କଜରି, ବୟସ ୭ ବର୍ଷ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ତାଙ୍କ ଭଡ଼ାଘର ବାଡ଼ିପଟ ଅଗଣାରେ ତିନି ବର୍ଷର ସଂପର୍କୀୟ ଭାଇ ସହିତ ଖେଳୁଥିବା ସମୟରେ ତାଙ୍କୁ ଦୁଇ ଜଣ ଲୋକ ଅପହରଣ କରିନେଇଥିଲେ ।
ଦଶ ବର୍ଷ ପରେ, ୨୦୨୦ ମସିହା ଡିସେମ୍ବରରେ, ବ୍ୟାଙ୍କ ଏଜେଣ୍ଟ ଭାବରେ କାମ କରୁଥିବା ତାଙ୍କର ଆଉ ଜଣେ ସଂପର୍କୀୟ ଭାଇ ଯେତେବେଳେ ସେହି ସହରକୁ ଆସିଥିଲେ, କଜରିଙ୍କ ଭଳି ଦିଶୁଥିବା ଜଣେ ଝିଅ, ଗୋଟିଏ ଘରର ଚଟାଣ ସଫା କରୁଥିବା ଦେଖିଲେ । ସେ ଝିଅଟିକୁ ତାର ବାପାଙ୍କ ନାଁ ପଚାରିଲେ, କିନ୍ତୁ ଜଣେ ମହିଳା ସେମାନଙ୍କ କଥାରେ ବାଧା ସୃଷ୍ଟି କରି କଥାବାର୍ତ୍ତା କରାଇ ଦେଇ ନଥିଲେ । ସେ ସେହି ଘର ଛାଡ଼ି ଚାଲିଗଲେ ଏବଂ ହିଂସା ପ୍ରପୀଡ଼ିତ ମହିଳା ଓ ଝିଅମାନଙ୍କ ସହାୟତା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ସ୍ଥାପିତ ଲକ୍ଷ୍ନୌର ‘ୱାନ୍-ଷ୍ଟପ୍ ସେଣ୍ଟର’କୁ ଫୋନ୍ କଲେ । ଅଳ୍ପ କେଇ ଘଣ୍ଟା ଭିତରେ, ମୋହନଲାଲଗଞ୍ଜ ଥାନା ପୋଲିସର ଏକ ଟିମ୍ ଏବଂ ‘ୱାନ୍-ଷ୍ଟପ୍ ସେଣ୍ଟର’ ମିଳିତ ଭାବେ ଚଢ଼ାଉ କରି କଜରିଙ୍କୁ ଉଦ୍ଧାର କଲେ, ଏବଂ ତାଙ୍କୁ ତାଙ୍କ ପରିବାର ଜିମା ଦେଲେ।
ଏବେ, ୨୧ ବର୍ଷ ବୟସର କଜରି ମାନସିକ ଅକ୍ଷମ, ପାଟି ତଳଭାଗରେ କେତେକ ଆଗ ଦାନ୍ତ ଭାଙ୍ଗିଯାଇଛି ଏବଂ ଝାପ୍ସା ଭାବରେ ସେ ମନେ ପକାନ୍ତି ଅନୈତିକ ମାନବ ଚାଲାଣ, ଯୌନ ଉତ୍ପୀଡ଼ନ ଏବଂ ଶିଶୁ ଶ୍ରମିକ ଅପରାଧର ଜଣେ ପୀଡ଼ିତା ଭାବରେ ସେ ବିତାଇଥିବା ୧୦ ବର୍ଷର କଥା ।

ମାତ୍ର ସାତ ବର୍ଷ ବୟସର କଜରିଙ୍କୁ ତାଙ୍କ ଘରୁ ଅପହରଣ କରି ଚାଲାଣ କରାଯାଇଥିଲା, ପରବର୍ତ୍ତୀ ୧୦ ବର୍ଷ କାଳ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଓ ତାଙ୍କୁ ଘରୋଇ କାମରେ ଲଗାଯାଇଥିଲା
