‘‘ ମୈନେ କଭି ଦୋ ବୋର୍ଡ ଏକ୍ ଜୈସା ନହିଁ ବନାୟା (ମୁଁ କେବେ ବି ଏକାଭଳି ଦୁଇଟି ବୋର୍ଡ ତିଆରି କରିନାହିଁ),’’ ଅହମ୍ମଦାବାଦର ଜଣେ ସାଇନବୋର୍ଡ ଚିତ୍ରକର ଶେଖ୍ ଜଲାଲୁଦ୍ଦିନ କମରୁଦ୍ଦିନ କୁହନ୍ତି । କଇଁଚି ନିର୍ମାତାଙ୍କ ପାଇଁ ପ୍ରସିଦ୍ଧ ଏକ ବ୍ୟସ୍ତବହୁଳ ଅଞ୍ଚଳ ଘୀକାଣ୍ଟାରେ ସମସ୍ତ ସାଇନ୍ବୋର୍ଡ ସେ ହିଁ ଚିତ୍ରଣ କରିଛନ୍ତି । ଗୋଟିଏ ଜିନିଷ ବିକ୍ରି କରୁଥିବା ଅନେକ ଦୋକାନ ଥିବା ସତ୍ତ୍ୱେ ଜଲାଲୁଦ୍ଦିନଙ୍କ ସାଇନ୍ ବା ସଙ୍କେତଗୁଡ଼ିକ ପ୍ରତ୍ୟେକ ଦୋକାନର ସ୍ୱତନ୍ତ୍ର ଦୃଶ୍ୟମାନ ପରିଚୟ ଦେବାରେ ସଫଳ ହୋଇଥା’ନ୍ତି ।
ଏହି ଅଭିଜ୍ଞ ଚିତ୍ରକରଙ୍କ କାମ ‘‘ ଦୀବାର , ଦୁକାନ୍ ଔର୍ ଶଟ୍ଟର୍ (କାନ୍ଥ, ଦୋକାନ ଏବଂ ଦୋକାନ ଶଟର୍)ରେ’’ ଏବଂ ଚଳଚ୍ଚିତ୍ରର ପୃଷ୍ଠଭୂମି ରୂପରେ ଦେଖିବାକୁ ମିଳିପାରିବ। ଜଣେ ସାଇନ ବୋର୍ଡ ଚିତ୍ରକରଙ୍କୁ ବିଭିନ୍ନ ସ୍ଥାନୀୟ ଭାଷାର ଲିପି ଅକ୍ଷରଗୁଡ଼ିକୁ ତିଆରି ଏବଂ ଚିତ୍ର କରି ଆସିବା ଦରକାର। ଅହମ୍ମଦାବାଦର ମାନେକ ଚୌକରେ ଗୋଟିଏ ଗହଣା ଦୋକାନରେ, ଚାରିଟି ଭାଷା - ଗୁଜରାଟୀ, ହିନ୍ଦୀ, ଊର୍ଦ୍ଦୁ ଏବଂ ଇଂରାଜୀ ଅର୍ଦ୍ଧଶତାବ୍ଦୀ ଧରି ପ୍ରଦର୍ଶିତ ହେଉଛି ।
ଜଲାଲୁଦ୍ଦିନ କୁହନ୍ତି, ସ୍ୱାଭାବିକ ଭାବେ ତାଙ୍କଠାରେ ଚିତ୍ର କରିବାର ପ୍ରତିଭା ରହିଛି। ୭୧ ବର୍ଷ ବୟସରେ ସେ ଅହମ୍ମଦାବାଦର ସବୁଠୁ ବୟସ୍କ ସାଇନବୋର୍ଡ ଚିତ୍ରକରମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ସମସ୍ତେ ‘ଜେକେ ପେଣ୍ଟର୍’ ନାମରେ ଜାଣନ୍ତି । ସେ କୁହନ୍ତି, ୫୦ ବର୍ଷ ପୂର୍ବରୁ ସେ ସାଇନ୍ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ତାଙ୍କୁ ଯେତିକି କାମ ମିଳୁଥିଲା ଏବେ ମିଳୁନାହିଁ ।
