‘‘ଆମ ଶରୀରକୁ ରଙ୍ଗେଇବା କଷ୍ଟ କାମ। ଏହାକୁ କରିବା ଲାଗି ଆମେ ରାତି ଅନିଦ୍ରା ହୋଇଥାଉ,’’ ଆୟୁଷ ନାୟକ (୧୭) କୁହନ୍ତି। ପ୍ରଥମ ଥର ପାଇଁ ସେ ନିଜ ଶରୀରରେ ଅଏଲ ପେଣ୍ଟ୍ ଲଗାଉଛନ୍ତି। ‘‘ମୋ ଶରୀର ଜଳିବା ଭଳି ଅନୁଭବ ହେଉଛି। ଯଥାଶୀଘ୍ର ଆମକୁ ଏହି ରଙ୍ଗ ଶୁଖାଇବାକୁ ପଡ଼ିବ,’’ ସେ କୁହନ୍ତି।
ଉପକୂଳ କର୍ଣ୍ଣାଟକର ଅନେକ ଯୁବକ ଯୁବତୀ ପିଲି ବେଶ (ଯାହାକୁ ହୁଲି ବେଶ ମଧ୍ୟ କୁହାଯାଏ)ର ପ୍ରସ୍ତୁତି ପାଇଁ ନିଜ ଶରୀରକୁ ଉଜ୍ଜ୍ୱଳ ରଙ୍ଗର ଗାରରେ ସଜେଇଥାନ୍ତି, ଏମାନଙ୍କ ମଧ୍ୟରୁ ଆୟୁଷ ଅନ୍ୟତମ। ଦଶହରା ଓ ଜନ୍ମାଷ୍ଟମୀ ସମୟରେ ଏହି ଲୋକନୃତ୍ୟ ପରିବେଷଣ କରାଯାଇଥାଏ। ପ୍ରସ୍ତୁତି ସମୟରେ କଳାକାରମାନେ ଢୋଲର ଉଚ୍ଚ ସ୍ୱର ମଧ୍ୟରେ ବାଘ ମୁଖା ଲଗାଇ ଗର୍ଜନ କରି ନାଚିଥା’ନ୍ତି।
କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ କଥିତ ତୁଳୁ ଭାଷାରେ ପିଲି ର ଅର୍ଥ ହେଉଛି ବାଘ ଏବଂ ବେଶ ର ଅର୍ଥ ହେଉଛି ରୂପସଜ୍ଜା। ‘‘ଆପଣଙ୍କୁ କାହାଠାରୁ କିଛି ଶିଖିବାର ଆବଶ୍ୟକତା ନାହିଁ। ଏହା ଆମ ଆତ୍ମାରେ ରହିଛି,’’ ବୀରେନ୍ଦ୍ର ଶେଟ୍ଟିଗାର୍ କୁହନ୍ତି। ସେ ଗତ ୨୨ ବର୍ଷ ଧରି ପିଲି ବେଶ ପରିବେଷଣ କରି ଆସୁଛନ୍ତି। ‘‘ଢୋଲର ଶବ୍ଦ ଏବଂ ଆଖପାଖର ଉର୍ଜା ମିଶି ଏପରି ଏକ ପରିବେଶ ସୃଷ୍ଟି କରିଥାଏ ଯେ ଆପଣ ନାଚିବା ବିନା ରହିପାରିବେ ନାହିଁ, ’’ ସେ କହିଥାନ୍ତି। ୩୦ ବର୍ଷ ବୟସ୍କ ବୀରେନ୍ଦ୍ର ଆମାଜନ୍ର ବିତରକ ଭାବେ କାମ କରିଥାନ୍ତି ଏବଂ ନିଜ ଗାଁର ଯୁବକମାନଙ୍କୁ ଏହି ନୃତ୍ୟ କରିବା ଲାଗି ପ୍ରୋତ୍ସାହିତ କରିଥାନ୍ତି।
ନାଚୁଥିବା କଳାକାରମାନେ ବାଘ, କଲରାପତରିଆ ଓ ଚିତା ଭଳି ଦେଖାଯିବା ପାଇଁ ନିଜର ସମ୍ପୂର୍ଣ୍ଣ ଶରୀରକୁ ଏକ୍ରିଲିକ୍ ରଙ୍ଗରେ ହଳଦିଆ ଓ ଧୂସର ଗାର ଟାଣି ରଙ୍ଗେଇ ଦେଇଥାନ୍ତି। ପୂର୍ବରୁ ବାଘ ଭଳି ଦେଖିବା ଲାଗି ଏହି କଳାକାରମାନେ ରଙ୍ଗ ପାଇଁ କୋଇଲା, କାଦୁଅ, ଚେର ଏବଂ କବକର ଉପଯୋଗ କରୁଥିଲେ।
ସମୟ ବଦଳିବା ସହିତ ନୃତ୍ୟରେ ଗ୍ରହଣ କରାଯାଉଥିବା ପାରମ୍ପରିକ ଭଙ୍ଗିବା ସ୍ଥାନରେ ଭିନ୍ନ ଭିନ୍ନ ଦୁଃସାହିକ କୌଶଳ ପ୍ରଦର୍ଶନ କରାଯାଉଛି। ଆଗକୁ ଓ ପଛକୁ ଲେଉଟିବା, ମୁଣ୍ଡରେ ନଡ଼ିଆ ଭାଙ୍ଗିବା, ମୁହଁରେ ନିଆଁ ଫୁଙ୍କିବା ଓ ଅନ୍ୟାନ୍ୟ ଦୁଃସାହସିକ କୌଶଳ ନର୍ତ୍ତକମାନେ ପ୍ରଦର୍ଶନ କରିଥାନ୍ତି । ଏବେ ନୃତ୍ୟ ସଂଯୋଜନା ପାଇଁ ଏତେ ଅଧିକ ଶାରୀରିକ ଶ୍ରମ ଆବଶ୍ୟକ ହେଉଛି ଯେ ବୃଦ୍ଧ କଳାକାରମାନେ ଏହି ପାରମ୍ପରିକ ନୃତ୍ୟକୁ ଆଗକୁ ବଢ଼ାଇବାର ଉତ୍ତରଦାୟିତ୍ୱ ଯୁବକମାନଙ୍କ କାନ୍ଧରେ ନ୍ୟସ୍ତ କରି ଦେଇଛନ୍ତି।