*****
“ଆଗରୁ ମୁଁ କେବଳ ମନଦୁଃଖରେ ଥିଲି, ଏବେ ମୁଁ ସଂପୂର୍ଣ୍ଣ ହତାଶ ଓ ନିରାଶ ହୋଇପଡ଼ିଛି,” କଜରିଙ୍କ ୫୬ ବର୍ଷୀୟ ବାପା ଧୀରେନ୍ଦ୍ର ସିଂହ କହନ୍ତି । ଲକ୍ଷ୍ନୌର ଏକ ବେସରକାରୀ କଲେଜରେ ସେ ସୁରକ୍ଷା କର୍ମୀ ଭାବରେ କାମ କରନ୍ତି ଏବଂ ଗୋଟିଏ ଭଡ଼ାଘରେ ରହନ୍ତି । ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଥିବା ସେମାନଙ୍କ ନିଜଘରେ ତାଙ୍କ ପତ୍ନୀ ଏବଂ କଜରିଙ୍କ ସମେତ ଦୁଇ ଝିଅ ରହନ୍ତି ।
“ପ୍ରାୟ ୧୫ ବର୍ଷ ହେଲା ଲକ୍ଷ୍ନୌର ଭିନ୍ନ ଭିନ୍ନ କମ୍ପାନୀ କିମ୍ବା କଲେଜରେ ମୁଁ ସୁରକ୍ଷା କର୍ମୀ ଭାବରେ କାମ କରିଆସୁଛି । କିନ୍ତୁ ୨୦୨୧ ପରଠାରୁ ଗୋଟିଏ ସ୍ଥାନରେ କାମ କରିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି । କାରଣ, କଜରିର ବୟାନ ରେକର୍ଡ କରିବା ଲାଗି ତାକୁ ପୋଲିସ ପାଖକୁ ନେବା, ତା’ର ଡାକ୍ତରୀ ପରୀକ୍ଷା କରାଇବା ପ୍ରଭୃତି କାମ ନିମନ୍ତେ ମୋର ଛୁଟି ନେବା ଦରକାର ହେଉଛି । ବାରମ୍ବାର ଛୁଟି ମାଗିବା ଦ୍ୱାରା ମୋତେ ଚାକିରିରୁ ବିଦା କରିଦିଆଯାଏ । ତା’ପରେ ମୁଁ ପୁଣି ଗୋଟିଏ ନୂଆ ଚାକିରି ଖୋଜିବାରେ ଲାଗେ,” ଧୀରେନ୍ଦ୍ର କହନ୍ତି ।
ଧୀରେନ୍ଦ୍ର ମାସକୁ ୯,୦୦୦ ଟଙ୍କା ରୋଜଗାର କରନ୍ତି, ଯାହାକି ପରିବାରର ଖର୍ଚ୍ଚ ତୁଲାଇବା ଲାଗି ପର୍ଯ୍ୟାପ୍ତ ନୁହେଁ । “ଯେତେବଳେ କେହି କିଛି ହେଲେ କରୁନାହାନ୍ତି, ଏବଂ କଜରିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ରହିଛି, ସେ ସମୟରେ ମୋର ଅଳ୍ପ କିଛି ରୋଜଗାରକୁ ଯିବାଆସିବାରେ ଖର୍ଚ୍ଚ କରି ମୁଁ ତାକୁ ଥରକୁ ଥର ଲକ୍ଷ୍ନୌ ଆଣିପାରିବି ନାହିଁ ।”
