ମୁଁ ମୋ ବାମ ଆଖିରେ କିଛି ଦେଖିପାରୁନାହିଁ। ଉଜ୍ଜ୍ୱଳ ଆଲୋକ ଯନ୍ତ୍ରଣା ଦେଉଛି। ଏହା ଭାରି ଯନ୍ତ୍ରଣାଦାୟକ। ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି କାରଣରୁ ମୁଁ ଅତି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛି,’’ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଥିବା ବାଙ୍ଗାଓଁ ସହରର ଜଣେ ଗୃହିଣୀ ପ୍ରମିଳା ନାସ୍କର କୁହନ୍ତି। ବୟସର ଚାଳିଶ ଦଶକରେ ପହଞ୍ଚିଥିବା ପ୍ରମିଳା କୋଲକାତା ସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଅପଥାଲ୍ମୋଲୋଜିରେ ଚାଲିଥିବା ସାପ୍ତାହିକ କ୍ଲିନିକକୁ ନିଜର ଚିକିତ୍ସା ପାଇଁ ଆସିଥିବା ସମୟରେ ଆମ ସହ କଥା ହେଉଛନ୍ତି।
ମୁଁ ସହଜରେ ପ୍ରମିଳା ନାସ୍କରଙ୍କ ପ୍ରତି ସହାନୁଭୂତିଶୀଳ ହୋଇପାରିଲି। ଏକଥା ଆହୁରି ଅଧିକ ସତ ଯେ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବା ଜଣେ ଫଟୋଗ୍ରାଫର ପାଇଁ କେତେ ଭୟାବହ ବାସ୍ତବତା। ୨୦୦୭ରେ ମୋ ବାମ ଆଖିରେ କର୍ଣ୍ଣିଆ ଅଲ୍ସର୍ ହୋଇଥିଲା ଏବଂ ମୁଁ ଦୃଷ୍ଟିଶକ୍ତି ହରାଇବାକୁ ବସିଥିଲି। ମୁଁ ସେତେବେଳେ ବିଦେଶରେ ଥିଲି ଏବଂ ଚିକିତ୍ସା ପାଇଁ ମୋତେ ଭାରତ ଆସିବାକୁ ପଡ଼ିଲା। ଦେଢ଼ ମାସ ଧରି, ମୁଁ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଫେରି ପାଇବା ପର୍ଯ୍ୟନ୍ତ ଏକ ନିର୍ଯାତନାପୂର୍ଣ୍ଣ ଉପଚାର ପ୍ରକ୍ରିୟାକୁ ସହିଥିଲି। ତଥାପି, ଠିକ୍ ହେବାର ଦେଢ଼ ଦଶନ୍ଧି ପରେ ମଧ୍ୟ, ମୋତେ ଏବେ ବି ଅନ୍ଧ ହୋଇଯିବାର ଭୟ ଘାରୁଛି। ଜଣେ ଫଟୋଗ୍ରାଫର ପାଇଁ ନିଜର ଦୃଷ୍ଟିଶକ୍ତି ହରାଇବା କେତେ ପୀଡ଼ାଦାୟକ ହୋଇଥିବ ତାହା ମୁଁ କଳ୍ପନା କରିଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ତଥ୍ୟ ଅନୁଯାୟୀ, ବିଶ୍ୱବ୍ୟାପୀ ଅତି କମ୍ ରେ ୨୨୦ କୋଟି ଲୋକ ନିକଟ କିମ୍ବା ଦୂର ଦୃଷ୍ଟିଶକ୍ତି ଜନିତ ସମସ୍ୟା ଭୋଗୁଛନ୍ତି। ଏଥିମଧ୍ୟରୁ ଅତି କମ୍ରେ ୧୦୦ କୋଟି - ବା ପ୍ରାୟ ଅଧା ମାମଲାରେ ଦୃଷ୍ଟିଶକ୍ତି ସମସ୍ୟାକୁ ରୋକାଯାଇପାରିଥା’ନ୍ତା କିମ୍ବା ବର୍ତ୍ତମାନ ସୁଦ୍ଧା ଏହାର ସମାଧାନ କରାଯାଇପାରିନାହିଁ।
ମୋତିଆବିନ୍ଦୁ ପରେ, ସାରା ବିଶ୍ୱରେ ଅନ୍ଧତ୍ୱର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି କର୍ଣ୍ଣିଆ ରୋଗ। କର୍ଣ୍ଣିଆ ଦୃଷ୍ଟିଶକ୍ତି ହୀନତାର ସଂକ୍ରାମକ ରୋଗ ବିଜ୍ଞାନ ଜଟିଳ ଅଟେ ଏବଂ ଏଥିରେ ଫୁଲା ଓ ଭାଇରାଲ ଚକ୍ଷୁ ସ୍ଥିତିର ଏକ ବିସ୍ତୃତ ଶୃଙ୍ଖଳା ସାମିଲ ରହିଛି ଯାହାଫଳରେ କର୍ଣ୍ଣିଆ ଦାଗ ସୃଷ୍ଟି ହୁଏ ଏବଂ ପରେ ଏହା ସକ୍ରିୟ ଅନ୍ଧତ୍ୱର କାରଣ ସାଜିଥାଏ। ଏହାବ୍ୟତୀତ, କର୍ଣ୍ଣିଆ ରୋଗର ବ୍ୟାପକତା ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ହୋଇଥାଏ।