ଏହି ବୟସ୍କ ଚିତ୍ରକର ଜଣଙ୍କ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ତଥାପି ସେ ପାଞ୍ଚଟି ଭାଷା - ଗୁଜରାଟୀ, ଇଂରାଜୀ, ହିନ୍ଦୀ, ଊର୍ଦ୍ଦୁ ଓ ଆରବୀୟରେ ସାଇନ୍ ବୋର୍ଡ ଆଙ୍କି ପାରିବେ । ଅଧାରୁ ସ୍କୁଲ୍ ଛାଡ଼ିବା ପରେ ସେ ରଶି ତିଆରି, ବହି ବାଇଣ୍ଡିଂ କରିବା ଏବଂ ଗ୍ୟାରେଜ୍ ମେକାନିକ ଭାବେ କାମ କରିଥିଲେ। ଶେଷରେ ଦଲଘରୱାଡ଼ ବଜାରରେ ଥିବା ରହୀମ୍ଙ୍କ ଦୋକାନରେ ଚିତ୍ର କଳା ଶିଖିଥିଲେ।
୭୦ରୁ ଅଧିକ ବୟସ ଅତିକ୍ରମ କରିସାରିଥିଲେ ସୁଦ୍ଧା, ଜଲାଲୁଦ୍ଦିନ ଏବେ ବି ୨୦ କିଲୋ ଘୋଡ଼ା (ଶିଢ଼ି) ବୋହି ସାଇନ୍ ବୋର୍ଡ ଆଙ୍କିବା ଲାଗି କାର୍ଯ୍ୟସ୍ଥଳୀରେ ପହଞ୍ଚିଯାଆନ୍ତି । କିନ୍ତୁ ତାଙ୍କର ବାଏପାସ ଅସ୍ତ୍ରୋପଚାର ହେବା ପରେ ଡାକ୍ତର ତାଙ୍କୁ ଅଧିକ ଓଜନ ଉଠାଇବାକୁ ମନା କରିଛନ୍ତି । ତେଣୁ ବାହାରକୁ ଯାଇ କାମ କରିବା ତାଙ୍କ ପାଇଁ ସମ୍ଭବ ହେଉନାହିଁ ଏବଂ ସେ କେବଳ ନିଜ ଦୋକାନରେ ବସି ସାଇନବୋର୍ଡ ପେଣ୍ଟିଂ କରୁଛନ୍ତି । ‘‘ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଢ଼ି ଉପରେ ଛିଡ଼ା ହୋଇ ରହିବା କାରଣରୁ ମୋର ଆଣ୍ଠୁ ମଧ୍ୟ ଯନ୍ତ୍ରଣା ହେଉଛି,’’ ସେ କୁହନ୍ତି, ପୁଣି ସେ କହିଥାନ୍ତି, ‘‘ଯେତେଦିନ ପର୍ଯ୍ୟନ୍ତ ମୋର ହାତଗୋଡ଼ କାମ କରୁଥିବ ମୁଁ ଏହି କାମ ଜାରି ରଖିବି।’’


ବାମ : ନିଜେ ଆଙ୍କି ଥିବା ଏକ ସାଇନ୍ ବୋର୍ଡ ଆଗରେ ଜଲାଲୁଦ୍ଦିନ । ଡାହାଣ : ମାନେକ ଚୌକରେ ଥିବା ଏକ ବୋର୍ଡରେ ଦୋକାନର ନାଁ ଚାରିଟି ଭାଷା - ଗୁଜରାଟୀ, ହିନ୍ଦୀ, ଊର୍ଦ୍ଦୁ ଓ ଇଂରାଜୀରେ ଲେଖା ହୋଇଛି


ଘୀକାଣ୍ଟାରେ ଥିବା କଇଁଚି ନିର୍ମାତା (ବାମ) ଏବଂ ଷ୍ଟେସନାରୀ ଦୋକାନ (ଡାହାଣ) ପାଇଁ ଜଲାଲୁଦ୍ଦିନଙ୍କ ଦ୍ୱାରା ପେଣ୍ଟିଂ କରାଯାଇଥିବା ଏକ ସାଇନ୍ ବୋର୍ଡ
ନିକଟରେ ଜଣେ ଗ୍ରାହକ ମୁନ୍ତଜିର୍ ପିସୁବାଲାଙ୍କ ପାଇଁ ସେ ଏକ ସାଇନ୍ ବୋର୍ଡ ତିଆରି କରିଥିଲେ, ଯିଏକି ଅହମ୍ମଦାବାଦର ତିନ୍ ଦରବାଜା କ୍ଷେତ୍ରରେ ଗୋଟିଏ କ୍ରୋକରୀ ଷ୍ଟୋର୍ ର ମାଲିକ ଅଟନ୍ତି। ସାଇନ୍ ପାଇଁ ତାଙ୍କୁ ୩,୨୦୦ ଟଙ୍କା ମିଳିଥିଲା ଏବଂ ପିସୁବାଲା କୁହନ୍ତି ଯେ ଏହି ପ୍ରକ୍ରିୟା ପ୍ରାୟତଃ ସହଯୋଗ ଆଧାରିତ ହୋଇଥାଏ : ‘‘ଆମେ ରଙ୍ଗ ଏବଂ ଆଉ ସବୁକିଛି ଏକାଠି ବାଛିଥାଉ।’’
ପିର୍ କୁତୁବ୍ ମସଜିଦ୍ ପରିସରରେ ଥିବା ନିଜ ଘର ଆଗରେ ଜଲାଲୁଦ୍ଦିନ ଦୋକାନ କରିଛନ୍ତି । ଦିନେ ଖରା ଓ ଗରମ ଅନୁଭୂତ ହେଉଥିବା ଅପରାହ୍ଣରେ ଜଲାଲୁଦ୍ଦିନ ମଧ୍ୟାହ୍ନ ଭୋଜନ ସାରି ଟିକିଏ ବିଶ୍ରାମ ନେବା ପରେ ପୁଣିଥରେ ଦୋକାନକୁ ଫେରି ଆସିଛନ୍ତି । ସେ ପିନ୍ଧିଥିବା ଧଳା ସାର୍ଟ ରଙ୍ଗରେ ଛିଟାରେ ଭର୍ତ୍ତି ହୋଇଯାଇଛି ଏବଂ ସେ ଗୋଟିଏ ସାଇନ୍ ବୋର୍ଡ ଉପରେ କାମ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ପୁରୁଣା ସହରରେ ଥିବା ଗୋଟିଏ ହୋଟେଲର କୋଠରୀ ଭଡ଼ା ଏହି ବୋର୍ଡରେ ଲେଖାଯିବ। ସେ ହାତ ଭରା ଦେବାକୁ ସୁବିଧା ନଥିବା ଗୋଟିଏ ଚୌକି ବ୍ୟବହାର କରନ୍ତି ଯାହାଫଳରେ ବସିବା ସମୟରେ ସେ ସ୍ୱାଧୀନ ଭାବେ ନିଜର ହାତ ହଲାଇପାରିବେ ।
ସେ ନିଜ ହାତରେ ତିଆରି କରିଥିବା କାଠର ଚିତ୍ର ଫଳକକୁ ସଠିକ୍ ଉଚ୍ଚତାରେ ରଖିବା ପରେ ତା’ ଉପରେ ଏକ ଖାଲି ବୋର୍ଡ ରଖୁଛନ୍ତି । ୨୫ ବର୍ଷ ପୂର୍ବରୁ ତିଆରି ହୋଇଥିବା ପୁରୁଣା ସାଇନ ବୋର୍ଡ ନଷ୍ଟ ହୋଇଯାଇଛି । କିନ୍ତୁ ପୁରୁଣାକୁ ଅନୁସରଣ କରି ସେହି ଶୈଳୀରେ ଆଉ ଗୋଟିଏ ନୂଆ ବୋର୍ଡ ତିଆରି କରିବା ଲାଗି ମାଲିକ ଜଲାଲୁଦ୍ଦିନଙ୍କୁ ଦାୟିତ୍ୱ ଦେଇ ଯାଇଛନ୍ତି ।
ପୂର୍ବରୁ ଧଳା ରଙ୍ଗ ଦିଆଯାଇଥିବା ଏକ କାଠ ବୋର୍ଡ ଉପରେ ‘‘ମୁଁ ତିନି ପରସ୍ତରେ ରଙ୍ଗ ଭରିଥାଏ,’’ ସେ କୁହନ୍ତି। ତାଙ୍କ କହିବା ଅନୁଯାୟୀ ଏହାଦ୍ୱାରା, ‘‘ ବିଲ୍ କୁଲ୍ ଫିନିଶିଂ ୱାଲା କଲର୍ ଆୟେଗା (ଥରେ ଶେଷ ହେବା ପରେ ବୋର୍ଡରେ ରଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦେଖାଯାଏ)।’’ ପ୍ରତ୍ୟେକ ପରସ୍ତର ରଙ୍ଗ ଶୁଖିବା ଲାଗି ଗୋଟିଏ ଦିନ ସମୟ ଲାଗିଥାଏ।
