“ଆଓ ଆଓ ସୁନୋ ଅପନା ଭବିଷ୍ୟବାଣୀ, ସୁନୋ ଅପନୀ ଆଗେ କୀ କାହାଣୀ...” ସନ୍ଧ୍ୟା ଅରାଜକତା ମେଲାଉଥିବା ବେଳେ ତାଙ୍କ କଣ୍ଠସ୍ୱର ରହସ୍ୟମୟ ମନ୍ତ୍ର ଭଳି ଜୁହୁ ବେଳାଭୂମିରେ ଗୁଞ୍ଜରିତ ହୁଏ । ମୁମ୍ବାଇ ଉପକଣ୍ଠ ଏହି ଆକର୍ଷଣୀୟ ବେଳାଭୂମିରେ ସୂର୍ଯ୍ୟ ଅସ୍ତ ହେଉଥିବା ସମୟରେ କିଛି ସୁଖଦାୟକ କଥା ଶୁଣିବାକୁ ଲୋକମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ୨୭ ବର୍ଷୀୟ ଉଦୟ କୁମାର ।
ସେ କୌଣସି ଆତ୍ମଘୋଷିତ ଜ୍ୟୋତିଷ ନୁହଁନ୍ତି, ନା’ ହସ୍ତଶାସ୍ତ୍ରୀ, ନା’ ସେ ଟାରୋଟ କାର୍ଡ ରିଡର୍ । ଏହା ପରିବର୍ତ୍ତେ, ରଙ୍ଗବେରଙ୍ଗ ଲାଇଟ୍ରେ ସଜା ଯାଇଥିବା ଫୁଟେ ଲମ୍ବର ଗୋଟିଏ ଛୋଟ ରୋବଟ୍ ସହ ଛିଡ଼ା ହୋଇଥାନ୍ତି, ଯାହା ୪ ଫୁଟ ଉଚ୍ଚର ଭାଙ୍ଗି ହେଉଥିବା ଟେବୁଲରେ ଥିବା ରହସ୍ୟମୟ କଳା ବାକ୍ସ ଉପରେ ରଖାଯାଇଥିଲା । ରୋବଟ ସଂପର୍କରେ ଏହି ରିପୋର୍ଟରଙ୍କୁ ଉଦୟ କୁମାର କହିଛନ୍ତି, “ଏହାକୁ ଜ୍ୟୋତିଷ କମ୍ପ୍ୟୁଟର ଲାଇଭ୍ ଷ୍ଟୋରୀ କୁହାଯାଏ ।”
ତାଙ୍କ ନିକଟକୁ ଆସିଥିବା ଜଣେ ଉତ୍ସାହୀ ଗ୍ରାହକଙ୍କୁ ରୋବଟରେ ଲାଗିଥିବା ହେଡ୍ଫୋନ ଦେବା ସହ ସେ କହିଥିଲେ ଏହି ଛୋଟ ଉପକରଣଟି ବ୍ୟକ୍ତିର କମ୍ପନକୁ ବିଶ୍ଳେଷଣ କରିପାରେ । ହେଡ୍ଫୋନ ଲଗାଇବାର କିଛି ସମୟ ପରେ ହିନ୍ଦୀରେ ଜଣେ ମହିଳାଙ୍କ କଣ୍ଠସ୍ୱରରେ ଭବିଷ୍ୟତରେ ଲୁଚି ରହିଥିବା ରହସ୍ୟଗୁଡ଼ିକୁ ଖୋଲିବ । ଏଥିପାଇଁ ଦେବାକୁ ହେବ ୩୦ ଟଙ୍କା ।
ଉଦୟ ଏହି ଚମତ୍କାର ଟେକନିକର ଏକମାତ୍ର ସଂରକ୍ଷକ, ଯାହା ସେ ତାଙ୍କ ଚାଚା ରାମଚନ୍ଦରଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି, ଯିଏ କିଛି ଦଶନ୍ଧି ପୂର୍ବରୁ ବିହାରର ଗେନ୍ଦ ଗାଁକ (ପଡ଼ା)ରୁ ମୁମ୍ବାଇ ଆସିଥିଲେ (ଏବଂ ସହରରେ ତାଙ୍କୁ ରାଜୁ ନାଁରେ ଜାଣିଥିଲେ)। ଯେତେବେଳେ ବି ତାଙ୍କ ଚାଚା ଘରକୁ ଫେରୁଥିଲେ, ସହରର ଗୁଡିଏ କାହାଣୀ ନେଇ ଆସୁଥିଲେ । “ଚାଚା (ବାପାଙ୍କ ଭାଇ) କହୁଥିଲେ ତାଙ୍କ ପାଖରେ ଏକ ଅଜୁବା (ଏକ ଆଶ୍ଚର୍ଯ୍ୟ ଯନ୍ତ୍ର) ଅଛି, ଯିଏ ଭବିଷ୍ୟତ କହିପାରୁଛି ଏବଂ ଏଥିରେ ତାଙ୍କର ଟଙ୍କା ରୋଜଗାର ହେଉଛି । କିଛି ଲୋକ ହସୁଥିଲେ ଏବଂ ଭାବୁଥିଲେ ମଜାରେ ସେ ଏପରି କହୁଛନ୍ତି । ମୁଁ ମନ୍ତ୍ରମୁଗ୍ଧ ହୋଇ ଯାଉଥିଲି!” ରାଜୁ ତାଙ୍କର ୧୧ ବର୍ଷୀୟ ପୁତୁରାକୁ ସହରୀ ଜୀବନର ଆଶ୍ଚର୍ଯ୍ୟ ଘଟଣା ସହ ଏହି ମେସିନ ସହ ପରିଚିତ କରାଇଥିଲେ ।


ବେଳାଭୂମିରେ ଭବିଷ୍ୟବାଣୀ କରୁଥିବା ରୋବଟ ସହ ଉଦୟ କୁମାର, ଯାହାକୁ ସେ ‘ଜ୍ୟୋତିଷ କମ୍ପ୍ୟୁଟର ଲାଇଭ୍ ଷ୍ଟୋରୀ’ ବୋଲି କୁହନ୍ତି
ଉଦୟଙ୍କ ବାପା-ମାଆ କୃଷକ, ନିଜର କିଛି ବିଘା ଜମିରେ ଚାଷ କରିଥାନ୍ତି, ସବୁବେଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଫଳରେ ଉଦୟଙ୍କୁ ଚତୁର୍ଥ ଶ୍ରେଣୀ ପରେ ପାଠ ଛାଡ଼ିବାକୁ ପଡ଼ିଥିଲା । ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଗାଁ ଛାଡ଼ିବାକୁ ସେ ମନସ୍ଥ କରିଥିଲେ । କିଶୋର ଅବସ୍ଥାରେ ବିହାରର ଭେଶାଲେ ଜିଲ୍ଲାରେ ଥିବା ତାଙ୍କ ଗାଁ ଛାଡି ଚାଚା ରାଜୁଙ୍କ ସହ ମୁମ୍ବାଇ ଆସିବାକୁ ସ୍ଥିର କଲେ । ପୁରୁଣା ଦିନକୁ ମନେ ପକାଇ ସେ କୁହନ୍ତି, “ୱ ମେସିନ୍ ଦେଖନା ଥା ୱର ମୁମ୍ବାଇ ଭି (ସେହି ମେସିନ ଦେଖିବାର ଥିଲା ଏବଂ ମୁମ୍ବାଇକୁ ମଧ୍ୟ)।”
ଉଦୟ ମନେପକାଇ କୁହନ୍ତି ଯେ ତାଙ୍କ ଚାଚା ବ୍ୟବହାର କରୁଥିବା ମେସିନକୁ ଚେନ୍ନାଇ ଏବଂ କେରଳର କାରିଗରମାନେ ତିଆରି କରିଥିଲେ ଏବଂ ୯୦ ଦଶକର ଶେଷ ଭାଗରେ ମୁମ୍ବାଇରେ ଏହା ଆରମ୍ଭ ହୋଇଥିଲା । ରାଜୁ ଚାଚା ଜଣେ କାରିଗରକୁ ଭେଟି ବ୍ୟବସାୟ କରିବା ପାଇଁ ତାଙ୍କ ଠାରୁ ଭଡ଼ା ସୂତ୍ରରେ ମେସିନ୍ ଆଣିଥିଲେ ।
“ଏହି କାର୍ଯ୍ୟରେ ପାଖାପାଖି ୨୦-୨୫ ଜଣ ଲୋକ ଥିଲେ” – କହିଛନ୍ତି ଉଦୟ । “ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ରାଜ୍ୟରୁ ଆସିଥିଲେ, ଅଳ୍ପ କେତେଜଣ ବିହାର ଓ ଉତ୍ତରପ୍ରଦେଶରୁ ଆସିଥିଲେ । ସମସ୍ତଙ୍କ ପାଖରେ ଏହି ସମାନ ମେସିନ୍ ଥିଲା ।”
ରାଜୁଙ୍କ ପରି ସମସ୍ତେ ଏହି କୌତୁହଳପ୍ରଦ ଉପକରଣ ଧରି ସହରରେ ଘୁରି ବୁଲୁଥିଲେ ଏବଂ ଏମାନଙ୍କ ପାଇଁ ବିଶେଷ ସ୍ଥାନ ଥିଲା ଜୁହୁ ବେଳାଭୂମି । ଉଦୟ ନିଜ ଚାଚାଙ୍କ ସହ ପୂରା ସହରରେ ବୁଲୁଥିଲେ । ତାଙ୍କ ଚାଚାଙ୍କ ରୋଜଗାରର ଏକ ଚତୁର୍ଥାଂଶ ମେସିନ ଭଡ଼ା ବାବଦରେ ଚାଲି ଯାଉଥିଲା । ଉଦୟଙ୍କ ଚାଚା ରାଜୁ ଯେତେବେଳେ ନିଜ ବ୍ୟବିସାୟ ଆରମ୍ଭ କରିଥିଲେ, ସେତେବେଳେ ମେସିନ୍ କିଣିବା ବହୁତ ମହଙ୍ଗା ଥିଲା, ପାଖାପାଖି ୪୦ ହଜାର ଟଙ୍କା । କିନ୍ତୁ ଶେଷରେ ସେ ଏହାକୁ କିଣି ନେଇଥିଲେ ।


କୌତୁହଳପ୍ରଦ ଉପକରଣ ସହ ମୁମ୍ବାଇ ସହରରେ ବୁଲନ୍ତି ଉଦୟ, କିନ୍ତୁ ତାଙ୍କ ପାଇଁ ଜୁହୁ ବେଳାଭୂମି ଏକ ସ୍ୱତନ୍ତ୍ର ସ୍ଥାନ
ଅନେକ ଥର ଚେଷ୍ଟା କରିଥିଲେ ବି ରୋବଟ ତିଆରି କରିବା କୌଶଳ ଶିଖି ପାରିନାହାନ୍ତି ଉଦୟ । ବହୁ ବର୍ଷ ତଳେ ରାଜୁଙ୍କ ଦେହାନ୍ତ ହୋଇଯିବା ପରେ ଭବିଷ୍ୟବାଣୀ କରୁଥିବା ଏହି ରୋବଟକୁ ସେ ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ । ଉଦୟ ନିଜକୁ ସେହି ପରମ୍ପରାକୁ ଆଗକୁ ବଢ଼ାଉଥିବା ଦୃଷ୍ଟିରେ ଦେଖନ୍ତି, ଯାହା ଦିନେ ତାଙ୍କ କଳ୍ପନାକୁ ଆକର୍ଷିତ କରିଥିଲା ।