ଉପକୂଳ କର୍ଣ୍ଣାଟକର ଅନେକ ଯୁବକ ଯୁବତୀ ପିଲି ବେଶ (ଯାହାକୁ ହୁଲି ବେଶ ମଧ୍ୟ କୁହାଯାଏ)ର ପ୍ରସ୍ତୁତି ପାଇଁ ନିଜ ଶରୀରକୁ ଉଜ୍ଜ୍ୱଳ ରଙ୍ଗର ଗାରରେ ସଜେଇଥାନ୍ତି, ଏମାନଙ୍କ ମଧ୍ୟରୁ ଆୟୁଷ ଅନ୍ୟତମ। ଦଶହରା ଓ ଜନ୍ମାଷ୍ଟମୀ ସମୟରେ ଏହି ଲୋକନୃତ୍ୟ ପରିବେଷଣ କରାଯାଇଥାଏ
ଏହି ପାରମ୍ପରିକ ନୃତ୍ୟର ପ୍ରସ୍ତୁତି କାର୍ଯ୍ୟକ୍ରମ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଯାଏ। ଶରୀର ଓ ମୁହଁକୁ ରଙ୍ଗେଇବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥାଏ ଏବଂ ଏହି ରଙ୍ଗ ଯେପର୍ଯ୍ୟନ୍ତ ଉତ୍ସବ ଶେଷ ନହୋଇଛି ସେ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୨ ଦିନ ପର୍ଯ୍ୟନ୍ତ ରହିଥାଏ। ‘‘ଆରମ୍ଭରୁ ଏହି କାମ କଷ୍ଟ ଲାଗିଥାଏ, କିନ୍ତୁ ଢୋଲର ଶବ୍ଦ କାନରେ ଗୁଞ୍ଜରିତ ହେବା ମାତ୍ରେ ଆପଣଙ୍କ ପାଦ ଆପେ ଆପେ ନାଚି ଉଠିଥାଏ,’’ ଆୟୁଷ କହିଥାନ୍ତି। ସେ ଏବେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି।
ତାସେ (ଢୋଲ)ର ତାଳରେ ନାଚୁଥିବା ପିଲି ବେଶଧାରୀ କଳାକାରମାନେ ନିଜ ଶ୍ରଦ୍ଧା ପ୍ରଦର୍ଶନ କରିବା ସହିତ ଲୋକମାନଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି। ପୁଅମାନେ ବାଘ ଭଳି ଦେଖାଯିବା ପାଇଁ ସାରା ଶରୀରକୁ ରଙ୍ଗେଇ ଦେଇଥାନ୍ତି। ଝିଅମାନେ କେବଳ ନିଜ ମୁହଁକୁ ରଙ୍ଗେଇଥା’ନ୍ତି ଏବଂ ବାଘ ଭଳି ପୋଷାକ ପିନ୍ଧନ୍ତି। ଏଇ କିଛି ବର୍ଷ ହେବ ପିଲି ବେଶ ରେ ଝିଅମାନଙ୍କର ଅଂଶଗ୍ରହଣ ବଢ଼ିଛି।
ପୂର୍ବରୁ ନୃତ୍ୟ ପରିବେଷଣ କରୁଥିବା କଳାକାର ଦଳଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଧାନ ଓ ଚାଉଳ କିମ୍ବା ଉପକୂଳ କର୍ଣ୍ଣାଟକରେ ଅମଳ ହେଉଥିବା ଶସ୍ୟ ପ୍ରଦାନ କରାଯାଉଥିଲା। ଏବେ ଖାଦ୍ୟଶସ୍ୟ ସ୍ଥାନରେ ଟଙ୍କା ଦିଆଯାଉଛି। ପ୍ରତ୍ୟେକ କଳାକାର ଦୁଇ ଦିନ ଧରି କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ୨,୫୦୦ ଟଙ୍କା ଆୟ କରିଥାନ୍ତି। ଷ୍ଟଣ୍ଟ ବା ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଥିବା କଳାକାର ଉତ୍ସବର ଦୁଇ ଦିନ ପାଇଁ ଅତିରିକ୍ତ ୬,୦୦୦ ଟଙ୍କା ପାଇଥାନ୍ତି। ‘‘ଏତେ ଲୋକଙ୍କୁ ଏକସଙ୍ଗେ ନାଚୁଥିବା ଦେଖିବା ପରେ ଆପଣଙ୍କ ମନରେ ଆପେ ଆପେ ପିଲି ବେଶ ରେ ନାଚିବା ପାଇଁ ଇଚ୍ଛା ଜାଗ୍ରତ ହୋଇପାରେ,’’ ଆୟୁଷ କହିଥାନ୍ତି।
ସାଧାରଣତଃ ଆବାସିକ କଲୋନୀଗୁଡ଼ିକ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଆୟୁଷ ଓ ତାଙ୍କର ସହଯୋଗୀମାନେ ୟୁବା ଟାଇଗର୍ସ ମଞ୍ଚି ଗ୍ରୁପ୍ର ସଦସ୍ୟ, ଏହି ସଂସ୍ଥା ମଣିପାଲ, ଉଡ଼ୁପିରେ ବର୍ଷ ସାରା ପିଲି ବେଶ ଉତ୍ସବ ପାଇଁ ସହାୟତା ଯୋଗାଇ ଦେଇଥାଏ। ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଦୁଇ ଲକ୍ଷ ଟଙ୍କା ଦରକାର। ଏହି ଟଙ୍କା ରଙ୍ଗ କରୁଥିବା ଲୋକ ଏବଂ ନର୍ତ୍ତକମାନଙ୍କୁ ପ୍ରଦାନ କରାଯାଇଥାଏ। ଏହି ଅର୍ଥରେ ଯାତ୍ରା ଖର୍ଚ୍ଚ, ଖାଇବା, ରଙ୍ଗ ଓ ବେଶଭୂଷା ବ୍ୟବସ୍ଥା ମଧ୍ୟ କରାଯାଏ।
ଯଦିଓ ଲୋକମାନଙ୍କ ମନୋରଞ୍ଜନ କରିବା କଳାକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, କିନ୍ତୁ ଏହି କ୍ରମରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ପ୍ରତି ସମ୍ମାନ ଓ ଶୃଙ୍ଖଳା ଭାବନାକୁ ମଧ୍ୟ ସୁରକ୍ଷିତ ରଖିବା ପ୍ରତି ବିଶେଷ ଧ୍ୟାନ ଦିଆଯାଏ। ଗୋଟିଏ ଦିନର କାର୍ଯ୍ୟକ୍ରମ ଶେଷ ହେବା ପରେ, ‘‘ଆମ ଶରୀର ସମ୍ପୂର୍ଣ୍ଣ ଭାବେ ଥକି ସାରିଥାଏ, କିନ୍ତୁ ଲୋକମାନଙ୍କ ମନୋରଞ୍ଜନ କରିବା ଏବଂ ପରମ୍ପରାକୁ ଜୀବିତ ରଖିବା ପାଇଁ ଆମେ ଏହାକୁ କରିଥାଉ,’’ ଆୟୁଷ କୁହନ୍ତି।