ବୋର୍ଡଗୁଡ଼ିକୁ ତିଆରି କରୁଥିବା ବିଭିନ୍ନ ଚିତ୍ରକରଙ୍କ ଶୈଳୀ ଧ୍ୟାନ ଦେବା ଯୋଗ୍ୟ ହୋଇଥାଏ। ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (ଏନଆଇଡି), ଅହମ୍ମବାଦରେ ଗ୍ରାଫିକ୍ ଡିଜାଇନର ପ୍ରଫେସର ତରୁଣ ଦୀପ ଗିରିଧର କୁହନ୍ତି, ‘‘ତାଙ୍କର ଶୈଳୀ ଆଳଙ୍କରିକ ଏବଂ ବହୁସ୍ତରୀୟ ଭାରତୀୟ ଦୃଶ୍ୟମାନ ଭାଷାକୁ ପ୍ରତିଫଳିତ କରିଥାଏ, ଯାହା ଆମର ମୂର୍ତ୍ତି, ମନ୍ଦିର ଏବଂ ପ୍ରିଣ୍ଟରେ ଦେଖିବାକୁ ମିଳିଥାଏ।’’


୩୦ ବର୍ଷ ପୁରୁଣା ଗୁଣ୍ଡୁଚି ମୂଷା ଲୋମରେ ତିଆରି ହୋଇଥିବା ବ୍ରଶ ( ଡାହାଣ ) ବ୍ୟବହାର କରି ସାଇନ ବୋର୍ଡ ଉପରେ ଧଳା ରଙ୍ଗର ଏକ ପରସ୍ତ ଦେଇ ( ବାମ ) ଜଲାଲୁଦ୍ଦିନ ଏହି ପ୍ରକ୍ରିୟା ଆରମ୍ଭ କରିଥା ’ ନ୍ତି


ଏହି ଅଭିଜ୍ଞ ଚିତ୍ରକର ଜଣଙ୍କ ଗୋଟିଏ କାଠ ସ୍କେଲ୍ ବ୍ୟବହାର କରି ସିଧା ଗାର ( ବାମ ) ଟାଣନ୍ତି ଏବଂ ତା ’ ପରେ ରଙ୍ଗ ସାହାଯ୍ୟରେ ସିଧାସଳଖ ଅକ୍ଷରଗୁଡ଼ିକ ଆଙ୍କିବା ଆରମ୍ଭ କରି ଦିଅନ୍ତି
ଜଲାଲୁଦ୍ଦିନ ଯେଉଁ ଲେଖାକୁ ଉତାରୁ ଥାଆନ୍ତି ତା’ ଉପରେ ଗୋଟିଏ ନଜର ବୁଲାଇ ଆଣନ୍ତି। ‘‘ଅକ୍ଷର କେତେ ବଡ଼ କିମ୍ବା ଛୋଟ ହେବା ଉଚିତ୍ ମୁଁ ଦେଖିଥାଏ,’’ ସେ କୁହନ୍ତି। ‘‘କୁଛ୍ ଡ୍ରଇଂ ନହିଁ କରତା ହୁଁ, ଲାଇନ ବନାକେ ଲିଖନା ଚାଲୁ, କଲମ୍ ସେ (ମୁଁ କିଛି ରେଖାଙ୍କନ କରିନଥାଏ। କେବଳ ରଫ୍ ଲାଇନ୍ ଟାଣି ତୁଳୀ ସାହାଯ୍ୟରେ ଲେଖିବା ଆରମ୍ଭ କରିଦିଏ)।’’ ଏହି କୁଶଳୀ ଚିତ୍ରକର ଜଣଙ୍କ ପ୍ରଥମେ ପେନସିଲରେ ଅକ୍ଷରଗୁଡ଼ିକ ଲେଖନ୍ତି ନାହିଁ, କିନ୍ତୁ ସିଧା ଗାର ଟାଣିବା ପାଇଁ ଗୋଟିଏ କାଠ ସ୍କେଲ୍ ତିଆରି କରନ୍ତି।
ଗୋଟିଏ ରଙ୍ଗ ବାକ୍ସରୁ ଗୁଣ୍ଡୁଚି ମୂଷା ଲୋମରେ ତିଆରି ହୋଇଥିବା ପୁରୁଣା ତୁଳୀଗୁଡ଼ିକୁ ବାହାର କରି ସେ ମୋତେ ଗର୍ବର ସହିତ ଦେଖାଇ କୁହନ୍ତି, ‘‘ମୁଁ ନିଜେ ଏହି ରଙ୍ଗ ବାକ୍ସ ତିଆରି କରିଛି ।’’ ଜଲାଲୁଦ୍ଦିନ ପୂର୍ବରୁ ବଢ଼େଇ କାମ କରୁଥିଲେ ଏବଂ ୧୯୯୬ରେ ଏହି ରଙ୍ଗ ବାକ୍ସ ତିଆରି କରିଥିଲେ। ବଜାରରେ ମିଳୁଥିବା ନୂଆ ପ୍ଲାଷ୍ଟିକ୍ ତୁଳୀ ବା ବ୍ରଶ୍କୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି ଏବଂ ତାଙ୍କ ହାତ ତିଆରି ରଙ୍ଗ ବାକ୍ସରେ ଥିବା ୩୦ ବର୍ଷ ପୁରୁଣା ତୁଳୀ ବ୍ୟବହାର କରିବାକୁ ସେ ପସନ୍ଦ କରିଥା’ନ୍ତି ।