କଜରି ମିଳିଯିବାର ସାଢ଼େ ତିନି ବର୍ଷ ବିତିଯିବା ପରେ ବି ନ୍ୟାୟ ପାଇବାକୁ ତାଙ୍କ ଉଦ୍ୟମ ପ୍ରାୟତଃ ବ୍ୟର୍ଥ ହୋଇଛି । ଏମିତି କି ଆଇନ ସହାୟତା କାର୍ଯ୍ୟାଳୟ, ମୋହନଲାଲଗଞ୍ଜ ଥାନା ଏବଂ ଲକ୍ଷ୍ନୌର କୈସରବାଗସ୍ଥିତ ଜିଲ୍ଲା ଅଦାଲତକୁ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଫୌଜଦାରି କାର୍ଯ୍ୟବିଧି ସଂହିତାର ୧୬୪ ଧାରା ଅନୁସାରେ କଜରିଙ୍କ ବୟାନ ରେକର୍ଡ କରାଯାଇନାହିଁ, କାରଣ ବୁଝାଇବାକୁ ଯାଇ ଧୀରେନ୍ଦ୍ର କହନ୍ତି, “ଅଦାଲତ ୨୦୨୦ରେ ପୋଲିସ ପାଖରେ ଦାୟର କରାଯାଇଥିବା ଏତଲା ଚାହୁଁଛନ୍ତି” ସେହି ସମୟର, ଯେଉଁ ସମୟରେ କଜରିକୁ ଉଦ୍ଧାର କରାଯାଇଥିଲା ।
ଡିସେମ୍ବର ମାସରେ, କଜରି ନିଖୋଜ ହୋଇଯିବାର ଦୁଇ ଦିନ ପରେ, ଧୀରେନ୍ଦ୍ର ଥାନାରେ ଦେଇଥିବା ଏତଲା ହିଁ ଏକମାତ୍ର ଏତଲା, ଯାହା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୬୩ ଏବଂ ୩୬୪ ଅନୁସାରେ ଦାୟର ହୋଇଥିଲା । ଏବେ ଏହା ଅସ୍ପଷ୍ଟ ହାତଲେଖା ସମ୍ବଳିତ ଚିରାଫଟା ଏକ ଦସ୍ତାବିଜ୍ । ୧୪ ବର୍ଷ ପରେ ସେଥିରୁ ବେଶି କିଛି ପଢ଼ି ହେଉନାହିଁ । ୨୦୧୦ ମସିହାର ଏହି ଏତଲାର ଏକ ନକଲ, କାଗଜରେ ହେଉ କିମ୍ବା ଡିଜିଟାଲ ଭାବରେ – ପୋଲିସ ପାଖରେ ନାହିଁ ଏବଂ ସେମାନଙ୍କ କହିବା ଅନୁସାରେ, ୨୦୨୦ରେ କଜରିଙ୍କୁ ଉଦ୍ଧାର କରାଯିବା ପରବର୍ତ୍ତୀ ସମୟରେ, ସଂଘଟିତ ଘଟଣାବଳୀର ବିବରଣୀ ସମ୍ବଳିତ ଏକ ଅନୁବର୍ତ୍ତୀ ଏତଲା ଦାୟର କରାଯିବା ସକାଶେ ୨୦୧୦ରେ ଦିଆଯାଇଥିବା ଏହି ଏତଲା ଆବଶ୍ୟକ ।
ଅନ୍ୟ ଭାଷାରେ, ଅଦାଲତ ଆବଶ୍ୟକ କରୁଥିବା ‘୨୦୨୦ ଏତଲା’ର ଅସ୍ତିତ୍ୱ ନାହିଁ ଏବଂ ତେଣୁ, କଜରିଙ୍କ ମାମଲା ବିଚାର ବ୍ୟବସ୍ଥାରେ ହିଁ ନାହିଁ ।


କଜରିଙ୍କ ବାପା ଧୀରେନ୍ଦ୍ର ନ୍ୟାୟ ପାଇବା ଲାଗି ଅନେକ ଉଦ୍ୟମ କରିଛନ୍ତି ସତ, କିନ୍ତୁ କଜରି ମିଳିଯିବାର ସାଢ଼େ ତିନି ବର୍ଷ ଭିତରେ ସେଥିରୁ ସେତେଟା ସୁଫଳ ମିଳିନାହିଁ । ଆଇନ ସହାୟତା କାର୍ଯ୍ୟାଳୟ, ମୋହନଲାଲଗଞ୍ଜର ଥାନା, ଏବଂ ଲକ୍ଷ୍ନୌର କୈସରବାଗସ୍ଥିତ ଜିଲ୍ଲା ଅଦାଲତକୁ ବାରମ୍ବାର ଦୌଡ଼ିବା ସ ତ୍ତ୍ୱେ କିଛି ହାସଲ ହୋଇନାହିଁ