୧୦ ବର୍ଷ ପୂର୍ବେ ଭବିଷ୍ୟବାଣୀ ପାଇଁ ୨୦ ଟଙ୍କା ନେଉଥିଲେ, ଏହା ବୃଦ୍ଧି ପାଇ ଗତ ୪ ବର୍ଷ ହେଲା ୩୦ ଟଙ୍କାରେ ପହଞ୍ଚିଛି । ତାଙ୍କ ବ୍ୟବସାୟକୁ କୋଭିଡ୍-୧୯ ମହାମାରୀ ଝଟକା ଦେଇଥିଲା । ଉଦୟ କୁହନ୍ତି, “ସମୟ ଅନୁସାରେ ଅନେକ ଲୋକ ଏହି ବ୍ୟବସାୟ ଛାଡ଼ି ଦେଇଛନ୍ତି ।” ମହାମାରୀ ପରେ ସେ ଏହି ରହସ୍ୟମୟ ଉପକରଣର ଏକମାତ୍ର ସଂରକ୍ଷକ ।
ଖାଲି ଏହି ମେସିନରୁ ସେ ଯାହା ରୋଜଗାର କରିନ୍ତି, ସେଥିରେ ବଞ୍ଚିବା କଷ୍ଟକର । ତାଙ୍କ ପତ୍ନୀ ଓ ପୁଅ ଗାଁରେ ରୁହନ୍ତି ଏବଂ ପୁଅକୁ ମୁମ୍ବାଇରେ ପାଠ ପଢ଼ାଇବାକୁ ସେ ଆଶା ରଖିଛନ୍ତି । ସକାଳେ ସେ ବିଭିନ୍ନ ପ୍ରକାର ଛୋଟମୋଟ କାର୍ଯ୍ୟ କରନ୍ତି – କିରାଣୀ କାମ ଏପରିକି ପାମ୍ପଲେଟ୍ ବିକିଥାନ୍ତି । ତାଙ୍କୁ ମିଳୁଥିବା ଯେକୌଣସି କାର୍ଯ୍ୟ କରିବାକୁ ସେ ପ୍ରସ୍ତୁତ । ଉଦୟ କୁହନ୍ତି, “ଯେବେ ସକାଳେ କିଛି କାମ ମିଳେ ନାହିଁ, ମୁଁ ଏଠାରେ ସବୁବେଳେ ଏହି ମେସିନ୍ ଧରି ଛିଡ଼ା ହୁଏ ଏବଂ କିଛି ଟଙ୍କା ରୋଜଗାର କରି ମୋ ପରିବାର ନିକଟକୁ ପଠାଇବାକୁ ସକ୍ଷମ ହୁଏ ।”
ଅପରାହ୍ଣ ୪ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜୁହୁ ବେଳାଭୂମି କୂଳରେ ଛିଡ଼ା ହୁଅନ୍ତି ଉଦୟ । ତାଙ୍କର ଭୟ, ଅନ୍ୟ କୌଣସି ସ୍ଥାନରେ ଜରିମାନା ଲାଗିବ ଏବଂ ମେସିନ ନେବା କଷ୍ଟକର ହେବ । ସପ୍ତାହର ଶେଷ ଦିନଗୁଡିକ ତାଙ୍କର ବ୍ୟବସାୟ ପାଇଁ ସବୁଠୁ ଭଲ ଦିନ, ସାଧାରଣ ଦିନ ଅପେକ୍ଷା ବ୍ରହ୍ମାଣ୍ଡୀୟ ବାର୍ତ୍ତା ଡିକୋଡ କରିବାକୁ ସେତେବେଳେ ସେ ଅଧିକ ଆଗ୍ରହୀ ଲୋକ ପାଆନ୍ତି । ସେହି ଦିନଗୁଡ଼ିକରେ ତାଙ୍କର ରୋଜଗାର ୩୦୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ହୋଇଥାଏ । ସବୁ ଟଙ୍କା ମିଶାଇ ମାସକୁ ୭ ହଜାରରୁ ୧୦ ହଜାର ଟଙ୍କା ।