ଚକ୍ଷୁ ଯନ୍ତ୍ରଣାର ତୀବ୍ରତା ହାଲୁକାରୁ ନେଇ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ ଏବଂ ଏହା କର୍ଣ୍ଣିଆ ଅନ୍ଧତ୍ୱର ଅନେକ ଲକ୍ଷଣ ମଧ୍ୟରୁ ଗୋଟିଏ। ଅନ୍ୟ ସାଧାରଣ ଲକ୍ଷଣ ମଧ୍ୟରେ ଆଲୋକ ପ୍ରତି ସମ୍ବେଦନଶୀଳତା , ଅସ୍ପଷ୍ଟ ଦୃଷ୍ଟିଶକ୍ତି , ଆଖିରେ ଲେଞ୍ଜରା ହେବା , ଆଖିରୁ ପାଣି ଗଡ଼ିବା ଆଦି ସାମିଲ ରହିଛି। ଯଦିଓ ଏସବୁ ଲକ୍ଷଣରୁ ଅନ୍ୟ ରୋଗ ସମ୍ପର୍କରେ ସଂକେତ ମିଳିଥାଏ , ଏହା ମଧ୍ୟ ସମ୍ଭବ ଯେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଦେଇନପାରେ , ସେଥିପାଇଁ ଚକ୍ଷୁ ଚିକିତ୍ସକଙ୍କ ପରାମର୍ଶ କରିବା ଜରୁରୀ
ଇଣ୍ଟରନେସ୍ନାଲ୍ ଜର୍ଣ୍ଣାଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ କ୍ଲିନିକାଲ ଇନଭେନସନରେ ୨୦୧୮ରେ ପ୍ରକାଶିତ ଏକ ଅଧ୍ୟୟନରେ ଆକଳନ କରାଯାଇଥିଲା ଯେ, ଭାରତରେ ପ୍ରାୟ ୬.୮ ନିୟୁତ ଲୋକ ଅଛନ୍ତି ଯେଉଁମାନଙ୍କଠାରେ କର୍ଣ୍ଣିଆ ରୋଗ କାରଣରୁ ଗୋଟିଏ ଆଖିରେ ୬/୬୦ ଠାରୁ କମ୍ ଦୃଷ୍ଟିଶକ୍ତି ରହିଛି; ଏମାନଙ୍କ ମଧ୍ୟରୁ ପ୍ରାୟ ୧ ନିୟୁତ ଲୋକଙ୍କର ଦୁଇଟି ଆଖିରେ ସମସ୍ୟା ରହିଛି । ସାଧାରଣତଃ, ୬/୬୦ ଦୃଷ୍ଟିଶକ୍ତିର ଅର୍ଥ ହେଉଛି ଜଣେ ବ୍ୟକ୍ତି ୬ ମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବେ। ଅନ୍ୟପକ୍ଷରେ ସ୍ୱାଭାବିକ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତି ୬୦ ମିଟର ଦୂର ପର୍ଯ୍ୟନ୍ତ ଦେଖିପାରନ୍ତି। ୨୦୨୦ ସୁଦ୍ଧା ଏହି ସଂଖ୍ୟା ୧୦.୬ ନିୟୁତରେ ପହଞ୍ଚିଯିବ ବୋଲି ଅଧ୍ୟୟନରେ ଆକଳନ କରାଯାଇଥିଲା - କିନ୍ତୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସଦ୍ୟତମ ତଥ୍ୟ ମିଳି ପାରିନାହିଁ।
ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଅପଥାଲ୍ମୋଲୋଜିରେ ଏକ ସମୀକ୍ଷା ପତ୍ରରେ କୁହାଯାଇଥିଲା ଯେ ‘‘ଭାରତରେ କର୍ଣ୍ଣିଆ ବ୍ଲାଇଣ୍ଡନେସ୍ (ସିବି) ବା କର୍ଣ୍ଣିଆ ଜନିତ ଦୃଷ୍ଟିଶକ୍ତିହୀନତା ୧.୨ ନିୟୁତ ରହିଛି ଯାହାକି ମୋଟ ଦୃଷ୍ଟିଶକ୍ତିହୀନତାର ୦.୩୬ ପ୍ରତିଶତ; ପ୍ରତିବର୍ଷ ଏପରି ଲୋକଙ୍କ ସଂଖ୍ୟା ୨୫,୦୦୦ରୁ ୩୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଉଛି।’’ ୧୯୭୮ ମସିହାରେ କୋଲକାତା ମେଡ଼ିକାଲ କଲେଜରେ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଅପଥାଲମୋଲୋଜି (ଆର୍ଆଇଓ) ପ୍ରତିଷ୍ଠା କରାଯାଇଥିଲା। ଏହି ଅନୁଷ୍ଠାନର ବର୍ତ୍ତମାନ ନିର୍ଦ୍ଦେଶକ ପ୍ରଫେସର ଅସୀମ କୁମାର ଘୋଷଙ୍କ ମାର୍ଗଦର୍ଶନରେ ଆର୍ଆଇଓରେ ଉଲ୍ଲେଖନୀୟ ବିକାଶ ଦେଖିବାକୁ ମିଳିଛି। ଆର୍ଆଇଓର କର୍ଣ୍ଣିଆ କ୍ଲିନିକ ସପ୍ତାହକୁ ମାତ୍ର ଦିନେ ହେଉଥିବା ବେଳେ, ଗୋଟିଏ ଦିନରେ ୧୫୦ରୁ ଅଧିକ ରୋଗୀଙ୍କ ଭିଡ଼ ଜମିଥାଏ।
