“ଏହି ମଜାର (ସମାଧି) ହେଉଛି ଆମେ ଗଢ଼ିଥିବା ଏକ ଅସ୍ଥାୟୀ ବ୍ୟବସ୍ଥା । ସାବଲା ପୀରର ମୂଳ ପୂଜାପୀଠ ରଣନୀତି ଭିତ୍ତିକ ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଅବସ୍ଥିତ,” ଫକିରାନୀ ଜାଟମାନଙ୍କର ଆଧ୍ୟାତ୍ମିକ ଗୁରୁ ୭୦ ବର୍ଷୀୟ ଆଗା ଖାନ୍ ସାବଲାନି କହନ୍ତି । ଯେଉଁ ଅସ୍ଥାୟୀ ନିର୍ମାଣ ସନ୍ଦର୍ଭରେ ସେ ଏହା କହନ୍ତି, ତାହା ହେଉଛି ଲଖପତ ତାଲୁକା ଅନ୍ତର୍ଗତ ପିପର ପଲ୍ଲୀ ଗାଁ ନିକଟବର୍ତ୍ତୀ ଏକ ବିରାଟ ଖୋଲା ପଡ଼ିଆରେ ଦଣ୍ଡାୟମାନ ଏକ କ୍ଷୁଦ୍ର, ନିଃସଙ୍ଗ, ହାଲୁକା ସବୁଜ ରଙ୍ଗର ଏକ ସାଧାରଣ ସମାଧିପୀଠ; ଯେଉଁଠାରେ କି ଆଉ କିଛି ଘଣ୍ଟା ଭିତରେ ସାବଲା ପୀର ଉତ୍ସବ ପାଳନ କରିବାକୁ ଆସିଥିବା ଲୋକଙ୍କ ଭିଡ଼ ଜମିଯିବ ।
ଗୋଟିଏ ଦ୍ୱୀପରେ ଅବସ୍ଥିତ ମୂଳ ପୂଜାପୀଠ ସୁରକ୍ଷା କାରଣରୁ ୨୦୧୯ରୁ ବନ୍ଦ ରହିଛି । ଏବେ ସେହି ସ୍ଥାନରେ ରହିଛି ସୀମା ସୂରକ୍ଷା ବଳ (ବିଏସଏଫ୍)ର ଏକ ଶିବିର । ଗୋଟିଏ ସଂପ୍ରଦାୟର ସାଂସ୍କୃତିକ ଜୀବନଧାରା ସମ୍ବଳିତ ବିଧି ବ୍ୟବସ୍ଥା ଦସ୍ତାବିଜରେ ଉଲ୍ଲେଖ ରହିଛି ଯେ, “ସ୍ୱାଧୀନତା ପୂର୍ବରୁ କୋଟେଶ୍ୱର ସଂଲଗ୍ନ କୋରି କ୍ରିକର ଏହି ଦ୍ୱୀପରେ ସାବଲା ପୀରଙ୍କ ନିବାସସ୍ଥଳୀ ରହିଥିଲା । ସେ ସମୟରେ, ବର୍ତ୍ତମାନ ପାକିସ୍ତାନରେ ରହିଥିବା ସିନ୍ଧରେ ବସବାସ କରୁଥିବା ଜାଟ୍ ପଶୁପାଳକମାନେ ପ୍ରାର୍ଥନା କରିବା ଲାଗି ଏଠାକୁ ଡଙ୍ଗାରେ ଆସୁଥିଲେ ।”
ଏ ଅଞ୍ଚଳରେ ପ୍ରଚଳିତ ପରମ୍ପରା ଅନୁସାରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ସବୁ ଜାତିର ଲୋକେ ଏହି ମେଳାରେ ଭାଗ ନେବା ଏବଂ ପ୍ରାର୍ଥନା କରିବା ଲାଗି ଏଠାକୁ ଆସିଥାଆନ୍ତି । ଏହି ସଂପ୍ରଦାୟ ଦ୍ୱାରା ଆୟୋଜିତ ଏହି ମେଳା, ଗୁଜରାଟୀ କ୍ୟାଲେଣ୍ଡର ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସର ତୃତୀୟ ଏବଂ ଚତୁର୍ଥ ଦିନରେ, ଅର୍ଥାତ୍ ପ୍ରାୟ ମାର୍ଚ୍ଚ ଓ ଏପ୍ରିଲ ମାସରେ ପଡୁଥିବା ଏକ ବାର୍ଷିକ ପର୍ବ ।
“ସାବଲା ପୀରଙ୍କ ପୀଠରେ ପ୍ରାର୍ଥନା କରିବା ଲାଗି ସମସ୍ତଙ୍କୁ ସ୍ୱାଗତ କରାଯାଏ; କୌଣସି ଭେଦଭାବ ନଥାଏ । ଯେ କେହି ଏଠାକୁ ଆସି ନିଜ ନିଜର ମଙ୍ଗଳ କାମନା କରିପାରନ୍ତି । ଆପଣ ସନ୍ଧ୍ୟା ଯାଏଁ ଅପେକ୍ଷା କରନ୍ତୁ ଏବଂ ଏଠି କେମିତିକା ଭିଡ଼ ଜମେ ନିଜେ ଦେଖି ନିଅନ୍ତୁ,” ବୟସର ୪୦ ଦଶକର ଶେଷ ଭାଗରେ ଉପନୀତ କଚ୍ଛର ଏକ ପଲ୍ଲୀ ଗାଁ ପିପର ନିବାସୀ ସୋନୁ ଜାଟ କହନ୍ତି । ଏହି ପଡ଼ା ଗାଁରେ ପ୍ରାୟ ୫୦ରୁ ୮୦ ଜାଟ ପରିବାର ରହନ୍ତି ।

