁ ନଜଫଗଡ଼ର ଏକ ଘରୋଇ କ୍ଲିନିକ୍ରେ ଚିକିତ୍ସିତ ହେଉଛନ୍ତି। ପ୍ରତି ୧୦ ଦିନରେ ଥରେ ସେ ସେଠାକୁ ଯାଉଛନ୍ତି। ଡାକ୍ତରୀ ପରାମର୍ଶ ଓ ଔଷଧ ବାବଦକୁ ତାଙ୍କର ପ୍ରତିଥର ୫୦୦ ଟଙ୍କା ଖର୍ଚ୍ଚ ହେଉଛି। କୋଭିଡ୍-୧୯ର ଭୟ ତାଙ୍କୁ ଏକ ସରକାରୀ ଚିକିତ୍ସାକେନ୍ଦ୍ରକୁ ଯିବାରୁ ନିବୃତ୍ତ କରୁଛି। ଅଧିକନ୍ତୁ ସେ ଏକ କ୍ଲିନିକ୍କୁ ପ୍ରାଧାନ୍ୟ ଦେଉଛନ୍ତି କାରଣ ଘରକାମ କରିବା ପରେ ସେ ସନ୍ଧ୍ୟାରେ ସେଠାକୁ ଯାଇପାରିବେ ଏବଂ ତାଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।
ଅନ୍ୟ କୋଠରୀରୁ ପିଲାମାନଙ୍କର ବଡ଼ ପାଟିରେ ଚିତ୍କାର ଆମର କଥାବାର୍ତ୍ତାରେ ବିଘ୍ନ ସୃଷ୍ଟି କଲା । ସୁନୀତା କହିଲେ, “ମୋର ପୂରା ଦିନ ଏଭଳି ଯାଏ’’, ପିଲାମାନଙ୍କ ମଧ୍ୟରେ ସମ୍ଭାବ୍ୟ କଳିକୁ ଲକ୍ଷ୍ୟ କରି ଯାହାକି ତାଙ୍କର ହସ୍ତକ୍ଷେପ ଆବଶ୍ୟକ କରିବ ସେ ଏହା କହିଲେ। ସେ ହତାଶ ସ୍ୱରରେ କହିଲେ, “ଯେତେବେଳେ ମୁଁ ମୋର ଗର୍ଭାବସ୍ଥା ସଂପର୍କରେ ଜାଣିଲି ସେତେବେଳେ ଅତି ଚାପଗ୍ରସ୍ତ ହୋଇଗଲି। ମୋ’ ସ୍ୱାମୀ କହିଲେ ଯାହା ହେଉଛି ହେବାକୁ ଦିଅ। ‘ଜୋ ହୋ ରହା ହେ ହୋନୋ ଦୋ’ । କିନ୍ତୁ ମୁଁ ହିଁ ଏଥିଯୋଗୁ ପ୍ରଭାବିତ ହୋଇଥାନ୍ତି, ନୁହେଁ କି? ମୋତେ ଏହି ପିଲାକୁ ପାଳିବାକୁ ପଡ଼ିଥାନ୍ତା ଓ ସବୁ କାମ କରିବାକୁ ପଡ଼ିଥାନ୍ତା।’’


ବାମ: ସୁନୀତାଙ୍କ ସ୍ୱାମୀ ଯିଏକି ଜଣେ ଫଳ ଓ ପରିବା ବିକାଳୀ ତାଙ୍କର କାଠଠେଲା। ଡାହାଣ: ସୁନୀତାଙ୍କର ସିଲେଇ ମେସିନ୍, ଯାହାକୁ ସେ କିଛି ଟଙ୍କା ରୋଜଗାର କରିବା ଲାଗି ପୂର୍ବରୁ ପୋଷାକ ସିଲେଇ କରିବାକୁ ବ୍ୟବହାର କରୁଥିଲେ। ସେ ବର୍ତ୍ତମାନ ଏହାକୁ କେବଳ ନିଜ ପରିବାରର ପୋଷାକ ସିଲେଇ କରିବାକୁ ବ୍ୟବହାର କରୁଛନ୍ତି