ଦୁଇଟି ତୁଳୀ ବାଛି ସେ ସେଗୁଡ଼ିକୁ ତାରପିନ୍ରେ ସଫା କରିଥା’ନ୍ତି ଏବଂ ଲାଲ ରଙ୍ଗର ଗୋଟିଏ ଡବା ଖୋଲନ୍ତି । ବୋତଲଟି ୧୯ ବର୍ଷ ପୁରୁଣା। ନିଜ ସ୍କୁଟର ଚାବି ବ୍ୟବହାର କରି ସେ ତାରପିନକୁ ଉପଯୁକ୍ତ ବହଳିଆ ହେବା ପର୍ଯ୍ୟନ୍ତ ଗୋଳାଇ ଥା’ନ୍ତି । ତାପରେ ସେ ତୁଳୀକୁ ଚେପଟା କରିଥାନ୍ତି ଏବଂ ଛାଡ଼ି ଛାଡ଼ି ହୋଇଯାଇଥିବା ଲୋମକୁ ବାହାର କରିଦିଅନ୍ତି ।
ଜଲାଲୁଦ୍ଦିନ କୁହନ୍ତି, ଭଗବାନଙ୍କ କୃପାରୁ ଏ ବୟସରେ ସୁଦ୍ଧା ତାଙ୍କର ହାତ ଥରୁ ନାହିଁ; ହାତ ଦୁଇଟି ସ୍ଥିର ରହିବା ତାଙ୍କ କାମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଅକ୍ଷର ଲେଖିବା ପାଇଁ ତାଙ୍କୁ ପାଞ୍ଚ ମିନିଟ୍ ଲାଗେ କିନ୍ତୁ ଏହା ଠିକ୍ ଉଚ୍ଚତା ନୁହେଁ । କେବେ କେବେ ଏମିତି ଭୁଲ୍ ହୋଇଗଲେ ଓଦା ଥିବା ଅବସ୍ଥାରେ ସେ ଅକ୍ଷରକୁ ଲିଭାଇ ଦିଅନ୍ତି ଏବଂ ପୁଣିଥରେ ତିଆରି କରିଥା’ନ୍ତି । ‘‘ ହମକୋ ଜରା ସା ଭି ବାହା ନିକଲୋ ନହିଁ ଚଲେଗା (ରଙ୍ଗ ସାମାନ୍ୟ ବାହାରକୁ ଚାଲିଗଲେ ଆମେ ପସନ୍ଦ କରିନଥାଉ),’’ ସେ କୁହନ୍ତି ।
ସେ କୁହନ୍ତି ଯେ ପରିଷ୍କାର ଓ ସଠିକ୍ ଭାବେ କାମ କରୁଥିବାରୁ ଗ୍ରାହକ ତାଙ୍କ ପାଖକୁ ଆସନ୍ତି । ଡାଇମଣ୍ଡ୍ ଆକୃତିରେ ତାଙ୍କର ଦକ୍ଷତା ରହିଛି, ଯେଉଁଥିରେ ଥ୍ରୀ ଡି ଅକ୍ଷର ଅଙ୍କନ୍ ସାମିଲ ଥାଏ ଯାହା ଏହାକୁ ଉଜ୍ଜ୍ୱଳ ହୀରା ଭଳି ପ୍ରଭାବ ଦେଇଥାଏ। ଏହା ବେଶ ଜଟିଳ ଏବଂ ଜଲାଲ କୁହନ୍ତି ଯେ ଏହାକୁ ପସନ୍ଦଯୋଗ୍ୟ କରିବା ଲାଗି ଏଥିରେ ସେ ଲାଇଟ୍, ଶାଡୋ ଓ ମିଡଟୋନ୍କୁ ଠିକ୍ ଭାବେ ଆଙ୍କିଥା’ନ୍ତି।