ସାବଲା ପୀରଙ୍କର ଏକ ନୂତନ ପୂଜାପୀଠ ଗୁଜରାଟ ରାଜ୍ୟର କଚ୍ଛ ଅଞ୍ଚଳରେ ଲଖପତ ତାଲୁକା ଅନ୍ତର୍ଗତ ପିପର ଗାଁରେ ଅବସ୍ଥିତ । ରଣନୀତି ଭିତ୍ତିକ ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ମୂଳ ପୀଠରେ ୨୦୧୯ ରୁ ପୂଜାପାଠ ବନ୍ଦ କରିଦିଆଯାଇଛି
ଫକିରାନୀ ଜାଟମାନେ ଓଟ ପାଳନ କରନ୍ତି ଏବଂ ବହୁ ପିଢ଼ି ଧରି କଚ୍ଛ ଉପକୂଳବର୍ତ୍ତୀ ଶୁଷ୍କ ଓ ଅର୍ଦ୍ଧ- ଶୁଷ୍କ ଅଞ୍ଚଳରେ ବସବାସ କରିଆସୁଛନ୍ତି । ସେମାନେ ଖରାଇ ଏବଂ କଚ୍ଛି ନାଁରେ ପରିଚିତ ଏକ ପ୍ରକାର ଦେଶୀ ଓଟ ପାଳନ କରନ୍ତି । ସେମାନେ ବୃତ୍ତିଗତ ଭାବେ ପଶୁପାଳକ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଯାଯାବର ରୂପେ ଜୀବନଯାପନ କରିଆସୁଛନ୍ତି । ପାରମ୍ପରିକ ଭାବେ ଗୋପାଳକ ରୂପେ ବିବେଚିତ ଏହି ସଂପ୍ରଦାୟର ଲୋକେ ବିଭିନ୍ନ ଗାଁ ଓ ସହରାଞ୍ଚଳକୁ ଲହୁଣୀ, ଘିଅ, କ୍ଷୀର, ଉଲ ଏବଂ ଗୋବର ଖତ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଛନ୍ତି । ସେମାନେ ପାଳିଥିବା ପଶୁଙ୍କ ମଧ୍ୟରେ ମେଣ୍ଢା, ଛେଳି, ମଇଁଷି, ଗାଈ ଓ ଅନ୍ୟାନ୍ୟ ଦେଶୀ ପ୍ରଜାତିର ପ୍ରାଣୀ ରହିଛନ୍ତି । କିନ୍ତୁ ପ୍ରଥମେ ସେମାନେ ନିଜକୁ ଓଟପାଳକ ରୂପେ ଗଣନା କରନ୍ତି ଏବଂ ସେମାନଙ୍କ ଓଟ ଓ ପରିବାରକୁ ସାଙ୍ଗରେ ନେଇ ଏ ଅଞ୍ଚଳର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୂରି ବୁଲୁଥାଆନ୍ତି । ଫକିରାନୀ ମହିଳାମାନେ ସକ୍ରିୟ ଭାବରେ ସେମାନଙ୍କ ଓଟପଲ ଓ ନବଜାତ ଓଟଛୁଆର ଯତ୍ନ ନିଅନ୍ତି ।
“କିନ୍ତୁ ଆରମ୍ଭରୁ ଆମେ ଓଟପାଳକ ନଥିଲୁ,” ଏ ଅଞ୍ଚଳର ଜଣେ ସୁଫି କବି ଉମର ହାଜି ସୁଲେମାନ କହନ୍ତି । ଫକିରାନୀ ଜାଟ ସଂପ୍ରଦାୟର ଜୀବିକା ସଂପର୍କରେ କହିବାକୁ ଯାଇ ସେ କହନ୍ତି, “ଥରେ ଗୋଟିଏ ଓଟର ମାଲିକାନାକୁ କେନ୍ଦ୍ର କରି ଦୁଇ ଜଣ ରବାରି ଭାଇଙ୍କ ମଧ୍ୟରେ ମତଭେଦ ଉପୁଜିଲା । ଏହି ବିବାଦର ସମାଧାନ ପାଇଁ ସେମାନେ ଆମର ପୂଜ୍ୟ ସନ୍ଥ ସାବଲା ପୀରଙ୍କ ପାଖକୁ ଗଲେ ଏବଂ ସେ ମହୁଫେଣାର ମହମ ବା ମହୁସିଠାରେ ଗୋଟିଏ ଓଟ ସୃଷ୍ଟି କରି କେଉଁଟି ପ୍ରକୃତ ଓଟ ଏବଂ କେଉଁଟି ମହୁସିଠାରୁ ତିଆରି ବୋଲି ଚିହ୍ନଟ କରିବାକୁ ଦୁଇ ଭାଇଙ୍କୁ କହିଲେ । ବଡ଼ଭାଇ ଜଣକ ତୁରନ୍ତ ପ୍ରକୃତ ଓଟକୁ ବାଛି ସେଠାରୁ ନେଇ ଚାଲିଗଲେ । ସାନଭାଇ ଦେବୀଦାସ ରବାରିଙ୍କ ପାଖରେ ମହମର ଓଟଟି ରହିଗଲା । ସନ୍ଥ ଦେବୀଦାସଙ୍କୁ ଆଶୀର୍ବାଦ ଦେଲେ ଏବଂ ଦେବୀଦାସ ଫେରି ଆସିବା ସମୟରେ ତାଙ୍କ ପଛେ ପଛେ ପଲେ ଓଟ ଆସିବେ ବୋଲି କହି ଆଶ୍ୱାସନା ଦେଲେ । ଯଦି ସେ ତାଙ୍କ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ପଛକୁ ଫେରି ଚାହିଁବେ ନାହିଁ ବୋଲି କଥା ଦିଅନ୍ତି, ତେବେ ତାଙ୍କ ଓଟପଲରେ ଓଟ ସଂଖ୍ୟା ବଢ଼ି ଚାଲିବ ବୋଲି କହିଲେ ।
“କିନ୍ତୁ ଦେବୀଦାସ କୌତୁହଳ ସମ୍ବରଣ କରିପାରିଲେ ନାହିଁ ଏବଂ ଘରେ ପହଞ୍ଚିବାର ଠିକ୍ ପୂର୍ବରୁ ଓଟଙ୍କୁ ଦେଖିବା ଲାଗି ପଛକୁ ବୁଲି ଚାହିଁଲେ । ତାଙ୍କ ପଛରେ ବହୁସଂଖ୍ୟକ ଓଟ ଥିଲେ ସତ, କିନ୍ତୁ ଯେହେତୁ ସେ ତାଙ୍କ କଥା ରଖିପାରିଲେ ନାହିଁ, ସେହି ସଂଖ୍ୟା ଆଉ ବଢ଼ିଲା ନାହିଁ । ସାବଲା ପୀର ତାଙ୍କୁ ଏହା ମଧ୍ୟ କହିଥିଲେ ଯେ ଯଦି ସେ ତାଙ୍କ ପଛରେ ବହୁସଂଖ୍ୟକ ଓଟ ରହିଥିବା ଦେଖନ୍ତି, ତେବେ ସେ ସେମାନଙ୍କ ଯତ୍ନ ନେବା ଲାଗି ଜାଟ ସଂପ୍ରଦାୟର ଲୋକଙ୍କ ଜିମାରେ ଛାଡ଼ିଦେବେ । ଏଥିପାଇଁ, ଆଜି ବି ଜାଟ୍ ସଂପ୍ରଦାୟର ଲୋକେ ରବାରିମାନେ ସେମାନଙ୍କ ଜିମା ଦେଇଥିବା ଓଟମାନଙ୍କର ଯତ୍ନ ନେଉଛନ୍ତି,” ସେ କହନ୍ତି । “ଆଉ ଆପଣ ଜାଣିପାରୁଥିବେ ଯେ, ସେହି ଦିନରୁ ଏଠାକାର ସବୁ ଲୋକ ସାବଲା ପୀରଙ୍କ ଅନୁଗାମୀ ହୋଇ ରହିଆସିଛନ୍ତି ।”
ଫକିରାନୀ ଜାଟ୍ ଲୋକେ ମୁସଲମାନ, ଏବଂ ପ୍ରାୟ ୪୦୦ ବର୍ଷ ତଳୁ ନିଜର ଓଟମାନଙ୍କ ସହିତ କୋରି କ୍ରିକରେ ଥିବା ଏକ ଦ୍ୱୀପରେ ରହିଆସୁଛନ୍ତି । ‘ସାବଲା ପୀର’ ହେଉଛନ୍ତି ସେମାନଙ୍କର ପ୍ରିୟ ସୁଫି ସନ୍ଥ । ଏବଂ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନେ ଲଖପତରେ ଏହି ଦୁଇଦିନିଆ ସାବଲା ପୀର ନୋ ମେଲୋ ମେଳାର ଆୟୋଜନ କରିଥିଲେ । ୨୦୨୪ ମସିହା ଏପ୍ରିଲ ୨୮ ଓ ୨୯ ତାରିଖରେ ।