ବାମ : ବାପାମାଆଙ୍କ ସହିତ କଜରି । ଡାହାଣ : ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ସେମାନଙ୍କ ଘର
“କଜରିଙ୍କୁ ଉଦ୍ଧାର କରାଯିବା ସଙ୍ଗେ ସଙ୍ଗେ, ଯେଉଁ ମହିଳାଙ୍କ ଘରୁ ତାଙ୍କୁ ଉଦ୍ଧାର କରାଯାଇଥିଲା, ତାଙ୍କ ବିରୋଧରେ ଏକ ଏତଲା ଦାୟର କରାଯିବା ଉଚିତ ଥିଲା । ୨୦୧୦ରେ ସେ ନିଖୋଜ ହୋଇଯିବା ସମୟରେ ଦାୟର କରାଯାଇଥିବା ଏତଲାରେ କେବଳ ଅପହରଣ ଅଭିଯୋଗ ରହିଥିଲା । କିନ୍ତୁ ଯେତେବେଳେ ତାଙ୍କୁ ଉଦ୍ଧାର କରାଗଲା, ସେତେବେଳେ ଭାରତୀୟ ଦଣ୍ଡବିଧି ଆଇନରେ ମାନବ ଚାଲାଣ ଏବଂ ଯୌନ ନିର୍ଯାତନା ଭଳି ଗୁରୁତର ଅପରାଧ ବିରୋଧରେ ରହିଥିବା ଧାରା ଅନୁସାରେ ଆଉ ଏକ ଏତଲା ଦିଆଯିବା ଗୁରୁତ୍ୱପୂର୍ଣ୍ଣ କଥା ଥିଲା,” ଏହି ମାମଲା ସଂପର୍କରେ ଜାଣିଥିବା ଲକ୍ଷ୍ନୌର ଜଣେ ସ୍ୱାବଲମ୍ବୀ ଆଇନଜୀବୀ ଅପୂର୍ବ ଶ୍ରୀବାସ୍ତବ କହନ୍ତି । “ପୋଲିସ ଏବଂ ମାଜିଷ୍ଟ୍ରେଟ୍ଙ୍କ ପାଖରେ କଜରିଙ୍କ ବୟାନ ତୁରନ୍ତ ରେକର୍ଡ କରାଯିବା ଉଚିତ ଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍ଙ୍କ ପାଖରେ ବୟାନ ରେକର୍ଡ କରାଇବା ବାକି ରହିଛି ।”
କଜରିଙ୍କୁ ଉଦ୍ଧାର କରାଯିବାର ୪୮ ଘଣ୍ଟା ପରେ ଫୌଜଦାରି କାର୍ଯ୍ୟବିଧି ସଂହିତା (ସିଆର୍ପିସି)ର ୧୬୧ ଧାରା ଅନୁସାରେ ମୋହନଲାଲଗଞ୍ଜ ଥାନାରେ ତାଙ୍କ ବୟାନ ଲିପିବଦ୍ଧ ହୋଇଥିଲା । ଲକ୍ଷ୍ନୌର ଦୁଇଟି ହାସପାତାଳରେ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ପ୍ରଥମ ହାସପାତାଳର ରିପୋର୍ଟରେ କଜରିଙ୍କ ତଳିପେଟରେ ଦାଗ ରହିଥିବା, ତଳ ହନୁହାଡ଼ର କେତେକ ଦାନ୍ତ ନଥିବା, ଏବଂ ଡାହାଣ ସ୍ତନ ପାଖରେ କଳାଦାଗ ଥିବା ଉଲ୍ଲେଖ କରାଯାଇଥିଲା । ଦ୍ୱିତୀୟ ହାସପାତାଳରେ ତାଙ୍କୁ ମନୋଚିକିତ୍ସକଙ୍କ ପାଖକୁ ପଠାଇ ଦିଆଯାଇଥିଲା ।
୨୦୨୧ରେ ହାସପାତାଳ ଦେଇଥିବା ଏକ ରିପୋର୍ଟର ଉପସଂହାରରେ କୁହାଯାଇଥିଲା ଯେ, କଜରିଙ୍କର “ସାମାନ୍ୟ ମାନସିକ ଅକ୍ଷମତା” ରହିଛି ଏବଂ ତାଙ୍କର ବୁଦ୍ଧିମତ୍ତା ସ୍ତର ୫୦-୫୫ ରହୁଛି, ଯାହା “୫୦ ପ୍ରତିଶତ ଅକ୍ଷମତା”କୁ ସୂଚାଉଛି ।” ଏହି ବ୍ୟାଧି ଚିହ୍ନଟ ହେବା ପରେ କଜରିଙ୍କୁ ସାତ ଦିନ ଲାଗି ହାସପାତାଳରେ ଭର୍ତ୍ତି କରାଗଲା ଏବଂ ମାନସିକ ରୋଗ ପାଇଁ ତାଙ୍କର କାଉନ୍ସେଲିଂ ସହିତ ଚିକିତ୍ସା କରାଗଲା । “ଦୀର୍ଘ ଦିନ ଧରି ଯୌନ ଉତ୍ପୀଡ଼ନ ଓ ଅନୈତିକ ଚାଲାଣର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ମାମଲାରେ ଏହି ଥଇଥାନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ । ମାନସିକ ଆଘାତ, ଅପରାଧବୋଧ, ଏବଂ ମାନସିକ ଆଘାତ ପରବର୍ତ୍ତୀ ଅସନ୍ତୁଳିତ ମାନସିକ ଅବସାଦ ଲକ୍ଷଣରୁ ପୀଡ଼ିତାଙ୍କୁ ମୁକୁଳାଇବା ଲାଗି ନିରବଚ୍ଛିନ୍ନ ଭାବରେ ମାନସିକ ଚିକିତ୍ସା ଏବଂ ମନସ୍ତାତ୍ତ୍ୱିକ ପରାମର୍ଶ ନିହାତି ଜରୁରୀ । ଭିନ୍ନତା ଭାବ ଏବଂ ସାମାଜିକ କଳଙ୍କ ସମ୍ମିଳିତ ମନୋଭାବର ମୁକାବିଲା ଲାଗି ସାମାଜିକ ଏକୀକରଣ ଦିଗରେ ଉଦ୍ୟମ ସୁନିଶ୍ଚିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ,” ଶ୍ରୀବାସ୍ତବ କହନ୍ତି ।
ପର୍ଯ୍ୟାପ୍ତ ମନୋସ୍ତାତ୍ତ୍ୱିକ-ସାମାଜିକ ସହାୟତା ନ ମିଳିବା ଏବଂ ଠିକ୍ ସମୟରେ ଏତଲା ଦିଆଯାଇ ନଥିବାରୁ ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ଅସ୍ପଷ୍ଟ ଏବଂ ଖଣ୍ଡ ବିଖଣ୍ଡିତ ଭାବରେ ସମୟ କାଟିବା ହିଁ କଜରିଙ୍କ ଜୀବନ ଥିଲା ।


କଜରିଙ୍କ ଉତ୍ପୀଡ଼ନ ସମୟରେ ଶାରୀରିକ ଶୋଷଣର ଚିହ୍ନ