ସନ୍ଦେଶ ଶେଟ୍ଟୀ କାର୍ଯ୍ୟକ୍ରମ ପରିବେଷଣ ପୂର୍ବରୁ ଅଶ୍ୱିତ୍ ପୂଜାରୀଙ୍କ ଶରୀରରେ ରଙ୍ଗ ଦେଉଛନ୍ତି। ଅଶ୍ୱିତ୍ ଓ ତାଙ୍କ ସହଯୋଗୀମାନେ ଯୁବା ଟାଇଗର୍ସ ମଞ୍ଚିର ସଦସ୍ୟ ଏହି ସଂସ୍ଥା ମଣିପାଲ , ଉଡ଼ୁପିରେ ବର୍ଷ ସାରା ପିଲି ବେଶ ଉତ୍ସବ ପାଇଁ ସହାୟତା ଯୋଗାଇ ଦେଇଥାଏ

(ବାମରୁ ଡାହାଣ) ନିଖିଲ, କ୍ରିଷ୍ଣା, ଭୁବନ ଅମିନ ଓ ସାଗର ପୂଜାରୀଙ୍କ ଶରୀରରେ ଜୟକର ପୂଜାରୀ ବାଘ ଶରୀର ଭଳି ରଙ୍ଗାଉଥିବା ବେଳେ ସେମାନେ ନିଜ ନାଚିବା ପାଳିକୁ ଅପେକ୍ଷା କରି ରହିଛନ୍ତି

( ବାମରୁ ଡାହାଣ) ଶ୍ରେୟାନ ଶେଟ୍ଟୀ, ଅଶ୍ଲେଷ ରାଜ ଓ କାର୍ତ୍ତିକ ଆଚାର୍ଯ୍ୟ ନିଜ ଶରୀରରେ ପ୍ରଥମ ପରସ୍ତ ରଙ୍ଗ ଲଗାଇ ଶୁଖିବା ପାଇଁ ଅପେକ୍ଷା କରିଛନ୍ତି। ଶରୀର ଓ ମୁହଁକୁ ରଙ୍ଗେଇବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥାଏ

କଳାକାର ନିଜ ସାରା ଶରୀରକୁ ହଳଦିଆ, ଧଳା ଓ ଧୂସର ରଙ୍ଗର ଏକ୍ରିଲିକ୍ ପେଣ୍ଟରେ ରଙ୍ଗାଉଛନ୍ତି, ଯାହାଫଳରେ ସେମାନେ ବାଘ, କଲରାପତରିଆ ବାଘ ଏବଂ ଚିତା ଭଳି ଦେଖାଯିବେ। ପୂର୍ବରୁ କୋଇଲା, କାଦୁଅ, ଚେର ଓ କବକରେ ରଙ୍ଗ ପ୍ରସ୍ତୁତ କରାଯାଉଥିଲା

ପିଲି ବେଶ ପରିବେଷଣ ସମୟରେ, ନର୍ତ୍ତକମାନେ ହାତରେ ରଙ୍ଗ ହୋଇଥିବା ବାଘ ମୁଖା ପିନ୍ଧି ଗର୍ଜନ କରିବା ସହିତ ନୃତ୍ୟ କରିଥାନ୍ତି