ଭକ୍ତମାନେ ଅତି ସୁନ୍ଦର ଭାବରେ ସଜ୍ଜିତ ଛୋଟ ଛୋଟ କାଠ ଡଙ୍ଗା ନେଇ ଏହି ପୂଜାପୀଠକୁ ଆସନ୍ତି । ସୁଫି କବି ଉମର ହାଜି ସୁଲେମାନ କହନ୍ତି ଯେ ଏହି ଡଙ୍ଗା ସାବଲା ପୀରଙ୍କ ଉପସ୍ଥିତିକୁ ସୂଚାଏ, କାରଣ ସନ୍ଥ ନିଜର ଡଙ୍ଗାରେ ଖାଡ଼ି ବାଟ ଦେଇ ଗୋଟିଏ ଦ୍ୱୀପରୁ ଆଉ ଗୋଟିଏ ଦ୍ୱୀପକୁ ଯାତ୍ରା କରୁଥିଲେ
*****
ଏହି ମେଳାରେ ଲୋକଭିଡ଼ ଜମେ, ବିଭିନ୍ନ ରଙ୍ଗ, ଧ୍ୱନି, କାର୍ଯ୍ୟକ୍ରମ ଏବଂ ଭାବାବେଗର ସମାହାର ଘଟେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଲାଗି ଜାଟମାନେ ଗୋଟିଏ ବିରାଟ ମଞ୍ଚ ଉପରେ ଗୋଟିଏ ପେଣ୍ଡାଲ ପ୍ରସ୍ତୁତ କରନ୍ତି, ଲୁଗାପଟା, ଖାଦ୍ୟଦ୍ରବ୍ୟ, ବାସନକୁସନ ଏବଂ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ନିମନ୍ତେ ଛୋଟ ଛୋଟ ଦୋକାନ ଗଢ଼ି ଉଠେ । ଚା’ ପିଇବାରେ ବ୍ୟସ୍ତ ଦଳେ ବୟସ୍କ ବ୍ୟକ୍ତି ମୋତେ ଅଭିବାଦନ ଜଣାଇ କହନ୍ତି, “ଆପଣ ଏହି ଉତ୍ସବରେ ସାମିଲ ହେବା ଲାଗି ଏତେ ଦୂରରୁ ଆସିଛନ୍ତି ଜାଣି ଆମେ ବହୁତ ଖୁସି ।”
ଏବେ ସୁଦ୍ଧା ମେଳାରେ ବହୁ ଯାତ୍ରୀଙ୍କ ସମାଗମ ହେଲାଣି – ସେମାନେ ସମସ୍ତେ ପାଦରେ ଚାଲି ଚାଲି, ମଟର ଗାଡ଼ିରେ ବସି ଆସିଛନ୍ତି । ହେଲେ ଦଳ ଦଳ ହୋଇ ଅଧିକାଂଶ ଲୋକେ ଆସିଛନ୍ତି ‘ଟେମ୍ପୋ ଟ୍ରାଭେଲର’ରେ । ମେଳାରେ ପହଞ୍ଚିଛନ୍ତି ବହୁସଂଖ୍ୟକ ମହିଳା । ବିଭିନ୍ନ ଆକର୍ଷଣୀୟ ରଙ୍ଗର ପୋଷାକ ପିନ୍ଧିଛନ୍ତି। କିନ୍ତୁ ସେମାନେ କଥାବାର୍ତ୍ତା କରିବାକୁ ବି ଫଟୋ ଉଠାଇବାକୁ ଅନିଚ୍ଛୁକ ।