ସେ ଗର୍ଭବତୀ ଥିବା ଜାଣିବାର କିଛି ଦିନ ପରେ ସୁନୀତା ନଜଫଗଡ଼-ଧନ୍ସା ରୋଡ୍ରେ ଥିବା ଏକ ଘରୋଇ କ୍ଲିନିକ୍ରେ ଅଲ୍ଟ୍ରାସାଉଣ୍ଡ ସ୍କାନ୍ କରିବାରେ ୧୦୦୦ ଟଙ୍କା ଖର୍ଚ୍ଚ କଲେ। ଜଣେ ଆଶା କର୍ମୀ ଯିଏକି ତାଙ୍କ ସହିତ ସେଠାକୁ ଯାଇଥିଲେ ପରେ ତାଙ୍କୁ ଘରଠାରୁ ୯ କିମି ଦୂରରେ ଜାଫରପୁରରେ ଥିବା ସରକାରୀ ପରିଚାଳିତ ରାଓ ତୁଲା ରାମ ମେମୋରିଆଲ ହସ୍ପିଟାଲକୁ ନେଇଗଲେ। ସୁନୀତା କପର-ଟିକୁ ବାହାର କରିବା ଏବଂ ଗର୍ଭପାତ କରାଇବାକୁ ଚାହୁଁଥିଲେ। ଏକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ପ୍ରକ୍ରିୟା ମାଗଣା।
“ଜାଫରପୁରରେ ସେମାନେ [ଡାକ୍ତରମାନେ] କହିଲେ କପର-ଟିକୁ ବାହାର କରି ହେବନାହିଁ ଏବଂ ଏହା ପ୍ରସବ ସମୟରେ ପିଲା ସହିତ ବାହାରି ଆସିବ।’’ ଡାକ୍ତର ସୁନୀତାଙ୍କୁ କହିଲେ ଯେହେତୁ ଭ୍ରୁଣ ପ୍ରାୟ ୩ ମାସର ହୋଇଯାଇଛି, ତେଣୁ ଗର୍ଭପାତ କେବଳ କଷ୍ଟକର ହେବ ତାହା ନୁହେଁ ବରଂ ତାଙ୍କ ପାଇଁ ପ୍ରାଣଘାତକ ହୋଇପାରେ । ସୁନୀତା କହିଲେ, “ସେମାନେ [ଡାକ୍ତରମାନେ] ରିସ୍କ ନେବାକୁ ପ୍ରସ୍ତୁତ ନଥିଲେ ।’’
ସେ ମୋତେ କହିଲେ, “ମୁଁ ମୋର ଜୀବନ ପ୍ରତି ବିପଦକୁ ଖାତିର କଲିନାହିଁ। ମୁଁ ଆଉ ଏକ ପିଲା ଚାହୁଁନଥିଲି।’’ କେବଳ ସେ ନୁହନ୍ତି। ଏନ୍ଏଫ୍ଏଚ୍ଏସ୍-୫ ଅନୁସାରେ ପ୍ରାୟ ୮୫ ପ୍ରତିଶତରୁ ଅଧିକ ମହିଳା ସେମାନଙ୍କର ଦ୍ୱିତୀୟ (ଜୀବିତ) ପିଲା ପରେ ସନ୍ତାନ ଜନ୍ମ ବନ୍ଦ କରିବାକୁ ଚାହାନ୍ତି ।
ସୁନୀତା ଗର୍ଭପାତ କରାଇବା ଲାଗି ଆଉ ଏକ ସରକାରୀ ହସ୍ପିଟାଲର ଦ୍ୱାରସ୍ଥ ହେବାକୁ ଚିନ୍ତା କଲେ। ଫେବୃଆରୀ ୨୦୨୦ରେ ପ୍ରାୟ ୪ ମାସର ଗର୍ଭବତୀ ଥିବା ସମୟରେ ଆଉ ଜଣେ ଆଶା କର୍ମୀ ତାଙ୍କୁ ନଜଫଗଡ଼ରୁ ୩୦ କିମି ଦୂର କେନ୍ଦ୍ରୀୟ ଦିଲ୍ଲୀ ଜିଲ୍ଲାରେ ଥିବା ଲେଡି ହାର୍ଡିଂ ହସ୍ପିଟାଲକୁ ନେଇଗଲେ। ଦୁଇ ମହିଳା ଦିଲ୍ଲୀ ମେଟ୍ରୋରେ ଗଲେ, ସେଦିନ ସେମାନଙ୍କର ଜଣକା ପ୍ରାୟ ୧୨୦ ଟଙ୍କା ଖର୍ଚ୍ଚ ହେଲା । ଲେଡି ହାର୍ଡିଂର ଡାକ୍ତରମାନେ ଗୋପାଳନଗର ପିଏଚ୍ସିର ଡାକ୍ତରଙ୍କ ସହ ମାମଲା ବିଷୟରେ ଆଲୋଚନା କରିବା ପରେ ହସ୍ପିଟାଲରେ ଗର୍ଭପାତ କରାଇବାକୁ ନିଷ୍ପତ୍ତି ନେଲେ ।
ସୁନୀତା କହିଲେ, “ସେମାନେ କ’ଣ କଥାହେଲେ ତାହା ଜାଣିନାହିଁ । କେବଳ ଡାକ୍ତରମାନେ କଥାହେଲେ ଏବଂ ପରେ ସେମାନେ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଲେ।’’ ସେ ମନେପକାଇଲେ ଯେ ସେମାନେ ପ୍ରଥମେ କିଛି ରକ୍ତପରୀକ୍ଷା କଲେ ଏବଂ ପରେ କିଛି ଔଷଧ ଲଗାଇଲେ । ସେ କହିଲେ, “ମୁଁ ମନେ ରଖିନାହିଁ କେଉଁ ପ୍ରକାର ଔଷଧ। ଉନ୍ହୋନେ କୁଛ ଦୱାଇ ଅନ୍ଦର ଡାଲକର ସଫାଇ କିୟା ଥା [ସେମାନେ କିଛି ଔଷଧ ଭିତରେ ଲଗାଇଲେ ଏବଂ ଏହାକୁ ସଫା କଲେ]। ଏହା ଭିତରୁ ଜଳୁଥିଲା ଏବଂ ମୋ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେଉଥିଲା।’’ ଯଦିଓ ତାଙ୍କ ସ୍ୱାମୀ ଏହି ପ୍ରକ୍ରିୟା ଲାଗି ତାଙ୍କ ସହିତ ଉପସ୍ଥିତ ଥିଲେ, “ସେ ପ୍ରସ୍ତୁତ ନଥିଲେ।’’
ଡାକ୍ତରମାନେ ସୁନୀତାଙ୍କୁ ଭାଙ୍ଗି ଯାଇଥିବା କପର-ଟି ଦେଖାଇଲେ ଯାହାକୁ ସେମାନେ ବାହାର କରିଥିଲେ । ଗର୍ଭପାତ ହୋଇଥିବା ଭ୍ରୁଣ ପ୍ରାୟ ୪ ମାସର ଥିଲା ବୋଲି ତାଙ୍କ ସହ ହସ୍ପିଟାଲକୁ ଯାଇଥିବା ଆଶା କର୍ମୀ ସୋନି ଝା ସ୍ପଷ୍ଟ କଲେ। ସେ କହିଲେ, “ଏହା ‘ସାଧାରଣ ପ୍ରସବ’ ମାଧ୍ୟମରେ ବାହାର କରାଗଲା କାରଣ ତାଙ୍କର ମାମଲା ସମ୍ବେଦନଶୀଳ ଥିଲା ।’’