ବାଘ ରୂପରେ ଆହୁରି ସ୍ପଷ୍ଟତା ଆଣିବା ଲାଗି ରଙ୍ଗ ହୋଇଥିବା ଶରୀରରେ ମେଣ୍ଢା ଲୋମ ଲଗାଯାଇଥାଏ

ନୃତ୍ୟ ପରିବେଷଣ ପୂର୍ବରୁ ଅଶ୍ୱିତ ପୂଜାରୀଙ୍କ ଶରୀରକୁ ରଙ୍ଗ କରୁଛନ୍ତି ରମଜାନ୍। ଅଶ୍ୱିତ୍ ଏବଂ ତାଙ୍କର ସହଯୋଗୀମାନେ ଯୁବା ଟାଇଗର୍ସ ମଞ୍ଚିର ସଦସ୍ୟ ଏହି ସଂସ୍ଥା ମଣିପାଲ , ଉଡ଼ୁପିରେ ବର୍ଷ ସାରା ପିଲି ବେଶ ଉତ୍ସବ ପାଇଁ ସହାୟତା ଯୋଗାଇ ଦେଇଥାଏ

ତୁଳୁ ରେ ବେଶର ଅର୍ଥ ହେଉଛି ରୂପସଜ୍ଜା, ଏହି ଲୋକକଳାର ଏକ ଅଭିନ୍ନ ଅଙ୍ଗ। ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ଏହା ପ୍ରାୟ ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ

ଭୁବନ ଅମିନ ପଙ୍ଖା ତଳେ ନିଜ ଶରୀରରେ ଲାଗିଥିବା ରଙ୍ଗ ଶୁଖାଉଛନ୍ତି। ‘ମୁଁ ଅଷ୍ଟମ ଥର ପାଇଁ ପିଲି ବେଶ ପରିବେଷଣ କରୁଛି,’ ତିନି ବର୍ଷ ବୟସରୁ ନୃତ୍ୟ କରି ଆସୁଥିବା ୧୧ ବର୍ଷ ବୟସର ବାଳକ ଭୁବନ କୁହନ୍ତି

ଲମ୍ବା ଧଳା କପଡ଼ା - ତୁଳୁ ରେ ଜାତ୍ତି- କୁ ସନ୍ତୁଳନ ରକ୍ଷା ପାଇଁ ଅଣ୍ଟାରେ ବନ୍ଧାଯାଏ ଏବଂ ଦୀର୍ଘ ସମୟ ଧରି କଳା ପରିବେଷଣ ସମୟରେ ଏହା ସହାୟକ ହୋଇଥାଏ। ଷ୍ଟଣ୍ଟ୍ ବା ଦୁଃସାହସିକ କୌଶଳ ପ୍ରଦର୍ଶନ ସମୟରେ ଜାତ୍ତି ମଧ୍ୟ ରୂପସଜ୍ଜାକୁ ସୁରକ୍ଷିତ ରଖିଥାଏ

ପ୍ରଥମ ଥର ପାଇଁ ଅଭିନବ ସେଟ୍ଟୀ ନୃତ୍ୟ ପରିବେଷଣ କରିବେ। ନାଚ ଆରମ୍ଭ ହେବା ପୂର୍ବରୁ ଏହି ୧୦ ବର୍ଷର ବାଳକଙ୍କୁ ତାଙ୍କ ମା’ ଖୁଆଇ ଦେଉଛନ୍ତି

ନୃତ୍ୟ ପରିବେଷଣ ପୂର୍ବରୁ ଅଭିନବ ତାଙ୍କ ଭଉଣୀ ସହ ଏକ ଫଟୋ ଉଠାଉଛନ୍ତି

(ବାମରୁ ଡାହାଣ) ସାଗର ପୂଜାରୀ, ରଞ୍ଜିତ ହରିହରପୁରା, ବିଶାଲ ଓ ନବୀନ ନିତ୍ତୁର ନୃତ୍ୟ ପରିବେଷଣ ପାଇଁ ପ୍ରସ୍ତୁତ ହେଉଛନ୍ତି