ରାତି ୯ଟା ବେଳକୁ ଢୋଲବାଦକମାନେ ସଙ୍ଗୀତ ପରିବେଷଣ ଆରମ୍ଭ କରନ୍ତି । ମନ୍ଥର ଗତିରେ ଏବଂ ତାଳଲୟରେ ବାଜୁଥିବା ଢୋଲର ଧ୍ୱନି ବାୟୁମଣ୍ଡଳରେ କମ୍ପନ ସୃଷ୍ଟି କରେ । ହଠାତ ଜଣେ ବୟସ୍କ ବ୍ୟକ୍ତି ଗୋଟିଏ ଭକ୍ତିଗୀତ ଗାଇବା ଆରମ୍ଭ କରିଦିଅନ୍ତି । ସିନ୍ଧି ଭାଷାରେ ସାବଲା ପୀରଙ୍କ ଉଦ୍ଦେଶ୍ୟରେ ଲିଖିତ ଗୀତଟିଏ । ଅଳ୍ପ କେଇ ମିନିଟ୍ ଭିତରେ ତାଙ୍କ ଗାୟନରେ ସାମିଲ ହୁଅନ୍ତି ଆଉ କେତେଜଣ । ଅନ୍ୟ କେତେକ ବୃତ୍ତାକାରରେ ଏକାଠି ହୋଇ ନାଚିବା ଆରମ୍ଭ କରନ୍ତି, ଗୀତ ଓ ଢୋଲର ତାଳ ସହିତ ତାଳ ଦେଇ ଧୀରେ ଧୀରେ ମଧ୍ୟରାତ୍ରୀରେ ପାଦ ଥାପନ୍ତି ।
ପରଦିନ, ଏପ୍ରିଲ ୨୯ ତାରିଖ ହେଉଛି ପର୍ବର ମୁଖ୍ୟ ଦିବସ । ସକାଳୁ ସକାଳୁ ସଂପ୍ରଦାୟର ପୁରୋଧାମାନଙ୍କ ଧାର୍ମିକ ପ୍ରବଚନରୁ ଦିନଟି ଆରମ୍ଭ ହୁଏ । ସବୁ ଦୋକାନ ମେଲିଯାଏ, ଆଶୀର୍ବାଦ କାମନାରେ ଏବଂ ମେଳାକୁ ଉପଭୋଗ କରିବା ଲାଗି ଲୋକଙ୍କ ଭିଡ଼ ଜମିବାରେ ଲାଗେ ।
“ଏବେ ଆମେ ଶୋଭାଯାତ୍ରା ଲାଗି ପ୍ରସ୍ତୁତ; ଦୟାକରି ପ୍ରାର୍ଥନାସ୍ଥଳରେ ଏକାଠି ହୁଅନ୍ତୁ ।” ଅପରାହଣ ୩ଟାରେ ଉଚ୍ଚ ସ୍ୱରରେ ପ୍ରଚାରିତ ହୁଏ । ଆଖିଝଲସା ଆଲୋକର ଚମକ ଓ ଧୂଳିର ବାଦଲ ଭିତରେ, ପାଲଦଣ୍ଡରେ ସୂକ୍ଷ୍ମ ଛୁଞ୍ଚିକାମରେ ସଜ୍ଜିତ ଧଳାରଙ୍ଗର ପାଲ ଏବଂ ତିନିକୋଣିଆ ପତାକା ଲାଗିଥିବା କାଠ ତିଆରି ଛୋଟ ଛୋଟ ଡଙ୍ଗାକୁ ମୁଣ୍ଡରେ ମୁଣ୍ଡାଇ, ଆନନ୍ଦରେ ବିଭୋର ହୋଇ ଗୀତ ଗାଉଥିବା ଏବଂ ସାବଲା ପୀରଙ୍କ ନାମ ଜପୁଥିବା ଲୋକେ ପୂଜାସ୍ଥଳୀ ଆଡ଼କୁ ଆଗେଇବା ପୂର୍ବରୁ ବୃତ୍ତାକାରରେ ରୁଣ୍ଡ ହୁଅନ୍ତି । ଏହି ଡଙ୍ଗା ସାବଲା ପୀରଙ୍କ ଉପସ୍ଥିତିର ପ୍ରତିନିଧିତ୍ୱ କରେ, କାରଣ, ସନ୍ଥ ତାଙ୍କ ଡଙ୍ଗାରେ ବସି ଖାଡ଼ି ବାଟ ଦେଇ ଗୋଟିଏ ଦ୍ୱୀପରୁ ଆଉ ଗୋଟିଏ ଦ୍ୱୀପକୁ ଯାତ୍ରା କରୁଥିଲେ ।
“ମୁଁ ଏଠାକୁ ସବୁ ବର୍ଷ ଆସେ। ଆମେ ସାବଲା ବାବାଙ୍କ ଆଶୀର୍ବାଦ ଲୋଡ଼ିଥାଉ,” ମେଳା ଅବସରରେ ମୁଁ ଭେଟିଥିବା ୪୦ ବର୍ଷୀୟ ଜୟେଶ ରବାରି କହନ୍ତି। ସେ ଅଞ୍ଜରରୁ ଆସିଛନ୍ତି। “ଆମେ ଏଠାରେ ସାରା ରାତି ବିତାଇ ଦେଉ । ଫକିରାନୀ ଭାଇମାନଙ୍କ ସହିତ ଚା’ ପିଉ ଏବଂ ଉତ୍ସବ ଶେଷରେ ଖୁସିମନରେ ଘରକୁ ଫେରିଥାଉ।”
“ମୋ ପରିବାର କୌଣସି ସମସ୍ୟା ବା ଜଟିଳ ସ୍ଥିତିର ସମ୍ମୁଖୀନ ହେଲେ, ଆମେ ଏଠାକୁ ପ୍ରାର୍ଥନା କରିବାକୁ ଆସୁ ଏବଂ ସବୁକଥାର ସମାଧାନ ହୋଇଯାଏ । ମୁଁ ଗତ ୧୪ ବର୍ଷ ହେଲା ଏଠାକୁ ଆସୁଛି,” ମେଳାରେ ଭାଗ ନେବା ଲାଗି ଭୁଜରୁ ପାଦରେ ଚାଲି ଚାଲି ଆସିଥିବା ୩୦ ବର୍ଷୀୟା ଗୀତା ବେନ ରବାରି କହନ୍ତି ।
“ମୂଳ ରୂପରେ ସବୁ ଧର୍ମର ଭିତ୍ତି ହେଉଛି ପ୍ରେମ । ମନେ ରଖନ୍ତୁ ଯେ, ପ୍ରେମ ବିନା କୌଣସି ଧର୍ମ ନାହିଁ,” ଦୁଇ ଦିନ ଧରି ମୁଁ ମେଳାରେ ଭାଗ ନେବା ପରେ ବିଦାୟ ନେବାକୁ ଯାଇଥିବା ବେଳେ କହନ୍ତି କବି ଉମର ହାଜି ସୁଲେମାନ ।