“ଦୁଇ ଜଣ ଲୋକ ମୋତେ ନେଇଗଲେ ଏବଂ ମୋ ପାଟି ବାନ୍ଧିଦେଲେ । ସେମାନେ ମୋତେ ବସ୍ରେ ଚିନ୍ହଟକୁ ନେଇଗଲେ,” ୨୦୧୦ ଡିସେମ୍ବରରେ ଦିନେ ସକାଳେ ତାଙ୍କୁ ଅପହରଣ କରିନିଆଯିବା ସମୟର କଥା ମନେ ପକାଇ ହିନ୍ଦୀ ଓ ଭୋଜପୁରୀ ମିଶ୍ରିତ ଭାଷାରେ କଜରି କହନ୍ତି । ଚିନ୍ହଟ ଲକ୍ଷ୍ନୌର ଏକ ବ୍ଲକ୍, ଯେଉଁଠାରୁ କଜରିଙ୍କୁ ଉଦ୍ଧାର କରାଯାଇଥିଲା । ଭୋଜପୁରୀ ହେଉଛି ସେହି ଭାଷା ଯାହା ତାଙ୍କୁ ବନ୍ଦୀ ରଖାଯାଇଥିବା ଘରେ କୁହାଯାଉଥିଲା । ସେ ବାରମ୍ବାର ଗୋଟିଏ କଥାର ପୁନରାବୃତ୍ତି କରନ୍ତି, ‘ ନଙ୍ଗେ ଗୋଡ୍ ରଖତେ ଥେ ’ ଯାହାର ଅନୁବାଦିତ ଅର୍ଥ ‘ସେମାନେ ମୋତେ ଖାଲି ପାଦରେ ରଖୁଥିଲେ’ ।
ସେହି ଘରର ପ୍ରଥମ ମହଲାରେ ରହୁଥିବା ସମୟରେ ରେଖା ନାମ୍ନୀ ଜଣେ ମହିଳାଙ୍କ ସମେତ ତିନି ଜଣ ଲୋକଙ୍କ କଥାକୁ କଜରି ମନେ ରଖିଛନ୍ତି । ଆହୁରି କେତେକ ଭଡ଼ାଟିଆ ବି ତଳ ମହଲାରେ ରହୁଥିବା କଥା ସେ ମନେ ପକାନ୍ତି ।
“ମୋତେ ଦିନକୁ ଦୁଇ ଥର, ଦୁଇଟି ଲେଖାଏଁ ରୋଟି ଦିଆଯାଉଥିଲା । ତା’ଠାରୁ ଅଧିକ କିଛି ମିଳୁ ନଥିଲା । ମୋତେ ସବୁବେଳେ ଖାଲି ପାଦରେ ରଖାଯାଉଥିଲା । ଏମିତି କି ଶୀତଦିନେ ସେମାନେ ମୋତେ କମ୍ବଳ କି ଚାଦର ଦେଉ ନଥିଲେ । ମୋତେ ଯାହା ଦିଆଯାଉଥିଲା କେବଳ ଛିଣ୍ଡା, ପୁରୁଣା ଲୁଗାପଟା... ମୋର ମହୀନା (ମାସିକ ଋତୁସ୍ରାବ) ସମୟରେ ରେଖା ମୋତେ ମଇଳା କପଡ଼ା ଦେଉଥିଲେ । ବେଳେବେଳେ ସେ ମୋତେ ପୋଛା (ଘର ପୋଛିବାରେ ଲାଗୁଥିବା କନା) ବ୍ୟବହାର କରିବାକୁ କହୁଥିଲେ,” କଜରି କହନ୍ତି ।
ତାଙ୍କର ମନେ ଅଛି ଯେ, ସେ ଘରେ ଝାଡୁ ମାରିବା, ଘର ପୋଛିବା, ରୋଷେଇ, ଶୌଚାଳୟ ସଫା କରିବା ଏବଂ ଲୁଗାପଟା ଧୋଇବା ଭଳି ଘରକାମ କରୁଥିଲେ ଏବଂ ସବୁବେଳେ ହିଂସା ଆଶଙ୍କାରେ ଏବଂ ଧମକଚମକକୁ ଡରି ରହୁଥିଲେ । ଥରେ, ଖାଦ୍ୟ ଭଲ ନ ଲାଗିବାରୁ ରେଖା ତାଙ୍କ ମୁହଁକୁ ମୁଥ ମାରିଥିଲେ । ସେଥିରେ ତାଙ୍କର ଆଗପଟ ତଳଦାନ୍ତ ଭାଙ୍ଗି ଯାଇଥିଲା ।