ଟ୍ୟୁବାଲ ଲିଗେସନ୍ କରିବାକୁ ସୁନୀତା ଦୃଢ଼ ରହିଲେ, କିନ୍ତୁ ମାର୍ଚ୍ଚ ୨୦୨୦ରେ କୋଭିଡ୍-୧୯ ମହାମାରୀ ଆସିଗଲା । ବର୍ଷକ ପୂର୍ବରୁ ସେ ଏହି ପ୍ରକ୍ରିୟା ଦେଇଗଲେ-ଏଥରକ ବିହାରରେ
ଗର୍ଭପାତ ତାଙ୍କର କେବଳ ଅଧା ଲଢ଼େଇ ଥିଲା । ସୁନୀତା ବନ୍ଧ୍ୟାକରଣ କିମ୍ବା ଟ୍ୟୁବାଲ ଲିଗେସନ୍ ଚାହୁଁଥିଲେ, ଯାହାକି ଫିଲୋଫିଆନ୍ ଟ୍ୟୁବ୍କୁ ଅବରାଧ କରି ଗର୍ଭଧାରଣକୁ ରୋକିବାର ଏକ ପ୍ରକ୍ରିୟା। ସେ ସମାନ ହସ୍ପିଟାଲରେ ଗର୍ଭପାତର ଦିନକ ପରେ ଏହାକୁ କରାଇବାକୁ ଚାହୁଁଥିଲେ, କିନ୍ତୁ ଡାକ୍ତରମାନେ ସେଦିନ ଏହା କରାଇଲେ ନାହିଁ। ସେ କହିଲେ, “ମୁଁ କାଶିବା ଆରମ୍ଭ କରିବାବେଳକୁ ଅପରେସନ୍ ପୋଷାକ ପିନ୍ଧିସାରିଥିଲି ।’’ “ ସେମାନେ[ଡାକ୍ତରମାନେ] କୌଣସି ରିସ୍କ ନେବାକୁ ରାଜି ନଥିଲେ ।’’ ଗର୍ଭପାତର ୪ ଦିନ ପରେ ତାଙ୍କୁ ଏକ ଅନ୍ତରା ଇଞ୍ଜେକ୍ସନ ଲଗାଗଲା ଏବଂ ହସ୍ପିଟାଲରୁ ଡିସଚାର୍ଜ କରାଗଲା ।
ସୁନୀତା ଟ୍ୟୁବାଲ ଲିଗେସନ୍ କରାଇବା ଲାଗି ଦୃଢ଼ ରହିଲେ, କିନ୍ତୁ ମାର୍ଚ୍ଚ ୨୦୨୦ରେ କୋଭିଡ୍-୧୯ ଆସିଗଲା। ବର୍ଷକ ପୂର୍ବରୁ ସେ ଏହି ପ୍ରକ୍ରିୟା ଦେଇଗଲେ-ଏଥରକ ବିହାରରେ। ଫେବୃଆରୀ ୨୦୨୧ରେ ସୁନୀତା ଓ ତାଙ୍କ ପରିବାର ସେମାନଙ୍କର ଗାଁକୁ ହନୁମାନ ନଗର ବ୍ଲକ୍ର କୋହ୍ଲାଣ୍ଟା ପାଟୋରିକୁ ତାଙ୍କର ଦିଅରଙ୍କ ବାହାଘର ଲାଗି ଯାଇଥିଲେ। ସେଠାରେ ସେ ଜଣେ ଆଶା କର୍ମୀଙ୍କ ସହ ଯୋଗାଯୋଗ କଲେ ଯିଏକି ତାଙ୍କୁ ଦରଭଙ୍ଗାର ଏକ ସରକାରୀ ହସ୍ପିଟାଲକୁ ନେଇଗଲେ। ସେ କହିଲେ, “ସେହି ଆଶା କର୍ମୀ ଏବେ ମଧ୍ୟ ମୋତେ ଫୋନ୍ କରୁଛନ୍ତି ଏବଂ ମୁଁ ଠିକ୍ ଅଛି କି ନାହିଁ ପଚାରୁଛନ୍ତି।’’