ଦଳ ଦଳ ହୋଇ ଫକିରାନୀ ଜାଟ୍ ସଂପ୍ରଦାୟର ଲୋକେ ଓଟ କ୍ଷୀରରେ ଚା ’ ତିଆରି କରନ୍ତି, ଯାହାକି ସେମାନଙ୍କ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

ସଂପ୍ରଦାୟର ଜଣେ ବୟୋଜ୍ୟେଷ୍ଠ ସଦସ୍ୟ ମାରୁଫ ଜାଟ୍ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ‘ମୁଁ ଶାନ୍ତି ପାଇଁ ଏବଂ ଆପଣ ଓ ଆପଣଙ୍କ ପରିବାର ସମେତ ପ୍ରତ୍ୟେକଙ୍କର ମଙ୍ଗଳ କାମନା କରି ପ୍ରାର୍ଥନା କରେ, ’ ସେ କହନ୍ତି

ପିପର ଗାଁରେ ସାନ୍ଧ୍ୟକାଳୀନ ନମାଜ ଲାଗି ପ୍ରସ୍ତୁତ ହେଉଛନ୍ତି ସଂପ୍ରଦାୟର ସଦସ୍ୟମାନେ

ପୂର୍ବଦିନ ସନ୍ଧ୍ୟା ସୁଦ୍ଧା ଗଢ଼ି ଉଠେ ଲୁଗାପଟା, ଖାଦ୍ୟଦ୍ରବ୍ୟ, ଏବଂ ହସ୍ତଶିଳ୍ପ ସାମଗ୍ରୀର ଛୋଟ ଛୋଟ ଦୋକାନ

ରାତିରେ ସବୁକିଛି ନିରବ ଓ ଶାନ୍ତ ହୋଇଗଲା ପରେ ଯାତ୍ରୀମାନେ ସେମାନଙ୍କ ସଙ୍ଗୀତ ପରିବେଷଣ ଆରମ୍ଭ କରନ୍ତି । ରାତି ୧୦ ଟାରେ, ଯେତେବେଳେ ଢୋଲବାଦକମାନେ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ ହେଲା ବୋଲି ଘୋଷଣା କରନ୍ତି, ମେଳା ମଇଦାନକୁ ଆକର୍ଷିତ ହୋଇଆସନ୍ତି ଶ୍ରୋତାମାନେ