ଡାକ୍ତର ଆଶୀଷ ମଜୁମଦାର ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି କ୍ଲିନିକ୍ରେ ସେହି ଲୋକମାନଙ୍କୁ ସହାୟତା କରାଯାଏ ଯେଉଁମାନଙ୍କର ସବୁଠୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି। ମୋ ନିଜ କଥା ବିଷୟରେ ଉଲ୍ଲେଖ କରି ଡାକ୍ତର ଆଶୀଷ ମୋତେ କହିଥିଲେ, ‘‘ଯଦିଓ ନକଲି କଣ୍ଟାକ୍ଟ ଲେନ୍ସ ସଲ୍ୟୁସନ୍ କାରଣରୁ ଆପଣଙ୍କଠାରେ କର୍ଣ୍ଣିଆ ଅଲସର୍ ବା ଘା’ ହୋଇଥିଲା, ତଥାପି ‘କର୍ଣ୍ଣିଆ ଦୃଷ୍ଟିଶକ୍ତି’ ହୀନତାର ଅର୍ଥ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟାକୁ ବୁଝାଇଥାଏ। କର୍ଣ୍ଣିଆ ଦୃଷ୍ଟିଶକ୍ତି ହୀନତାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ସଂକ୍ରାମକ କାରଣ ଯଥା ଜୀବାଣୁ, ଭୂତାଣୁ, କବକ ଓ ପ୍ରୋଟୋଜୋଆ ସାମିଲ ରହିଛି।
୪୦ ବର୍ଷରୁ ଅଧିକ ବୟସ୍କ ନିରଞ୍ଜନ ମଣ୍ଡଳ ଆର୍ଆଇଓର କର୍ଣ୍ଣିଆ କ୍ଲିନିକରେ ଗୋଟିଏ କୋଣରେ ନିରବ ହୋଇ ଛିଡ଼ା ହୋଇଥିଲେ। ସେ ଗୋଟିଏ କଳା ଚଷମା ପିନ୍ଧିଥିଲେ। ‘‘ମୋ ବାମ ଆଖିର କର୍ଣ୍ଣିଆ ବା ଚକ୍ଷୁ ପଟଳ ନଷ୍ଟ ହୋଇଯାଇଥିଲା,’’ ସେ ମୋତେ କହିଥିଲେ। ‘‘ଯନ୍ତ୍ରଣା କମିଯାଇଛି। କିନ୍ତୁ ଦୃଷ୍ଟିଶକ୍ତି ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଡାକ୍ତର କହିଥିଲେ, ଏହା ସମ୍ପୂର୍ଣ୍ଣ ଭାବେ ଭଲ ହୋଇପାରିବ ନାହିଁ। ମୁଁ ଗୋଟିଏ ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ କାମ କରେ ଏବଂ ଯଦି ମୁଁ ମୋର ଦୁଇଟି ଆଖିରେ ଦେଖିପାରିବି ନାହିଁ, ତା’ହେଲେ ଏହି ପେସାକୁ ଜାରି ରଖିବା ମୋ ପାଇଁ କଷ୍ଟକର ହେବ।’’
ମୁଁ ନିରଞ୍ଜନଙ୍କ ସହିତ କଥା ହେବା ସମୟରେ, ୩୦ ବର୍ଷ ବୟସ୍କ ଶେଖ୍ ଜାହାଙ୍ଗୀର ନାମକ ଆଉ ଜଣେ ରୋଗୀଙ୍କ ଉପରେ ଡାକ୍ତର ଧୀର ଗଳାରେ ବିରକ୍ତ ହେଉଥିବା ମୁଁ ଶୁଣିବାକୁ ପାଇଲି : ‘‘ମୁଁ ମନା କରିବା ସତ୍ତ୍ୱେ ତୁମେ କାହିଁକି ଚିକିତ୍ସା ବନ୍ଦ କରିଦେଲ। ଏବେ ତୁମେ ୨ ମାସ ପରେ ଏଠାକୁ ଆସିଛ। ଦୁଃଖର ସହ ମୋତେ ଏହା କହିବାକୁ ପଡ଼ୁଛି ଯେ ତୁମ ଡାହାଣ ଆଖିରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ତୁମେ କେବେ ଫେରିପାଇବ ନାହିଁ।’’
ଡାକ୍ତର ଆଶୀଷ ମଧ୍ୟ ସମାନ ଚିନ୍ତା ବ୍ୟକ୍ତ କରନ୍ତି। ସେ କୁହନ୍ତି, ‘‘ଅନେକ କ୍ଷେତ୍ରରେ ମୁଁ ଦେଖିଛି ଯଦି ରୋଗୀ ଠିକ୍ ସମୟରେ ଆସିଥା’ନ୍ତେ ତା’ହେଲେ ଆଖିର ସୁରକ୍ଷା କରାଯାଇପାରିଥା’ନ୍ତା। କର୍ଣ୍ଣିଆ କ୍ଷତିରୁ ରକ୍ଷା ପାଇବା ଏକ ଲମ୍ବା ଓ ଶ୍ରମସାଧ୍ୟ ପ୍ରକ୍ରିୟା ଏବଂ ଚିକିତ୍ସା ବନ୍ଦ କରିଦେଲେ ଦୃଷ୍ଟିଶକ୍ତି ଚାଲିଯିବାର ଆଶଙ୍କା ରହିଥାଏ।’’