ଉଦୟ କୁମାର ତାଙ୍କ ଚାଚାଙ୍କଠାରୁ ଏହି ମେସିନ ଉତ୍ତରାଧିକାର ସୂତ୍ରରେ ପାଇଥିଲେ । ମୁମ୍ବାଇର ଆକର୍ଷଣ ଆଉ ଏହି ମେସିନ ହିଁ ତାଙ୍କୁ କିଶୋର ଅବସ୍ଥାରେ ଏହି ସହରକୁ ନେଇ ଆସିଥିଲା
ଗାଁରେ ନିଜ ସାଥୀ ବିହାରୀଙ୍କୁ ମେସିନର ରହସ୍ୟମୟ ଶକ୍ତି ଉପରେ ବୁଝାଇ ଅସଫଳ ହୋଇଥିବା ଉଦୟ କୁହନ୍ତି, “ଗାଁରେ ଲୋକ ଏହି ମେସିନ୍ ନୁହେଁ, ଜ୍ୟୋତିଷଙ୍କ ଉପରେ ବିଶ୍ୱାସ କରନ୍ତି, ତେଣୁ ସେଠାରେ ଭଲ ରୋଜଗାର ହୁଏ ନାହିଁ ।” ତାଙ୍କ ମତରେ ତାଙ୍କ ବ୍ୟବସାୟର ସ୍ଥାନ ହେଉଛି ମୁମ୍ବାଇ । ଯଦିଓ ଭବିଷ୍ୟବାଣୀ ଯନ୍ତ୍ରକୁ ଅଧିକ ଲୋକ ମନୋରଞ୍ଜନର ଉତ୍ସ ବୋଲି ଭାବନ୍ତି ଏବଂ ସମୁଦ୍ର କୂଳରେ ଥିବା ଲୋକ ଏହାକୁ ସନ୍ଦେହରେ ଦେଖିଥାନ୍ତି ।
ଉଦୟ କୁହନ୍ତି, “କିଛି ଲୋକ ଏଥିରୁ ମଜା ଉଠାନ୍ତି ଓ ହସି ଉଡ଼ାଇ ଦିଅନ୍ତି; ଆଉ କିଛି ଆଶ୍ଚର୍ଯ୍ୟ ହୁଅନ୍ତି । ନିକଟରେ ଜଣେ ବ୍ୟକ୍ତି ଅବିଶ୍ୱାସ କରି ହସୁଥିଲେ, କାରଣ ତାଙ୍କ ବନ୍ଧୁ ତାଙ୍କୁ ଏହା ଶୁଣିବାକୁ ବାଧ୍ୟ କରିଥିଲେ, କିନ୍ତୁ ପରେ ସେ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ । ସେ ମତେ କହିଥିଲେ ଯେ ରୋବଟ ଜାଣିଛି ତାଙ୍କର କିଛି ପେଟ ସମସ୍ୟା ରହିଛି ଏବଂ ସେଥିପାଇଁ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ସେ କହିଥିଲେ ଯେ ପ୍ରକୃତରେ ତାଙ୍କର ପେଟ ସମସ୍ୟା ରହିଛି । ତେଣୁ ଏହିପରି ଅନେକ ଲୋକ ଅଛନ୍ତି, ଯାହାଙ୍କ ଠାରୁ ମୁଁ ଏପରି ଶୁଣିଛି ।” ଏହା ସହ ଉଦୟ କହିଛନ୍ତି, “ଯେଉଁମାନେ ବିଶ୍ୱାସ କରିବାକୁ ଚାହାଁନ୍ତି, ସେମାନେ ବିଶ୍ୱାସ କରିପାରିବେ ।”
ଏହାର ରହସ୍ୟମୟ ସଠିକ୍ ପ୍ରଦର୍ଶନର ପ୍ରମାଣ ଦେଇ ଗର୍ବର ସହ ଉଦୟ ଦାବି କରନ୍ତି, “ମେସିନ କେବେ ଧୋକା ଦେଇନାହିଁ ।”
କେବେ ଏହା କାମ କରିବା ବନ୍ଦ କରିଦେଇଛି କି?
ଉଦୟ କହିଛନ୍ତି, ଯଦି ଏପରି ହୁଏ, ତେବେ ସହରରେ ଜଣେ ମେକାନିକ ଅଛି, ଯିଏ ଏଥିରେ ସଂଯୁକ୍ତ ତାରକୁ ସଜାଡ଼ି ଦିଏ ।
ଉଦୟ କୁହନ୍ତି, “ଏହି ମେସିନ ଯାହା କୁହେ, ମୁଁ ତାକୁ ବିଶ୍ୱାସ କରେ । ଏହା ମତେ ମୋର କାମ ଜାରି ରଖିବାକୁ ଆଶା ଦେଇଥାଏ।” ଏପରକି ନିଜ ଜୀବନ ସଂପର୍କରେ ଦେଇଥିବା ଭବିଷ୍ୟବାଣୀକୁ କହିବାକୁ ସେ ଆଦୌ ଅନିଚ୍ଛା ପ୍ରକାଶ କରନ୍ତି ନାହିଁ । ସେ ହସି ହସି କୁହନ୍ତି, “ଏହା ଭିତରେ ଯାଦୁ ଅଛି ଏବଂ ମେସିନ ମୋ ବିଷୟରେ ଯାହା କୁହେ, ମୁଁ ଏବେ ବି ମୋହିତ ହୋଇଯାଏ । ମୁଁ ଏହାକୁ ବିଶ୍ୱାସ କରିବାକୁ କହିବି ନାହିଁ । ନିଜ ପାଇଁ ଶୁଣନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ।

ଭବିଷ୍ୟ କହୁଥିବା ମେସିନ ଲୋକଙ୍କ ପାଇଁ ଏକ ମନୋରଞ୍ଜନର ଉତ୍ସ ଏବଂ ଏହାକୁ ସଂଦେହ ଦୃଷ୍ଟିରେ ଦେଖିଥାନ୍ତି

ଉଦୟ କୁହନ୍ତି , “ ଗାଁରେ ଲୋକ ଏହି ମେସିନ ନୁହେଁ , ଜ୍ୟୋତିଷ ଙ୍କ ଉପରେ ବିଶ୍ୱାସ କରନ୍ତି , ତେଣୁ ସେଠାରେ ଭଲ ରୋଜଗାର ହୁଏ ନାହିଁ ।” ତାଙ୍କ ପାଇଁ ବ୍ୟବସାୟର ସ୍ଥାନ ହେଉଛି ମୁମ୍ବାଇ

ଉଦୟ କୁହନ୍ତି , କିଛି ଲୋକଙ୍କୁ ଏହାର ଭବିଷ୍ୟବାଣୀ ହାସ୍ୟାସ୍ପଦ ଲାଗିପାରେ ଏବଂ କିଛି ଲୋକ ହସି ଉଡ଼ାଇ ଦେଇପାରନ୍ତି । କିନ୍ତୁ ମେସିନ କେବେ ଭୁ ଲ୍ ନୁହେଁ

ଖାଲି ଏହି ମେସିନରେ ପେଟ ପୋଷିବା ସମ୍ଭବ ନୁହେଁ । ସକାଳେ ଉଦୟ ଛୋଟ ମୋଟ କାମ କରିଥାନ୍ତି , ହେଲେ ସଂଧ୍ୟା ସୁଦ୍ଧା ରୋବଟ ସହ ସମୁଦ୍ର କୂଳରେ ପହଁଚିଯାଆନ୍ତି

ଜଣେ ଗ୍ରାହକ ୩୦ ଟଙ୍କା ଦେଇ ଭବିଷ୍ୟବାଣୀ ଶୁଣୁଛନ୍ତି

କୋଭିଡ-୧୯ ମହାମାରୀ ବେଳେ ତାଙ୍କ ବ୍ୟବସାୟକୁ ଝଟକା ଲାଗିଥିଲା । କିନ୍ତୁ ଏହା ପରେ ସେ ତାଙ୍କ ବ୍ୟବସାୟ ଜାରି ରଖିଛନ୍ତି

ମେସିନ ତାଙ୍କ ବିଷୟରେ ଯାହା କୁହେ , ତାହା ଉଦୟଙ୍କୁ ମନ୍ତ୍ରମୁଗ୍ଧ କରେ । ସେ କୁହନ୍ତି , ' ମୁଁ ଏହାକୁ ବିଶ୍ୱାସ କରେ'
ଅନୁବାଦ : ଓଡ଼ିଶାଲାଇଭ୍