ବୃତ୍ତାକାରରେ ନୃତ୍ୟରତ ପୁରୁଷ, ଏବଂ ସେମାନଙ୍କ ଛାୟାକୃତି ସୃଷ୍ଟି କରୁଥିବା ଭିନ୍ନ ଏକ ପୃଥିବୀର ଅନୁଭୂତି ମଧ୍ୟରାତ୍ରୀ ଯାଏଁ ଅବ୍ୟାହତ ରହେ

ଦୁଇ ଦିନ ଧରି ଚାଲୁଥିବା ଏହି ଉତ୍ସବରେ ଭାଗ ନିଅନ୍ତି ସବୁ ଜାତି ଓ ସଂପ୍ରଦାୟର ପୁରୁଷ, ମହିଳା ଏବଂ ଛୋଟପିଲାମାନେ

ପୂଜାସ୍ଥଳରେ ଅର୍ପଣ କରିବା ପୂର୍ବରୁ ସୁନ୍ଦର ଢଙ୍ଗରେ ସଜ୍ଜିତ ଛୋଟ ଛୋଟ କାଠ ତିଆରି ଡଙ୍ଗାକୁ ମୁଣ୍ଡାଇ ଭକ୍ତମାନେ ଶୋଭାଯାତ୍ରାରେ ବାହାରନ୍ତି

ପୁରୁଷମାନେ ଶୋଭାଯାତ୍ରାରେ ଯାଆନ୍ତି। ସମାନ ସଂଖ୍ୟାରେ ପୂଜାପୀଠକୁ ଆସିଥିବା ମହିଳାମାନେ କିନ୍ତୁ ଶୋଭାଯାତ୍ରା କିମ୍ବା ନୃତ୍ୟରେ ଭାଗ ନିଅନ୍ତି ନାହିଁ

ଏହି ବାର୍ଷିକ ତୀର୍ଥଯାତ୍ରାରେ ଆସିଥିବା ଭକ୍ତଙ୍କ ସମୁଦ୍ରରେ ଭାସି ଉଠେ ପୀରଙ୍କ ନାମ ଏବଂ ତାଙ୍କୁ ଅର୍ପଣ କରିବାକୁ ସେମାନେ ଆଣିଥିବା ସୁସଜ୍ଜିତ ଡଙ୍ଗା

ଶୋଭାଯାତ୍ରା ଆଗେଇ ଯିବା ସମୟରେ ମେଳା ପଡ଼ିଆର ପ୍ରତିଟି କୋଣରେ ପ୍ରତି ଧ୍ୱ ନିତ ହୁଏ ସାବଲା ପୀରଙ୍କ ନାମ

ନିଜ ନିଜର ନୈବେଦ୍ୟ ଅର୍ପଣ ନିମନ୍ତେ ପୂଜାପୀଠ ଦିଗରେ ଆଗେଇବା ପୂର୍ବରୁ ଆନନ୍ଦରେ ଆତ୍ମବିଭୋର ହୋଇ ଗୀତ ଗାଇ ଗାଇ, ସାବଲା ପୀରଙ୍କ ନାମ ଜପ କରି ବୃତ୍ତାକାରରେ ମେଳା ପଡ଼ିଆରେ ଏକାଠି ହୁଅନ୍ତି ଭକ୍ତଗଣ

ପୂଜାପୀଠରେ ସ୍ୱଳ୍ପକାଳୀନ ପ୍ରାର୍ଥନା ପରେ ପରେ, ସାନ୍ଧ୍ୟକାଳୀନ ପ୍ରାର୍ଥନା ସାରି ଯାତ୍ରୀମାନେ ଘରକୁ ଫେରନ୍ତି
ଅନୁବାଦ: ଓଡ଼ିଶାଲାଇଭ୍