ବାମ : ନିରଞ୍ଜନ ମଣ୍ଡଳ ଚିକିତ୍ସା ପାଇଁ କୋଲକାତାସ୍ଥିତ ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଅପଥାଲମୋଲୋଜି (ଆର୍ଆଇଓ)କୁ ଆସିଛନ୍ତି। ସେ କ୍ରମାଗତ ଚତୁର୍ଥ ଥର ପାଇଁ ଏଠାକୁ ଆସିଛନ୍ତି। ଡାହାଣ : ଆର୍ଆଇଓର ନିର୍ଦ୍ଦେଶକ ଡାକ୍ତର ଅସୀମ କୁମାର ଘୋଷ ତାଙ୍କ କୋଠରୀରେ ଜଣେ ରୋଗୀଙ୍କୁ ଦେଖୁଛନ୍ତି
କିନ୍ତୁ ରୋଗୀମାନେ ଆର୍ଆଇଓକୁ ନିୟମିତ ନଆସିବାରେ କେତେକ ଅନିର୍ବାର୍ଯ୍ୟ କାରଣ ରହିଛି। ୫୫ ବର୍ଷରୁ ଅଧିକ ବୟସ୍କ ନାରାୟଣ ସାନ୍ୟାଲଙ୍କ କଥା ଦେଖନ୍ତୁ, ସେ ଆମକୁ କହିଥିଲେ, ‘‘ମୁଁ ହୁଗଲି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ (ଖାନାକୁଲ)ରେ ରୁହେ। ମୋ ପାଇଁ ଜଣେ ସ୍ଥାନୀୟ ଡାକ୍ତର (ନକଲି ଡାକ୍ତର ବା କ୍ୱାକ୍)ଙ୍କ ପାଖରେ ଦେଖାଇବା ସୁବିଧାଜନକ। ସେ ଡାକ୍ତର ଭଲ ନୁହନ୍ତି ବୋଲି ମୁଁ ଜାଣିଛି କିନ୍ତୁ କ’ଣ କରିବି? ମୁଁ ଯନ୍ତ୍ରଣାକୁ ଅଣଦେଖା କରି କାମ ଚାଲୁ ରଖିଥାଏ। ଏଠାକୁ ଆସିଲେ ମୋର ପ୍ରତ୍ୟେକ ଥର ପ୍ରାୟ ୪୦୦ ଟଙ୍କା ଖର୍ଚ୍ଚ ହେବ। ସେତିକି ସାମର୍ଥ୍ୟ ମୋର ନାହିଁ।
ଦକ୍ଷିଣ ୨୪ ପ୍ରଗଣାର ପଥୋରପ୍ରତିମା ବ୍ଲକ୍ରୁ ଆସିଥିବା ପୁଷ୍ପାରାଣୀ ଦେବୀ ସମାନ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେ ଗତ ୧୦ ବର୍ଷ ଧରି ନିଜର ଦୁଇ ପିଲାଙ୍କ ସହିତ ଏକ ବସ୍ତିରେ ରହୁଛନ୍ତି ଏବଂ ଘରୋଇ ସହାୟିକା ଭାବେ କାମ କରନ୍ତି। ସେ କହିଥିଲେ, ‘‘ମୋ ବାମ ଆଖି ଲାଲ୍ ପଡ଼ିଯାଇଥିଲା ଯାହାକୁ ମୁଁ ଅଣଦେଖା କରିଥିଲି। ଆଉ ମୁଁ ଜଣେ ସ୍ଥାନୀୟ ଡାକ୍ତରଙ୍କ ନିକଟକୁ ପରୀକ୍ଷା ପାଇଁ ଗଲି। ସେତେବେଳକୁ ସ୍ଥିତି ଗମ୍ଭୀର ହୋଇସାରିଥିଲା। ମୋତେ କାମ ଛାଡ଼ିବାକୁ ପଡ଼ିଲା। ତା’ପରେ ମୁଁ ଏଠାକୁ (ଆରଆଇଓ)କୁ ଆସିଲି। ଏଠାକାର ଡାକ୍ତରମାନଙ୍କୁ ଧନ୍ୟବାଦ ଯେ ତିନି ମାସ ଧରି ନିୟମିତ ଚିକିତ୍ସା ପରେ ମୁଁ ମୋ ଦୃଷ୍ଟିଶକ୍ତି ଫେରିପାଇଲି। ଏବେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଫେରି ପାଇବା ଲାଗି ମୋର ଅସ୍ତ୍ରୋପଚାର (କର୍ଣ୍ଣିଆ ପ୍ରତିରୋପଣ) ଆବଶ୍ୟକ। ତେଣୁ, ମୁଁ ମୋ ପାଳି ଆସିବାକୁ ଅପେକ୍ଷା କରି ରହିଛି।’’