ଏହି ସାଇନବୋର୍ଡ କାମ ସାରିବାକୁ ତାଙ୍କୁ ଆଉ ଗୋଟିଏ ଦିନ ଲାଗିବ ଏବଂ ଦୁଇ ଦିନର କାମ ପାଇଁ ସେ ୮୦୦ରୁ ୧,୦୦୦ ଟଙ୍କା ଦାବି କରିବେ । ଜଲାଲୁଦ୍ଦିନ ସ୍ୱାଭାବିକ ଦର ହିସାବରେ ପ୍ରତି ବର୍ଗଫୁଟ୍ ପିଛା ୧୨୦ରୁ ୧୫୦/-ଟଙ୍କା ଦାବି କରିଥାନ୍ତି । କିନ୍ତୁ ମାସିକ କେତେଟଙ୍କା ରୋଜଗାର କରନ୍ତି ତାହା ସେ କହିପାରନ୍ତି ନାହିଁ : ‘‘ ହିସାବ୍ ଲିଖୋଗେ ତୋ ଘାଟା ହି ହୋଗା, ଇସିଲିୟେ ବେହିସାବ ରେହତା ହୁ (ଯଦି ମୁଁ ଆୟବ୍ୟୟ ହିସାବ କରିବି, ତା’ହେଲେ ମୋର ସବୁବେଳେ କ୍ଷତି ହେଉଥିବା ଜଣାପଡ଼ିବ, ତେଣୁ ମୁଁ କେବେ ହିସାବ କରିନଥାଏ)।’’


ବାମ : ଡାଇମଣ୍ଡ ଆକୃତିରେ ଜଲାଲୁଦ୍ଦିନଙ୍କର ଦକ୍ଷତା ରହିଛି ଯେଉଁଥିରେ ଥ୍ରୀଡି ଭଳି ଅକ୍ଷର ଲେଖିବା ସମ୍ପୃକ୍ତ ରହିଥାଏ। ଏହା ଲେଖାକୁ ଉଜ୍ଜ୍ୱଳ ହୀରା ଭଳି ପ୍ରଭାବ ଦେଇଥାଏ। ଡାହାଣ : ‘ସେମାନଙ୍କ (ସାଇନ ବୋର୍ଡ ଚିତ୍ରକର) ଶୈଳୀ ଆଳଙ୍କାରିକ ଏବଂ ବହୁସ୍ତରୀୟ ଭାରତୀୟ ଦୃଶ୍ୟମାନ ଭାଷାକୁ ପ୍ରତିଫଳିତ କରିଥାଏ ଯାହା କିର୍ତ୍ତୀରାଜି, ମନ୍ଦିର ଓ ପ୍ରିଣ୍ଟରେ ଦେଖିବାକୁ ମିଳେ,’ ଗ୍ରାଫିକ୍ ଡିଜାଇନର ପ୍ରଫେସର ତରୁଣ ଦୀପ ଗିରିଧର କୁହନ୍ତି


ବାମ : ଅହମ୍ମଦାବାଦର ମାନେକ୍ ଚୌକରେ ଏକ ଡିଜିଟାଲ ପ୍ରିଣ୍ଟିଂ ଦୋକାନ ପାଇଁ ହାତରେ ତିଆରି ହୋଇଥିବା ସାଇନ୍ ବୋର୍ଡ । ଡାହାଣ : ‘ ହାତ ତିଆରି ସାଇନ ଗୁ ଡ଼ିକ ସାରା ଜୀବନ ଚାଲିଥାଏ , ଡିଜିଟାଲଗୁଡ଼ିକ ଚାଲେ ନାହିଁ ,’ ଡିଜିଟାଲ ପ୍ରିଣ୍ଟିଂ ଦୋକାନର ମାଲିକ ଗୋପାଳଭାଇ ଠକ୍କର କୁହନ୍ତି
ଜଲାଲୁଦ୍ଦିନଙ୍କର ତିନି ପିଲା, ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବଡ଼ ପୁଅ ସାଇନ ବୋର୍ଡ ପେଣ୍ଟିଂ ବେଉସାକୁ ଗ୍ରହଣ କରିଥିଲା, କିନ୍ତୁ ଖୁବଶୀଘ୍ର ଏହି କାମ ଛାଡ଼ି ଦେଇ ଏବେ ଗୋଟିଏ ଟେଲର୍ ଦୋକାନରେ କାମ କରୁଛି।