ସେ ମନେ ପକାଇଲେ, ସେଠାରେ[ଦରଭଙ୍ଗା]ରେ ସେମାନେ ଆପଣଙ୍କୁ ସଂପୂର୍ଣ୍ଣ ଅଚେତ କରିଦେବେ ନାହିଁ । ସେମାନେ ଆପଣଙ୍କୁ ଜାଗ୍ରତ ରଖିବେ । ଆପଣ ପାଟି କଲେ ବି କେହି ଶୁଣିବେ ନାହିଁ ।’’ ସୁନୀତା ବନ୍ଧ୍ୟାକରଣ କରାଇବା ଯୋଗୁ ସରକାରଙ୍କଠାରୁ ୨୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବା ଲାଗି ଯୋଗ୍ୟ । ସେ କହିଲେ, “କିନ୍ତୁ ମୁଁ ଏହା ମୋ’[ବ୍ୟାଙ୍କ୍] ଆକାଉଣ୍ଟକୁ ଆସିସାରିଛି କି ନାହିଁ ତାହା ଜାଣିନାହିଁ । ମୁଁ କାହାରିକୁ ଯାଞ୍ଚ କରିବାକୁ କହିନାହିଁ ।’’
ସେ କଥା ଶେଷ କରିବା ପରେ ତାଙ୍କ ମୁହଁରେ ଏକ ଆଶ୍ୱସ୍ତି ଖେଳିଗଲା । “ଶେଷରେ ମୁଁ ଏହା ପୂରା କରିପାରିଲି ଏହା ଭଲ କଥା । ମୁଁ ବଞ୍ଚିଗଲି, ନହେଲେ ସମୟ ସମୟରେ କୌଣସି ସମସ୍ୟା ହୋଇଥାନ୍ତା । ଏହା ବର୍ଷେରୁ ଅଧିକ ହେଲାଣି ଏବଂ ମୁଁ ଭଲ ଅଛି । ଆଉ କିଛି ପିଲା ହୋଇଥାନ୍ତା ଏବଂ ମୁଁ ଶେଷ ହୋଇଯାଇଥାନ୍ତି ।’’ କିନ୍ତୁ ସେ ଏଥିନେଇ ଅସନ୍ତୁଷ୍ଟ ବି ଥିଲେ । କହିଲେ, “ମୋତେ ଏଥିପାଇଁ ବିଭିନ୍ନ ହସ୍ପିଟାଲ ଓ କ୍ଲିନିକ୍ର ଅନେକ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା । କୁହନ୍ତୁ, ମୁଁ କ’ଣ ମୋର ସମ୍ମାନ ହରେଇଲି ନାହିଁ?’’
ଗ୍ରାମୀଣ ଭାରତର କିଶୋରୀ ଏବଂ ମହିଳାଙ୍କ ଉପରେ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସମର୍ଥିତ ଉଦ୍ୟମର ଅଂଶ ଯାହା ସାଧାରଣ ଲୋକଙ୍କର ସ୍ୱର ଏବଂ ଜୀବନ୍ତ ଅନୁଭୂତି ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ଅବହେଳିତ ଗୋଷ୍ଠୀଙ୍କର ପରିସ୍ଥିତି ବାବଦରେ ଜାଣିବା ପାଇଁ ଉଦ୍ଦିଷ୍ଟ ।
ଏହି ଆଲେଖ୍ୟକୁ ପୁନଃପ୍ରକାଶିତ କରିବାକୁ ଚାହୁଁଛନ୍ତି ? ଦୟାକରି zahra@ruralindiaonline.org କୁ namita@ruralindiaonline.org ରେ ସିସିରେ ରଖି ଲେଖନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