“ମୋର ଋତୁସ୍ରାବ ହେଉ ନଥିବା ସମୟରେ ସେ ମୋତେ ଗୋଟିଏ କୋଠରିକୁ ନେଇଯାଉଥିଲେ,” ଘରର ଚଟାଣ ଆଡ଼କୁ ଚାହିଁ କଜରି କହନ୍ତି । ସେହି ଘରେ ରହୁଥିବା ଜଣେ ଲୋକ “କୋଠରିକୁ ଭିତରପଟୁ ବନ୍ଦ କରିଦେଉଥିଲେ, ମୋର ପୋଷାକ ଖୋଲି ଦେଉଥିଲେ, ମୋ ଉପରେ ଶୋଇ ରହି ସେ ଯାହା ଚାହୁଁଥିଲେ ତାହା କରୁଥିଲେ । ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲି କିନ୍ତୁ ସେ ବଳପୂର୍ବକ ମୋ ସହ ସେମିତି କରୁଥିଲେ ଏବଂ ତା’ପରେ ତାହା କରିବାକୁ ତାଙ୍କ ଭଡ଼ାଟିଆମାନଙ୍କୁ ଡାକୁଥିଲେ । ସେମାନେ ମୋତେ ସେମାନଙ୍କ ମଝିରେ ଶୁଆଇ ଦେଉଥିଲେ ।”


ବାମ: କଜରିର ଆଣ୍ଠୁ ଓ ପେଟରେ ଆଘାତର ଫଟୋ। ଡାହାଣ: ତାଙ୍କର ବାପା ଏହି ମାମଲାର ସମସ୍ତ ପ୍ରାସଙ୍ଗିକ ଦସ୍ତାବିଜ ଓ ସୂଚନା ସଂଗ୍ରହ କରିଛନ୍ତି ଏବଂ ଏକ ଲୁହା ଆଲମାରିରେ ଯତ୍ନପୂର୍ବକ ସେସବୁ ସାଇତି ରଖିଛନ୍ତି
ଧୀରେନ୍ଦ୍ର ଆହୁରି କହନ୍ତି ଯେ ଯେତେବେଳେ ତାଙ୍କୁ ପ୍ରଥମେ ଉଦ୍ଧାର କରାଗଲା, କଜରି ଅଭିଯୋଗ କରିଥିଲେ ଯେ, “ତାଙ୍କ ହାତରେ ଘରର କାମ କରାଇବା ପାଇଁ ଏବଂ ବାରମ୍ବାର ବଳାତ୍କାର କରିବା ପାଇଁ ରେଖା ଭଡ଼ାଟିଆମାନଙ୍କ ପାଖରୁ ଟଙ୍କା ନେଉଥିଲେ ।”
ଏହି ପିତା ଜଣକ ଏବେ ନିଃସ୍ୱ । “୨୦୨୧ ଜାନୁଆରୀରୁ ଆମେ ଏଠାରୁ ସେଠାକୁ ଦୌଡ଼ିବାରେ ଲାଗିଛୁ,” ସେ କହନ୍ତି । ଏଠାରେ ଲିଖିତ ‘ଆମେ’ରେ ସ୍ଥାୟୀ ଆଇନ ସହାୟତା ସାମିଲ ନୁହେଁ । ୱାନ୍-ଷ୍ଟପ୍ ସେଣ୍ଟର ଜରିଆରେ ୨୦୨୦ ମସିହାରେ ତାଙ୍କ ପାଖରେ ପହଞ୍ଚିଥିଲେ, ମହିଳାଙ୍କ ବିରୋଧରେ ହିଂସା ମାମଲାକୁ ବିନା ପାଉଣାରେ ହାତକୁ ନେଉଥିବା ଲକ୍ଷ୍ନୌର ଏକ ଅଣ-ଲାଭକାରୀ ଆଇନ ସହାୟତା ସଂଗଠନ, ଆସୋସିଏସନ୍ ଫର୍ ଆଡଭୋକେସି ଆଣ୍ଡ ଲିଗାଲ ଇନିସିଏଟିଭ୍ ଟ୍ରଷ୍ଟ (ଏଏଏଲ୍ଆଇ) । ତା’ପରଠାରୁ କଜରିଙ୍କ ମାମଲାରେ ଅତି କମ୍ରେ ଚାରି ଜଣ ଓକିଲ ବଦଳିଲେଣି ।