ଜଲାଲୁଦ୍ଦିନଙ୍କ ପିଲାଙ୍କ ଭଳି, ଅନେକ ଯୁବବର୍ଗ ଏହି ବେଉସା ଛାଡ଼ି ଦେଉଛନ୍ତି । ଆଜି ହାତରେ ବୋର୍ଡ ପେଣ୍ଟ୍ କରିବାର କଳା ଲୁପ୍ତପ୍ରାୟ ସ୍ଥିତିରେ ପହଞ୍ଚିଛି । ‘‘ କମ୍ପ୍ୟୁଟର ନେ ହାତ୍ କାଟ୍ ଦିୟେ ପେଣ୍ଟର୍ କେ (ଚିତ୍ରକରଙ୍କ କାମ ଏବେ କମ୍ପ୍ୟୁଟର କରୁଛି),’’ ଆଶିକ୍ ହୁସୈନ କୁହନ୍ତି। ସେ ୩୫ ବର୍ଷ ପୂର୍ବରୁ ପେଣ୍ଟିଂ କାମ ଆରମ୍ଭ କରିଥିଲେ। ଦ୍ୱିତୀୟ ପିଢ଼ିର ଚିତ୍ରକର ଧିରୁଭାଇଙ୍କ ଅନୁମାନ ଅନୁଯାୟୀ, ଅହମ୍ମଦାବାଦରେ ମାତ୍ର ୫୦ ଜଣ ସାଇନ୍ ବୋର୍ଡ ଚିତ୍ରକର ଅଛନ୍ତି।
ଫ୍ଲେକ୍ସ ଉପରେ ଡିଜିଟାଲ୍ ପ୍ରିଣ୍ଟଗୁଡ଼ିକ ସବୁଆଡ଼େ ମିଳିଥାଏ ଏବଂ ଏବେ ଖୁବ୍ କମ୍ ଲୋକ ହାତରେ ଅଙ୍କା ଯାଇଥିବା ବୋର୍ଡ ଚାହୁଁଛନ୍ତି। ତେଣୁ ନିଜ ରୋଜଗାର ବଢ଼ାଇବା ଲାଗି ଚିତ୍ରକର ଆଶିକ୍ ଗୋଟିଏ ଅଟୋ ରିକ୍ସା ଚଳାଉଛନ୍ତି।
ତେବେ ହାତରେ ଚିତ୍ର କରାଯାଉଥିବା ସାଇନ ପାଇଁ ଏକ ଅପ୍ରତ୍ୟାଶିତ ଚାହିଦା ରହିଛି, ଗୋପାଳ ଭାଇ ଠକ୍କରଙ୍କ ଭଳି ଡିଜିଟାଲ ପ୍ରିଣ୍ଟିଂ ଦୋକାନ ମାଲିକମାନେ ନିଜେ ଖୁବ ସହଜରେ ସାଇନ୍ ପ୍ରିଣ୍ଟ କରିପାରିବେ, କିନ୍ତୁ ସେମାନେ ଅଧିକ ଦାମ୍ ସତ୍ତ୍ୱେ ହାତ ତିଆରି ସାଇନ୍ ବ୍ୟବହାର କରିବାକୁ ପସନ୍ଦ କରିଥା’ନ୍ତି । ‘‘ ୟେ ଲାଇଫ୍ ଟାଇମ୍ ଚଲତା ହୈ, ୱ ନହିଁ ଚଲେଗା (ହାତ ତିଆରି ସାଇନ୍ଗୁଡ଼ିକ ସାରା ଜୀବନ ଚାଲିଥାଏ, ଡିଜିଟାଲଗୁଡ଼ିକ ଚାଲେ ନାହିଁ)’’


ବାମ : ଆଶିକ୍ ହୁସୈନ ଏବେ ନିଜ ଆୟ ବଢ଼ାଇବା ଲାଗି ଗୋଟିଏ ଅଟୋ ରିକ୍ସା ଚଳାଉଛନ୍ତି । ଡାହାଣ : ଅଦଲାଜର ଜଣେ ବୟସ୍କ ସାଇନ୍ ବୋର୍ଡ ଚିତ୍ରକର ଅରବିନ୍ଦ ଭାଇ ପରମାର ଗୋଟିଏ ପ୍ଲେକ୍ସି ମେସିନ କିଣିଛନ୍ତି ଏବଂ ସାଇନ୍ ପ୍ରିଣ୍ଟ କରୁଛନ୍ତି


ବାମ : ୭୫ ବର୍ଷ ବୟସ୍କ ହୁସୈନ ଭାଇ ହାଡା ତାଙ୍କ ପୁଅ ଓ ନାତିଙ୍କ ସହିତ ସେମାନଙ୍କର ଡିଜିଟାଲ ଫ୍ଲେକ୍ସ ଓ ଷ୍ଟିକର ପ୍ରିଣ୍ଟିଂ ଦୋକାନରେ ଛିଡ଼ା ହୋଇଛନ୍ତି । ଡାହାଣ : ୱାଲି ମହମ୍ମଦ ମୀର କ୍ୟୁରେଶୀ ଡିଜିଟାଲ ସାଇନ୍ ସହିତ କାମ କରନ୍ତି ଏବଂ ବେଳେବେଳେ ତାଙ୍କୁ ହାତରେ ସାଇନ୍ ପେଣ୍ଟ କରିବାର କାମ ମିଳିଥାଏ