କର୍ଣ୍ଣିଆ ପ୍ରତିରୋପଣ ନାମକ ଏହି ଅସ୍ତ୍ରୋପଚାରରେ କ୍ଷତିଗ୍ରସ୍ତ କର୍ଣ୍ଣିଆର ସମସ୍ତ କିମ୍ବା କିଛି ଅଂଶ ଅପସାରଣ କରାଯିବା ସହିତ ଏହାକୁ ସୁସ୍ଥ ଦାତାଙ୍କ ଟିସ୍ୟୁ ବା ତନ୍ତୁ ସହିତ ପରିବର୍ତ୍ତିତ କରାଯାଏ। କର୍ଣ୍ଣିଆ ପ୍ରତିରୋପଣକୁ ବର୍ଣ୍ଣନା କରିବା ପାଇଁ କେରାଟୋପ୍ଲାଷ୍ଟି ଏବଂ କର୍ଣ୍ଣିଆ ଗ୍ରାଫ୍ଟ ଶବ୍ଦଗୁଡ଼ିକ ପ୍ରାୟତଃ ବ୍ୟବହୃତ ହୁଏ। ଏହା ଗୁରୁତର ସଂକ୍ରମଣ କିମ୍ବା କ୍ଷତିକୁ ଭଲ କରିବା, ଦୃଷ୍ଟିଶକ୍ତିରେ ସୁଧାର ଆଣିବା ଏବଂ ଅଶ୍ୱସ୍ତି ଦୂର କରିବା ପାଇଁ ବ୍ୟବହୃତ ହୋଇପାରେ। ଡାକ୍ତର ଆଶିଷ ଗୋଟିଏ ମାସରେ ୪ରୁ ୧୬ ପର୍ଯ୍ୟନ୍ତ କର୍ଣ୍ଣିଆ ପ୍ରତିରୋପଣ କରିଥା’ନ୍ତି। ଏହା ଏକ ଜଟିଳ ପ୍ରକ୍ରିୟା ଯେଉଁଥିରେ ୪୫ ମିନିଟ୍ରୁ ୩ ଘଣ୍ଟା ଲାଗିଥାଏ। ଡାକ୍ତର ଆଶିଷ କୁହନ୍ତି, ‘‘ପ୍ରତିରୋପଣ ପରେ ସଫଳତା ହାର ଖୁବ୍ ଅଧିକ ଥାଏ। ଆହୁରି ରୋଗୀମାନେ ସହଜରେ ସେମାନଙ୍କ କାମକୁ ଫେରିଯାଇପାରିବେ। ତେବେ ଆଉ ଏକ ସମସ୍ୟା ରହିଛି। ଯୋଗାଣ ଓ ଚାହିଦାରେ ଏକ ବ୍ୟବଧାନ ରହିଛି ଯାହା ଆମକୁ ପ୍ରଭାବିତ କରିଥାଏ। ପରିବାର ଲୋକମାନେ ଚକ୍ଷୁଦାନ କରିବା ଲାଗି ଆଗେଇ ଆସିବା ଉଚିତ୍।’’ ପଶ୍ଚିମବଙ୍ଗ ସମେତ ଭାରତରେ ଚାହିଦା- ଯୋଗାଣ ବ୍ୟବଧାନ ବ୍ୟାପକ ଭାବେ ରହିଛି।
ଆର୍ଆଇଓର ନିର୍ଦ୍ଦେଶକ ଡାକ୍ତର ଅସୀମ ଘୋଷ ଏହି ବାର୍ତ୍ତା ଦିଅନ୍ତି ଯେ : ‘‘ଅଧିକାଂଶ ଲୋକଙ୍କର କର୍ଣ୍ଣିଆ ପ୍ରତିରୋପଣ ଆବଶ୍ୟକ ହୋଇନଥାଏ, ଦୟାକରି ସମସ୍ତେ ଏହା ଜାଣନ୍ତୁ। ପ୍ରାରମ୍ଭିକ ଲକ୍ଷଣକୁ ଦୟାକରି ଅଣଦେଖା କରନ୍ତୁ ନାହିଁ। ପ୍ରଥମେ ନିଜର ସ୍ଥାନୀୟ ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଦୁଃଖର ବିଷୟ ହେଉଛି, ଅଧିକାଂଶ ରୋଗୀ ଆମ ପାଖକୁ ଆସନ୍ତି ଏବଂ ସେମାନେ ଅତି ଶେଷ ମୁହୂର୍ତ୍ତରେ ଆସି ସେମାନଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଆମକୁ ଅନୁରୋଧ କରନ୍ତି। ଡାକ୍ତର ଭାବେ ଏହା ଜାଣି ଆମକୁ କଷ୍ଟ ଲାଗିଥାଏ।
ଡାକ୍ତର ଘୋଷ ଆହୁରି କୁହନ୍ତି, ‘‘ଆପଣଙ୍କ ଜୀବନଶୈଳୀକୁ ସୁସ୍ଥ ରଖିବା ସୁନିଶ୍ଚିତ କରନ୍ତୁ। ସର୍କରା ସ୍ତରକୁ ନିୟନ୍ତ୍ରିତ ରଖନ୍ତୁ। ମଧୁମେହ କାରଣରୁ କର୍ଣ୍ଣିଆ ଏବଂ ଅନ୍ୟ ଆଖି ସମ୍ବନ୍ଧୀୟ ରୋଗର ଚିକିତ୍ସା ଅଧିକ ଜଟିଳ ହୋଇଯାଏ।’’
‘‘ଅନ୍ୟପଟେ ହସ୍ପିଟାଲ୍ କରିଡରରେ ମୁଁ ପ୍ରାୟ ୬୦ ବର୍ଷ ବୟସ୍କ ଅବରାନୀ ଚାଟାର୍ଜୀଙ୍କୁ ଭେଟିଲି। ସେ ସ୍ପଷ୍ଟ ଭାବେ ଖୁସିରେ ଥିବା ଜଣାପଡ଼ୁଥିଲେ : ‘‘ଶୁଣୁଛନ୍ତି, ମୋତେ ଏଠାକୁ ଆଉ ଆସିବାକୁ ପଡ଼ିବ ନାହିଁ । ମୋର ଆଖି ଠିକ୍ ଥିବା ଡାକ୍ତରମାନେ କହିଲେ। ଏବେ ମୁଁ ମୋ ନାତୁଣୀ ସହ ସମୟ ବିତାଇପାରିବି ଏବଂ ଟିଭିରେ ମୋର ପ୍ରିୟ ଧାରାବାହିକ ଦେଖିପାରିବି।’’