ଏବେ ଏହି ମାମଲା ପରିଚାଳନା କରୁଥିବା ‘ଏଏଏଲ୍ଆଇ’ର ଓକିଲ ଧୀରେନ୍ଦ୍ରଙ୍କ ପାଖକୁ ଏକ ନୂତନ ଅଭିଯୋଗର ଚିଠା ପଠାଇଲେ, ଯାହାକୁ ଭିତ୍ତି କରି ଏକ ଏତଲା ଦାୟର କରାଯାଇପାରିବ । କଜରିଙ୍କ ବାପା ଏଥିରେ କେତେକ ତଥ୍ୟଗତ ତ୍ରୁଟି ରହିଥିବା ଦର୍ଶାଇବାରୁ ଓକିଲ ଜଣକ ତାଙ୍କୁ ଗାଳିଗୁଲଜ କଲେ ଏବଂ ଏହା ଫଳରେ ମାମଲାରେ ଏକ ଅଚଳାବସ୍ଥା ସୃଷ୍ଟି ହେଲା । ଧୀରେନ୍ଦ୍ର ସେହି ଚିଠାରେ ଦସ୍ତଖତ କରିନାହାନ୍ତି ଏବଂ ଓକିଲ ଆଉ ଏକ ସଂଶୋଧିତ ଚିଠା ପଠାଇ ନାହାନ୍ତି ।
“କେଉଁଠି ଗୋଟିଏ ଫୋନ୍ ହଜିଗଲେ ସେମାନେ ସାରା ଦୁନିଆକୁ ଓଲଟପାଲଟ କରି ଦିଅନ୍ତି, କିନ୍ତୁ ମୋ ଝିଅକୁ ଚାଲାଣ କରାଯାଇ ୧୦ ବର୍ଷ ହେଲା କ୍ରୀତଦାସୀ ଭାବରେ ରଖାଯାଇଥିବା ଘଟଣାରେ କିଛି ହେଲେ କରାଯାଇନାହିଁ,” ଧୀରେନ୍ଦ୍ର କହନ୍ତି । ଖୁବ୍ ଯତ୍ନର ସହ ସେ ସାଇତି ରଖିଛନ୍ତି କାଗଜପତ୍ରର ବଡ଼ ବିଡ଼ାଟିଏ, ଅନେକ ଲଫାଫା ଓ ଫଟୋଗ୍ରାଫ – କଜରିଙ୍କ ମକଦ୍ଦମା ଲଢ଼ିବା ପାଇଁ ୨୦୧୦ରୁ ଗୋଟି ଗୋଟି କରି ସେ ସଂଗ୍ରହ କରିଥିବା ସବୁ ତଥ୍ୟ, ତାଙ୍କ ଲୁହା ଆଲମାରିର ଲକରରେ ରହିଛି । ଏହି ମାମଲାରେ ନିଷ୍ଠାପୂର୍ଣ୍ଣ ମନୋନିବେଶ ଦିଗରେ ତାଙ୍କ ସଂକଳ୍ପର ଲିଖିତ ପ୍ରମାଣ ।
ଏହି ଆଲେଖ୍ୟ ଭାରତରେ ଯୌନ ଏବଂ ଲିଙ୍ଗ ଭିତ୍ତିକ ହିଂସା (ଏସ୍ଜିବିଭି) ପୀଡ଼ିତମାନଙ୍କର ଯତ୍ନ କ୍ଷେତ୍ରରେ ବିଦ୍ୟମାନ ସାମାଜିକ, ଆନୁଷ୍ଠାନିକ ଏବଂ ଗଠନାତ୍ମକ ପ୍ରତିବନ୍ଧକ ସଂପର୍କିତ ଏକ ଦେଶବ୍ୟାପୀ ପ୍ରକଳ୍ପର ଅଂଶବିଶେଷ । ଏହା ‘ଡକ୍ଟର୍ସ ଉଇଦାଉଟ୍ ବର୍ଡରସ୍ ଇଣ୍ଡିଆ’ ସହଯୋଗରେ ପରିଚାଳିତ ଏକ ଅଭିଯାନର ଅଂଶବିଶେଷ ।
ସେମାନଙ୍କ ପରିଚୟ ସୁରକ୍ଷିତ ରଖିବା ପାଇଁ ପୀଡ଼ିତ ଓ ପରିବାର ସଦସ୍ୟଙ୍କ ନାମ ପରିବର୍ତ୍ତନ କରାଯାଇଛି ।
ଅନୁବାଦ : ଓଡ଼ିଶାଲାଇଭ୍