ଅନେକ ଚିତ୍ରକର ନୂଆ ଜ୍ଞାନକୌଶଳକୁ ଗ୍ରହଣ କରିଛନ୍ତି । ଗାନ୍ଧୀନଗରଠାରୁ ୧୦ କିଲୋମିଟର ଦୂର ଅଦଲାଜରେ ୩୦ ବର୍ଷ ଧରି ଅରବିନ୍ଦଭାଇ ପରମାର୍ ସାଇନ୍ ବୋର୍ଡ ଚିତ୍ର କରି ଆସୁଛନ୍ତି । ସାତ ବର୍ଷ ତଳେ ସେ ଏକ ପ୍ଲେକ୍ସି କଟର୍ ମେସିନ୍ କିଣିଥିଲେ ଯାହା ଷ୍ଟିକର୍ପ୍ରିଣ୍ଟ କରିଥାଏ। ଏହା ଏକ ବଡ଼ ନିବେଶ ଥିଲା, ମେସିନ କିଣିବାକୁ ସେ ୨୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ କମ୍ପ୍ୟୁଟର ପାଇଁ ଆଉ ୨୦,୦୦୦ ଦେବାକୁ ପଡ଼ିଥିଲା। ନିଜ ବନ୍ଧୁମାନଙ୍କଠାରୁ ସେ କମ୍ପ୍ୟୁଟର ବ୍ୟବହାର କରିବା ଶିଖିଥିଲେ।
ଏହି ମେସିନ ରେଡିୟମ ପେପର୍ ଉପରେ ଷ୍ଟିକର ଓ ଅକ୍ଷର କାଟିଥାଏ ଯାହାକୁ ପରେ ଧାତୁ ଉପରେ ଲଗାଯାଏ। କିନ୍ତୁ ଅରବିନ୍ଦ ଭାଇ କୁହନ୍ତି, ସେ ହାତରେ ଚିତ୍ର କରିବାକୁ ପସନ୍ଦ କରନ୍ତି କାରଣ କମ୍ପ୍ୟୁଟର କିମ୍ବା ମେସିନ ବାରମ୍ବାର ଖରାପ ହୋଇଥାଏ ଏବଂ ଆମେ ସେଗୁଡ଼ିକୁ ବାରମ୍ବାର ମରାମତି କରିଥାଉ।
ୱାଲି ମହମ୍ମଦ ମିର୍ କ୍ୟୁରେଶୀ (୪୧) ଜଣେ ସାଇନ ବୋର୍ଡ ଚିତ୍ରକର ଏବଂ ସେ ଏବେ ଡିଜିଟାଲ୍ ସାଇନ୍ କାମ କରୁଛନ୍ତି । ସାଇନ ବୋର୍ଡ ପେଣ୍ଟ କରିବା କାମ ତାଙ୍କୁ କ୍ୱଚିତ୍ ମିଳିଥାଏ।
ଅନ୍ୟ ଚିତ୍ରକରଙ୍କ ଭଳି ୱାଲିଙ୍କୁ ମଧ୍ୟ ହୁସୈନଭାଇ ହାଡା ଶିକ୍ଷା ଓ ପ୍ରଶିକ୍ଷଣ ଦେଇଛନ୍ତି । କିନ୍ତୁ ଏହି ୭୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କୁହନ୍ତି ତାଙ୍କର ନିଜ ପିଲାମାନେ ଏହି କଳା ଜାଣିନାହାନ୍ତି । ତାଙ୍କ ପୁଅ ହନିଫ୍ ଏବଂ ନାତି ହାଜିର୍ ଓ ଅମିର ଷ୍ଟିକର, ସାନ୍ ଓ ଫ୍ଲେକ୍ସ ଡିଜାଇନ ଓ ପ୍ରିଣ୍ଟିଂ ବ୍ୟବସାୟ କରୁଛନ୍ତି । ସେମାନଙ୍କ ଦୋକାନ ଗାନ୍ଧୀନଗର ସେକ୍ଟର ୧୭ରେ ରହିଛି ।
‘‘ଔର୍ ଲୋଗୋ କୋ କରନା ଚାହିୟେ (ଅଧିକ ଲୋକ ସାଇନ ବୋର୍ଡ ପେଣ୍ଟ କରିବା ଉଚିତ୍),’’ ହୁସୈନ ଭାଇ କୁହନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