ଅମିନଙ୍କ ଶରୀରରେ ତେଲ ସହିତ ରଙ୍ଗ ଦିଆଯାଉଛି, କାରଣ ସେ ପ୍ରଥମ ଥର ପାଇଁ ନୃତ୍ୟ ପରିବେଷଣ କରିବାକୁ ଯାଉଛନ୍ତି। ତାଙ୍କର ଅନ୍ୟ ନର୍ତ୍ତକ ସାଥୀଙ୍କ ବୟସ କମ ହୋଇଥିଲେ ସୁଦ୍ଧା, ସେମାନଙ୍କର ଅଭିଜ୍ଞତା ରହିଛି। ସେମାନେ ଅମିନଙ୍କୁ କାର୍ଯ୍ୟକ୍ରମ ପୂର୍ବରୁ ଜରୁରୀ ପରାମର୍ଶ ଦେଉଛନ୍ତି

ଯୁବା ଟାଇଗର୍ସ ମଞ୍ଚି ଦଳ ଏକ ଫଟୋ ପାଇଁ ଛିଡ଼ା ହୋଇଛନ୍ତି - ସମସ୍ତେ ନିଜ ବାଘ ନୃତ୍ୟ ସଂଯୋଜନାକୁ ପରିବେଷଣ କରିବାକୁ ପ୍ରସ୍ତୁତ ରହିଛନ୍ତି

ପ୍ରଜ୍ଜ୍ୱଳ ଆଚାର୍ଯ୍ୟ କଳା ବାଘ ରୂପରେ ସଜ୍ଜିତ ହୋଇ ନିଜର ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଛନ୍ତି। ପୂର୍ବରୁ ପାରମ୍ପରିକ ଭାବଭଙ୍ଗୀ ସ୍ଥାନରେ ଏବେ ଏକ୍ରୋବେଟିକ୍ ପ୍ରଦର୍ଶନ କରାଯିବା ସହିତ ଷ୍ଟଣ୍ଟ ବା ଦୁଃସାହିକ କୌଶଳ ପ୍ରଦର୍ଶନ ଉପରେ ଜୋର ଦିଆଯାଉଛି

ଏହି ନୃତ୍ୟରେ ଆଗକୁ ଏବଂ ପଛକୁ ଲେଉଟିବା, ମୁଣ୍ଡରେ ନଡ଼ିଆ ଭାଙ୍ଗିବା, ପାଟି ବାଟେ ନିଆଁ ହୁଳା ବାହାର କରିବା ଏବଂ ଆହୁରି ଅନେକ ଦୁଃସାହସିକ କୌଶଳ ପ୍ରଦର୍ଶିତ କରାଯାଏ

ନୃତ୍ୟ ସଂଯୋଜନାରେ ଏବେ ଅଧିକ ଶାରୀରିକ ପରିଶ୍ରମ ଆବଶ୍ୟକ ହେଉଥିବାରୁ ବୟସ୍କ ନର୍ତ୍ତକମାନେ ଏହି ପାରମ୍ପରିକ ନୃତ୍ୟର ଦାୟିତ୍ୱ ଯୁବ ନର୍ତ୍ତକଙ୍କ କାନ୍ଧରେ ନ୍ୟସ୍ତ କରି ଦେଇଛନ୍ତି

ତାସେ (ଢୋଲ)ର ତାଳରେ, ପିଲି ବେଶରେ ସଜ୍ଜିତ ହୋଇଥିବା ଲୋକମାନେ ନିଜର ଶ୍ରଦ୍ଧାକୁ ପ୍ରଦର୍ଶିତ କରିବା ସହିତ ଲୋକମାନଙ୍କର ମନୋରଞ୍ଜନ ମଧ୍ୟ କରିଥା’ନ୍ତି

ପୂର୍ବରୁ ନୃତ୍ୟ ପରିବେଷଣ କରୁଥିବା କଳାକାର ଦଳଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଧାନ ଓ ଚାଉଳ କିମ୍ବା ଉପକୂଳ କର୍ଣ୍ଣାଟକରେ ଅମଳ ହେଉଥିବା ଶସ୍ୟ ପ୍ରଦାନ କରାଯାଉଥିଲା। ଏବେ ଖାଦ୍ୟଶସ୍ୟ ସ୍ଥାନରେ ଟଙ୍କା ଦିଆଯାଉଛି