ପଶ୍ଚିମବଙ୍ଗ ସରକାରଙ୍କ ପ୍ରମୁଖ ପ୍ରକଳ୍ପ ସ୍ୱାସ୍ଥ୍ୟ ସାଥୀ ଯୋଜନାରେ ମାଗଣା ଚିକିତ୍ସା ପାଇଁ ରୋଗୀମାନଙ୍କୁ ଆର୍ଆଇଓ ଅଣାଯାଇଥାଏ। ଏହି କାରଣରୁ କର୍ଣ୍ଣିଆ ଏବଂ ଅନ୍ୟ ଆଖି କ୍ଲିନିକ୍ରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି ଏବଂ ଡାକ୍ତରମାନେ ଉଭୟ ଶାରୀରିକ ଓ ମାନସିକ ଭାବେ ଏହାର ମୁକାବିଲା କରିବାରେ ସମସ୍ୟା ଭୋଗୁଛନ୍ତି

ଆଖିର ଆନ୍ତରିକ ଭାଗକୁ ଅଧିକ ଗଭୀର ଭାବେ ଯାଞ୍ଚ କରିବା ଲାଗି ଡାକ୍ତର ଆଖି ଡୋଳାକୁ ପ୍ରସାରିତ କରିବା ପାଇଁ ଏକ ଆଇଡ୍ରପ୍ ପକାଇପାରନ୍ତି। ଫିନିଲଫ୍ରିନ୍ ବା ଟ୍ରୋପିକେମାଇଡ୍ ଭଳି ଔଷଧ ଆଖି ଡୋଳାର ଆକାରକୁ ନିୟନ୍ତ୍ରିତ କରୁଥିବା ମାଂସପେଶୀକୁ ଆରାମ ଦେଇଥାଏ, ସାଧାରଣତଃ ଏଗୁଡ଼ିକ ବୁନ୍ଦା ବା ଡ୍ରପ୍ ଆକାରରେ ମିଳିଥାଏ। ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ ଡୋଳାଗୁଡ଼ିକୁ ବିସ୍ତାରିତ କରି ରେଟିନା, ଅପ୍ଟିକ୍ ନର୍ଭ ବା ଚକ୍ଷୁ ସ୍ନାୟୁ ଏବଂ ଆଖି ପଛରେ ଥିବା ଅନ୍ୟ ଟିସ୍ୟୁଗୁଡ଼ିକୁ ଦେଖିପାରନ୍ତି। ଏହା ମ୍ୟାକୁଲର୍ ଡିଜେନେରେସନ, ଡାଇବେଟିକ୍ ରେଟିନୋପାଥୀ ଏବଂ ଗ୍ଲୁକୋମା ସମେତ ଅନେକ ଚକ୍ଷୁ ରୋଗକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକର ସ୍ଥିତି ଜାଣିବା ଲାଗି ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପାରେ

ଡାକ୍ତର ଆଶୀଷ ମଜୁମଦାର ଶ୍ରବଣ ଓ ବାକ୍ ଶକ୍ତିହୀନ ଜଣେ ଦିବ୍ୟାଙ୍ଗ ରୋଗୀଙ୍କର ଆଖିକୁ ଯତ୍ନର ସହିତ ପରୀକ୍ଷା କରୁଛନ୍ତି

ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୩୦,୦୦୦ ଲୋକ କର୍ଣ୍ଣିଆ ଦୃଷ୍ଟିଶକ୍ତିହୀନତାର ଶିକାର ହେଉଛନ୍ତି

ଯଦି ଆପଣଙ୍କଠାରେ ଲକ୍ଷଣ ରହିଛି ତା’ହେଲେ ଜଣେ ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଗୁରୁତ୍ୱପୂର୍ଣ୍ଣ

କର୍ଣ୍ଣିଆ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଜଣେ ଯୁବକଙ୍କୁ ମେଡ଼ିକାଲ କଲେଜ ଚକ୍ଷୁ ଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ଇନ୍ଦ୍ରାଣୀ ବାନାର୍ଜୀ ଯାଞ୍ଚ କରୁଛନ୍ତି

ଲୁହ ବିଷୟରେ ଜାଣିବା ଲାଗି ଶିରମର୍ ପରୀକ୍ଷା କରାଯାଉଛି। ଦୃଷ୍ଟିଶକ୍ତି ହୀନତାର ମୁଖ୍ୟ କର୍ଣ୍ଣିଆ ସମ୍ବନ୍ଧୀୟ କାରଣ ହେଉଛି ଆଖି ଶୁଖିଲା ରହିବା

ଆଉ ଜଣେ ରୋଗୀ ସୁବଳ ମଜୁମଦାର ଅସାବଧାନତା ବଶତଃ ନିଜ ଆଖିରେ ପାଇଖାନା ସଫା ତରଳ ପକାଇ ଦେଇଥିଲେ ଏବଂ ଏଥିରେ ତାଙ୍କର କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା

ପାରୁଲ ମଣ୍ଡଳଙ୍କର ହାଡ଼ଫୁଟି ଚିକିତ୍ସା ହୋଇଥିଲା ଏବଂ ତାଙ୍କଠାରେ କର୍ଣ୍ଣିଆ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଦେଖାଦେଲା। ଏବେ ତାଙ୍କର ଦୃଷ୍ଟିଶକ୍ତି ଉଜ୍ଜ୍ୱଳ ଆଲୋକ ସହିପାରୁନାହିଁ ଏବଂ ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଦୃଷ୍ଟିଶକ୍ତି ଫେରି ଆସିପାରିବ ନାହିଁ

ଦୃଷ୍ଟିଶକ୍ତି ତୀକ୍ଷ୍ଣତା ମାପିବା ଲାଗି ସ୍ନେଲନ୍ ଚାର୍ଟର ଉପଯୋଗ କରାଯାଇପାରେ। ଡଚ୍ ଚକ୍ଷୁ ରୋଗ୍ ବିଶେଷଜ୍ଞ ହର୍ମାନ୍ ସ୍ନେଲନ ୧୯୮୨ରେ ଏହାକୁ ପ୍ରସ୍ତୁତ କରିଥିଲେ

ଡାକ୍ତର ଆଶୀଷ ମଜୁମଦାର ଏଣ୍ଟିରିୟର ସେଗମେଣ୍ଟ ଫଟୋଗ୍ରାଫି କରୁଛନ୍ତି। ଆଖି ଏବଂ ପାର୍ଶ୍ୱବର୍ତ୍ତୀ ପତା ଓ ମୁଖମଣ୍ଡଳ ଢାଞ୍ଚାର ଅନ୍ତରୀଣ ସ୍ୱରୂପ ପରିବର୍ତ୍ତେ ବାହ୍ୟ ସ୍ୱରୂପକୁ ଜାଣିବା ଲାଗି ଏହି ଜ୍ଞାନକୌଶଳର ଉପଯୋଗ କରାଯାଏ। ସାଧାରଣତଃ ଆଖି କିମ୍ବା ପାର୍ଶ୍ୱବର୍ତ୍ତୀ ଟିସ୍ୟୁର ଘା ’ କୁ ଦେଖିବା , ମୁଖମଣ୍ଡଳର ବିସଙ୍ଗତିକୁ ପ୍ରଦର୍ଶିତ କରିବା ଏବଂ ଆଖି କିମ୍ବା ପତାର ଅସ୍ତ୍ରୋପଚାର ପୂର୍ବରୁ ଏବଂ ପରବର୍ତ୍ତୀ ଆଲାଇନମେଣ୍ଟକୁ ରେକର୍ଡ କରିବା ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଏ

ଗୋଟିଏ କର୍ଣ୍ଣିଆ ପ୍ରତିରୋପଣ ଅସ୍ତ୍ରୋପଚାରରେ ନଷ୍ଟ ହୋଇଯାଇଥିବା କର୍ଣ୍ଣିଆକୁ ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ବାହାର କରି ଦେଇ ଜଣେ ସୁସ୍ଥ ଦାତାଙ୍କ ଟିସ୍ୟୁ ଲଗାଯାଏ

ଡାକ୍ତର ପଦ୍ମପ୍ରିୟା କର୍ଣ୍ଣିଆ ପ୍ରତିରୋପଣ ହୋଇଥିବା ଜଣେ ରୋଗୀଙ୍କଠାରେ ଏକ ସୁରକ୍ଷା ଲେନ୍ସ ଲଗାଉଛନ୍ତି

‘ ମୁଁ ଏବେ ଯଥେଷ୍ଟ ଭଲ ଅଛି। ଏବେ ଚଷମା ଦରକାର ନାହିଁ ଏବଂ ଦୂରରୁ ମୁଁ ସବୁକିଛି ପଢ଼ିପାରିବି। ଆଲୋକ ଆଉ ଆଖିକୁ କଷ୍ଟ ଦେଉନାହିଁ ,’ ୧୪ ବର୍ଷ ବୟସ୍କ ପିଣ୍ଟୁ ରାଜ ସିଂ କୁହନ୍ତି

ହୁଗଲୀ ଜିଲ୍ଲାର ବିନୟ ପାଲଙ୍କ କର୍ଣ୍ଣିଆ ସଂକ୍ରାନ୍ତ ରୋଗ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇସାରିଛି ; ତାଙ୍କର ଦୃଷ୍ଟିଶକ୍ତି ଫେରି ଆସିଛି
ଅନୁବାଦ : ଓଡ଼ିଶାଲାଇଭ୍