ପ୍ରତ୍ୟେକ କଳାକାର ଦୁଇ ଦିନ ଧରି କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ୨,୫୦୦ ଟଙ୍କା ଆୟ କରିଥାନ୍ତି। ଷ୍ଟଣ୍ଟ ବା ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଥିବା କଳାକାର ଅତିରିକ୍ତ ୬,୦୦୦ ଟଙ୍କା ପାଇଥାନ୍ତି

ସନ୍ଦେଶ ପିଲି ବେଶ ପରିବେଷଣ କରୁଥିବା ସମୟରେ ତାଙ୍କ ଜେଜେ ମା’ କମଳା ସେଟ୍ଟୀ ଓ ମା’ ବିଜୟା ସେଟ୍ଟୀ ତାଳି ମାରି ତାଙ୍କ ମନୋବଳ ବଢ଼ାଉଛନ୍ତି। ସନ୍ଦେଶ ଜଣେ ଫଟୋଗ୍ରାଫର ଓ ଚିତ୍ରକର। ‘ଗତ ଚାରି ବର୍ଷ ଧରି ମୁଁ ପିଲି ବେଶ ପରିବେଷଣ ଆରମ୍ଭ କରିଛି ଏବଂ ଭବିଷ୍ୟତରେ ମଧ୍ୟ ଏହାକୁ ଜାରି ରଖିବି,’ ଏହି ୨୧ ବର୍ଷ ବୟସ୍କ ଯୁବକ ଜଣଙ୍କ କହିଥାନ୍ତି

ବୀରେନ୍ଦ୍ର ସେଟ୍ଟୀଗାର ବାଘ ମୁଖା ପିନ୍ଧୁଛନ୍ତି। ମୁଖା ପିନ୍ଧୁଥିବା ବ୍ୟକ୍ତି ସାଧାରଣତଃ ଦଳର ମୁଖ୍ୟ ବାଘ ହୋଇଥାନ୍ତି

ବୀରେନ୍ଦ୍ର ୨୨ ବର୍ଷ ଧରି ପିଲି ବେଶ ପରିବେଷଣ କରି ଆସୁଛନ୍ତି। ‘ଢୋଲର ଶବ୍ଦ ଏବଂ ଚାରି ପାଖର ଉର୍ଜା ନାଚିବା ପାଇଁ ଆପଣଙ୍କ ପାଦକୁ ଆପେ ଆପେ ଉଠାଇ ଦେଇଥାଏ,’ ସେ କୁହନ୍ତି

ଗାଁ ଲୋକମାନେ ଛୋଟ ବାଘ ନର୍ତ୍ତକମାନଙ୍କୁ ଉଠାଇ ଢୋଲ ତାଳେ ଚାଳେ ନାଚୁଛନ୍ତି

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ଶେଷ ହେବା ପରେ ବୀରେନ୍ଦ୍ର ରୂପସଜ୍ଜା ବଦଳାଉଛନ୍ତି। ୩୦ ବର୍ଷ ବୟସ୍କ ଏହି ଯୁବକ ଜଣଙ୍କ ଆମାଜନର ବିତରକ ଭାବେ କାମ କରନ୍ତି ଏବଂ ଗାଁରେ ନୃତ୍ୟ ପରିବେଷଣ ପାଇଁ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଥାନ୍ତି

ଯଦିଓ ଲୋକମାନଙ୍କ ମନୋରଞ୍ଜନ କରିବା କଳାକାରଙ୍କ ସର୍ବୋଚ୍ଚ
ପ୍ରାଥମିକତା, କିନ୍ତୁ ଏହି କ୍ରମରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ପ୍ରତି ସମ୍ମାନ
ଓ ଶୃଙ୍ଖଳା ଭାବନାକୁ ମଧ୍ୟ ସୁରକ୍ଷିତ ରଖିବା ପ୍ରତି ବିଶେଷ ଧ୍ୟାନ ଦିଆଯାଏ
ଅନୁବାଦ: ଓଡ଼ିଶାଲାଇଭ୍